କୋରାପୁଟ: ସଂପର୍କୀୟଙ୍କ ମୃତ୍ୟୁ ଖବର ଶୁଣି ଯାଇଥିଲେ, ନଦୀରେ ବୁଡ଼ି ମହିଳା ମୃତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ପିପଳପଦର ଅଂଳଚରେ ସୋମବାର ନଦୀରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ମଣ୍ଡଳଗୁଡ଼ା ଗ୍ରାମର କୈଳାଶ ମିଣିଆଙ୍କ ସ୍ତ୍ରୀ ଚେଂଚୁ ମିଣିଆକା (୩୫) ନିଜର ଜଣେ ସଂପର୍କୀୟଙ୍କ ମୃତ୍ୟୁ ଖବର ଶୁଣି କାରାଝୋଲା ଗ୍ରାମକୁ ଯାଇଥିଲେ। ସେଠାରେ ଶବଦାହ ପରେ ନଦୀକୁ ଅନ୍ୟ ମହିଳାଙ୍କ ସହିତ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ଚେଂଚୁଙ୍କ ଗୋଡ଼ ଖସିଯାଇଥିଲା। ନଦୀର ଜଳ ପ୍ରବାହ ମହିଳାଙ୍କୁ ଭସାଇ ନେଇଥିଲା। ଚେଂଚୁ ନିଖୋଜ ହୋଇଯିବା ପରେ ନଦୀରେ ଗାଧୋଉଥିବା ଅନ୍ୟ ମହିଳାମାନେ ଲକ୍ଷ୍ମୀପୁର ଥାନା ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।

ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ବହୁ ଖୋଜାଖୋଜି କରିଥିଲେ। ହେଲେ ସନ୍ଧ୍ୟା ସୁଦ୍ଧା ଚେଂଚୁଙ୍କ କୌଣସି ପତ୍ତା ମିଳି ନଥିଲା। ଅଗ୍ନିଶମ ବିଭାଗର କର୍ମଚାରୀମାନେ ମଙ୍ଗଳବାର ପୁଣି ଥରେ ନଦୀକୁ ଯାଇ ନିଖୋଜ ଥିବା ମହିଳାଙ୍କୁ ଖୋଜାଖୋଜି କରିଥିଲେ। ଶେଷରେ ମହିଳାଙ୍କ ମୃତଦେହ ମିଳିଛି। ମୃତଦେହ ଉଦ୍ଧାର କରି ପୁଲିସ ଏକ ମାମଲା ରୁଜୁ କରିଛି।

ମହିଳାଙ୍କ ମୃତଦେହ ବୁଧବାର ପୋଷ୍ଟମର୍ଟମ ହେବ ବୋଲି ଜଣାପଡ଼ିଛି। ମୃତ ମହିଳାଙ୍କ ୪ଜଣ ସନ୍ତାନ ଅଛନ୍ତି। ସେମାନଙ୍କ ବୟସ ୧୦ ବର୍ଷ ମଧ୍ୟରେ ହେବ। ରାଜ୍ୟ ସରକାରଙ୍କ ତରଫରୁ ମିଳୁଥିବା ଆର୍ଥିକ ସହାୟତା ଯୋଗାଇ ଦିଆଯିବା ସଂପର୍କରେ ସ୍ଥାନୀୟ ସରପଂଚ ନାମ ମାଣ୍ଡିଙ୍ଗା କହିଛନ୍ତି।

ସମ୍ବନ୍ଧିତ ଖବର