ନବରଙ୍ଗପୁରରେ ସର୍ବାଧିକ ମତଦାନ:୮୦ପ୍ରତିଶତ ଭୋଟର ସାବ୍ୟସ୍ତ କଲେ ଅଧିକାର

ନବରଙ୍ଗପୁର: ନବରଙ୍ଗପୁର ଲୋକସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ୪ ଲୋକସଭା ପ୍ରାର୍ଥୀ ଓ ଜିଲ୍ଲାର ୪ଟି ବିଧାନସଭା ଆସନରେ ୧୭ ଜଣ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଯାଇଛି। ନବରଙ୍ଗପୁର ବିଧାନସଭା ଆସନରେ ୪ଜଣ, ଡାବୁଗାଁ ବିଧାନସଭା ଆସନରେ ୫ଜଣ, ଉମରକୋଟ ବିଧାନସଭା ଆସନରେ ୪ ଜଣ ଓ ଝରିଗାଁ ବିଧାନସଭା ଆସନରେ ୪ ଜଣ ପ୍ରାର୍ଥୀଙ୍କ ପରୀକ୍ଷା ଫଳ ଆସନ୍ତା ମେ ମାସ ୨୩ତାରିଖ ଦିନ ପ୍ରକାଶ ପାଇଛି। ଜିଲ୍ଲାର ୯୮୩ଟି ବୁଥ୍ ମଧ୍ୟରୁ ପାପଡାହାଣ୍ଡି ବ୍ଲକର କଣ୍ଟାମାଳ ଏବଂ ନନ୍ଦାହାଣ୍ଡି ବ୍ଲକର ପୋକନାଗୁଡା ଗ୍ରାମବାସୀ ଭୋଟ ବର୍ଜନ କରିଥିବାରୁ ୯୮୧ଟି ବୁଥରେ ଆଜି ମତଦାନ ହୋଇଥିଲା। ଜିଲ୍ଲାରେ ଚଳିତ ଥର ମୋଟ ୮ଲକ୍ଷ ୩୬ ହଜାର ୯୩୨ ଜଣ ଭୋଟର ମତଦାନ ପାଇଁ ତାଲିକାଭୁକ୍ତ ହୋଇଥିବା ବେଳେ ପ୍ରାୟ ସମସ୍ତ ବ୍ଲକର କିଛି କିଛି ବୁଥରେ ରାତି ୮ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲାରେ ୮୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି। ଡାବୁଗାଁ ବ୍ଲକର ଗୋଟିଏ ବୁଥରେ ୯୬ ପ୍ରତିଶତ ମତଦାନ ହୋଇଥିବା ଖବର ମିଳିଛି। ତେବେ ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇପାରିନି।
୨୦୧୪ ସାଧାରଣ ନିର୍ବାଚନରେ ନବରଙ୍ଗପୁର ଲୋକସଭାରେ ୭୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଉମରକୋଟ ବିଧାନସଭାରେ ୭୮ ପ୍ରତିଶତ, ଝରିଗାଁରେ ୮୦ ପ୍ରତିଶତ, ନବରଙ୍ଗପୁରରେ ୮୧.୮୧ ପ୍ରତିଶତ ଓ ଡାବୁଗାଁରେ ସର୍ବାଧକ ୮୪.୭୭ ପ୍ରତିଶତ ମତଦାନ ହୋଇଥିଲା। ଜିଲ୍ଲାରେ ପ୍ରଥମ ଥର ପାଇଁ ଚଳିତ ନିର୍ବାଚନରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସବୁ ବୁଥରେ ଭୋଟରଙ୍କ ପାଇଁ ଏକ ସହାୟତା କେନ୍ଦ୍ର ଖୋଲାଯାଇଥିଲା। ନବରଙ୍ଗପୁର ସହରରେ ଗୋଟିଏ ଓ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଆଦର୍ଶ ବୁଥ୍ ଗଠନ କରାଯାଇଥିଲା।
ନବରଙ୍ଗପୁର ଜିଲ୍ଲାରେ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ମତଦାନ ଶେଷ ହୋଇଛି। କିଛି ବୁଥରେ ଇଭିଏମ୍ ଖରାପ ହେବାରୁ ପ୍ରାୟ ଘଣ୍ଟାଏ ବିଳମ୍ବରେ ଆରମ୍ଭ ହୋଇଥିଲା। ନନ୍ଦାହାଣ୍ଡି ବ୍ଲକର ପଥରଲସା, ବାଦିଗୁଡା, ଖୁଣ୍ଟିଆ, ବଣିଆ ବୁଥରେ ଇଭିଏମ୍ ଖରାପ ହେବାରୁ ସେକ୍ଟର ଓଫିସର ପହଞ୍ଚି ନୂଆ ଇଭିଏମ ଦେଇଥିଲେ। ପାପଡାହାଣ୍ଡି ବ୍ଲକର ସେମଲା ବୁଥରେ ସାଂସଦଙ୍କ ପାଇଁ ରହିଥିବା ଇଭିଏମ୍ ୨ଥର ବଦଳା ଯାଇଥିଲା। ସେହିପରି ରସିଗୁଡା ଓ କଟିଆଗୁଡା ସମେତ ପ୍ରାୟ ୭ଟି ବୁଥରେ ଇଭିଏମ୍ ତ୍ରୁଟି ଯୋଗୁଁ ପ୍ରାୟ ୧ ଘଣ୍ଟାରୁ ୨ଘଣ୍ଟା ବିଳମ୍ବ ହୋଇଥିଲା। ରାଇଘର ବ୍ଲକର ଗୁରୁସିଙ୍ଗି, ମହେଣ୍ଡୋ, ପାଉରବେଲା, ହାତୀଗାଁ, ପଇଲିପାରା ଆଦି ବୁଥରେ ଇଭିଏମ୍ ତ୍ରୁଟି ଯୋଗୁଁ ପ୍ରାୟ ୧ଘଣ୍ଟା ବିଳମ୍ବରେ ମତଦାନ ହୋଇଥିଲା। ରାଇଘର ବ୍ଲକରେ ପୂର୍ବରୁ ନକ୍ସଲ ଭୋଟ ବର୍ଜନ ପାଇଁ ଧମକ ଦେଇଥିଲେ ମଧ୍ୟ କୌଣସି ପ୍ରଭାବ ପଡିନଥିଲା। ତେନ୍ତୁଳିଖୁଣ୍ଟି ବ୍ଲକର ଖଣ୍ଡିଆଗୁଡା, କୁର୍ମାକୋଟ, ଉଦୟପୁରରେ ବି ଇଭିଏମ୍ ତ୍ରୁଟି ଯୋଗୁଁ କିଛି ସମୟ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା। ଉଦୟପୁର ବୁଥରେ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ମତଦାନ ଚାଲିଥିବା ଦେଖିବାକୁ ମିଳିଥିଲା। ଡାବୁଗାଁ ବ୍ଲକର ମାଝିଗୁଡା, ଖୁଟୁଗୁଡା, ସାନ ଓଲମା ଓ ମେଣ୍ଡ୍ରା ବୁଥରେ ଇଭିଏମ ତ୍ରୁଟି ଯୋଗୁଁ ସାମାନ୍ୟ ବିଳମ୍ବ ‌ହୋଇଥିଲା। ମେଣ୍ଡ୍ରା ବୁଥରେ ରାତି ୮ଟା ପର୍ଯ୍ୟନ୍ତ ଚାଲିଥିବା ଦେଖିବାକୁ ମିଳିଥିଲା। ଝରିଗାଁ ବ୍ଲକର ନୂଆଗୁଡା ବୁଥରେ ଇଭିଏମ ତ୍ରୁଟି ଯୋଗୁଁ ବିଳମ୍ବରେ ମତଦାନ ଆରମ୍ଭ ‌ହୋଇଥିବା ସୂଚନା ରହିଛି। ଚନ୍ଦାହାଣ୍ଡି ବ୍ଲକର ବି କିଛି ବୁଥରେ ଇଭିଏମ୍ ତ୍ରୁଟି ଯୋଗୁଁ ସାମାନ୍ୟ ବିଳମ୍ବ ହୋଇଥିଲା।

ସମ୍ବନ୍ଧିତ ଖବର