ନବରଙ୍ଗପୁରରେ ଖାପ୍‌ ପଞ୍ଚାୟତ : ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିବା ପରେ ଯୁବକ ଓ ବିବାହିତା ମହିଳାଙ୍କୁ ନିସ୍ତୁକ ମାଡ଼, ଦଉଡ଼ିରେ ବାନ୍ଧି ଗାଁ ସାରା ବୁଲାଇଲେ ଲୋକେ

ନବରଙ୍ଗପୁର: ଜଣେ ବିବାହିତା ମହିଳାଙ୍କ ସହ ଅନ୍ୟ ଜଣେ ଯୁବକଙ୍କ ଅନୈତିକ ସଂପର୍କ ଥିବା ଧରାପଡ଼ିବା ପରେ ଗାଁ ଲୋକେ ଆଇନ ହାତକୁ ନେଇଛନ୍ତି। ଗାଁ ପଞ୍ଚାୟତର ନିଷ୍ପତ୍ତି କ୍ରମେ ଯୁବକ ଓ ମହିଳାଙ୍କୁ ଦଣ୍ଡିତ କରାଯାଇଛି। ସେମାନଙ୍କୁ ମାଡ ମରାଯିବା ସହ ଚୁଟି କାଟି ଦିଆଯାଇଛି। ଏଥିସହ ଦଉଡିରେ ବାନ୍ଧି ଦୁଇଜଣଙ୍କୁ ଗାଁ ଦାଣ୍ଡରେ ବୁଲା ଯାଇଛି।

ଉଲ୍ଳେଖଯୋଗ୍ୟ, ଜିଲ୍ଲାର ଝରିଗାମ ବ୍ଲକ ଅନ୍ତର୍ଗତ ଅସମଗୁଡ଼ା ଗ୍ରାମର ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ଘରକୁ ବରାବର ଜଣେ ଯୁବକ ଯିବାଆସିବା କରୁଥିଲେ। ଏହାକୁ ନେଇ ଗାଁ ଲୋକେ ଆପତ୍ତି ଉଠାଇ ଥିଲେ। ଦୁଇ ଜଣଙ୍କ ଭିତରେ ଅନୈତିକ ସଂପର୍କ ଥିବା ଗାଁ ଲୋକେ ସନ୍ଦେହ କରୁଥିଲେ। ଗ୍ରାମବାସୀଙ୍କ ଅନୁଯାୟୀ, ଗତ ରାତିରେ ଉକ୍ତ ଯୁବକ ଜଣକ ମହିଳାଙ୍କ ଘରକୁ ଆସିଥିଲେ। ପୂର୍ବରୁ ଛକି ରହିଥିବା ଗ୍ରାମବାସୀମାନେ ଉଭୟଙ୍କୁ ଅସଞ୍ଜତ ଅବସ୍ଥାରେ ଥିବା ସମୟରେ ଧରିଥିଲେ। ଘଟଣାରେ ଉତ୍ତ୍ୟକ୍ତ ଗ୍ରାମବାସୀ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

ଏହାପରେ ଗାଁରେ ପଞ୍ଚାୟତ ବସି ଦୁଇଜଣଙ୍କ ଚୁଟି କାଟି ଦଉଡ଼ିରେ ବାନ୍ଧି ଗାଁ ସାରା ବୁଲାଇବା ଲାଗି ନିଷ୍ପତ୍ତି ହୋଇଥିଲା। ଫଳରେ ଘଟଣା ସଂପର୍କରେ ପୁଲିସକୁ ନ ଜଣାଇ ଲେକେ ସେ ଦୁଇଜଣଙ୍କ ଚୁଟି କାଟି ଦଉଡ଼ିରେ ବାନ୍ଧି ବୁଲାଇ ଥିଲେ। ପୁଲିସ କୌଣସି କ୍ରମେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚଥିଲା। ଯୁବକ ଓ ମହିଳାଙ୍କୁ ପୁଲିସ୍‌ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ଉମରକୋଟ ଥାନାକୁ ଆଣିଥିଲା। ଘଟଣା ସଂପର୍କରେ ପୁଲିସ ପକ୍ଷରୁ ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର