ଫୁଲବାଣୀରେ ସ୍ୱତନ୍ତ୍ର ଭୋଟର ସଂଶୋଧନ ପ୍ରକ୍ରିୟା ଆରମ୍ଭ

ସଚେତନତା ସୃଷ୍ଟି ପାଇଁ ରାଜନେତିକ ଦଳ ପ୍ରତିନିଧିଙ୍କୁ ନେଇ ପ୍ରଶାସନର ବୈଠକ

ଫୁଲବାଣୀ: ଫୁଲବାଣୀରେ ସ୍ୱତନ୍ତ୍ର ଭୋଟର ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ଅଗଷ୍ଟ ୧ରୁ ଆରମ୍ଭ ହୋଇଥିବା ପ୍ରଚାର ଓ ପ୍ରସାର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ସେପ୍ଟେଟର ୧ରୁ ୩୦ ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀ ଘରଘର ବୁଲି ନୂଆ ଭୋଟରଙ୍କୁ ତାଲିକାଭୁକ୍ତ କରିବା ଏବଂ ହୋଇଥିବା ତାଲିକାରେ ସଂଶୋଧନ କରିବା ନିମନ୍ତେ ଲୋକଙ୍କୁ ଅବଗତ କରାଇବେ। ସେହିଭଳି ସୁପରଭାଇଜରମାନେ କାର୍ଯ୍ୟକ୍ରମର ଅନୁଧ୍ୟାନ କରିବେ। ଏଥି ନିମନ୍ତେ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।

୨୦୨୦ ଜାନୁଆରି ୧ ସୁଦ୍ଧା ଯେଉଁମାନଙ୍କ ବୟସ ୧୮ କିମ୍ବା ତାଠାରୁ ଉର୍ଦ୍ଧ୍ଵ ହେବ ସେମାନଙ୍କୁ ସ୍ୱତନ୍ତ୍ର ଭୋଟର ସଂଶୋଧନ ପ୍ରକ୍ରିୟାରେ ଅନ୍ତଭୁକ୍ତ କରାଯିବ। ସ୍ୱତନ୍ତ୍ର ଭୋଟର ସଂଶୋଧନ ପ୍ରକ୍ରିୟା ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୦୨୦ ଜାନୁଆରୀ ୧ରୁ ୧୫ ମଧ୍ୟରେ ଚୁଡାନ୍ତ ତାଲିକା ପ୍ରକାଶ ପାଇବ। ଏହି କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ବ୍ୟାପକ ସଚେତନତା ଜରୁରୀ। ତେଣୁ ଏହି ଉଦ୍ଦେଶ୍ୟରେ ଶୁକ୍ରବାର ଫୁଲବାଣୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ରାଜନେତିକ ଦଳର ପ୍ରତିନିଧିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି।

ଉପଜିଲ୍ଲାପାଳ ବୀରେନ୍ଦ୍ର କୁମାର ଦାସ ସ୍ୱତନ୍ତ୍ର ଭୋଟର ସଂଶୋଧନ ପ୍ରକ୍ରିଆରେ ସବୁ ରାଜନେତିକ ଦଳର ସହଯୋଗ କାମନା କରିବା ସହ ଅଧିକ ସଚେତନତା ସୃଷ୍ଟି ନିମନ୍ତେ ସେମାନଙ୍କଠାରୁ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ ଆଶାବ୍ୟକ୍ତ କରିଥିଲେ। ବୈଠକରେ ଉପସ୍ଥିତ ଥିବା ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମଧ୍ୟ ସାହାଯ୍ୟ ଓ ସହଯୋଗ କରିବାକୁ ସମ୍ମତି ପ୍ରଦାନ କରିଥିଲେ। ବିଜେପିରୁ ଭଗବାନ ମହାନ୍ତି, କଂଗ୍ରେସରୁ ବିଜୟ କୁମାର ମହାନ୍ତି, ବିଜେଡିରୁ ସୁଧୀର କୁମାର କହଁର, ବିଏସପିରୁ ଡ.ସୋମନାଥ ବାଗ ପ୍ରମୁଖ ବୈଠକରେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ। ଇଲେକ୍ସନ ଓଆଇସି ରତ୍ନାକର କାଣ୍ଡି, ପ୍ରମାଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର