ଦେବଦୂତ ସାଜିଲେ ଆଦିବାସୀ ଯୁବକ, ବୁଡ଼ିଯାଉଥିବା ମା’-ପୁଅଙ୍କୁ କଲେ ଉଦ୍ଧାର

ବାଲେଶ୍ୱର (ମନୋଜ କୁମାର ରାଉଳ): ନଦୀକୁ ଗାଧୋଇବାକୁ ଯାଇ ବାଲି ଧସିଯିବାରୁ ଅକାତକାତ ପାଣି ଭିତରକୁ ଚାଲିଯାଇଥିବା ଜଣେ ଶିଶୁ ଓ ତା’ର ମା’କୁ ମରଣମୁହଁରୁ ଉଦ୍ଧାର କରି ଦେବଦୂତ ସାଜିଛନ୍ତି ଜଣେ ଆଦିବାସୀ ଯୁବକ। ସମ୍ପୃକ୍ତ ଯୁବକ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ନିମପାଳ ଗ୍ରାମର ଦନେଇ ସିଂଙ୍କ ପୁଅ ଶନିଆ ସିଂ(୨୦)।

ଆଜି ସକାଳ ସମୟ ପ୍ରାୟ ୯ଟା। ନୀଳଗିରି ଥାନା ଅନ୍ତର୍ଗତ ନରସିଂହପୁର ପଞ୍ଚାୟତ ଅମ୍ବିକାପୁର ଗ୍ରାମ ନିକଟ ଦେଇ ଯାଇଥିବା ସୋନନଦୀର ମହାଦେବପାଳ ଘାଟକୁ ନରେନ୍ଦ୍ର ନାୟକଙ୍କ ନିଜ ପତ୍ନୀ ସସ୍ମିତା(୩୨) ଓ ପୁଅ ସ୍ପନ୍ଦନ(୧୨)ଙ୍କୁ ସାଙ୍ଗରେ ଧରି ମହାଦେବପାଳ ଗଧୋଇବାକୁ ଯାଇଥିଲେ। ତେବେ ନରେନ୍ଦ୍ର ପାଣି ଭିତରକୁ ଯାଇ ଗାଧୋଉଥିବା ବେଳେ ସସ୍ମିତା ଓ ସ୍ପନ୍ଦନ କୂଳରେ ବସିଥିଲେ। ଏହି ସମୟରେ ହଠାତ୍‌ ସେଠାରେ ବାଲି ଧସିଯାଇଥିଲା। ପ୍ରଥମେ ସ୍ପନ୍ଦନ ନଦୀ ଭିତରକୁ ଖସି ପଡ଼ିଥିଲେ। ତାକୁ ଉଦ୍ଧାର କରିବାକୁ ଯାଇ ସସ୍ମିତା ନଦୀକୁ ଡେଇଁ ଉଭୟ ମା’ ଓ ପୁଅ ଅକାତକାତ ପାଣି ଭିତରେ ଫସିଯାଇଥିଲେ।

ଏହା ଦେଖିବା କ୍ଷଣି ନରେନ୍ଦ୍ର ସେଠାକୁ ଦୌଡ଼ି ଆସି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ବି ସାହସ ଜୁଟାଇ ପାରିଲେ ନାହିଁ। ଫଳରେ ଜୋରରେ ଚିତ୍କାର କରି ଲୋକଙ୍କୁ ଡାକ ପକାଇଥିଲେ। ହେଲେ ଆଖପାଖରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ କେହି ନଥିଲେ। ତେବେ କିଛି ଦୂରରେ ଅନ୍ୟ ଏକ ଘାଟରେ ଗାଧୋଉଥିବା ନିମପାଳ ଗ୍ରାମର ଶନିଆ ଏହି ଡାକ ଶୁଣିବାକୁ ପାଇ ତୁରନ୍ତ ସେଠାକୁ ଧାଇଁ ଆସିଥିଲେ।

ନରେନ୍ଦ୍ର ତାଙ୍କ ପତ୍ନୀ ଓ ପୁଅକୁ ଉଦ୍ଧାର କରିବା ପାଇଁ ଶନିଆଙ୍କୁ କହିବା ପରେ ଆଗପଛ ବିଚାର ନକରି ନଦୀକୁ ଡିଆଁ ମାରିଥିଲେ। ଆଉ ଉପସ୍ଥିତ ବୁଦ୍ଧି ଖଟାଇବା ସହ ନିଜ ଜୀବନକୁ ବାଜି ଲଗାଇ ପାଣି ଭିତରୁ ସେମାନଙ୍କୁ ଉଦ୍ଧାର କରିଥିଲେ। ପାଣି ପିଇ ଯାଇଥିବାରୁ ସସ୍ମିତା ଓ ତାଙ୍କ ପୁଅର ଅବସ୍ଥା ଗୁରୁତର ହୋଇଯାଇଥିଲା। ଏହାପରେ ସେମାନଙ୍କୁ ପ୍ରଥମେ ନୀଳଗିରି ହସ୍ପିଟାଲ ଓ ପରେ ବାଲେଶ୍ୱର ଜିଲ୍ଲା ହସ୍ପିଟାଲକୁ ଆଣି ଚିକିତ୍ସା କରାଯାଇଥିଲା। ଏବେ ସସ୍ମିତାଙ୍କ ଅବସ୍ଥା ଠିକ୍‌ ଥିବା ବେଳେ ସ୍ପନ୍ଦନ ଶିଶୁ ୱାର୍ଡରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ନିଜ ଜୀବନକୁ ବାଜି ଲଗାଇ ଆଦିବାସୀ ଯୁବକ ଶନିଆ ସିଂ ନରେନ୍ଦ୍ରଙ୍କ ପରିବାର ପାଇଁ ଆଜି ଦେବଦୂତ ସାଜିଥିବା ସେ କହିଛନ୍ତି। ଶନିଆଙ୍କ ଏହି ସାହସିକତାକୁ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର