ସୋନପୁର : ସୋନପୁର ପୁଲିସ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି। ପୁଲିସ ୬ କ୍ୱିଣ୍ଟାଲ ୭୫ କେଜି ଗଞ୍ଜେଇ ସହ ଏଥିରେ ବ୍ୟବହୃତ ଟ୍ରକ୍ (ସିଜି-୦୪-ଜେଏ-୫୦୦୭)କୁ ଜବତ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
କଣ୍ଟାମାଳ ଅଞ୍ଚଳରୁ ସୋନପୁର ଦେଇ ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଏସ୍ପି ପ୍ରଫୁଲ୍ଲ ପାତ୍ରଙ୍କ ନିର୍ଦ୍ଦେଶରେ ସୋନପୁର ପୁଲିସର ସ୍ୱତନ୍ତ୍ର ସ୍କ୍ଵାର୍ଡ ବିଭିନ୍ନ ଛକରେ ପାଟ୍ରୋଲିଂ କରୁଥିଲେ। ସୋନପୁର ବ୍ଲକ ଦେଇ ଉକ୍ତ ଟ୍ରକଟି ବଲାଙ୍ଗୀର ଆଡ଼କୁ ଯାଉଥିବା ବେଳେ ପୁଲିସ ପିଛା କରି ଖମ୍ବେଶ୍ୱରୀପାଲି କୁକୁଡା ଯୋର ନିକଟସ୍ଥ ରାଜ ଢାବା ନିକଟରେ ଉକ୍ତ ଟ୍ରକକୁ ଧରିଥିଲା। ଯାଞ୍ଚ ବେଳେ ଟ୍ରକ୍ରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଏକଜ୍ୟୁକିଟିଭ ମାଜିଷ୍ଟ୍ରେଟ ନବୀନ କିଶୋର ପାଢୀଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇ ଜବତ କରାଯାଇଥିଲା।
ପୁଲିସ ଏକ ମାମଲା ରୁଜୁ କରି ଛତିଶଗଡ଼ ଦୁର୍ଗ ଜିଲ୍ଲା ଭଟି ଥାନା ଅନ୍ତର୍ଗତ କ୍ୱାର୍ଟର ନଂ ୧୮/ଏ,ସେକ୍ଟର-୫ ଭିଲାଇନଗରର ଡ୍ରାଇଭର କୁଲଦୀପ ସିଂ(୩୮) ଏବଂ ଖଲାସି ଦୁର୍ଗ ଜିଲ୍ଲା ଭିଲାଇ ଥାନା ଏଲକେ-୨୯,ପଦୁମନଗର ଭିଲାଇ-୩,ଚୋରଦାର ଭେଙ୍କଟ ରାଓ (୩୭)ଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଏହି ଚଢଉରେ ଏସ୍ଆଇ କ୍ଷୀରୋଦ ଚନ୍ଦ୍ର ବାଘ, ଏଏସ୍ଆଇ ଗଜାନନ ଭୋଇ, କନେଷ୍ଟବଳ ଅଶ୍ୱନୀ ଘିବଲା, ରଶ୍ମୀ ହୋତା, ଦୁର୍ଜ ଭୁଆ, ବୃନ୍ଦାବନ ସୁନା ପ୍ରମୁଖ ସାମିଲ ଥିଲେ। ଏହି ଘଟଣାର ତଦନ୍ତ ଆଇଆଇସି ଶ୍ରୀକାନ୍ତ ତ୍ରିପାଠୀ କରୁଛନ୍ତି।