କୋରାପୁଟ ଲୋକସଭା ଆସନକୁ ନେଇ ରାଜନୀତି ଜମୁଛି : ଅକଳରେ ପଡ଼ିଛନ୍ତି ତିନି ଦଳ

ଜୟପୁର : ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, କୋରାପୁଟ ଜିଲ୍ଲାରେ ଶାସକ ବିଜୁ ଜନତା ଦଳ ଏବଂ କଂଗ୍ରେସ ମଧ୍ୟରେ ଆଭ୍ୟନ୍ତରୀଣ କନ୍ଦଳ ସେତିକି ତୀବ୍ର ହେବାରେ ଲାଗିଛି। ହେଲେ ବିଜେପି ଏଥିରୁ ଫାଇଦା ଉଠାଇବା ସ୍ଥିତିରେ ନାହିଁ।

୨୦୧୪ ସାଧାରଣ ନିର୍ବାଚନରେ କୋରାପୁଟ ଜିଲ୍ଲାର ୫ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ୪ଟିରେ ବିଜୟୀ ହୋଇଥିଲା। ବିଜେଡିକୁ ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ସେ ସମୟରେ ସମଗ୍ର ରାଜ୍ୟରେ ବିଜେଡି ସପକ୍ଷରେ ପ୍ରବଳ ଜନମତ ସୃଷ୍ଟି ହୋଇଥିଲେ ହେଁ କୋରାପୁଟ ଜିଲ୍ଲାରେ କିନ୍ତୁ ଦଳୀୟ ନେତାଙ୍କୁ ଭୋଟର ଭରସା କରିନଥିଲେ। ତେବେ କୋରାପୁଟ ଓ ରାୟଗଡ଼ା ଜିଲ୍ଲାକୁ ନେଇ ଗଠିତ କୋରାପୁଟ ସଂସଦୀୟ ନିର୍ବାଚନମଣ୍ଡଳୀରେ କିନ୍ତୁ ବିଜେଡି ବିଜୟୀ ହୋଇଥିଲା।

୨୦୧୪ ନିର୍ବାଚନ ଏବଂ ଆଜିର ସ୍ଥିତିରେ ଅନେକ ପରିବର୍ତନ ଘଟିଛି। ପୂର୍ବତନ ସାଂସଦ ତଥା ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଜୟରାମ ପାଙ୍ଗୀ ଇତିମଧ୍ୟରେ ଶଙ୍ଖ ଦଳ ଛାଡି ବିଜେପିରେ ଯୋଗଦାନ କରିଛନ୍ତି। ବିଜେପି ଜୟରାମଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ଛିଡା କରିବ ବୋଲି ସଙ୍କେତ ଦେଇ ନିର୍ବାଚନ ପାଇଁ ଗୋଟିଚାଳନା ଆରମ୍ଭ କରିଛି। ଅନ୍ୟପକ୍ଷରେ ଦଳୀୟ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ବିଜେଡି ସାଂସଦ ଝିନ୍ନ ହିକ୍‌କାଙ୍କର ଆଉ ଲୋକସଭା ନିର୍ବାଚନ ଲଢିବା ପାଇଁ ଆଗ୍ରହ ନାହିଁ। ସେ ଲକ୍ଷ୍ମୀପୁର ବିଧାନସଭା ଆସନରୁ ପ୍ରାର୍ଥୀ ହେବା ଲାଗି ମାନସିକ ଭାବେ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ଫଳରେ କୋରାପୁଟ ସଂରକ୍ଷିତ ଆସନରୁ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଏବେ ବଡ ପ୍ରସଙ୍ଗ ଭାବେ ଉଭା ହୋଇଛି। ଏପରିସ୍ଥଳେ ପଟାଙ୍ଗି ବିଧାୟକ ପ୍ରଫୁଲ୍ଲ ପାଙ୍ଗିଙ୍କୁ ଦଳ ଲୋକସଭା ନିର୍ବାଚନମଣ୍ଡଳୀରେ ପରୀକ୍ଷା କରିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ସେହିପରି କୋରାପୁଟ ଲୋକସଭା ଆସନରୁ ଲଗାତାର ଭାବେ ନିର୍ବାଚିତ ହୋଇଥିବା ଡ. ଗିରିଧାରୀ ଗମାଙ୍ଗ କଂଗ୍ରେସ ଛାଡି ବିଜେପିରେ ଯୋଗଦାନ କରିବା ପରେ କଂଗ୍ରେସ ବି କାହାକୁ ପ୍ରାର୍ଥୀ କରିବ, ତାହା ସ୍ପଷ୍ଟ ହୋଇନାହିଁ ।

କୋରାପୁଟ ଜିଲ୍ଲାର ୫ଟି ବିଧାନସଭା ଆସନ ମଧ୍ୟରୁ ପଟାଙ୍ଗି ଆସନଟି ବିଜେଡି ହାତରେ ରହିଛି। ଏଠାରେ ବିଜେଡି ନେତା ପ୍ରଫୁଲ୍ଲ ପାଙ୍ଗି ଏବେ ବିଧାୟକ ଅଛନ୍ତି। ଅନ୍ୟ ଚାରିଟି ଅର୍ଥାତ୍‌ କୋରାପୁଟ ଆସନରୁ କଂଗ୍ରେସର କୃଷ୍ଣ ସଗରିଆ, ଜୟପୁରରୁ ତାରା ପ୍ରସାଦ ବାହିନିପତି, ଲକ୍ଷ୍ମୀପୁରରୁ କୈଳାଶ କୁଲେସିକା ଏବଂ କୋଟପାଡ ଆସନରୁ ଚନ୍ଦ୍ରଶେଖର ମାଝୀ ନିର୍ବାଚନ ଜିତିଥିଲେ। ଏବେ କିନ୍ତୁ ଏହି ବିଧାୟକମାନଙ୍କ ପ୍ରଦର୍ଶନ ଆସନ୍ତା ନିର୍ବାଚନରେ ବ଼ଡ଼ ପ୍ରଭାବ ରଖିବ ବୋଲି ରାଜନୈତିକ ମହଲ ଆକଳନ କରୁଛନ୍ତି।

କାରଣ, କଂଗ୍ରେସ ବିଧାୟକମାନଙ୍କ ମଧ୍ୟରେ ଥିବା ବିବାଦ ଦାଣ୍ଡରେ ପ଼ଡି ହାଟରେ ଗଡୁଛି। ବିଧାୟକ ଶ୍ରୀ ବାହିନୀପତି ଓ ଶ୍ରୀ ସଗରିଆଙ୍କ ସଂପର୍କ ଅହି ନକୁଳ ଭଳି। ଏଭଳି ପରିସ୍ଥିତିରେ ଗୋଟିଏ ପଟେ ତାରା ଓ ଚନ୍ଦ୍ରଶେଖର ଅଛନ୍ତି ଓ ଅନ୍ୟପଟରେ ସଗରିଆଙ୍କ ସହିତ କୈଳାଶଙ୍କ ସଂପର୍କ ଭଲ ରହିଛି। ଏହି ବିବାଦର ବଡ଼ ପ୍ରଭାବ ସଂଗଠନ ଉପରେ ପଡିଲାଣି। ଆଗକୁ ଯଦି ଏହି ବିବାଦରେ ପୂର୍ଣ୍ଣଛେଦ ନ ପଡେ, ତେବେ ନିର୍ବାଚନରେ ଭାରି ପ୍ରଭାବ ପଡିପାରେ।

ସେହିଭଳି ବିଜେଡି ସଂଗଠନରେ ମଧ୍ୟ କିଛି ନେତାଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି। ଗତ ଦିନରେ ଏକାଧିକ ଘଟଣାରେ ଏହା ସାମ୍ନାକୁ ଆସିଥିଲା। ହେଲେ ଏହାର ବିଶେଷ ପ୍ରଭାବ ଏଇଥିପାଇଁ ପଡୁନାହିଁ, ତାର କାରଣ ହେଉଛି, ବିଜେପି ସେଠାରେ ଅପେକ୍ଷାକୃତ ଦୁର୍ବଳ ସ୍ଥିତିରେ ରହିଛି। ବିଜେପି ସରକାରୀ ବିରୋଧୀ ଆଭିମୁଖ୍ୟ ନେଇ ଟକ୍କର ଦେବାକୁ ପାଗ ଭିଡୁଥିଲେ ହେଁ, ଦକ୍ଷ ପ୍ରାର୍ଥୀ ଓ ସଂଗଠନ ନେତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

ସମ୍ବନ୍ଧିତ ଖବର