୯ ଛାତ୍ରଙ୍କୁ ମାଡ଼ ମାମଲା:ଲହୁଣିପଡ଼ା ସ୍କୁଲ୍‌ ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ

ରାଉରକେଲା: ସାମାନ୍ୟ ପାଣି ପାଉଚ୍‌ ପାଇଁ ୯ ଜଣ ଛାତ୍ରଙ୍କୁ ନିସ୍ତୁକ ମାଡ଼ ଘଟଣାରେ ଲହୁଣିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ମନୋରମା ମହାନ୍ତଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଲହୁଣିପଡ଼ା ବିଇଓ ଆଜି ତାଙ୍କ ପତ୍ର ସଂଖ୍ୟା ୧୩୫ରେ ଏହି ଆଦେଶ ଦେବା ସହ ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡ଼ିବାକୁ କହିଛନ୍ତି।
ଗମ୍ଭାରଡିହିଠାରେ ଅଷ୍ଟପ୍ରହର ନାମଯଜ୍ଞ ଉପଲକ୍ଷେ ଆୟୋଜିତ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଲହୁଣିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରମାନେ ସାମିଲ ହୋଇଥିଲେ। ଭୋଜି ଖାଇବା ପରେ ପାଣି ପାଉଚ ପାଇଁ ଛାତ୍ରମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ଦୁଇ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ପଞ୍ଚମ ଶ୍ରେଣୀ କକ୍ଷକୁ ଭିତର ପଟୁ ବନ୍ଦ କରି ୯ ଜଣ ଛାତ୍ରଙ୍କୁ ନିସ୍ତୁକ ପିଟିଥିଲେ। । ଛାତ୍ରମାନଙ୍କୁ ଏଭଳି ମାଡ଼ ଦିଆଯାଇଥିଲା ଯେ ୨ଟି ବାଡ଼ି ଭାଙ୍ଗି ଯାଇଥିଲା। ମାଡ଼ରେ ୫ମ ଶ୍ରେଣୀର ଜଣେ ଏବଂ ୬ଷ୍ଠ ଶ୍ରେଣୀର ୮ ଜଣ ଛାତ୍ର ଆହତ ହୋଇଥିଲେ। ୪ ଜଣଙ୍କ ଗୋଡ଼ ଫାଟି ଯାଇ ରକ୍ତ ବାହାରିଥିଲା। ଜଣେ ଛାତ୍ର ବେହୋସ ହୋଇଯିବାରୁ ତାଙ୍କୁ ଲହୁଣିପଡ଼ା ହସ୍ପିଟାଲକୁ ନିଆଯାଇଥିଲା। ଏହି ଘଟଣା ପରେ ସମ୍ପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଥିଲା। ଅପରପକ୍ଷେ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହୋଇଥିଲା। ଆଜି ଏ ସମ୍ପର୍କରେ ‘ସମ୍ବାଦ’ ପକ୍ଷରୁ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବା ପରେ ଲହୁଣିପଡ଼ା ବିଇଓ ସହକାରୀ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରିଛନ୍ତି।

ସମ୍ବନ୍ଧିତ ଖବର