ମାତୃତ୍ବ ଆଗରେ ତିଷ୍ଠି ପାରିଲାନି ଲାଲଗଡ଼ ମୋହ, କୁନି ଝିଅ ପାଇଁ ପୁଲିସ୍‌ ଆଗରେ ଆତ୍ମସମର୍ପଣ କଲେ ମହିଳା ନକ୍ସଲ

ରାୟଗଡା: ଜଣେ ମାଆ ନିଜ ସନ୍ତାନ ପାଇଁ ସବୁ କିଛି କରିପାରେ । ଶିଶୁ କନ୍ୟା ପାଇଁ ନକ୍ସଲ ସଂଗଠନ ଛାଡିଛନ୍ତି ଜଣେ ମହିଳା ମାଓବାଦୀ । ୨ ମାସର ଶିଶୁ କନ୍ୟା ସହ ରାୟଗଡା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଇନ୍ଦ୍ରାବତୀ-ଘୁମସର ଡିଭିଜନର ମହିଳା ମାଓବାଦୀ ପାର୍ବତୀ ପାଣ୍ଡରୁ ଓରଫ ରିଙ୍କି । ସେ ନିଜ ସନ୍ତାନ ପାଇଁ ଲାଲ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ।

ରାୟଗଡା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଇନ୍ଦ୍ରାବତୀ-ଘୁମସର ଡିଭିଜନର ମହିଳା ମାଓବାଦୀ ପାର୍ବତୀ ପାଣ୍ଡରୁ ଓରଫ ରିଙ୍କି । ୨ ମାସର ଶିଶୁ କନ୍ୟା ସହ ରିଙ୍କି ଆତ୍ମସମର୍ପଣ କରିଛନ୍ତି । ସନ୍ତାନ ପାଇଁ ମାଆ ନକ୍ସଲ ସଂଗଠନ ଛାଡି ଆତ୍ମସମର୍ପଣ କରିବା ଘଟଣା ପ୍ରଥମ ଥର ପାଇଁ ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳିଛି ।

ପାର୍ବତୀ କହିଛନ୍ତି ନିଜ ଶିଶୁକନ୍ୟାର ଭବିଷ୍ୟତ ପାଇଁ ସେ ନକ୍ସଲ ସଂଗଠନ ଛାଡିଛନ୍ତି । ଏହାଛଡା ନକ୍ସଲ ସଂଗଠନରେ ମହିଳାଙ୍କ ସହ ପାତରଅନ୍ତର କରାଯାଉଥିବା ଘଟଣା ତାଙ୍କୁ ସଂଗଠନ ପ୍ରତି ବିମୁଖ କରିଥିବା କହିଛନ୍ତି । ନକ୍ସଲ ସଂଗଠନ ଆଦର୍ଶଠାରୁ ଦୂରେଇ ଯାଉଥିବା ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ କହିଛନ୍ତି । ଦୁଇ ବର୍ଷ ତଳେ ମାଓବାଦୀ ସଂଗଠନ ଇନ୍ଦ୍ରାବଦୀ-ଘୁମସର ଡିଭିଜନରେ ସାମିଲ ହୋଇଥିଲେ ଛତିଶଗଡ ବିଜାପୁର ଜିଲ୍ଲାର ପାର୍ବତୀ । ନକ୍ସଲ ସଂଗଠନରେ ଥିବା ବେଳେ ସେ ୨ଟି ହତ୍ୟାକାଣ୍ଡ, ୮ଟି ମାଓହିଂସାରେ ସଂପୃକ୍ତି ଥିବା ସୂଚନା ଦେଇଛନ୍ତି ରାୟଗଡା ଏସପି । ଅନ୍ୟପଟେ ପାର୍ବତୀ କହିଛନ୍ତି ଆଗକୁ ନକ୍ସଲ ସଂଗଠନରେ ଥିବା ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଆତ୍ମସମର୍ପଣ କରାଇବାକୁ ଉଦ୍ୟମ କରିବେ ।

ସମ୍ବନ୍ଧିତ ଖବର