୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ସୋନପୁର,: ଜଣେ ନାବାଳିକାଙ୍କୁ ଅପହରଣ ଓ ଗଣଦୁଷ୍କର୍ମ ମାମଲାର ଶୁଣାଣି କରି ଶୁକ୍ରବାର ସୁବର୍ଣ୍ଣପୁର ଜିଲ୍ଲା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ ପ୍ରତିମା ପଣ୍ଡା ୨ଜଣ ଅଭିଯୁକ୍ତଙ୍କୁ ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ଏହି ମାମଲାରେ ଜଡ଼ିତ ଥିବା ଜଣେ ବାଳ ଅଭିଯୁକ୍ତ ଜାମିନରେ ରହିଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଆଜି ପର୍ଯ୍ୟନ୍ତ ଫେରାର୍‌ ଅଛନ୍ତି।
ବଲାଙ୍ଗୀର ଜିଲ୍ଲାର ଜଣେ ନାବାଳିକା ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ନିଜ ଭିଣୋଇଙ୍କ ଘରକୁ ୨୦୧୫ ସେପ୍ଟେମ୍ବର ୧୮ ତାରିଖରେ ଆସିଥିଲେ। ସେ ଭିଣୋଇ ଓ ତାଙ୍କ ଜଣେ ସାଙ୍ଗ ସହ ନିଜ ଗାଁକୁ ଫେରୁଥିବା ବେଳେ ବାଟରେ ଅର୍ଜୁନପୁର ଗାଁ ନିକଟରେ ଅଟକି ନାବାଳିକାର ଭିଣୋଇ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ସେଠାକୁ ୪/୫ଜଣ ପିଲା ଆସି ଭିଣୋଇଙ୍କ ସାଙ୍ଗଙ୍କୁ ମାରପିଟ କରି ନାବାଳିକାକୁ ଟେକି ନେଇ ଜଙ୍ଗଲରେ ଦୁଷ୍କର୍ମ କରିଥିବା ନେଇ ସୋନପୁର ଥାନରେ ଏକ ମାମଲା ରୁଜୁ ହୋଇଥିଲା। ପରେ ପୁଲିସ ଜାମପାଲି ଗାଁର ବିଜୁ କୁଦେଇ(୨୫), ରବି ବଗର୍ତ୍ତି(୧୯)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଏମାନେ ବିଚାର ବିଭାଗୀୟ ହାଜରେ ଥିଲେ। ଜଣେ ବାଳ ଅଭିଯୁକ୍ତଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଥିବା ବେଳେ ସେ ଏବେ ଜାମିନରେ ଅଛନ୍ତି। ୯ଜଣ ସାକ୍ଷୀଙ୍କ ବୟାନକୁ କୋର୍ଟ ରେକର୍ଡ କରି ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଅଭବାରୁ କୋର୍ଟ ଅଭିଯୁକ୍ତ ଦ୍ୱୟଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ତେବେ ଏହି ମାମାଳର ଅନ୍ୟ ୨ ଅଭିଯୁକ୍ତ ଜାମପାଲି ଗାଁର ମୁଟୁ ବାଗ (୨୬) ଓ ସତ୍ୟ ବାଗ(୨୪) ଘଟଣା ପରଠାରୁ ଫେରାର ଅଛନ୍ତି। ଅଭିଯୁକ୍ତମାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ଅଗ୍ରଓ୍ଵାଲ ଏହି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର