କରଞ୍ଜିଆ ସବ୍‌ଜେଲରୁ ଫେରାର କଏଦୀ ଯାଜପୁରରୁ ଗିରଫ

ଯାଜପୁର/ବାରିପଦା: ମୟୂରଭଂଜ ଜିଲ୍ଲାର କରଞ୍ଜିଆ ସବ୍‌ଜେଲରୁ ଫେରାର କଏଦୀ ଯାଜପୁର ଜିଲ୍ଲାର କାଳିଆପାଣିରୁ ଗିରଫ ହୋଇଛି। ବିଚାରାଧୀନ କଏଦୀ ଭଗବାନ ଟୁଡୁକୁ ପୁଲିସ ଗିରଫ କରିଛି। ଭଗବାନକୁ ରିମାଣ୍ଡରେ ଆଣିବାକୁ ପୁଲିସ ଆବେଦନ କରିପାରେ। ସୂଚନାଯୋଗ୍ୟ ଚଳିତ ମାସ ୧୯ ତାରିଖରେ କରଞ୍ଜିଆ ଉପକାରାଗାରରୁ ଭଗବାନ ଫେରାର ହୋଇଥିଲା।

କୌଣସି ଏକ କାମରେ ସେ ନିଜ ପୈତୃକ ଗାଁ କାଳିଆପାଣିକୁ ଆସି ତାର ପରିଚୟ ପତ୍ର ପାଇଁ ସରପଞ୍ଚଙ୍କ ପାଖରେ ନେହୁରା ହୋଇଥିଲା। ଜାମିନ୍‌ ପାଇଥିବା କହି ସରପଞ୍ଚଙ୍କ ଠାରୁ ସାହାଯ୍ୟ ଆଶା କରିଥିଲା। କୌଣସି ସୂତ୍ରରୁ କାଳିଆପାଣି ଥାନାଧିକାରୀ ରମାକାନ୍ତ ମୁଦୁଲି ସୂଚନା ପାଇ ସରପଞ୍ଚଙ୍କ ଘର ପାଖରେ ପହଞ୍ଚିଥିଲେ। ସେତେବେଳକୁ ଫେରାର୍‌ କଏଦୀ ଭଗବାନ ଚମ୍ପଟ ମାରିସାରିଥିଲା। ତେବେ ପୁଲିସ ତାକୁ ଗୋଡ଼ାଇଗୋଡ଼ାଇ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏକ ଗଳି ଭିତରେ ମାଡ଼ି ବସିଥିଲା।

ସୂଚନାଯୋଗ୍ୟ ଯେ, ଗତ ୨୦୧୦ ମସିହା ଏପ୍ରିଲ୍‌ ମାସରେ କାଳିଆପାଣି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ରହୁଥିବା ସ୍ବର୍ଗତ ବାହାଦୁର ମହାରଣାଙ୍କ ପୁଅ ଦଶରଥ ମହାରଣାଙ୍କ ହତ୍ୟାକାଣ୍ଡରେ ଭଗବାନ ସଂପୃକ୍ତ ଥିଲା। ଭଗବାନ ଓ ମୃତ ଯୁବକଙ୍କ ମା’ ସୁକୁମାରୀ ମହାରଣା ଷଡ଼୍‌ଯନ୍ତ୍ର କରି ଏହି ହତ୍ୟାକାଣ୍ଡ ଭିଆଇଥିଲେ। ଏହି ମାମଲା (ସିଟି-୨୮୮/୧୨)ରେ ଦୋଷୀ ସାବ୍ୟସ୍ତ ହୋଇ ଭଗବାନ ଓ ସୁକୁମାରୀ ମହାରଣା ଆଜୀବନ କାରାଦଣ୍ଡ ଭୋଗୁଥିଲେ। ତେବେ ଭଗବାନର ଆଚରଣରେ ଜେଲ୍‌ କର୍ତ୍ତୃପକ୍ଷ ସନ୍ଦେହ କରି ଗତ ୩ ବର୍ଷ ତଳେ ତାକୁ ରଗଡ଼ି ଜେଲ୍‌ରୁ କରଞ୍ଜିଆ ଜେଲ୍‌କୁ ସ୍ଥାନାନ୍ତର କରିଥିଲେ।

ସମ୍ବନ୍ଧିତ ଖବର