ବିଜେଡିର ହାଇଟେକ୍‌ କାର୍ଯ୍ୟକ୍ରମ : କର୍ମୀଙ୍କୁ ବିକାଶର ମନ୍ତ୍ର ଦେଲେ ନବୀନ

କୋରାପୁଟ : ବିଜେଡି କର୍ମୀଙ୍କୁ ବିକାଶର ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂ ମାଧ୍ୟମରେ କର୍ମୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ପରାମର୍ଶ ଦେଇଛନ୍ତି। ସରକାରୀ ଯୋଜନାକୁ ଘରେ ଘରେ ପହଞ୍ଚାଇ ଲୋକଙ୍କ ସହ ସମ୍ପର୍କ ଯୋଡିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ।

କୋରାପୁଟ ଷ୍ଟାଡିୟମରେ ଆଜି ଜିଲ୍ଲା ବିଜେଡି ପକ୍ଷରୁ ଓ୍ଵାର୍ଡ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ପ୍ରତିଟି ଓ୍ଵାର୍ଡରୁ ୫ ଜଣ ସକ୍ରିୟ ସଦସ୍ୟ ଏଥିରେ ଯୋଗ ଦେଇଥିଲେ। ଏହା ସହିତ ଦଳର କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ। ହାଇଟେକ ପଦ୍ଧତିରେ ଦଳ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଭୁବନେଶ୍ୱରରେ ବିଜେଡିର ରାଜ୍ୟ କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେବା ସହ ସେମାନଙ୍କ କଥା ଶୁଣିଥିଲେ। କର୍ମୀଙ୍କୁ କହିଥିଲେ ଯେ, ସରକାରଙ୍କ ବିଭିନ୍ନ ଲୋକପ୍ରିୟ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ କର୍ମୀମାନେ ଚେଷ୍ଟା କରନ୍ତୁ। ଘର ଘର ବୁଲି ଲୋକଙ୍କ ସୁଖଦୁଃଖରେ ସାମିଲ ହୁଅନ୍ତୁ। ବିକାଶ ସରକାରଙ୍କ ମୂଳମନ୍ତ୍ର ହୋଇଥିଲା ବେଳେ ଏଥିରେ ଓ୍ଵାର୍ଡ କମିଟି ସଦସ୍ୟମାନେ ସାରଥୀ ହେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କୋରାପୁଟ ବ୍ଲକ ବଡ଼କେରେଙ୍ଗା ପଞ୍ଚାୟତ ଚକରଲିଗୁଡା ଗ୍ରାମର ଚନ୍ଦ୍ରମା ଜାନୀ ତାଙ୍କ ଓ୍ଵାର୍ଡ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ତାଙ୍କ ଓ୍ଵାର୍ଡରେ କି କାମ ଚାଲିଛି ଏବଂ ଲୋକଙ୍କ ସହ କେମିତି ସଂପର୍କ ରଖିଛନ୍ତି ତାହା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହ ଏମିତି ଭଲ କାମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ଓ ଦେବାଶିଷ ସାମନ୍ତରାୟ ମଧ୍ୟ ବିଜେଡି କର୍ମୀଙ୍କୁ ଉଦବୋଧନ ଦେଇ ରାଜ୍ୟ ଓ ଦଳ ପାଇଁ କାମ କରିବାକୁ କହିଥିଲେ।

ଆଗକୁ ବିଧାନସଭା ଓ ସାଧାରଣ ନିର୍ବାଚନ ଆସୁଥିଲା ବେଳେ ବିଜେଡି ପକ୍ଷରୁ ଏମିତି ହାଇଟେକ କାର୍ଯ୍ୟକ୍ରମ କରାଯାଇ କର୍ମୀଙ୍କୁ ଏକଜୁଟ କରିବାକୁ ଉଦ୍ୟମ କରାଯାଇଛି। ଆଗରୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେଉଥିଲା ବେଳେ ଏବେ ଦଳୀୟ କାର୍ଯ୍ୟକ୍ରମରେ ହାଇଟେକ ଛୁଙ୍କ ଦେଇ ବିଜେଡି ଅନ୍ୟ ଦଳ ଅପେକ୍ଷା ଆଗରେ ରହିଛି। ଏଥିପାଇଁ କୋରାପୁଟ ଷ୍ଟାଡିୟମରେ ବ୍ୟାପକ ଆୟୋଜନ କରାଯାଇଥିଲା। ପ୍ରଥମ ଥର ପାଇଁ ଭିଡିଓ କନଫରେନି୍ସଂ ମାଧ୍ୟମରେ ନବୀନ କର୍ମୀଙ୍କ ସହ ଆଲୋଚନା କରୁଥିବାରୁ କର୍ମୀ ମହଲରେ ମଧ୍ୟ ପ୍ରବଳ ଉତ୍ସାହ ପ୍ରକାଶ ପାଇଥିଲା। ଖୋଦ୍‌ କ୍ରୀଡା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାଶ ବ୍ୟବସ୍ଥାର ତଦାରଖ କରୁଥିଲେ। ଜିଲ୍ଲା ବିଜେଡି ସଭାପତି ଝିନ୍ନ ହିକକା, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ପଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ଜିଲ୍ଲା ପରିଷଦ ସଭାପତି ପ୍ରଭୁ ଜାନୀ, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାଶ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଈଶ୍ୱର ପାଣିଗ୍ରାହୀ ଓ ପୂର୍ବତନ ବିଧାୟକ ରଘୁରାମ ପଡାଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର