Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ଭୋକର ମୁକାବିଲା

0 414

ସରକାରଙ୍କ ସର୍ବୋଚ୍ଚ ସ୍ତରରେ ସଂପ୍ରତି ବୁଲେଟ୍‌ ଟ୍ରେନ୍‌, ସ୍ମାର୍ଟ ସିଟି, ମଙ୍ଗଳ ଅଭିଯାନ, ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ଆଦି ପ୍ରସଙ୍ଗ ଉପରେ ସମସ୍ତ ଧ୍ୟାନ କେନ୍ଦ୍ରୀଭୂତ ହୋଇ ରହିଛି। ଏତିକି ବେଳେ ଆନ୍ତର୍ଜାତିକ ଖାଦ୍ୟ ଗବେଷଣା ପ୍ରତିଷ୍ଠାନ (ଆଇଏଫ୍‌ଆର୍‌ଆଇ) ଏକ ମୌଳିକ ତଥା ଅତ୍ୟନ୍ତ ଗମ୍ଭୀର ସମସ୍ୟା ନେଇ ସରକାର, ନାଗରିକ ସମାଜ ଓ ସର୍ବୋପରି ସମଗ୍ର ଦେଶବାସୀଙ୍କୁ ଚେତାଇ ଦେଇଛି। ସମସ୍ୟାଟି ହେଲା ଭୋକ ଓ ଏହାର ଯମଜ ଅପପୁଷ୍ଟି, ଶିଶୁ ମୃତ୍ୟୁ। ସଦ୍ୟ ପ୍ରକାଶିତ ଆଇଏଫ୍‌ଆର୍‌ଆଇର କ୍ଷୁଧା ସୂଚକାଙ୍କ (ଗ୍ଲୋବାଲ୍‌ ହଙ୍ଗର୍‌ ଇଣ୍ଡେକ୍‌ସ) ଆଧାରିତ ରିପୋର୍ଟ ଅନୁଯାୟୀ ଦେଶରେ ସ୍ୱାଧୀନତା ପ୍ରାପ୍ତିର ସାତ ଦଶନ୍ଧି ପରେ ବି କ୍ଷୁଧାର ତାଡ଼ନା କିଛି କମ୍‌ ନୁହେଁ। ଜିଏଚ୍‌ଆଇ ଭିତ୍ତିରେ ୧୧୯ଟି ଦେଶର ତାଲିକାରେ ଭାରତ ଶହେତମ ସ୍ଥାନରେ ରହିଛି। ଅର୍ଥାତ୍‌, ବିଶ୍ୱର କୋଡ଼ିଏଟି ସର୍ବାଧିକ କ୍ଷୁଧାପ୍ରବଣ ଦେଶ ଗୁଡ଼ିକ ଭିତରେ ଭାରତ ଅନ୍ୟତମ। ବିଶ୍ୱର ଅନ୍ୟ ୯୯ଟି ଦେଶ ତୁଳନାରେ ଭାରତ ଅଧିକ କ୍ଷୁଧା ଜର୍ଜରିତ। ବିଶ୍ୱ ମହାଶକ୍ତି ହେବାର ଅଭିଳାଷ ରଖୁଥିବା ଭାରତ ପାଇଁ ଏହା ନିଶ୍ଚିତ ଭାବେ ଲଜ୍ଜାର ବିଷୟ। ଯୁଦ୍ଧଗ୍ରସ୍ତ ଇରାକ, ଅଣୁ ଉନ୍ମତ୍ତ- ଅଥଚ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ଉତ୍ତର-କୋରିଆ ଓ ଅନେକ ଅନୁନ୍ନତ ଆଫ୍ରିକୀୟ ଦେଶ ତୁଳନାରେ ଭାରତ ଅଧିକ କ୍ଷୁଧା ଓ ଅପପୁଷ୍ଟି ଆକ୍ରାନ୍ତ। ଏପରିକି କ୍ଷୁଦ୍ର ପଡ଼ୋଶୀ ବାଂଲାଦେଶ, ନେପାଳ ମଧ୍ୟ ଭାରତଠାରୁ କମ୍‌ କ୍ଷୁଧାପ୍ରବଣ। କେବଳ ପାକିସ୍ତାନ ଓ ଆଫଗାନିସ୍ତାନକୁ ଛାଡ଼ିଦେଲେ ଏସିଆର ଅନ୍ୟ କୌଣସି ଦେଶ ଭାରତ ଠାରୁ ଅଧିକ କ୍ଷୁଧାପ୍ରବଣ ନୁହେଁ। ଚୀନ୍‌ ସହିତ ଭାରତ ସବୁ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଅଥଚ, କ୍ଷୁଧା ବିରୋଧରେ ଲଢ଼େଇରେ ଭାରତ ଚୀନ୍‌ଠାରୁ ବହୁ ପଛରେ। ଜିଏଚ୍‌ଆଇ ମାନ୍ୟତା ତାଲିକାରେ ଭାରତର ସ୍ଥାନ ୧୦୦ ନମ୍ବରରେ ଥିବା ବେଳେ ଚୀନ୍‌ ବହୁ ଉପରେ ୧୯ ନମ୍ବରରେ ରହିଛି।

କେବଳ ଚୀନ୍‌ ନୁହେଁ, କ୍ଷୁଧା ବିରୋଧରେ ଲଢ଼େଇରେ ଆହୁରି ଅନେକ ଅନୁନ୍ନତ ଓ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ଦେଶ ମଧ୍ୟ ଭାରତ ଠାରୁ ଆଗରେ। ଗତ ଶତାବ୍ଦୀର ନବେ ଦଶକରେ ଭାରତ ସହ ଘାନା, ଭିଏତ୍‌ନାମ, ମିଆଁମାର, ବାଂଲାଦେଶ, ନେପାଳ ଆଦି ଦେଶ ସମାନ ମାତ୍ରାରେ କ୍ଷୁଧାପ୍ରବଣ ଥିଲେ। କିନ୍ତୁ ଅଢ଼େଇ ଦଶନ୍ଧି ମଧ୍ୟରେ ସେହି ଦେଶଗୁଡ଼ିକରେ ଭୋକ, ଅପପୁଷ୍ଟି ଯେଉଁ ହାରରେ କମିଛି, ଭାରତରେ ସେହି ହାରରେ କମି ପାରିନାହିଁ। ଯଦିଓ, ଏହି ସମୟରେ ଭାରତ ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ହାସଲ କରିପାରିଛି। କ୍ଷୁଧା ବିରୋଧରେ ଭାରତର ଲଢ଼େଇ ଯେ ପ୍ରଭାବଶାଳୀ ହୋଇ ପାରୁନାହିଁ, ତା’ର ପ୍ରମାଣ ହେଲା ଜିଏଚ୍‌ଆଇ ମାନ୍ୟତା ତାଲିକାରେ ଦେଶର ସ୍ଥାନ ବର୍ଷକୁ ବର୍ଷ ତଳକୁ ଖସି ଚାଲିଛି। ୨୦୧୫ ତାଲିକାରେ ୧୦୪ଟି ଦେଶ ଭିତରେ ଭାରତର ସ୍ଥାନ ୮୦ ନମ୍ବରରେ ଥିଲା। ୨୦୧୬ ତାଲିକାରେ ଏହା ୧୧୮ ଦେଶ ଭିତରେ ୯୭କୁ ଖସିଲା। ୨୦୧୭ରେ ୧୧୯ ଦେଶ ମଧ୍ୟରେ ତିନିପାଦ ତଳକୁ ଖସି ୧୦୦ ନମ୍ବରରେ ପହଞ୍ଚିଛି। ଏହାର ଅର୍ଥ ଅନାହାର, ଅର୍ଧାହାର, ଅପପୁଷ୍ଟିର ରାଜୁତି ଉପରେ ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧିର କୌଣସି ସକାରାତ୍ମକ ପ୍ରଭାବ ପଡ଼ିିନାହିଁ।

ପ୍ରତ୍ୟେକ ନାଗରିକଙ୍କ ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ଲାଗି ଟଙ୍କିକିଆ, ଦୁଇଟଙ୍କିଆ ଚାଉଳ ଯୋଜନା ସମେତ ବିଭିନ୍ନ ଅବତାରର ବହୁ ଯୋଜନା କାର୍ଯ୍ୟକାରୀ ହେଉଛି। ଅପପୁଷ୍ଟିର ଶିକାର ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ବିଶ୍ୱର ସର୍ବବୃହତ୍‌ ଶିଶୁ ଖାଦ୍ୟ ଯୋଜନା ଚାଲିଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଚାଲୁ କରାଯାଇଛି, ସ୍କୁଲରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ପ୍ରବର୍ତ୍ତନ କରାଯାଇଛି। ଏ ସବୁ ସତ୍ତ୍ୱେ ବାସ୍ତବ ସ୍ଥିତି ହେଲା, ଦେଶର ମୋଟ ଲୋକସଂଖ୍ୟାର ୧୪.୫ ପ୍ରତିଶତ ଅପପୁଷ୍ଟି ଆକ୍ରାନ୍ତ। ଅର୍ଥାତ୍‌ ଦେଶର କୋଡ଼ିଏ କୋଟିରୁ ଅଧିକ ଲୋକଙ୍କୁ ଆବଶ୍ୟକତା ଅନୁଯାୟୀ ପେଟପୂରା ଖାଦ୍ୟ ମିଳୁନାହିଁ। ପାଞ୍ଚବର୍ଷରୁ କମ୍‌ ଶିଶୁଙ୍କ ମଧ୍ୟରେ ପ୍ରତି ପାଞ୍ଚରେ ଜଣକର ବୟସ ତୁଳନାରେ ଓଜନ କମ୍‌। ଏକ ତୃତୀୟାଂଶଙ୍କ ବୟସ ଅନୁଯାୟୀ ଉଚ୍ଚତା କମ୍‌। ଅପପୁଷ୍ଟି କେବଳ ଶିଶୁଙ୍କ ଶାରୀରିକ ବିକାଶକୁ ପ୍ରଭାବିତ କରୁନାହିଁ, ସେମାନଙ୍କ ମାନସିକ ବିକାଶକୁ ମଧ୍ୟ ପ୍ରଭାବିତ କରୁଛି। ଭାରତ ବର୍ତ୍ତମାନ ଯୁବକଙ୍କ ଦେଶ। ଲୋକସଂଖ୍ୟାର ୫୦ ପ୍ରତିଶତଙ୍କ ବୟସ ୨୫ ବର୍ଷରୁ କମ୍‌ ଓ ୬୫ ପ୍ରତିଶତଙ୍କ ବୟସ ୩୫ ବର୍ଷରୁ କମ୍‌। ୦-୧୪ ବୟସ ଗୋଷ୍ଠୀର ଭାଗ ଲୋକସଂଖ୍ୟାରେ ୨୭ ପ୍ରତିଶତ। ଆଗାମୀ ୨୦୨୦ ବେଳକୁ ଭାରତୀୟଙ୍କ ହାରାହାରି ବୟସ ୨୯ ବର୍ଷ ହେବ। ଏହାର ଅର୍ଥ ଆଗାମୀ ବେଶ୍‌ କିଛି ବର୍ଷ ପାଇଁ ଭାରତ ଯୁବଶକ୍ତିର ଦେଶ ହୋଇ ରହିବ। କିନ୍ତୁ ଯଦି କ୍ଷୁଧା ଓ ଅପପୁଷ୍ଟି ଆକ୍ରାନ୍ତ ଶିଶୁ ଓ କିଶୋର ସେ ଯୁବ ବାହିନୀରେ ସାମିଲ ହୁଅନ୍ତି, ତେବେ ଭାରତକୁ ତା’ର ମାନବ ସମ୍ପଦରୁ ଯେଉଁ ଲାଭ ମିଳିବା କଥା, ତାହା କ’ଣ ମିଳିପାରିବ?

ତେଣୁ ଆଇଏଫ୍‌ଆର୍‌ଆଇର କ୍ଷୁଧା ସୂଚକାଙ୍କ ରିପୋର୍ଟ ସରକାର, ନୀତି ନିର୍ଦ୍ଧାରକ ଏବଂ ନାଗରିକ ସମାଜ ପାଇଁ ଆଉ ଏକ ଚେତାବନୀ। ବୁଲେଟ୍‌ ଟ୍ରେନ୍‌, ସ୍ମାର୍ଟସିଟି ଓ ମଙ୍ଗଳ ଅଭିଯାନ ଅପେକ୍ଷା କ୍ଷୁଧା, ଅପପୁଷ୍ଟି ବିରୋଧରେ ଅଭିଯାନକୁ ପ୍ରାଥମିକତା ତାଲିକାର ଉପରେ ରଖିବାକୁ ପଡ଼ିବ। ଏଠାରେ ଏହା ଉଲ୍ଲେଖ କରିବା ଆଦୌ ଅପ୍ରାସଙ୍ଗିକ ହେବ ନାହିଁ ଯେ, କ୍ଷୁଧା ବିରୋଧରେ ଲଢ଼େଇ ପ୍ରଭାବଶାଳୀ ହୋଇ ନପାରିବାର ମୁଖ୍ୟ କାରଣ ହେଲା ଅର୍ଥନୈତିକ ଅଭିବୃଦ୍ଧିର ସୁଫଳ ସମାଜର ସବୁ ବର୍ଗଙ୍କ ପାଖରେ ସମାନ ଭାବେ ପହଞ୍ଚି ପାରୁନାହିଁ। ଉଚ୍ଚ ଆୟକାରୀ ବର୍ଗ ଏଥିରୁ ଅଧିକ ଲାଭବାନ ହେଉଛନ୍ତି। ଅର୍ଥନୈତିକ ସାମାଜିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କ ପାଖରେ ଏହାର ସୁଫଳ ପହଞ୍ଚି ପାରୁନାହିଁ। ନିକଟରେ ଫ୍ରାନ୍‌ସର ଅର୍ଥନୀତିଜ୍ଞ ଥୋମାସ୍‌ ପିକେଟି ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ପ୍ରକାଶିତ ‘ଫ୍ରମ୍‌ ବ୍ରିଟିସ ରାଜ ଟୁ ବିଲିୟନ୍‌ ରାଜ୍‌’ ରିପୋର୍ଟ ସମେତ ଅନେକ ସରକାରୀ ଓ ବେସରକାରୀ ରିପୋର୍ଟରେ ଭାରତରେ ଉତ୍କଟ ଅର୍ଥନୈତିକ ଅସମାନତାର ଚିତ୍ର ଉପସ୍ଥାପନ କରାଯାଇଛି। ଏହା ଏକ ନିଷ୍ଠୁର ବାସ୍ତବତା ଯେ, ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ସତ୍ତ୍ୱେ ଭାରତର ଅର୍ଥନୈତିକ ଅସମାନତା ପୂର୍ବାପେକ୍ଷା ଅଧିକ ଉତ୍କଟ ହୋଇଛି।

ଉଚ୍ଚ ଆୟକାରୀ ୧୦ ପ୍ରତିଶତ ଓ ନିମ୍ନ ଆୟକାରୀ ୧୦ ପ୍ରତିଶତଙ୍କ ଆର୍ଥିକ ସ୍ଥିତିରେ ଆକାଶ-ପାତାଳର ପ୍ରଭେଦ। କ୍ଷୁଧା, ଅପପୁଷ୍ଟି ବିରୋଧରେ ପ୍ରଭାବଶାଳୀ ଲଢ଼େଇର ଏକ ଅଂଶ ହେଲା ଏ ଅସମାନତା ବିରୋଧରେ ଲଢ଼େଇ। ଏକ କଲ୍ୟାଣକାରୀ ରାଷ୍ଟ୍ରରେ ଅର୍ଥନୈତିକ ବୈଷମ୍ୟ ବିରୋଧରେ ଲଢ଼େଇ ଲାଗି ଅସ୍ତ୍ର ହେଲା ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମ। ତେବେ ଦୁଃଖର ବିଷୟ ହେଲା, ଅର୍ଥନୈତିକ ଅସମାନତା ଯେତିକି ମାତ୍ରାରେ ବଢ଼ୁଛି, ଏହାର ମୁକାବିଲା ପାଇଁ ଉଦ୍ଦିଷ୍ଟ ନୀତି ଓ କାର୍ଯ୍ୟକ୍ରମର ଗୁରୁତ୍ୱ ସେତିକି ମାତ୍ରାରେ ପ୍ରାଥମିକତା ହରାଉଛି। ସାମାଜିକ କ୍ଷେତ୍ରରେ ସରକାରଙ୍କ ଖର୍ଚ୍ଚ ସଂକୁଚିତ ହୋଇଚାଲିଛି। ଖାଦ୍ୟ ନିରାପତ୍ତା ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସରକାରୀ ଗୁରୁତ୍ୱ କମୁଛି। ଅର୍ଥ ଖର୍ଚ୍ଚ ହେଉଛି, ଅଥଚ ସେଥିରୁ କେମିତି ସର୍ବାଧିକ ଲାଭ ମିଳିବ, ସେ ନେଇ କେହି ବ୍ୟସ୍ତ ନୁହନ୍ତି। ଅବଶ୍ୟ, ଏ କ୍ଷେତ୍ରରେ ଆବଶ୍ୟକତା ଅନୁଯାୟୀ ବ୍ୟୟବରାଦ ମଧ୍ୟ ହେଉନାହିଁ। ତେଣୁ କ୍ଷୁଧାର ସଫଳ ମୁକାବିଲା ସକାଶେ ନୀତି, କାର୍ଯ୍ୟକ୍ରମର ପୁନଃବିଚାର ଓ ସରକାରୀ ଆଭିମୁଖ୍ୟରେ ପରିବର୍ତ୍ତନ ଏକାନ୍ତ ଜରୁରୀ। କ୍ଷୁଧା, ଅପପୁଷ୍ଟିର ସଫଳ ମୁକାବିଲା ବିନା ଏକ ନୂଆ ସମୃଦ୍ଧ ଭାରତର ପରିକଳ୍ପନା କରାଯାଇ ନ ପାରେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

15 − fourteen =