ବିଦ୍ୟୁତ ବିଲ ଆଦାୟ ନାଁରେ ଠକେଇ:ନକଲି େଓ୍ଵସ୍କୋ ଭିଜିଲାନ୍‌ସ କର୍ମଚାରୀ ଗିରଫ

ଧମା: ନିଜକୁ ବିଦ୍ୟୁତ ଭିଜିଲାନ୍‌ସ ବିଭାଗ କର୍ମଚାରୀ ବୋଲି ପରିଚୟ ଦେଇ ଜାଲ ରସିଦ ବଳରେ ବିଦ୍ୟୁତ ଦେୟ ଅସୁଲ କରୁଥିବା ୨ ଜଣ ଠକଙ୍କୁ ଧମା ପୁଲିସ ଗିରଫ କରିଛି। ସେମାନେ ହେଲେ ସମ୍ବଲପୁର ମୋତିଝରନର ସେକ ଏହେସାନ (୩୦) ଏବଂ ଗୋବିନ୍ଦତୋଲାର ସଂଜିତ ଦାସ (୨୬)। ଉଭୟ ଗତ କିଛି ଦିନ ହେଲା ଧମା ଥାନା ଅନ୍ତର୍ଗତ ଖସୁଆପାଲି, ବାଲପୁର, ସାହାସପୁର ଆଦି ଗାଁକୁ ଯାଇ ନିଜକୁ ବିଦ୍ୟୁତ ବିଭାଗ ଭିଜିଲାନ୍‌ସ କର୍ମଚାରୀ କହି ଜାଲ ରସିଦ ଦେଇ ଗ୍ରାମବାସୀଙ୍କଠାରୁ ଟଙ୍କା ଆଦାୟ କରୁଥିଲେ।

ସେମାନେ ୪ ତାରିଖ ଖସୁଆପାଲି ଗାଁକୁ ଯାଇ ଲୋକଙ୍କଠାରୁ ୧୫ ହଜାରରୁ ଊର୍ଧ୍ୱ ଟଙ୍କା ଅସୁଲ କରିଥିଲେ। ଏହାପରେ ମଙ୍ଗଳବାର ସଂଧ୍ୟାରେ ମାନେଶ୍ୱର ସର୍ଗିପାଲି ଗାଁକୁ ଯାଇ ଟଙ୍କା ଆଦାୟ କରୁଥିଲେ। ଗାଁର ଦୁର୍ଗାପ୍ରସାଦ ରାଓ, ସାନନ୍ଦ ଡନସେନାଙ୍କ ଘରକୁ ଯାଇ ଟଙ୍କା ମାଗୁଥିବାବେଳେ ସଂଦେହ ହେବାରୁ ଗ୍ରାମବାସୀ ସେମାନଙ୍କୁ ଅଟକ ରଖି ମାଳତୀ ଗୁଣ୍ଡେରପୁର ଫାଣ୍ଡିକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନକଲି କର୍ମଚାରୀ ବୋଲି ଜାଣିବା ପରେ ଉଭୟଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ମୋବାଇଲ, ଜାଲ ରସିଦ ବହି, ଓଡି ୧୫ସି ୭୩୮୧ ନମ୍ବର ବିଶିଷ୍ଟ ବାଇକ ଆଦି ଜବତ କରିଛି। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମାନସ ସେଠୀଙ୍କ ତରଫରୁ ଏନେଇ ଥାନାରେ ଏତଲା ଦିଆ ଯାଇଛି।

ସମ୍ବନ୍ଧିତ ଖବର