ନବରଙ୍ଗପୁର: ଲାଗ ଲାଗ ଦୁଇଟି ଲୁଟ୍ ଘଟଣାରେ ନବରଙ୍ଗପୁର ପୁଲିସ ୪ଜଣଙ୍କୁ ଗିରଫ କରିଛି। ଚଳନ୍ତା ଗାଡିରୁ ପୂର୍ବତନ ବିଧାୟକ ସଦନ ନାୟକଙ୍କ ଠାରୁ ଟଙ୍କା ଲୁଟ୍ ଓ ସହର ଉପକଣ୍ଠ ଏସାର ପେଟ୍ରୋଲ ପମ୍ପ ନିକଟରୁ ଡ୍ରାଇଭରକୁ ମାଡ ମାରି ଲୁଟ ମାମଲା ଏମାନେ ସଂପୃକ୍ତ ଥିଲେ ପୁଲିସ କହିଛି। ଗିରଫ ଅଭିଯୁକ୍ତମାନେ ହେଲେ ନବରଙ୍ଗପୁର ସହର ସେନାପତି ସାହିର ଭୁବନ ଗରଡା, ଗାଦବାଗୁଡା ସାହିର ଲିଙ୍ଗରାଜ ମଲ୍ଲିକ, ଦଶରାପଦା ସାହିର ହେମନ୍ତ ଦୀପ ଓ ଗାଦବାଗୁଡାର ବରକର ଅଲି ବାଗ। ପୂର୍ବତନ ବିଧାୟକଙ୍କ ଠାରୁ ଟଙ୍କା ଲୁଟ୍ ଘଟଣାରେ ୫ଜଣ ଯୁବକ ୨ଟି ବାଇକରେ ଯାଇ ଲୁଟ କରିଥିବା ବେଳେ ଏଥିରେ ଭୁବନ ଗରଡା ଓ ଲିଙ୍ଗରାଜ ମଲ୍ଲିକ ସଂପୃକ୍ତ ଥିଲେ। ଏମାନଙ୍କ ଠାରୁ ନଗଦ ୪୪ ହଜାର ୭ ଶହ ଟଙ୍କା ଜବତ କରାଯାଇଛି। ଅନୁରୂପ ଟ୍ରକ ଘଟଣାକ୍ରମେ ଡ୍ରାଇଭରକୁ ମାଡ ମାରି ଟଙ୍କା ଓ ମୋବାଇଲ ଲୁଟ ମାମଲାରେ ହେମନ୍ତ ଦୀପ ଓ ବରକର ଅଲ୍ଲି ବାଗ ଗିରଫ ହୋଇଛନ୍ତି। ଏମାନଙ୍କ ଠାରୁ ୩ ହଜାର ୫ଶହ ଟଙ୍କା ଜବତ ହୋଇଛି। ଏହାବ୍ୟତୀତ ନବରଙ୍ଗପୁର-ପାପଡାହାଣ୍ଡି ମଧ୍ୟରେ ଗତ ମାର୍ଚ୍ଚ ମାସରେ ମଇଦଲପୁରର ମେଘନାଦ ବିଷୋୟୀଙ୍କୁ ମାଡ ମାରି ଲୁଟ୍ ବାଇକ ଏମାନଙ୍କ ଠାରୁ ଜବତ କରାଯାଇଛି ବୋଲି ପୁଲିସ କହିଛି।
ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୨ ତାରିଖ ରାତିରେ ପୂର୍ବତନ ବିଧାୟକ ସଦନ ନାୟକ ପେଟ୍ରୋଲ ପମ୍ପରୁ ୨ ଲକ୍ଷ ୫୫ ହଜାର ଟଙ୍କା ଧରି ଫେରୁଥିବା ବେଳେ ହିର୍ଲି ଠାରେ ୨ ଜଣ ଦୁର୍ବୃତ୍ତ ଚଳନ୍ତା ଗାଡିରୁ ଟଙ୍କା ମୁଣି ଧରି ଚମ୍ପଟ ମାରିଥିଲେ। ସେହପରି ଚଳିତ ମାସ ୪ ତାରିଖରେ ନବରଙ୍ଗପୁର ସହର ଉପକଣ୍ଠ ଏସାର ପେଟ୍ରୋଲ ପମ୍ପ ନିକଟରେ ରାତି ପ୍ରାୟ ସାଢ଼େ ୧୧ଟାରେ ୨ଟି ଟ୍ରକର ଡ୍ରାଇଭର ଓ ହେଲପରଙ୍କୁ ମାଡ ମାରି ଟଙ୍କା ଓ ୪ ଟି ମୋବାଇଲ ଦୁର୍ବୃତ୍ତ ଲୁଟ୍ କରିଥିଲେ। ଗୋଟିଏ ଟ୍ରକକୁ ଦୁର୍ବୃତ୍ତ ମାନେ ମାଡ ମାରି ଘଟଣା ସ୍ଥଳରୁ ଘଉଡାଇ ଦେଇଥିବା ବେଳେ ଅନ୍ୟ ଗୋଟିଏ ଟ୍ରକର ଡ୍ରାଇଭର ସୁବାସ ସ୍ବାଇଁ ନବରଙ୍ଗପୁର ଥାନାରେ ଏନେଇ ଏତଲା ଦେଇଥିଲେ। ତେବେ ଟ୍ରକ ଡ୍ରାଇଭରଙ୍କୁ ମାଡ ମାରିବା ଘଟଣା ସିସି କେରମେରାରେ କଏଦ ହୋଇଥିଲା। ଯାହାକୁ ଆଧାର କରି ପୁଲିସ ଅଭିଯୁକ୍ତଙ୍କୁ ଧରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପଚରା ଉଚୁରା ସମୟରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ କିଛି ଜଣ କୋଡିଗାଁ, ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳରେ ହୋଇଥିବା ରାହାଜାନୀରେ ସମ୍ପୃକ୍ତ ଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶାନ୍ତନୁ ମହାନ୍ତି ପ୍ରକାଶ କରିଛନ୍ତି। ଅନ୍ୟ କିଛି ମାମଲାରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଥିବାରୁ ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ନିଆଯିବ ବୋଳି କହିଥିଲେ। ସମସ୍ତ ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକିଂ ଓ ପୁଲିସର ପୁରୁଣା ତଲିକା ବ୍ୟବହାର କରିବା ପରେ ଗିରଫ କରାଯାଇଛି। ଏହି ଗିରଫଦାରିରେ ଅତିରିକ୍ତ ଏସପି ଶାନ୍ତନୁ ମହାନ୍ତି, ପାପଡାହାଣ୍ଡି ଏସଡିପିଓ ବିଜୟ କୁମାର ନାୟକ, ଆଇଆଇସି ଭୀମସେନ ନାୟକ, ପାପଡାହାଣ୍ଡି ଆଇଆଇସି ତାରିକ ଅହମ୍ମଦ, ଅତିରିକ୍ତ ଆଇଆଇସି ମୁନି ଆଚାରୀ, ଏସଆଇ ଦିଲ୍ଲୀପ କୁମାର ପ୍ରଧାନ, ଏସଆଇ ସୁଚିତ୍ରା ଜୟସିଂ, ପଞ୍ଚାନନ ପରିଡା, ଏଏସଆଇ ରମେଶ ପାତ୍ର, ରବି ପ୍ରଧାନ, ଅନିଲ ପୃଷ୍ଟି, ନିହାର ମିଶ୍ର ପ୍ରମୁଖ ଭାଗ ନେଇଥିଲେ।