ଲରା ତାପଜ ବିଦ୍ୟୁତ କେନ୍ଦ୍ର ଯୋଗୁଁ ଓଡ଼ିଶାରେ ପ୍ରଦୂଷଣ

ରାଜ୍ୟସଭାରେ ପ୍ରଶ୍ନ କଲେ ପ୍ରସନ୍ନ

ସମ୍ବଲପୁର: ଓଡ଼ିଶା ସୀମାନ୍ତ ଛତିଶଗଡ଼ର ଲରାଠାରେ ଏନ୍‌ଟିପିସି ପକ୍ଷରୁ ହୋଇଥିବା ତାପଜ ବିଦ୍ୟୁତ କେନ୍ଦ୍ରର ପ୍ରଦୂଷଣ ଯୋଗୁଁ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ବହୁ ଗ୍ରାମରେ ଲୋକଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଥିବା ବିଷୟ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସଂସଦରେ ଉଠାଇଛନ୍ତି। ଏକ ଅଣତାରକା ପ୍ରଶ୍ନରେ ଶ୍ରୀ ଆଚାର୍ଯ୍ୟ ଲରା ପ୍ଲାଣ୍ଟର ବାୟୁ ପ୍ରଦୂଷଣ ଯୋଗୁଁ ଲଖନପୁର ଅଞ୍ଚଳରେ ପରିବେଶ ସଂକଟ ସୃଷ୍ଟି ହୋଇଥିବା ଓ ଜନଜୀବନ ଗୁରୁତର ପ୍ରଭାବିତ ହୋଇଥିବା ପ୍ରସଂଗ ଉଠାଇ ଶକ୍ତି ମନ୍ତ୍ରୀଙ୍କଠାରୁ ସେ ସଂପର୍କିତ ବିବରଣୀ ଲୋଡ଼ିଥିଲେ। ଓଡ଼ିଶାର ପ୍ରଭାବିତ ଗ୍ରାମ ଗୁଡ଼ିକରେ ଏନ୍‌ଟିପିସି ‌ଏପର୍ଯ୍ୟନ୍ତ କୌଣସି ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟ କରି ନଥିବା କହିବା ସହ ତା’ର କାରଣ ପଚାରିଥିଲେ। ସେହିପରି ଝାରସୁଗୁଡ଼ା ଅଞ୍ଚଳରୁ ଲରା ପ୍ଲାଣ୍ଟକୁ ଯାଉଥିବା କୋଇଲା ଟ୍ରକ୍‌ ଗୁଡ଼ିକ ସେ ଅଞ୍ଚଳର ରାସ୍ତାଘାଟ ଓ ଲୋକଙ୍କ ଜୀବନ ବିପନ୍ନ କରୁଥିବା ପ୍ରସଂଗ ଉଠାଇ ସେ ସଂପର୍କିତ ବିସ୍ତୃତ ବିବରଣୀ ମାଗିଥିଲେ। ଉତ୍ତରରେ ମନ୍ତ୍ରୀ ଆର୍‌କେ ସିଂହ ଜଣାଇଥିଲେ ଯେ ଲରାକୁ କୋଇଲା ଯାଉଥିବା ଲଖନପୁର କୋଇଲା ଖଣିରୁ ପାୱାର ପ୍ଲାଣ୍ଟର ଦୂରତା ମାତ୍ର ୫୦ କିଲୋମିଟର। ତେଣୁ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଂକା ଖୁବ କମ୍। ଏହାଛଡ଼ା ଲରା‌ ପାୱାରପ୍ଲାଣ୍ଟରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ହୋଇଥିବାରୁ ଏଥିରୁ କମ ପରିମାଣର ଅଂଗାରକାମ୍ଳ ନିର୍ଗତ ହେଉଛି। ଏହାଛଡ଼ା ସଲଫର୍ ଡାଇଅକ୍ସାଇଡ୍‌ ଗ୍ୟାସ୍‌ ନିଷ୍କାସନ ପରିମାଣକୁ ହ୍ରାସ କରିବାକୁ ଲରା ଏଫ୍‌ଜିଡି ବ୍ୟବସ୍ଥା ରହିଛି। ବର୍ତ୍ତମାନ ଝାରସୁଗୁଡ଼ାରୁ କୌଣସି ଭାରୀଯାନ କୋଇଲା ନେଇ ଲରା ଯାଉ ନଥିବା ଏନ୍‌ଟିପିସି ସୂଚନା ଦେଇଥିବା ମନ୍ତ୍ରୀ ଜଣାଇଥିଲେ। ତେବେ ମନ୍ତ୍ରୀଙ୍କ ଏହି ଉତ୍ତରକୁ ନେଇ ସାଂସଦ ଶ୍ରୀ ଆଚାର୍ଯ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମନ୍ତ୍ରୀ ଉତ୍ତରରେ ଭୁଲ ବିବରଣୀ ଦେଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର