ଗାଡ଼ି ଅଟକାଇ ବେଆଇନ୍‌ ଚାନ୍ଦା ମାଗିବା ଘଟଣା: ପୁଲିସ ଅଧିକାରୀଙ୍କୁ ବର୍ଷେ ଜେଲ୍‌, ୧୦ ହଜାର ଟଙ୍କା ଜୋରିମାନା

ବାରିପଦା: ବାରିପଦା ଭିଜିଲାନ୍‌ସ କୋର୍ଟ ମଙ୍ଗଳବାର ଏକ ଲାଞ୍ଚ କାରବାର ମାମଲାର ବିଚାର କରି ଲାଞ୍ଚୁଆ ପୁଲିସ ଅଧିକାରୀଙ୍କୁ ବର୍ଷେ ଜେଲ୍‌ ଦଣ୍ଡ ସହିତ ୧୦ ହଜାର ଟଙ୍କା ଜୋରିମାନା ଶୁଣାଣି କରିଛନ୍ତି। ଜୋରିମାନା ଅନାଦେୟ ରହିଲେ ଅଧିକ ୩ ମାସ ଅଧିକ ଜେଲ୍‌ ଦଣ୍ଡ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି।

ଘଟଣାରୁ ପ୍ରକାଶ, ଗତ ୨୦୧୩ ମାର୍ଚ୍ଚ ୨୬ ତାରିଖରେ ରାଇରଙ୍ଗପୁର ସହରର ୩ ୱାର୍ଡ ନମ୍ବର ୱାର୍ଡବାସିନ୍ଦା ମୋହନ ମହାନ୍ତ (ପିତା: ବୈଦ୍ୟନାଥ ମହାନ୍ତ)ଙ୍କ କାରକୁ ତାଙ୍କ ଡ୍ରାଇଭର (ଓଆର୍‌ ୧୧ ଜେ ୭୭୦୭) ଭଡ଼ାରେ ମଣଦାକୁ ଆସିଥିଲା। ଏହି ସମୟରେ ତତ୍କାଳୀନ ମଣଦା ଫାଣ୍ଡି ଅଧିକାରୀ ହରିଶଚନ୍ଦ୍ର ସାମଲ ଗାଡ଼ିଟିକୁ ଅଟକାଇ କାଗଜପତ୍ର ଯାଞ୍ଚ କରିବା ବାହାନାରେ ହଇରାଣ କରିଥିଲେ ଏବଂ ୨୦ ହଜାର ଟଙ୍କା ଦେଲେ ଗାଡ଼ି ଛାଡ଼ିଦେବେ ବୋଲି ମୂଲଚାଲ କରିଥିଲେ।

ଏହାପରେ ଗାଡ଼ିର ଡ୍ରାଇଭର ଗାଡ଼ି ମାଲିକ ମୋହନ ମହାନ୍ତଙ୍କୁ ସମସ୍ତ ବୃତ୍ତାନ୍ତ ଜଣାଇବା ପରେ ଗାଡ଼ିମାଲିକ ବାରିପଦା ଭିଜିଲାନ୍‌ସ ନିକଟରେ ଫେରାଦ ହୋଇଥିଲେ। ଭିଜିଲାନ୍‌ସ ପୁଲିସ ଏହି ମାମଲାଟିକୁ ଗୁରୁତର ସହ ବିଚାର କରି ପରଦିନ ଉକ୍ତ ଫାଣ୍ଡି ଅଧିକାରୀଙ୍କୁ ଟଙ୍କା ନେଉଥିବାବେଳେ କାବୁ କରିଥିଲେ। ଏ ନେଇ ଭିଜିଲାନ୍‌ସ ପୁଲିସ ପକ୍ଷରୁ ଏକ ମାମଲା (ଭିଜିଆର୍‌ କେସ ନଂ ୧୪/୨୦୧୩) ରୁଜୁ କରାଯାଇଥିଲା। ଜଜ୍‌ ତାରାପ୍ରସାଦ ରଥ ମାମଲାର ବିଚାର କରିଥିବାବେଳେ ସରକାରୀ ଓକିଲ କୃଷ୍ଣଚନ୍ଦ୍ର ଶତପଥୀ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର