ବଣାଇଁଗଡ଼/ସବଡ଼େଗା: ବଣାଇଁ ଏବଂ ସବଡ଼େଗା ଅଂଚଳରେ ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ହେବା ସହ ୬ ଜଣ ଗୁରୁତର ହୋଇଛନ୍ତି। ପ୍ରଥମ ଦୁର୍ଘଟଣା ଲହୁଣୀପଡା ଥାନା ଅନ୍ତର୍ଗତ ବରସୁଆଁ ରେଲେଓ୍ଵ ଷ୍ଟେସନ ନିକଟରେ ଘଟିଛି। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ରାମକୃଷ୍ଣ ଡାକୁଆ(୨୭) ଘରକୁ ଫେରୁଥିବାବେଳେ ଏକ ମାଲବାହୀ ଟ୍ରେନ ତାଙ୍କୁ ଧକ୍କା ଦେବାରୁ ତାଙ୍କର ବାମ ହାତଟି କଟିଯାଇ ଗୁରୁତର ହୋଇଥିଲେ। କିଛି ସମୟ ଧରି ସେ ରେଳ ଧାରଣାରେ ପଡ଼ି ଛଟପଟ ହେଉଥିବାବେଳେ ଜଣେ ରେଳ କର୍ମଚାରୀ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଘର ଲୋକ ପହଞ୍ଚି ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ପ୍ରଥମେ ବରସୁଆଁ ସ୍ଥିତ ସେଲ୍ ଡାକ୍ତରଖାନାକୁୁ ଏବଂ ପରେ ବଣାଇଁ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଦ୍ୱିତୀୟ ଘଟଣାଟି ଆଜି ସଂଧ୍ୟା ୫ଟା ସମୟରେ ମହୁଲପଦା ଥାନା ଅନ୍ତର୍ଗତ ମହୁଲଡିହା ଛକରେ ଘଟିଛି। ଏଠାରେ ଓଆର ୧୪ଟି-୯୩୮୧ ବାଇକ୍ଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଜମିରେ ଓଲଟି ପଡ଼ିବାରୁ ବାଇକ୍ରେ ଥିବା କୁରୁଣାକର ପୂର୍ତ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବାଇକ ପଛରେ ବସିଥିବା ବରାହଗୁଡା ଗ୍ରାମର ମାନସୀ ମୁଣ୍ଡା(୧୫) ଏବଂ ଚାପବାହାଲ ଗ୍ରାମର ଭାଟି ମୁଣ୍ଡା (୨୩) ଗୁରୁତର ହୋଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରୁ ଶବ ଜବତ କରିବା ସହ ଆହତମାନଙ୍କୁ ବଣାଇଁ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଥିଲା।
ସେହିପରି ଅନ୍ୟ ଏକ ଦୁର୍ଘଟଣାରେ ଭାଇ ଭଉଣୀ ଗୁରୁତର ହୋଇଛନ୍ତି। ବଣାଇଁ ଥାନା ଅନ୍ତର୍ଗତ ବଣାଇଁ-କଲୁଙ୍ଗା ପୂର୍ତବିଭାଗ ରାସ୍ତାର ଧାତକିପୋଷ ନିକଟରେ ଏକ ସ୍କୁଟି ଭାରସାମ୍ୟ ହରାଇ ରାସ୍ତାର ୨୫ ଫୁଟ ତଳକୁ ଖସିପଡିବାରୁ ସାତକୁଟା ଗ୍ରାମର ବିନୁ ପାତ୍ର(୨୫) ଓ ପାର୍ବତୀ ପାତ୍ର(୩୦) ଗୁରୁତର ହୋଇଥିଲେ। ଗତକାଲି ଭାଲୁଡୁଙ୍ଗୁରୀ ପଞ୍ଚାୟତ କାର୍ଯ୍ୟଳୟରୁ ଚାଉଳ ନେଇ ସ୍କୁଟିରେ ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।
ସେହିପରି ଅନ୍ୟ ଏକ ଦୁର୍ଘଟଣା ସବଡ଼େଗା-ବାଲିଶଙ୍କରା ରାସ୍ତାର ତୁମଲିଆ ପଞ୍ଚାୟତ ଅଫିସ ସମ୍ମୁଖରେ ଘଟିଛି। ଏଥିରେ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ରାଉଲଡ଼େଗା ଗ୍ରାମର ଗିରି ତାଜନ(୩୦)।
ସଂଧ୍ୟାରେ ଗିରି ତାଜନ ନିଜର ଦୁଇ ସହଯୋଗୀ ମିକୁ କମାର ଓ ଚିନୁ ବେହେରାଙ୍କ ସହ ଓଆର୍ ୧୬ସି ୦୮୯୯ ବାଇକ୍ରେ ସବଡ଼େଗା ବଜାରରୁ କାମ ସାରି ରାଉରଡେଗାକୁ ଫେରୁଥିଲେ। ସଂଧ୍ୟାରେ ତୁମଲିଆ ପଞ୍ଚାୟତ ଅଫିସ ଅତିକ୍ରମ କରୁଥିବାବେଳେ ପଛରୁ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ଗିରି ତାଜନଙ୍କର ମୃତ୍ୟୁ ହେବା ସହ ମିକୁ ଓ ଚିନୁ ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଡାକ୍ତରଖାନାକୁ ପଠାଯାଇଥିବାବେଳେ ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି।