ସୋନପୁର ବିଡିଓ ଅନୁପସ୍ଥିତ :ସମୀକ୍ଷା କରିନପାରି ଫେରିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା

ସୋନପୁର: ସୋନପୁର ବିଡିଓଙ୍କ ଅନୁପସ୍ଥିତି ଯୋଗୁଁ ସମୀକ୍ଷା କରି ନପାରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଫେରି ଯାଇଥିବା ଜଣାଯାଇଛି। ଶୁକ୍ରବାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନପୁର ବ୍ଲକର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବାର ଥିଲା। ଏଥିପାଇଁ ଗତ ୨୮ ତାରିଖରୁ ବ୍ଲକକୁ ଚିଠି ଦ୍ୱାରା ଜଣାଇ ଦିଆଯାଇଥିଲା। ଏହି ସମୀକ୍ଷା ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀଙ୍କ ସମେତ ଉପାଧ୍ୟକ୍ଷ ରୁଦ୍ରକିଶୋର ମହଲା, ଜିଲ୍ଲା ପରିଷଦ ସଭ୍ୟ ଜୟନାରାୟଣ ନେଗୀ, ପୂର୍ଣ୍ଣଚନ୍ଦ୍ର ବିଶି, ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟି ସଦସ୍ୟ ଦିଲ୍ଲୀପ ପୂଝାରୀ, ଗଣେଶ ସାହୁ, ମିଡିଆ ସେଲ ସହ ପ୍ରଭାରୀ ନିରଞ୍ଜନ ତ୍ରିପାଠୀ ପ୍ରମୁଖ ଆଜି ବ୍ଲକ ଅଫିସ୍‌ରେ ପୂର୍ବାହ୍ନ ୧୦.୧୫ ମିନିଟରେ ପହଞ୍ଚିଥିଲେ।

ବିଡିଓ ନଥିବାରୁ ଦିନ ୧ଟା ପର୍ଯ୍ୟନ୍ତ ଅପେକ୍ଷା କରି ଫେରିଥିଲେ। ବିଡିଓଙ୍କ ଅନୁପସ୍ଥିତିରେ ଅନ୍ୟ କର୍ମଚାରୀମାନେ ବିଭିନ୍ନ ଯୋଜନା ସମ୍ପର୍କରେ ସଠିକ ତଥ୍ୟ ଦେଇପାରି ନଥିବା ଅଧ୍ୟକ୍ଷା ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ଆଗାମୀ ଦିନରେ ଏପରି ପରିସ୍ଥିତି ସୃଷ୍ଟି ହେଲେ ବିଜେପି ଦଳ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ବିଡିଓ ଅନିରୁଦ୍ଧ ପ୍ରଧାନଙ୍କୁ ଯୋଗାଯୋଗ କରାଯିବାରେ ସେ ପ୍ରାୟ ସାଢ଼େ ୧୦ଟା ମିନିଟ ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ଥିଲେ ତାପରେ ଭିଡିଓ କନଫରେନ୍ସ ପାଇଁ ଯାଇଥିଲେ। ପ୍ରାୟ ୧.୩୦ ମିନିଟରେ କାର୍ଯ୍ୟାଳୟରେ ପହଞ୍ଚିଲା ବେଳକୁ ଅଧ୍ୟକ୍ଷା ଫେରିଯାଇଥିବା ଜାଣିବାକୁ ପାଇଥିଲେ। ଜାଣିଶୁଣି ଏହି ସମୀକ୍ଷାକୁ ଅଣଦେଖା କରାଯାଇ ନାହିଁ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର