ରେଙ୍ଗାଲି: ବିଭିନ୍ନ ଦାବି ପୂରଣ ନେଇ ଶ୍ୟାମ ମେଟାଲିକ୍ସ (ଶ୍ୟାମ ଡିଆର୍ଆଇ) ଦେଉଥିବା ପ୍ରତିଶ୍ରୁତିକୁ ନିଜେ ଉଲ୍ଲଂଘନ କରୁଥିବାରୁ ଅତିଷ୍ଠ ହୋଇ ରେଙ୍ଗାଲି ଟ୍ରକ ମାଲିକ ସଂଘର ସଦସ୍ୟମାନେ କମ୍ପାନିର ପରିବହନ ଫାଟକ ଆଗରେ ବୁଧବାର ଧାରଣା ଦେଇଥିଲେ। ରେଙ୍ଗାଲି ବ୍ଲକ ପଣ୍ଡଲୋଇଠାରେ ଥିବା ଶ୍ୟାମ ଡିଆର୍ଆର୍ କମ୍ପାନିର ଫାଟକକୁ ବନ୍ଦ କରି ଏହି ଆନ୍ଦୋଳନ କରାଯାଇଥିଲା। ଶ୍ୟାମ ଡିଆର୍ଆଇ କମ୍ପାନିର ଭାରି ଯାନଗୁଡ଼ିକରେ ସବୁବେଳେ ଓଭରଲୋଡିଂ ହୋଇ ପରିବହନ ହେଉଛି। ଏହାକୁ ସଂଘ ତୀବ୍ର ବିରୋଧ କରୁଛି। ଗତ ୧୧ ତାରିଖ ସଂଘର ସମସ୍ତ କର୍ମକର୍ତ୍ତା ୩ ଦଫା ଦାବି କରିଥିଲେ। ସ୍ଥାନୀୟ ଗାଡ଼ିକୁ ପ୍ରଥମେ ଅଗ୍ରାଧିକାର, ଓଭରଲୋଡିଂ ବନ୍ଦ ଏବଂ ଗାଡିର ଡିଟେନ୍ସନ ଟଙ୍କାକୁ ନେଇ ସଂଘ ପୂର୍ବରୁ ଧାରଣା ଦେଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
କମ୍ପାନି କର୍ତ୍ତୃପକ୍ଷ ଆନ୍ଦୋଳନକାରୀଙ୍କୁ ପ୍ରଥମେ ୫ ଦିନ ଓ ପରେ ପୁଣି ଥରେ ୭ ଦିନର ସମୟ ମାଗିଥିଲେ। ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନଥିବାରୁ ବୁଧବାର ସକାଳ ୮ଟା ସମୟରେ ସଂଘର କର୍ମକର୍ତ୍ତା କମ୍ପାନିର ପରିବହନ ଫାଟକକୁ ବନ୍ଦ କରି ଧାରଣାରେ ବସିଛନ୍ତି। ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ କମ୍ପାନି କର୍ତ୍ତୃପକ୍ଷ ସଂଘର କଥାକୁ ଶୁଣୁ ନଥିବା ଅଭିଯୋଗ ସହ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଏନେଇ କୌଣସି ପ୍ରକାର ଆଲୋଚନା ହୋଇ ନଥିବା ଜଣାପଡ଼ିଛି।