ଚିକିତ୍ସାଧୀନ ଅବସ୍ଥାରେ ଏରା କୁଂଜଙ୍କ ମୃତ୍ୟୁ

କାଲିମେଳା କାଲିମେଳା ବ୍ଲକ ଅନ୍ତର୍ଗତ ତାଣ୍ଡବାଇ ପଞ୍ଚାୟତର ଲଛିପେଟା ଗ୍ରାମର ଗରିବ ଆଦିବାସୀ ଏରା କୁଂଜ(୬୩)ଙ୍କ ଶେଷରେ ମୃତ୍ୟୁ ହୋଇଯାଇଛି। ସେ ଗତ ଏକ ସପ୍ତାହ ହେଲା ମାଲକାନଗିରି ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ। ଏରା କୁଂଜଙ୍କର ଗୋଟିଏ ଗୋଡ଼ ଫୁଲିଯିବା ସହିତ ସଂକ୍ରମିତ ହୋଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଥିଲା। ଏଥି ସହିତ ତାଙ୍କର ପିଠିରେ ମଧ୍ୟ ମାଂସ ପିଣ୍ଡୁଳା ବୃଦ୍ଧି ହୋଇ ଯନ୍ତ୍ରଣା ହେଉଥିଲା। ଧାର କରଜ କରି ବିଭିନ୍ନ ମେଡ଼ିକାଲରେ ତାଙ୍କର ଚିକିତ୍ସା କରାଯାଇଥିଲା। ଅଧିକା ଚିକିତ୍ସା କରିବାପାଇଁ ଅଧିକା ଟଙ୍କାର ଆବଶ୍ୟକତା ଥିବାରୁ ଚିକିତ୍ସା ନ କରି ତାକୁ ଘରକୁ ନେଇ ଆସିଥିଲେ। ପ୍ରାୟ ଏକ ବର୍ଷ ହେଲା ସେ ଘରେ ପଡ଼ି ରହିଥିଲେ।ଚାଲି ପାରୁ ନଥିବାରୁ ଗୋଟିଏ ସ୍ଥାନରେ ପଡ଼ି ରହୁଥିଲେ। ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ବିଛଣା ଧରି ଥିବାରୁ ଘର ଚଳିବା କଷ୍ଟକର ହୋଇପଡ଼ିଥିଲା। ତାଙ୍କର ଏକମାତ୍ର କଲେଜ ପଢୁଆ ଝିଅ ସୁମିତ୍ରା ବାପାଙ୍କର ଦେଖା ଶୁଣା କରୁଥିଲା।

ସୁମିତ୍ରା ମୂଲ ଲାଗି ଘର ଚଳାଉଥିଲା। କୁଲି କାମ କରି ଯାହା ରୋଜଗାର କରେ ସେଥିରେ ଘର ଚଳିବା ସହିତ ବାପାଙ୍କର ଔଷଧ ଖର୍ଚ୍ଚ ଚଳିଯାଏ। ଏ ସଂପର୍କରେ ଗତ ସପ୍ତାହରେ ଦୈନିକ ସମ୍ବାଦ ରେ ଖବର ପ୍ରକାଶ ପାଇବାପରେ ତାଙ୍କୁ ଏକ ୧୦୮ ଆମୁଲାନ୍‌ସ ଯୋଗେ ମାଲକାନଗିରି ମୁଖ୍ୟ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଏକ ସପ୍ତାହ ହେଲା ଚିକିତ୍ସା ଚାଲିଥିଲା। ତାଙ୍କର ଶରୀରରେ ରକ୍ତର ଅଭାବ ରହିଥିବାରୁ ଡ଼ାକ୍ତରଙ୍କୁ ଅନୁରୋଧ କରାଯାଇ ରକ୍ତ ଦିଆଯାଇଥିଲା। କିନ୍ତୁ ତାଙ୍କର ଅବସ୍ଥା ନ ସୁଧୁରିବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ନେବା ପାଇଁ ଡ଼ାକ୍ତର ପରାମର୍ଶ ଦେଇଥିଲେ। ଏରା କୁଂଜ ଗରୀବ ଆଦିବାସୀ ପରିବାରର ହୋଇଥିବାରୁ ଅଧିକ ଚିକିତ୍ସା ପାଇଁ ବଡ଼ ମେଡ଼ିକାଲକୁ ଯିବାପାଇଁ ପାଖରେ ଟଙ୍କାଟିଏ ନଥିଲା।

ତେଣୁ ତାଙ୍କୁ ତୁରନ୍ତ ବ୍ରହ୍ମପୁର ମେଡ଼ିକାଲକୁ ନିଆଯାଇପାରିନଥିଲା। ଦୈନିକ ସମ୍ବାଦରେ ଖବର ପ୍ରକାଶ ପାଇବାପରେ ମାଲକାନଗିରିର ମାହେଶ୍ୱରୀ ଯୁବ ସଂଗଠନ ପକ୍ଷରୁ ତାଙ୍କୁ କିଛି ଅର୍ଥ ସାହାଯ୍ୟ କରିଥିଲା। କାଲିମେଳାର ଜଣେ ସ୍ୱେଛାସେବୀ ଇ.ପ୍ରସାଦ ରାଓ ମଧ୍ୟ ତାଙ୍କୁ ସାହାଯ୍ୟ ସହଯୋଗ କରି ଆସୁଥିଲେ। କିନ୍ତୁ ଶେଷରେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିଲା ନାହିଁ। ଗତକାଲି ଲଛିପେଟା ସ୍ଥିତ ନିଜ ଗ୍ରାମରେ ଆଦିବାସୀ ପରମ୍ପରା ଅନୁସାରେ ଶବ ସଂସ୍କାର କରାଯାଇଥିଲା। ଏବେ ତାଙ୍କର ଏକମାତ୍ର ଝିଅ ସୁମିତ୍ରା ଓ ତାଙ୍କ ସ୍ତ୍ରୀ ଘରେ ରହୁଛନ୍ତି।

ସମ୍ବନ୍ଧିତ ଖବର