ଯୁବକକୁ ହତ୍ୟା କରି ଜାଳିଦେଲେ

ରାଇରଙ୍ଗପୁର : ରାଇରଙ୍ଗପୁର-ଟାଟା ଜାତୀୟ ରାଜପଥ ପାର୍ଶ୍ୱସ୍ଥ ଦାଣ୍ଡବୋଷ ନିକଟରେ ଜଳନ୍ତା ଧାନଗଦା ଭିତରୁ ଏକ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତିର ଶରୀର ସଂପୂର୍ଣ୍ଣ ଜଳି ଯାଇଥିବାରୁ ପୁଲିସ୍ ତାଙ୍କର ପରିଚୟ ପାଇପାରିନାହିଁ। ଘଟଣାସ୍ଥଳରୁ ମିଳିଥିବା ମୃତକଙ୍କ ଜୋତା, ପିନ୍ଧିଥିବା କପଡ଼ାର କିଛି ଅଂଶ ଓ ହାତ କଡ଼ାରୁ ଶବଟି ଜଣେ ଯୁବକର ବୋଲି ଅନୁମାନ କରାଯାଉଛି। ତେବେ ରାତିର ଅନ୍ଧକାର ମଧ୍ୟରେ ଏକାଧିକ ଦୁର୍ବୃତ୍ତ ବ୍ୟକ୍ତି ଜଣକୁ ହତ୍ୟାକରି ଯୋଜନାବଦ୍ଧ ଭାବେ ଉକ୍ତ ଧାନଗଦା ଭିତରେ ପକାଇ ନିଆଁ ଲଗାଇ ପ୍ରମାଣ ନଷ୍ଟ କରିଦେବାକୁ ଚେଷ୍ଟା କରିଥିବା ସନ୍ଦେହ କରାଯାଉଛି।

ଆଜି ଭୋର ଜାତୀୟ ରାଜପଥ-୨୨୦ର ଦାଣ୍ଡବୋଷ ନିକଟରେ ଧାନଗଦାରେ ନିଆଁ ଲାଗିଥିବା ଦେଖି ଗାଡ଼ି ମୋଟରରେ ଯାତାୟାତ କରୁଥିବା ଲୋକ ଅଟକିଥିଲେ। ନିକଟସ୍ଥ ଗାଁର କିଛି ଲୋକ ମଧ୍ୟ ଘଟଣାସ୍ଥଳରେ ଜମା ହୋଇଥିଲେ। ତେବେ ନିଆଁର ଝାସ ଭିତରେ ଜଣେ ବ୍ୟକ୍ତି ପୋଡ଼ିଯାଉଥିବା ଦେଖି ସମସ୍ତେ ଭୟଭୀତ ହୋଇଯାଇଥିଲେ। ଏ ନେଇ ରାଇରଙ୍ଗପୁର ଟାଉନ ଥାନା ପୁଲିସ୍‌କୁ ସୂଚନା ମିଳିବା ପରେ ଥାନାଧିକାରୀ ଶ୍ରୀ ସେଠୀ ଘଟଣାସ୍ଥଳରେ ପହଞ୍ଚିଥି‌େଲ। ରାଇରଙ୍ଗପୁର ଦମକଳ ବାହିନୀ ପହଞ୍ଚି ନିଅାଁ ଲିଭାଇବା ପରେ ଶବଟି ଅର୍ଦ୍ଧଦଗ୍ଧ ହୋଇ ସାରିଥିବା ଦେଖିବାକୁ ମିଳିଥିଲା। ପରେ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଆସି ଘଟଣାସ୍ଥଳରେ ଅନୁସନ୍ଧାନ କରିବା ସହ ସନ୍ଧାନୀ କୁକୁର ମଧ୍ୟ ଛାନ୍‌ଭିନ୍‌ କରିଥିଲା। ମୃତକର ପରିଚୟ ମିଳିପାରି ନଥିବା ବେଳେ ପୁଲିସ୍ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିବାକୁ ଚେଷ୍ଟା ଚଳାଇଛି।

ସମ୍ବନ୍ଧିତ ଖବର