ପବ୍ଲିକ ସ୍କୁଲ ଉପର ମହଲା ଛାତ ଭୁଶୁଡ଼ିଲା :ଉପଜିଲ୍ଲାପାଳ, ଡିଇଓ କରିବେ ତଦନ୍ତ

ଜୟପୁର: ଜୟପୁର ସୂର୍ଯ୍ୟମହଲ ପରିସରରେ ଥିବା ପବ୍ଲିକ ସ୍କୁଲର ଉପର ମହଲାର କାନ୍ଥ ସହ ସ୍ଲାବ୍‌ ଭୁଶୁଡି ପଡିବା ଘଟଣାକୁ ସପ୍ତାହେ ବିତିଛି। କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ଏନେଇ ସରକାରଙ୍କୁ ସୂଚନା ନଦେଇ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଛି। ଶହଶହ ଛାତ୍ରଛାତ୍ରୀ ଏହି ଘରୋଇ ବିଦ୍ୟାଳୟରେ ପାଠ ପଢୁଥିବାବେଳେ ସେମାନଙ୍କ ସୁରକ୍ଷା ନେଇ ଆଜି ଉପଜିଲ୍ଲାପାଳ ଲୋକନାଥ ଦଳବେହେରା ତତ୍ପରତା ପ୍ରକାଶ କରିଛନ୍ତି। ଏହାସହ ଡିଇଓ ମର୍କତ କେଶରୀ ରାୟ କହିଛନ୍ତି ଯେ ଯଦି ଏହି ସ୍କୁଲ ସୁରକ୍ଷା ବ୍ୟବସ୍ଥା ନିୟମ ମାନୁ ନଥିବ ତେବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

ସୁପ୍ରିମକୋର୍ଟଙ୍କ ନିମୟକୁ ଉଲ୍ଲଙ୍ଘନ କଲେ ଜିଲ୍ଲାସ୍ତରରେ ଏକ ଟିମ ଗଠନ କରାଯାଇ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯିବ ବୋଲି ସେ କହିଛନ୍ତି। ଏ ନେଇ ସ୍କୁଲ କର୍ତ୍ତୃପକ୍ଷ ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳବେହେରାଙ୍କୁ ଭୁଶୁଡି ପଡିଥିବା ଅଞ୍ଚଳରୁ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ଲିଖିତ ଜଣାଇଥିବା କହିଥିବା ବେଳେ ଉପଜିଲ୍ଲାପାଳ ଏ ସମ୍ପର୍କରେ ଜାଣିନଥିବା ଜଣାଇଛନ୍ତି। ପୁଣି ଶ୍ରୀ ଦଳବେହେରା ଜଣାଇଛନ୍ତି ଯେ ସେ ନିଜେ ସିଭିଲ ଇଂଜିନିୟରକୁ ନେଇ ସ୍କୁଲ କୋଠାର ସ୍ଥିତି ନେଇ ତଦନ୍ତ କରିବେ ବୋଲି ଜଣାଇଛନ୍ତି।
ଅନ୍ୟପକ୍ଷରେ ସ୍କୁଲ ଚଳାଇବାକୁ ପ୍ରତି ବର୍ଷ ଏନଓସି ଆବଶ୍ୟକ ରହିଥିବା ବେଳେ ଜିଲ୍ଲା ପ୍ରଶାସନ କେଉଁ ଆଧାରରେ ଏନଓସି ଦେଇଛନ୍ତି ବୋଲି ଅଭିଭାବକ ମହଲରେ ପ୍ରଶ୍ନ ଉଠୁଛି। ସୂଚନା ଯୋଗ୍ୟ ଯେ ଶନିବାର ଦିନ ସ୍କୁଲ ଛୁଟି ପରେ ଛାତ୍ରାଛାତ୍ରୀ ବାହାରକୁ ଯିବା ପରେ ପ୍ରଥମ ମହଲା ଛାତର ପ୍ରାୟ ୨୦ ଫୁଟ ଭୁଶୁଡି ପଡିଥିଲା।

ଏଥିସହ ଅନ୍ୟ ଛାତ ଏବେ ବିପଦ ସଂକୁଳ ଅବସ୍ଥାରେ ଓହଳି ହୋଇ ରହିଛି। ସୂଚନା ଥାଉକି, ୧୯୭୪ରେ ସୂର୍ଯ୍ୟମହଲ ପରିସରରେ ପୁରୁଣା ଷ୍ଟେଟ ବ୍ୟାଙ୍କ ପଛପଟେ ଏହି ସ୍କୁଲ ଆରମ୍ଭ ହୋଇଥିଲା। ତେବେ ଏହି ସ୍କୁଲର କୋଠା ଘର ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ୧୩୦୦ ଛାତ୍ରଛାତ୍ରୀ ଅସୁରକ୍ଷିତ ଭାବେ ଏଠାରେ ପାଠ ପଢୁଥିବା ନେଇ ଅଭିଯୋଗ ହୋଇଛି। ସ୍କୁଲ କର୍ତ୍ତୃପକ୍ଷ ଏହି ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ପରିସରରେ ଥିବା ଅନ୍ୟ କୋଠରି ମାନଙ୍କୁ ସ୍ଥାନାନ୍ତର କରିଦେଇଥିବା ନେଇ ଜିଲ୍ଲା ପ୍ରଶାସନଙ୍କୁ ଲିଖିତ ଜଣାଇଥିବା ବେଳେ ସେହି କୋଠରିର ସୁରକ୍ଷା ସଂପର୍କରେ ପ୍ରଶାସନ ଯାଞ୍ଚ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର