ଗ୍ୟାଙ୍ଗଷ୍ଟର ଟିଟୋଙ୍କୁ ଆଉ ୪ଦିନ ରିମାଣ୍ଡରେ ନେଲା ଏସ୍‌ଟିଏଫ୍‌

କଟକ/କେନ୍ଦ୍ରାପଡ଼ା : ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‌ ସୟଦ୍‌ ଉସମାନ ଅଲ୍ଲୀଙ୍କ ୫ ଦିନିଆ ରିମାଣ୍ଡ ଗତକାଲି ଶେଷ ହୋଇଥିଲା। ଆଜି ତାଙ୍କୁ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଏସ୍‌ଟିଏଫ୍‌ ଟିଟୋଙ୍କୁ ଆଉ ୧୦ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା। କିନ୍ତୁ ଏହି ଆବେଦନକୁ ଏସ୍‌ଡିଜେଏମ୍‌ ନିହାରରଞ୍ଜନ ସାହୁ ଖାରଜ କରି ୪ଦିନ ରିମାଣ୍ଡର ଶୁଣାଣି କରିଛନ୍ତି। ଏହି ଶୁଣାଣି ପରେ ଟିଟୋଙ୍କୁ ଏସ୍‌ଟିଏଫ୍‌ ଆଉ ୪ଦିନ ରିମାଣ୍ଡରେ ନେଇଛି।

ଉଲ୍ଲେଖଯୋଗ୍ୟ, ୨୦୧୮ମାର୍ଚ୍ଚ ୨୮ ତାରିଖରେ ଜଗତପୁରରେ ମହମ୍ମଦ ତାହିର ଅଲ୍ଲୀ ଖାଁଙ୍କୁ ଗୁଳିମାଡ଼ ହୋଇଥିଲା। ଉଗ୍ରବାଦୀ ସଂଗଠନ ଲିଙ୍କ୍‌ରେ ଗିରଫ ହୋଇଥିବା ଅବଦୁର ରହେମାନଙ୍କ ଭାଇ ତାହିରଙ୍କ ଉପରକୁ ଟେଣ୍ଡର ଫିକ୍ସିଂ ଘଟଣାକୁ ନେଇ ଟିଟୋର ସହଯୋଗୀ ଗୁଳିମାଡ଼ କରିଥିଲେ। ସେହି ଘଟଣାରେ କଟକ କମିସନରେଟ୍‌ ପୁଲିସ ଟିଟୋର ୩ ଜଣ ଦୁର୍ଦ୍ଦାନ୍ତ ସହଯୋଗୀଙ୍କୁ ଏନ୍‌କାଉଣ୍ଟର କରିଥିଲା। କଟକର କାଲା ବାବୁ ଓରଫ୍‌ ବାବୁ ଖାଁ, ସାଇଲୋ ବଡବିଲିର ଡେଙ୍ଗା ଓରଫ୍‌ ଅଲେଖ ରାଉତରାୟ, ଜଗତପୁରର ଟିଟୁନି ଓରଫ୍‌ ଅଶୋକ ବେହେରାଙ୍କୁ ପୁଲିସ ଏନ୍‌କାଉଣ୍ଟର କରିବା ସହ ଗିରଫ କରିଥିଲା। ସେମାନଙ୍କୁ ଜେରା କରିବା ପରେ ମିଳିଥିବା ତଥ୍ୟ ଆଧାରରେ ଏହି ଘଟଣାରେ ଟିଟୋକୁ ବି ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ଟିଟୋକୁ ରିମାଣ୍ଡରେ ଆଣି ସେହି ଅଭିଯୁକ୍ତଙ୍କ ସହ ସାମନା ସାମନି ଜେରା କରିବା ଯୋଜନା ରହିଛି।

ସମ୍ବନ୍ଧିତ ଖବର