ପେସେଣ୍ଟ ନେଇ ଆସିଛୁ , ଡାକ୍ତର ସାର୍‌! ଶୀଘ୍ର କବାଟ ଖୋଲନ୍ତୁ: କବାଟ ଖୋଲିବା ପରେ ଅଧଘଣ୍ଟା ଭିତରେ କଳାକନା ବୁଲାଇ ଚାଲିଗଲେ ଦୁର୍ବୃତ୍ତ

ନବରଙ୍ଗପୁର: ନବରଙ୍ଗପୁରର ଜଣେ ଡାକ୍ତରଙ୍କ ଘରେ ଲୁଟେରା କଳାକନା ବୁଲାଇ ଦେଇଛନ୍ତି । ୪ ଜଣ ଦୁର୍ବୃତ୍ତ ଭୁଜାଲି ଦେଖାଇ ଡାକ୍ତରଙ୍କ ଘରୁ ଟଙ୍କା, ସୁନା ଓ ମୋବାଇଲ ଲୁଟି ଫେରାର ହୋଇଯାଇଛନ୍ତି ।

ସମୟ – ରାତି ପ୍ରାୟ ୧୧ଟା ୩୦ । ଡାକ୍ତରଙ୍କ ଘର କବାଟ ବାଡେଇ କିଛି ଯୁବକ ସାର୍‌ ସାର୍‌ ଡାକିଥିଲେ । ବାରମ୍ବାର କହୁଥିଲେ, ପେସେଣ୍ଟ ନେଇ ଆସିଛୁ , ଶୀଘ୍ର କବାଟ ଖୋଲନ୍ତୁ । ଡାକ୍ତର ପ୍ରଦୀପ୍ତ କୁମାର ପ୍ରହରାଜ, କବାଟ ଖୋଲି କହିଥିଲେ, ପେସେଂଟକୁ ଭିତରକୁ ଆଣ । ବାସ୍‌, ଦେଖୁ ଦେଖୁ ଘରକୁ ଧସେଇ ପଶିଆସିଥିଲେ ଚାରି ଚାରି ଜଣ ଯୁବକ । ଡାକ୍ତରଙ୍କ ବେକରେ ଭୁଜାଲି ଲଗାଇ ଆରମ୍ଭ ହୋଇଗଲା ଫିଲ୍ମ ଷ୍ଟାଇଲରେ ଲୁଟ୍‌ । ଯୋଜନା ମୁତାବକ, ଦୁଇ ଜଣ ଯୁବକ ଡାକ୍ତରଙ୍କୁ କାବୁ କଲେ । ଜଣେ ଯୁବକ, ଡାକ୍ତର ଏବଂ ତାଙ୍କ ପତ୍ନୀଙ୍କ ମୋବାଇଲ ଛଡାଇ ଆଣିଲା। ଏବଂ ଆଉ ଜଣେ ବେଡରୁମ୍‌ ଭିତରକୁ ପଶି ଟଙ୍କା, ସୁନା ଖୋଜିଲା ।

ଅଧଘଂଟା ଭିତରେ ଘରେ କଳାକନା ବୁଲାଇ ଦେଇଥିଲେ ୪ ଜଣ ଦୁର୍ବୃତ୍ତ। ଘରେ ଥିବା ୪୦ ହଜାର ଟଙ୍କା, ୬ ଭରି ସୁନା ଅଳଙ୍କାର ସହ ୪ଟି ମୋବାଇଲ୍‌ ଲୁଟ୍‌ ହୋଇଛି । ଡାକ୍ତରଙ୍କ କହିବା କଥା , ଲୁଟେରାଙ୍କ ବୟସ ୧୯ରୁ ୨୪ ଭିତରେ ହେବ ଏବଂ ସେମାନେ ସ୍ଥାନୀୟ ଭାଷାରେ କଥା ହେଉଥିଲେ ।

ସକାଳୁ ଇନ୍ଦ୍ରାବତୀ ଥାନାରେ ଡାକ୍ତର ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ହେଲେ ଏଯାଏଁ ଲୁଟେରାଙ୍କ ଟେର୍‌ ପାଇ ପାରିନି ପୁଲିସ। ତେବେ ରୋଗୀ ବେଶରେ ଡାକ୍ତରଙ୍କ ଘରେ ଲୁଟ୍‌ , ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ବିଷୟ ହୋଇଛି ।

ସମ୍ବନ୍ଧିତ ଖବର