ନାବାଳିକାକୁ ଅପହରଣ, ମହିଳା ଗିରଫ

ରେଂଗାଲି: ସମ୍ବଲପୁର ଜିଲ୍ଲା ରେଂଗାଲି ଥାନା ନିଶାନଭଂଗା ଗାଁର ଜଣେ ନାବାଳିକାକୁ ପ୍ରଲୋଭିତ କରି ଅପହରଣ କରି ନେଉଥିବା ଅଭିଯୋଗରେ ପୁଲିସ ଜଣେ ମହିଳାଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସଂପୃକ୍ତ ମହିଳା ରାଜଗଡ଼ ପଦମପୁରର ହୀରା ପୃଷ୍ଟି ରେଂଗାଲି ଭାରତ ଫାଇନାନ୍‌ସ କଂପାନି ମ୍ୟାନେଜର ଭାବେ କାମ କରୁଥିଲେ। କିଛି ଦିନ ତଳେ ସେ ଉକ୍ତ ୧୨ ବର୍ଷର ନାବାଳିକାକୁ ଏକ ମୋବାଇଲ ଫୋନ ଦେଇ ପ୍ରଲୋଭିତ କରିଥିବା ବେଳେ ଗତ ୫ ତାରିଖରେ ସାଦା ପୋଷାକ ପିନ୍ଧି ରେଂଗାଲି ଗଣେଶ ନଗରକୁ ଆସିବାକୁ ଫୋନ ମାଧ୍ୟମରେ କହିଥିଲା। ନାବାଳିକା ଜଣକ ଘଟଣାସ୍ଥଳକୁ ଆସିଲା ପରେ ତାଙ୍କ କିଛି ସଂପର୍କୀୟ ଦେଖିଥିଲେ ଏବଂ ପଚରାଉଚରା କରିଥିଲେ। ଫଳରେ ମହିଳା ଜଣକ ଫେରାର ହୋଇଯାଇଥିଲା। ନାବାଳିକାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ମହିଳା ହୀରା ପୃଷ୍ଟିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଂଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର