ଏବେ ତାଲା ହିଁ ଚାବିକାଠି

କରୋନାକାଳୀନ ଜୀବନଦର୍ଶନ - ଅଭିରାମ ବିଶ୍ୱାଳ

ସାରା ଭାରତରେ ଏବେ ଏକୋଇଶ ଦିନିଆ ସମ୍ପୂର୍ଣ୍ଣ ତାଲାବନ୍ଦ ବା ଲକ୍‌ଡାଉନ୍‌। ଅତି କଠିନ ସମୟରେ ନିହାତି କଠୋର ନିଷ୍ପତ୍ତି ନିଆହୁଏ। କାରଣ ଅସାଧାରଣ ପରିସ୍ଥିତି ଅସାଧାରଣ ସମାଧାନ ପନ୍ଥା ଲୋଡ଼ିଥାଏ। ବିଶ୍ବ ମହାମାରୀ କରୋନାର ସ˚କ୍ରମଣରୁ ବର୍ତ୍ତିବା ପାଇଁ ଘରେ ରହିବା ଓ ବାହାରକୁ ନ ବାହାରିବା ନିମନ୍ତେ ଆମ ଦେଶର ପ୍ରଧାନମନ୍ତ୍ରୀ ଓ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିସାରିଛନ୍ତି। ଏ ଭିତରେ ଟୋକିଓ ଅଲିଂପିକ୍‌ ବର୍ଷେ ଘୁଞ୍ଚେଇ ଦିଆଗଲାଣି। ଭାରତବର୍ଷର ଜନଗଣନା ବର୍ତ୍ତମାନ ପାଇଁ ସ୍ଥଗିତ ରଖାଗଲାଣି। ପୃଥିବୀ ସାରା କରୋନା ଆକ୍ରାନ୍ତଙ୍କ ସ˚ଖ୍ୟା ବଢ଼ିବାରେ ଲାଗିଛି। ଜାତିସ˚ଘର ସଦସ୍ୟ ରାଷ୍ଟ୍ର ସ˚ଖ୍ୟା ଏବେ ୧୯୩। ତା’ଠାରୁ ଅଧିକ ସ˚ଖ୍ୟକ ରାଷ୍ଟ୍ର ଉପରେ କରୋନାର ପ୍ରକୋପ। ସୁଖବର ଏଇଆ ଯେ ୧,୬୫,୯୩୮ ଆରୋଗ୍ୟ ଲାଭ କଲେଣି।

ପ୍ରବାସ ରହଣି ଓ ଗମନକୁ ଆଧାର କରି ଉଧାଇ ଆସିଥିବା ଜଗତାୟନର ଅପକାରିତାର ଆଉ ଏକ ପରିପ୍ରକାଶ କରୋନା ବୋଲି ଅନେକ ମତ ବାଢ଼ୁଛନ୍ତି। କରୋନା ହେଉଛି ଏକ ପ୍ରକାରେ ରୋଗର ବିଶ୍ବାୟନ ବା ‘‘ଗ୍ଲୋବାଲାଇଜେସନ୍‌ ଅଫ୍‌ ଡିଜିଜ।’’ ବିନା ଦୋଷ ଓ କାରଣରେ ଗରିବ ଗୁରୁବା, ଚାଷୀ, ଖଟିଖିଆ ଓ ଦିନ ମଜୁରିଆ ସବୁଠୁଁ ଅଧିକ ସମସ୍ୟାର ସମ୍ମୁଖୀନ ହେବେ। ସେମାନେ ଚୀନ୍‌, ଇଟାଲି, ସ୍ପେନ୍‌, ଇ˚ଲଣ୍ତ ଓ ଆମେରିକା ଯାଇନଥିଲେ କି ସେଠୁ ଫେରିନାହାନ୍ତି। ପ୍ରତିଦିନ ଘରୁ ପଦାକୁ ଗୋଡ଼ ନ କାଢ଼ିଲେ ସେମାନଙ୍କ ଘରେ ଚୁଲି ଜଳେ ନାହିଁ। ଏବେ କିନ୍ତୁ ସେମାନଙ୍କର ବାହାରକୁ ଯିବା ଉଚିତ କିମ୍ବା ସମ୍ଭବ ନୁହେଁ। ଆଗକୁ ସେମାନେ କରିବେ କ’ଣ ଯେତେବେଳେ କି ସେମାନଙ୍କ ପାଖରେ ଖାଦ୍ୟ ଓ ପଇସା ନ ଥିବ? (ଇତ୍ୟବସରରେ କେନ୍ଦ୍ର ଓ ରାଜ୍ୟ ତରଫରୁ ଘୋଷିତ ପ୍ୟାକେଜ୍‌ ଓ ସ୍ବତନ୍ତ୍ର ସହାୟତା ନିଶ୍ଚୟ ସେମାନଙ୍କୁ ବେଶ୍‌ ଆଶ୍ବସ୍ତି ଦେବ।) ଦିଲ୍ଲୀରୁ ଯେଉଁ ଦିନମଜୁରିଆମାନେ ଚାଲି ଚାଲି ଓ ଟ୍ରଲି ରିକ୍ସାରେ ପିଲାଛୁଆ ଧରି ବିହାର ଓ ଉତ୍ତରପ୍ରଦେଶାଦି ପଳେଇ ଯାଉଥିବାର ହୃଦୟ ବିଦାରକ ଦୃଶ୍ୟ ଗଣମାଧୢମରୁ ଦେଖିବାକୁ ମିଳୁଛି ସେଥିରୁ ପରିସ୍ଥିତିର ସାମାଜିକ-ସା˚ସ୍କୃତିକ- ଅର୍ଥନୀତିକ ଭବିଷ୍ୟ ଭୟାବହତା ବାବଦରେ କିଛି କିଛି ସୂଚନା ମିଳୁଛି। ସହରରେ, ବଜାରରେ କାମ ନାହିଁ; ରହିବା କଟକଣା। ତେଣୁ ଗାଁକୁ ଫେରି ଚାଲ। ଗାଁ ହିଁ ଅଭୟାଶ୍ରୟ। ସେମାନେ ମଧୢ କୋହଭରା ସ୍ବରରେ କହିଲେଣି- ଏ ରୋଗ ଆଣିଲେ କିଏ; ହେଲେ ଆମଭଳି ଗରିବ ଗୁରୁବାଙ୍କୁ ତା’ର ମୂଲ୍ୟ ଦେବାକୁ ପଡ଼ୁଛି! ଇଏ କି ଜଗତାୟନ!

ବେଳେବେଳେ ପ୍ରଳୟ ପ୍ରାୟ କାଳରେ କେହି କେହି ପିକ୍‌ନିକ୍‌-ମନସ୍କ ଓ ବିପର୍ଯ୍ୟୟ- ପର୍ଯ୍ୟଟନ-ପନ୍ଥୀ ହେଉଥିବାର ଜାଣିବାକୁ ମିଳେ। ବାହାରକୁ ନ ଯିବା ପାଇଁ ନିର୍ଦ୍ଦେଶନାମା ଥିଲେ ମଧୢ ପ୍ରାରମ୍ଭିକ ପର୍ଯ୍ୟାୟରେ ଫ୍ରାନ୍‌ସରୁ ଫ୍ଲୋରିଡାଯାଏ ତଥାକଥିତ ଓ ଆତ୍ମଘୋଷିତ ଭୂତାଣୁ ବିଦ୍ରୋହୀମାନେ କରୋନା ମସ୍ତି, ମଉଜ ଓ ପାର୍ଟିରେ ମଜ୍ଜି ଯାଉଥିବାର ଚିତ୍ର ଦେଖିବାକୁ ମିଳୁଥିଲା। କିଛି ଲଗାମଛଡ଼ା ତରୁଣତରୁଣୀ ବେଳାଭୂମିରେ ସୂର୍ଯ୍ୟସ୍ନାନ କରୁଥିଲେ ଏବ˚ ବୃଦ୍ଧବୃଦ୍ଧାମାନଙ୍କୁ ଦେଖିଲେ ଖଣ୍ତିକାଶ ମାରି ଚିଲଉଥିଲେ- ହେଇରେ କରୋନା! ଆଉ କିଏ ସେଠି ଗୁଡ଼ି ଓ ବେଲୁନ୍‌ ଉଡ଼ଉଥିଲେ ଏବ˚ ନଚାନଚି କରୁଥିଲେ। ଏଭଳି ବାତରା, ଅମାନିଆ, ଅମରମତା ଓ ଉତୁଗରିବା ଲୋକେ ନିତ୍ୟବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାହାରକୁ ବାହାରି ନଥାନ୍ତି। ସେମାନଙ୍କୁ ଖୁକୁଣ୍ତିଆ ଗେଲ ଲାଗିଥାଏ, ମନେ ମନେ ନାୟକ ନାୟିକା। ଆମ ଦେଶରେ ଠାଏ ଠାଏ ଦେଖିବାକୁ ମିଳିଥିଲା କିଛି ଟୋକା ଟାକଳିଆ ଦୁଇଚକିଆରେ ଚକ୍‌କର କାଟୁଥିବାର। ପିନ୍ଧିଥାନ୍ତି ପୁଣି ଏମିତିଆ ଟି-ସାର୍ଟ ଯେଉଁଥିରେ ଲେଖାଥାଏ- ଆମେ ଜମା ସୁଧୁରିବୁନି କି ଶୁଣିବୁନି। ଉଦାରବାଦୀ ଗଣତନ୍ତ୍ର ସେମାନଙ୍କୁ ଏତେ ସ୍ବାଧୀନତା ଦେଇଥାଏ। କିନ୍ତୁ ସ୍ବାଧୀନତା ବି ନିରଙ୍କୁଶ ନୁହେଁ; ତାହା ବୃହତ୍ତର ହିତ ଦୃଷ୍ଟିରୁ ଅନୁଶାସନର ବଶବର୍ତ୍ତୀ। ହେଲେ ଅପର ପକ୍ଷେ ଅନେକ ଦୋକାନମାନଙ୍କରେ କ୍ଷୀର, ଔଷଧ, ଚାଉଳ ଓ ଡାଲି ପାଇଁ ଧାଡ଼ିରେ ତଥା ନିର୍ଦ୍ଧାରିତ ଦୂରତାରେ ଟଣା ଯାଇଥିବା ଗୋଲିଆ ଭିତରେ ଠିଆ ହୋଇ ନିୟମ ପାଳନ କରୁଥାନ୍ତି। ତାଲାବନ୍ଦ ମାନି ଯେଉଁମାନେ ଘରର ଲକ୍ଷ୍ମଣରେଖା ଟପୁ ନ ଥାନ୍ତି (ପ୍ରଧାନମନ୍ତ୍ରୀଙ୍କ କହିବା ମୁତାବକ) ଓ ବାହାରୁ ଘରକୁ କରୋନାକୁ କୁଣିଆ କରି ନ ଡାକିବା ପାଇଁ ରାଣ ଖାଇଥାନ୍ତି (ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଅନୁସାରେ) ସେମାନେ ଛାତ ଉପରେ ପ୍ରାତଃ ଭ୍ରମଣ କରୁଥାନ୍ତି, ବାରଣ୍ତାରେ ଯୋଗ କରୁଥାନ୍ତି, ଅଗଣାରେ ପ୍ରାର୍ଥନା କରୁଥାନ୍ତି ଓ ଘର ଭିତରେ ବସି ରାଜ୍ୟ-ଦେଶ-ବିଶ୍ବର ଖବର ରଖୁଥାନ୍ତି। କିଏ ବହି ପଢ଼ୁଥାଏ। କିଏ ଗୀତ ଶୁଣୁଥାଏ। ଏଇ ଯେମିତି ପଙ୍କଜ ଉଦ୍ଦାସଙ୍କ ସେଇ ଗାନା, ଯାହାର ଓଡ଼ିଆ ହେବ‌ ଏଇମିତି – ଏ ଜୀବନ ବଡ଼ ଛୋଟ (ଛୋଟି), ଆମର ବି ଏଠି ଅଛି ବହୁତ ରୁଟି (ରୋଟୀ)। ହଠାତ୍‌ ଅତି ବୟସ୍କ ଓ ବୟସ୍କାମାନଙ୍କ ମୋଟା ମୋଟା ଖାତା ଆବିଷ୍କୃତ ହୁଏ ଘରର ଅରମା ସଫା କରୁ କରୁ। ଆଉ ସେଥିରେ ଲେଖାଥାଏ ଅନେକ କବିତା, ମାଳିକା ବଚନ (କଳିକାଳ ଓ ସର୍ବେ ହୋଇବେ ଏକାକାର ପ୍ରଭୃତିର ଅବତାରଣା), ପ୍ରକୃତିର ରୋଷ ଓ ଈଶ୍ବରଙ୍କ ଶାପ କଥା। ଏବ˚ ସେମାନଙ୍କର ଭବିଷ୍ୟବାଣୀ- ‘‘ପିଲାଏ ବିଷମ ପରିସ୍ଥିତି ଉପୁଜିଲେ ଘରୁ ଗୋଡ଼ କାଢ଼ିବନି। ଘରକୁ ବାହାର ଓ ସ˚ସାରରେ ପରିଣତ କରିବ। ନିଜେ ବଞ୍ଚିବ, ଅନ୍ୟମାନଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିବ। ଅସୁବିଧା ସମୟରେ ଖରାପ ଚିନ୍ତା କରିବାନି।’’

ବାତ୍ୟା, ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ ବିଶ୍ବଯୁଦ୍ଧ ଠାରୁ ଅଲଗା ଏ କରୋନାର ଆହ୍ବାନ। ଅନ୍ୟ ବିପତ୍ତି ସମୟରେ କିଛି ପୀଡ଼ିତ ଓ ପ୍ରଭାବିତ ହୋଇଥିଲା ବେଳେ ଆହୁରି ଅନେକ ଅନେକ ବାହାରି ପଡ଼ନ୍ତି ସାହାଯ୍ୟ ସହଯୋଗର ହାତ ବଢ଼େଇବାକୁ। କିନ୍ତୁ କରୋନା କାଳରେ ସ˚ସ୍ପର୍ଶ ଓ ସ˚କ୍ରମଣ କାରଣରୁ ପୀଡ଼ିତ ଓ ଆକ୍ରାନ୍ତ ହେବାର ଭୟ ଓ ଆଶଙ୍କା ସମସ୍ତଙ୍କ କ୍ଷେତ୍ରରେ ରହିପାରେ। ସେଭଳି ପରିସ୍ଥିତିରେ ଡାକ୍ତର, ଡାକ୍ତରାଣୀ, ନର୍ସ ଓ ସ୍ବାସ୍ଥ୍ୟକର୍ମୀ ଧଳା ପୋଷାକର ପରୀ ଓ ଦେବଦୂତ ଭଳି କାମ କରୁଥାନ୍ତି। କିନ୍ତୁ ଶୁଣିବାକୁ ଓ ପଢ଼ିବାକୁ ମିଳୁଛି ବାହାର ରାଜ୍ୟର କେତେକ ସ୍ଥାନରେ ସେମାନଙ୍କୁ ଭଡ଼ାଘର ଛାଡ଼ିବାକୁ ବାଧୢ କରାଯାଉଛି। ମହାବିପତ୍ତି କାଳରେ ଯେଉଁ ସାମାଜିକ ସମ୍ବନ୍ଧନ ସଙ୍କଟ ବା ସୋସାଲ୍‌ ଆଫିଲିଏସନ୍‌ କ୍ରାଇସିସ୍‌ ଉପୁଜିବାର ସମ୍ଭାବନା ସୃଷ୍ଟି ହୁଏ ସେଠି ମଣିଷ ଭିତରର ପରିହାର୍ଯ୍ୟ ସ୍ବ ବନାମ ପର ଭାବନାର ଆତ୍ମପ୍ରକାଶ ଘଟେ ବୋଲି କୁହାଯାଏ। (ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସରକାରଙ୍କ ତରଫରୁ ସ୍ବାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଚାରି ମାସର ଅଗ୍ରିମ ଦରମା ଘୋଷଣା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସେମିତି ତାପର୍ଯ୍ୟପୂର୍ଣ୍ଣ ଦୁଇଟି ଘରୋଇ ଡାକ୍ତରଖାନା ସହ ମିଶି ହଜାରେ ଶେଯ ବିଶିଷ୍ଟ ବୃହତ୍‌ କରୋନା ବା କୋଭିଡ-୧୯ ଡାକ୍ତରଖାନା ପାଇଁ ବ୍ୟବସ୍ଥା ଯାହାକି ସାରା ଭାରତରେ ପ୍ରଥମ।)

ଏ କରୋନାକୁ ପ୍ରତିରୋଧ କରିବା ନିମନ୍ତେ ଅତ୍ୟନ୍ତ ଉପଯୋଗୀ ଓ ବର୍ତ୍ତମାନ ଅବସ୍ଥାରେ ଅବ୍ୟର୍ଥ ପ୍ରତିଷେଧକ ହେଉଛି ସାମାଜିକ ଦୂରତ୍ବ ଯାହାର ଏକ ବ୍ୟାପକ ଓ ମହତ୍‌ ଅର୍ଥ ରହିଛି। ମାନେ ସ˚ସ୍ପର୍ଶ ଓ ସ୍ପର୍ଶ ଗତ ଶାରୀରିକ ଦୂରତ୍ବ ରକ୍ଷା କରିବା; ସାମାଜିକ ସ୍ତରରେ ଦୂରେଇ ଯିବା ନୁହେଁ। ମିଳାମିଶା ନ କରିବା; କିନ୍ତୁ ମିଳିମିଶି ରହୁଥାଏଁ ବୋଲି ଭୁଲି ନ ଯିବା। ଏ ସାମାଜିକ ଦୂରତ୍ବ ବର˚ ଏକ ନୂଆ ସାମାଜିକତା, ସାମାଜିକ ବନ୍ଧୁତ୍ବ ଓ ବନ୍ଧନ ଏବ˚ ସାମାଜିକ କୁଟୁମ୍ବ ପଣିଆ କଥା କହେ ଯେଉଁଠି ଅସୁବିଧାରେ ନ ଥିବା ଲୋକେ ଅଭାବୀ ମଣିଷ ଓ ଖାଦ୍ୟ ବଞ୍ଚିତ ପଶୁପକ୍ଷୀଙ୍କ ପ୍ରତି ସମ୍ବେଦନଶୀଳ ଓ ଏକାନୁଭୂତି ସମ୍ପନ୍ନ କର୍ମତତ୍ପରତା ପ୍ରକାଶ କରିପାରିବେ। ସେଇଥିପାଇଁ ତ କେଉଁଠି କେଉଁଠି ସ୍ବେଚ୍ଛାସେବୀମାନେ ବାରବୁଲା, ଯାଯାବର, ପାରା, ମାଙ୍କଡ଼ ଏବ˚ ବୁଲା କୁକୁର ଓ ଷଣ୍ଢମାନଙ୍କୁ ଦୂରତ୍ବ ରକ୍ଷା କରି ଖୁଆଇବାର ବନ୍ଦୋବସ୍ତ କରୁଛନ୍ତି। ଠାଏ ଠାଏ କଏଦୀମାନେ ବି ସୁଲଭ ଦରର ଉପଯୁକ୍ତ ମୁଖା ତିଆରି କରୁଛନ୍ତି। ସ୍ବାସ୍ଥ୍ୟକର୍ମୀମାନଙ୍କୁ ସମ୍ମାନ ଜଣାଇ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ବାଲୁକା ଶିଳ୍ପୀ ଗଢ଼ୁଥିବା ବାଲୁକା କଳାରେ ଲେଖାଅଛି- ଆମେ ଆପଣମାନଙ୍କ ପାଇଁ କର୍ମକ୍ଷେତ୍ରରେ; ଆପଣମାନେ ଆମ୍ଭମାନଙ୍କ ପାଇଁ ଘରେ ରୁହନ୍ତୁ।

ଆଜିକାଲିର ଏ ଟ୍ବିଟର, ଇନଷ୍ଟାଗ୍ରାମ୍‌, ଗଣମାଧୢମ ଓ ହ୍ବାଟ୍‌ସଆପ୍‌ ଯୁଗର ପ୍ରଥମ ବିଶ୍ବ ମହାମାରୀ ହେଉଛି କରୋନା। ଏବେ ଦେଖାଯାଉଛି ଖବରକାଗଜ ଓ ଟେଲିଭିଜନ ଭଳି ଗଣମାଧୢମ ବେଶ୍‌ ଦାୟିତ୍ବସମ୍ପନ୍ନ ଖବର ପରିବେଷଣ କରୁଥିଲା ବେଳେ- ସୋସିଆଲ ମିଡିଆରେ କେହି କେହି ଅଳସ, ହାଲୁକା ଓ ନିରାଧାର ସୂଚନା ପରିବେଷଣ କରି ଗୁଜ୍ଜବ ଓ ଅନ୍ଧବିଶ୍ବାସକୁ ପ୍ରଶ୍ରୟ ଦେଉଛନ୍ତି। ଏଇ ଯେମିତି ମସ୍କୋର ରାଜରାସ୍ତାରେ ଛାଡ଼ି ଦିଆଗଲା ବାଘ ଓ ସି˚ହ ତାଲାବନ୍ଦ କାର୍ଯ୍ୟକାରୀ କରିବାକୁ। ଅମୁକ ମୂତ୍ର ପିଇଲେ ଓ ସମୁକ ପତ୍ର ଖାଇଲେ କରୋନା ଖଲାସ୍‌! କରୋନା ନାମକ ବିଶ୍ବ ମହାମାରୀକୁ ଆହୁରି ଭୟାବହ କରି ଦେଇପାରେ ଏଭଳି ମିଛ ଖବରର ମହାମାରୀ ବା ‘ଇନ୍‌ଫୋଡେମିକ୍‌ସ୍‌’।

ଚୀନ୍‌ର ଉହାନ୍‌ରୁ କରୋନା ଆରମ୍ଭ ହୋଇଥିଲା ବୋଲି ଏବେ ଅନେକ ଚୀନ୍‌କୁ ଦୋଷ ଦେଉଛନ୍ତି। ହେଲେ ସେଣେ ଇଟାଲି ଓ ଆମେରିକାରେ କ’ଣ ହେଲା? ଇଟାଲିର ଫେସନ୍‌ ରାଜଧାନୀ ମିଲାନ୍‌ ସହରର ମେୟର କହି ପକାଇଲେ- ଆମର ଏ ମିଲାନ୍‌ ନଗରୀ କେବେ ବି ବିଶ୍ରାମ ନିଏନି, ବନ୍ଦ ହୁଏନି। ୨୪x୭ ଚାଲେ। ବାସ୍‌, ତା’ପରେ ଯେତେ ଯାହା ମସ୍ତି। ଏକଦା ଆମେ ପଢ଼ିଥିଲୁ- ଯେତେବେଳେ ରୋମ୍‌ ଜଳୁଥିଲା ସେତେବେଳେ ସମ୍ରାଟ୍‌ ନେରୋ ବ˚ଶୀ ବାଦନ କରୁଥିଲେ। କରୋନା ହେଉଛି ପ୍ରଥମ ପ୍ରମୁଖ ଆନ୍ତର୍ଜାତିକ ସ˚କଟ ଯେତେବେଳେ କି ଆମେରିକା ନେତୃତ୍ବ ନେଇ ପାରୁନଥିଲା ଭଳି ବୋଧ ହେଉଛି। ଯେଉଁ ଆମେରିକା ଦିନେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଦିନକୁ ଗୋଟାଏ ଲେଖାଏଁ ଯୁଦ୍ଧ ବିମାନ ଓ ଯୁଦ୍ଧ ଜାହାଜ ତିଆରି କରି ଦେଉଥିଲା ସେଇ ଆମେରିକା ଏବେ ପର୍ଯ୍ୟାପ୍ତ ମୁଖା, ଗ୍ଲୋଭ୍‌ସ, ଚଷମା, ଭେଣ୍ଟିଲେଟର ଓ ଡାକ୍ତରୀ ପରୀକ୍ଷା ଉପକରଣ ଯୋଗାଇ ପାରୁନି ବୋଲି ଅଭିଯୋଗ ହେଉଥିବାର ଖବର ବାହାରିଲାଣି। ଯେହେତୁ ଆଗକୁ ରାଷ୍ଟ୍ରପତି ନିର୍ବାଚନ କୁଆଡ଼େ ଆରମ୍ଭରୁ ଆରମ୍ଭରୁ ଟ୍ରମ୍ପ କହି ଦେଲେ ଯେ କରୋନା ହେଉଛି ପ୍ରତିପକ୍ଷ ଡିମୋକ୍ରାଟ୍‌ ଦଳର ଷଡ଼୍‌ଯନ୍ତ୍ର!

ପିଲାଦିନ କଥା ମନେ ପକାଇଲେ ଭାସି ଉଠୁଛି ଏକ ଚମତ୍କାର ଚିତ୍ର। ଆମ ଗାଁର ଘରମାନଙ୍କର କାନ୍ଥ ସବୁ ବାହାଘର ଓ ମାଣବସା ଓଷା ସମୟରେ ଲିପାପୋଛା ହେଉଥିଲା ବେଳେ ସେଇ କାନ୍ଥସବୁରେ ଟଣା ହୋଇଥିବା ରୋଗ ବିରୋଧରେ ରେଖାଚିତ୍ରଟିକୁ ଅକ୍ଷୁଣ୍ଣ ରହୁଥିଲା। ତାହା ଥିଲା ହାଡଫୁଟି ବା ବସନ୍ତରୁ ଏ ଘର ମୁକ୍ତ ବୋଲି ଏକ ପ୍ରମାଣପତ୍ର ବା ଘୋଷଣାନାମା। ଡାକବାଜି ଯନ୍ତ୍ର ବୁଲି ବୁଲି କହୁଥିଲା- ବସନ୍ତର ପ୍ରଥମ ଖବର, ପୁରସ୍କାର ଏକ ହଜାର। ବାହାରୁ ଘରକୁ ଫେରିଲା ବେଳେ ଆମ ମା’ମାନେ କହୁଥିଲେ ଗୋଡ ଧୋଇ ତଉଲିଆରେ ପୋଛି ଘରେ ପଶ। ଝାଡ଼ାଯାଇ ଲୋକେ ଫେରିଲେ ଅଣ୍ଟାଯାଏ ଗାଧଉଥିଲେ। ମନଇଚ୍ଛା ଏଣେତେଣେ ନ ବୁଲିବାକୁ ମା’ମାନେ ଆକଟ କରୁଥିଲେ। ଏବେ ଆମ ମୁଖ୍ୟମନ୍ତ୍ରୀ ମା’ ମାନଙ୍କୁ ଦାୟିତ୍ବ ଦେବା ଆଭିମୁଖ୍ୟଟି ଆମ ଐତିହ୍ୟରେ ମା’ମାନଙ୍କ ନିର୍ଣ୍ଣାୟକ ଓ ଅଗ୍ରଦୂତ ଭୂମିକାଟିକୁ ଆଉ ଥରେ ସ୍ମରଣକୁ ଆଣେ। ପୂଣି ଲକ୍‌ଡାଉନ୍‌ ବେଳେ ଘରେ ରହି ମା’ ଓ ମାଉସୀମାନଙ୍କୁ ଅଯଥା‌ ଭାରାକ୍ରାନ୍ତ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ ମଧ୍ୟ ସୂଚାଇ ଥାଏ ଘରର ମହିଳାମାନଙ୍କ ପ୍ରତି ପରିବାରର ମନୋଭାବ କିଭଳି ହେବା ଉଚିତ।

ଏବେକାର ଏ କରୋନା ସହ କିଛିଟା ମେଳ ଖାଉଥିବା ଗୋଟିଏ ଚଳଚ୍ଚିତ୍ର ଓ ଖଣ୍ତିଏ ବହିର ଚର୍ଚ୍ଚା ଏବେ ଜୋରରେ। ୨୦୧୧ ମସିହାରେ ନିର୍ମିତ ସେଇ ଚଳଚ୍ଚିତ୍ରର ନା ‘‘କଣ୍ଟାଜିଅନ୍‌’’ (ସ˚କ୍ରମଣ) ଯାହାର ନିର୍ଦ୍ଦେଶକ ଷ୍ଟିଭେନ୍‌ ସୋଡରବର୍ଗ। ହ˚କ˚ରୁ ବୃତ୍ତିଭିତ୍ତିକ କାର୍ଯ୍ୟନିର୍ବାହୀ ଗସ୍ତରୁ ଫେରିଥିବା ଜଣେ ମହିଳା ଆମେରିକାରେ ଅସୁସ୍ଥ ଅନୁଭବ କରନ୍ତି। ଜଣାପଡ଼େ ସିଏ ଭୂତାଣୁ ସ˚କ୍ରମିତ। ସମୟକ୍ରମେ କାରଣଟି ଧରାପଡ଼େ। ଚୀନ୍‌ର ଏକ ଅରଣ୍ୟରୁ ଗଛ କାଟି ଦିଆଯାଉଛି। ସେଠୁ ବିସ୍ଥାପିତ ବାଦୁଡ଼ି ଯାଇ ପହଞ୍ଚୁଛନ୍ତି ଏକ ଘୁଷୁରି ଖୁଆଡ଼ରେ। ବାଦୁଡ଼ି ଖାଇଥିବା ଫଳଟିର କିୟଦ˚ଶ ପହଞ୍ଚୁଛି ଘୁଷୁରି ଛୁଆ ପାଖରେ। ତାକୁ ସିଏ ଖାଉଛି। ସେ ଘୁଷୁରି ଛୁଆର ମା˚ସ ରୋଷେଇ ହେଉଛି ମାକାଉର ଏକ ରେସ୍ତୋରାଁରେ। ମୁଖ୍ୟ ବ୍ୟଞ୍ଜନ ପ୍ରସ୍ତୁତକାରୀ ଗ୍ରାହକଙ୍କୁ ଭେଟି ସ୍ବାଗତ କରୁଛନ୍ତି, ନିଜ ପୋଷାକରେ ହାତ ପୋଛୁଛନ୍ତି, ବାହାରକୁ ଯାଉଛନ୍ତି, କରମର୍ଦ୍ଦନ କରୁଛନ୍ତି ଓ ସେଲ୍‌ଫି ଉଠଉଛନ୍ତି। ଭୂତାଣୁର ମହାମାରୀ ଯାତ୍ରା ଆରମ୍ଭ ହେଉଛି। ଶେଷରେ ଜଣେ ବୈଜ୍ଞାନିକ ଗବେଷଣା କରି ଟିକା ବାହାର କରି ନିଜ ଉପରେ ପ୍ରୟୋଗ କରୁଛନ୍ତି। ଡା. କୁଞ୍ଜ ଲେଖିଥିବା ସେ ବହି ଖଣ୍ତକର ନାଁ ହେଲା ‘‘ ଦି ଆଇଜ୍‌ ଅଫ୍‌ ଡାର୍କନେସ୍‌’’ (୧୯୮୧)- ଅର୍ଥାତ୍‌ ଅନ୍ଧକାରର ଆଖି। ଯେଉଁଥିରେ ଉହାନ୍‌-୪୦୦ ନାମକ ଜୈବ ଅସ୍ତ୍ର କଥା କୁହାଯାଇଛି ଯାହାକି ଭୂତାଣୁ ସମ ଓ ଚୀନ୍‌ର ଉହାନ୍‌ ପାଖରେ ତିଆରି।

ଆମେରିକାର ବିଶ୍ବବାଣିଜ୍ୟ ସ˚ଗଠନ ଉପରେ ଆତଙ୍କବାଦୀ ଆକ୍ରମଣ (୯/୧୧) ପରେ ପୃଥିବୀର ଅନେକ ଦେଶରେ ଏକ ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କୁ ସ୍ବାଭାବିକ ଆତଙ୍କବାଦୀ ବିବେଚନା କରାଯାଇଥିଲା। ସେଇଭଳି ଏବେ ଅନେକ ଦେଶରେ ଚୀନାମାନଙ୍କୁ ଅଲଗା ଦୃଷ୍ଟିରୁ ଦେଖାଯାଉଛି। ଏହା ସଂକଟକୁ ଅଧିକ ଜଟିଳ କରିପାରେ। ସ˚ଯୋଗକ୍ରମେ, ଆଲୋଚ୍ୟ ଚଳଚ୍ଚିତ୍ରଟି ହଲ୍‌ ମାନଙ୍କରେ ଖେଳିଥିଲା ୯/୧୧ରେ। ତା’ର ପ୍ରଚାର ପତ୍ର ବା ପୋଷ୍ଟରରେ ଲେଖାଥିଲା- ‘‘ଭୟ ସବୁଠୁ ଅଧିକ ବେଗରେ ବ୍ୟାପେ’’। ରୋଗ ସହ ଭୟ- ଦୁଇଟି ଯାକ ସମ୍ଭାଳିବା ଅଧିକ କଷ୍ଟକର। ସେହିଭଳି ଆଲୋଚ୍ୟ ବହିଟିର ଶୀର୍ଷକରେ ପ୍ରଚୁୁର ଆଶା ନିହିତ- ଅନ୍ଧକାରର ଆଖି। ଅନ୍ଧାରର ଆଖିରୁ ଆଲୁଅ ବାହାରେ। କରୋନାକୁ ଦୂରେଇ ପାରିବା ଭଳି ଆଶା ତ ଜୀବନର ଆଲୁଅ। ଜୀବନ ସକାଶେ ଆମେ ସମସ୍ତେ ଘରେ ରହି ବାହାରକୁ ନ ବାହାରିବା ବର୍ତ୍ତମାନର ପ୍ରଧାନ କର୍ତ୍ତବ୍ୟ ଓ ଦାୟିତ୍ବ। କାରଣ ଏବେକାର ସ˚ଯମ ଭବିଷ୍ୟତର ଦୀର୍ଘ ଜୀବନର ଆୟୁଷର ଆଧାର।

ବେହୁରିଆ ଭବନ, ଗୌରୀ ନଗର, ଭୁବନେଶ୍ବର-୨
ମୋ: ୮୯୧୭୬୮୩୫୩୬

ସମ୍ବନ୍ଧିତ ଖବର