ରାସ୍ତା କଡ଼ରେ ପଥର କ୍ୱାରି, ଅସୁରକ୍ଷିତ ଜନଜୀବନ

ଘଣ୍ଟାପଡ଼ା: କଣ୍ଟାମାଳ ବ୍ଲକ ଆମ୍ବାଗାଁ ପଞ୍ଚାୟତ ୪୧ ନମ୍ବର ରାଜ୍ୟ ରାଜପଥରୁ ତେତେଲଖୁଣ୍ଟି ଯିବା ରାସ୍ତା କଡ଼ରେ ଅସୁରକ୍ଷିତ ଭାବେ ରହିଛି ପଥର କ୍ୱାରି। କଣ୍ଟାମାଳ-ସିନ୍ଧୁଗୋରା ରାସ୍ତା ନିର୍ମାଣ ସମୟରେ ପଟେଲ କଂଷ୍ଟ୍ରକ୍ସନ ରାସ୍ତାରେ ମେଟାଲ, ବଜରି ଏବଂ ଚିପ୍ସ ପାଇଁ ଆମ୍ବଗାଁ ପଞ୍ଚାୟତର ଜଣେ ବ୍ୟକ୍ତିଙ୍କ ସ୍ଥାନରୁ ପଥର ନେଇ ରାସ୍ତା କାମରେ ବ୍ୟବହାର କରାଯିବାକୁ କଣ୍ଟାମାଳ ତହସିଲ ପକ୍ଷରୁ ଅନୁମତି ଦିଆଯାଇଥିଲା। ରାସ୍ତା କାମ ସରିଲା ପରେ ଉକ୍ତ ପଥର କ୍ୱାରିଟି ବର୍ତ୍ତମାନ ମୁକୁଳା ହୋଇ ପଡ଼ି ରହିଛି। ଫଳରେ ଜନସାଧାରଣଙ୍କ ପାଇଁ କାଳ ସାଜିଛି। ପ୍ରାୟ ୪୦ରୁ ୫୦ ଫୁଟ ଗଭୀର ମଧ୍ୟରୁ ପଥର ଫଟାଇ ରାସ୍ତା କାମରେ ବ୍ୟବହାର କରାଯାଇଥିବା ବେଳେ ବର୍ତ୍ତମାନ ବର୍ଷା ପାଣି ଭର୍ତ୍ତି ହୋଇ ରହଛି। ଉକ୍ତ କ୍ୱାରିଟି ରାସ୍ତା କଡ଼ରେ ଥିଲେ ମଧ୍ୟ ସୁରକ୍ଷା ବାଡ଼ କିମ୍ବା ସତର୍କ ସୂଚନା ଦିଆଯାଇ ନାହିଁ। ଫଳରେ ଉକ୍ତ ରାସ୍ତାରେ ଯିବା ଆସିବା କରୁଥିବା ଜନସାଧାରଣଙ୍କ ପାଇଁ ଏହା ଏକ ବଡ଼ ବିପଦ ହୋଇ ରହିଛି। ସରକାରୀ ନିୟମ ଅନୁସାରେ କୌଣସି ସ୍ଥାନରୁ ପଥର ନିଆଗଲେ ପରବର୍ତ୍ତୀ ସମୟରେ ଉକ୍ତ ସ୍ଥାନର ଚାରିପଟେ ସୁରକ୍ଷା ବାଡ଼ ଦିଆଯିବା କଥା। କିନ୍ତୁ, ଏଠାରେ ଏସବୁର ଖୋଲା ଉଲ୍ଲଂଘନ କରାଯାଇଛି। ଫଳରେ ଲୋକମାନେ ରାତ୍ରି ସମୟରେ ଉକ୍ତ ରାସ୍ତା ଦେଇ ଯିବା ଆସିବା କରିବାକୁ ସୁରକ୍ଷିତ ମଣୁ ନାହାନ୍ତି। ଏଣୁ ଉକ୍ତ ପଥର କ୍ୱାରିରେ ସୁରକ୍ଷା ବାଡ଼ ଏବଂ ସତର୍କ ସୂଚନା ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର