ଶିମିଳିପାଳ ମୁଖ୍ୟ ରାସ୍ତାରେ ପାହାଡ଼ରୁ ମାଟି ଧସିଲା:୩ ପଞ୍ଚାୟତବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା କାମ ଆରମ୍ଭ କଲା ବନ ବିଭାଗ

ଯଶିପୁର: ଯଶିପୁରରୁ ଶିମିଳିପାଳ ବନାଞ୍ଚଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଧସି ଯିବାରୁ ୩ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଛି। ଏଥିସହିତ ରାସ୍ତା ସଂଲଗ୍ନ ପାହାଡ଼ରୁ ମଧ୍ୟ ମାଟି ଧସିବା ଆରମ୍ଭ ହୋଇଥିବାରୁ ପରିସ୍ଥିତି ଗୁରୁତର ହେବାର ଆଶଙ୍କା ଦେଖାଦେଇଛି। ଗୁରୁଗୁଡ଼ିଆ ରେଞ୍ଜ କାର୍ଯ୍ୟାଳୟ ପକ୍ଷରୁ ରାସ୍ତା ପାର୍ଶ୍ୱରେ ଯୁଦ୍ଧକାଳୀନ ଭିତ୍ତିରେ କାମଚଳା ମରାମତି କରାଯାଇ ପରିସ୍ଥିତିକୁ ସମ୍ଭାଳିବାକୁ ପ୍ରୟାସ ଆରମ୍ଭ ହୋଇଛି।
ଯଶିପୁରରୁ ଶିମିଳିପାଳ ଯାଇଥିବା ମୁଖ୍ୟ ରାସ୍ତାରେ କାଳିଆଣି ଓ କାଳିକାପ୍ରସାଦ ତନଖି ଫାଟକ ଅତିକ୍ରମ କଲାପରେ ୨୦ କିମି ଦୂରରେ ମହୁଭଣ୍ଡାର ଜଙ୍ଗଲ ଘାଟି ନିକଟରେ ରାସ୍ତା ମାଟି ଧସିଛି। ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ଏହି ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତା ପାର୍ଶ୍ଵରେ ୫୦/୬୦ ଫୁଟ ତଳେ ଖଇରୀ ନଦୀ ପ୍ରବାହିତ ହୋଇଛି ଓ ପ୍ରଥମେ ରାସ୍ତା କଡ଼ରେ ବଡ଼ ଫାଟ ଦୃଷ୍ଟିଗୋଚର ହୋଇ ମାଟି ତଳକୁ ଦବିବା ଆରମ୍ଭ ହୋଇଥଲା। ଦେଢମାସ ତଳେ ଲଗାଣ ବର୍ଷା ବେଳ ଏହି ଫାଟ ସୃଷ୍ଟି ହେବା ପ୍ରକ୍ରିୟା ପରେ ରାସ୍ତା ଦେଇ ଚଳାଚଳ କରୁଥିବା ଯାନବାହାନକୁ କିଛିଦିନ ପାଇଁ ବନ୍ଦ କରିବା ପାଇଁ ବନବିଭାଗ କର୍ତ୍ତୃପକ୍ଷ କଟକଣା ଲାଗୁ କରିଥିଲେ। ଶିମିଳିପାଳର ପ୍ରାୟ ୯୦ କିମି ଦୂର ଅସ୍ତକୁମର ପଞ୍ଚାୟତଠାରୁ ଆରମ୍ଭ କରି ବରେହିପାଣି, ଗୁରୁଗୁଡ଼ିଆର ଶହ ଶହ ଜନସାଧାରଣଙ୍କ ଯଶିପୁରକୁ ଯିବା ଆସିବା ନେଇ ଗୁରୁତର ସଂକଟ ଦେଖା ଦେଇଥିଲା।

ସେତେବେଳେ ବନବିଭାଗର ଗୁରୁଗୁଡ଼ିଆ ରେଞ୍ଜ ପକ୍ଷରୁ ସାମୟିକ ମରାମତି କରାଯାଇ ରାସ୍ତା ଚଳାଚଳକୁ କିଛି ଦିନ ସ୍ୱାଭାବିକ କରାଯାଇ ପାରିଥିଲା। ପୁଣି ବିଗତ ପ୍ରାୟ ୧୨ ଦିନ ତଳେ ଏହି ମାଟି ଧସି ଫାଟ ହେବା ପ୍ରକ୍ରିୟା ପରିସ୍ଥିତିକୁ ଜଟିଲ କରିଛି। ନଦୀ ପାର୍ଶ୍ୱକୁ ମାଟି ଧସିବା ଓ ଗାର୍ଡ ଓ୍ଵାଲ୍‌ ଉପରକୁ ପାହାଡ ଧସିବା ଆରମ୍ଭ ହେବା ବେଳେ ଭୟଙ୍କର ପରିସ୍ଥିତି ଦେଖା ଦେଇଥିଲା। କରଞ୍ଜିଆସ୍ଥିତ ବନଖଣ୍ଡର ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ଗୁରୁଗୁଡ଼ିଆ ରେଞ୍ଜ ଅଧିକାରୀଙ୍କ ନେତୃତ୍ୱରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ହାତକୁ ନିଆଯାଇଛି। ଖୁଣ୍ଟ ପୋତି ବାଲି ବସ୍ତା ପକାଯାଇ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇ ହାଲୁକା ଗାଡି ଚଳାଚଳକୁ ଅନୁମତି ଦିଆଯାଇଛି।
ପୂର୍ବତନ ବିଧାୟକ ଶମ୍ଭୁନାଥ ନାଏକଙ୍କ ସମେତ ୩ ପଞ୍ଚାୟତ ସରପଞ୍ଚ ନଦୀ ଓ ପାହାଡ ଧସିବା ଘଟଣାର ବିଧିବଦ୍ଧ ଅନୁଧ୍ୟାନ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର