ସାନଗୁମୁଡା ଅଙ୍ଗନବାଡି କେନ୍ଦ୍ର ଜାଗାକୁ ନେଇ ବିବାଦ ଥମୁନି

କେନ୍ଦ୍ର ଚାରିପଟେ ବାଡ଼ ବୁଣିଲେ ଦାବିଦାର

କୋଷାଗୁମୁଡା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ସାନଗୁମୁଡା ଗ୍ରାମରେ ନିର୍ମାଣ ହୋଇଥିବା ଅଙ୍ଗନବାଡି କେନ୍ଦ୍ରର ଜାଗାକୁ ନେଇ ଚାଲିଥିବା ବିବାଦ ୪ବର୍ଷ ପରେ ଥମିବାର ନାଁ ନେଉନି। ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହୋଇଥିବା ଜାଗାଟି ନିଜର ବୋଲି ଗ୍ରାମର ବୈଦନାଥ ଭତରା ଦାବି କରୁଥିବାରୁ ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇପାରୁନି। ଗତ କିଛି ଦିନ ତଳେ କୋଷାଗୁମୁଡା ବିଡିଓ ଓ ସିଡିପିଓଙ୍କ ଅନୁମତି କ୍ରମେ ଅଙ୍ଗନବାଡି କର୍ମୀ କେନ୍ଦ୍ର ଖୋଲିଥିଲେ। କିନ୍ତୁ ଏହାକୁ ବୈଦନାଥ ବିରୋଧ କରିବାରୁ ଅଙ୍ଗନବାଡି କର୍ମୀ କେନ୍ଦ୍ର ବନ୍ଦ କରି ଚାଲି ଯାଇଥିଲେ। ଏହି ଦିନ ଠାରୁ ବୈଦନାଥ କେନ୍ଦ୍ର ଚାରିପଟେ ବାଡ଼ ବୁଣି ରାସ୍ତା ବନ୍ଦ କରି ଦେଇଛନ୍ତି। ଅନ୍ୟପଟେ ଏହି ବିବାଦର ସମାଧାନ ପାଇଁ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେଉନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ପ୍ରକାଶ ଥାଉକି, ସାନଗୁମୁଡା ଗ୍ରାମରେ ଦୀର୍ଘ ୪ବର୍ଷ ହେଲା ୨ନମ୍ବର ଅଙ୍ଗନବାଡି କେନ୍ଦ୍ରର କୋଠା ନିର୍ମାଣ ହୋଇଛି। କିନ୍ତୁ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହୋଇଥିବା ସ୍ଥାନଟି ନିଜର ବୋଲି ଗ୍ରାମର ବୈଦନାଥ ଭତରା ଦାବି କରି ଆସୁଛନ୍ତି। ଏଥିଯୋଗୁଁ ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇପାରୁନି। ଅନେକ ଥର ପ୍ରଶାସନ ଉଦ୍ୟମ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନି। ଗତ ୨୮ତାରିଖରେ କୋଷାଗୁମୁଡା ବିଡିଓ ଶାନ୍ତିପ୍ରଭା ପ୍ରଧାନ ଓ ସିଡିପିଓ ନିବାସିନୀ ବିଶ୍ବାଳଙ୍କ ଅନୁମତିକ୍ରମେ ସାନଗୁମୁଡା ଗ୍ରାମର ଅଙ୍ଗନବାଡି କର୍ମୀ ଦେବକୀ ମାଝୀ କେନ୍ଦ୍ର ଖୋଲିଥିଲେ। ଏପରିକି ଗାଁର କିଛି ପିଲା ମଧ୍ୟ କେନ୍ଦ୍ରକୁ ଆସିଥିଲେ। କିନ୍ତୁ ଏହି ଖବର ପାଇ ବୈଦନାଥ ସେଠାରେ ପହଞ୍ଚି ଶୀଘ୍ର କେନ୍ଦ୍ର ବନ୍ଦ କରିବାକୁ ଅଙ୍ଗନବାଡି କର୍ମୀ ଦେବକୀଙ୍କୁ କହିଥିଲେ। ଏହାପରେ ଦେବକୀ ଶିଶୁ ମାନଙ୍କୁ ଖାଇବାକୁ ଦେବାପରେ କେନ୍ଦ୍ର ବନ୍ଦ କରି ଚାଲି ଯାଇଥିଲେ। ଅନ୍ୟପଟେ ଏହି ଦିନ ଠାରୁ ବୈଦନାଥ କେନ୍ଦ୍ର ଚାରିପଟେ କାଠ ଓ ବାଉଁଶରେ ବାଡ଼ କରି ଆବଦ୍ଧ କରି ରଖିଛନ୍ତି। ଏହି ବିବାଦର ସମାଧାନ ‌ନହେବା ପର୍ଯ୍ୟନ୍ତ ବାଡ଼ ଭଙ୍ଗାଯିବ ନାହିଁ ବୋଲି ବୈଦନାଥ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଏହାର ସମାଧାନ କରିବାକୁ ଅଙ୍ଗନବାଡି କର୍ମୀ ଦେବକୀ ମାଝୀ ଆଜି ସିଡିପିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏନେଇ ସିଡିପିଓ ନିବାସିନୀ ବିଶ୍ବାଳଙ୍କୁ ପଚାରିବାରୁ ଆସନ୍ତା ଦୁଇ ଦିନ ମଧ୍ୟରେ ଏହି ବିବାଦର ସମାଧାନ କରାଯିବ ନଚେତ୍‌ ବୈଦ୍ୟନାଥ ଭତରାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର