ସମ୍ମାନର ସହ ମୃତ୍ୟୁ

0 236

ମହାତ୍ମା ଗାନ୍ଧୀଙ୍କ ଆଶ୍ରମରେ ଗୋଟିଏ ବାଛୁରୀ ଛୁଆ ଦୀର୍ଘ ଦିନ ଧରି ଗୁରୁତର ଅସୁସ୍ଥ ଥିଲା। ସକଳ ଚିକିତ୍ସା ଓ ସେବାଯତ୍ନ ସତ୍ତ୍ୱେ ଆରୋଗ୍ୟ ଲାଭର କୌଣସି ସମ୍ଭାବନା ନଥିବା ମୁମୂର୍ଷୁ ବାଛୁରୀ ଛୁଆର ଯନ୍ତ୍ରଣା ବାପୁଙ୍କ ମନ ଓ ହୃଦୟକୁ କ୍ଷତାକ୍ତ କରି ଦେଉଥିଲା। ଅନନ୍ୟୋପାୟ, ଅସହାୟ ଗାନ୍ଧୀ ଶେଷରେ ଜଣେ ପଶୁ ଡାକ୍ତରଙ୍କୁ ଡାକି ବାଛୁରୀ ଛୁଆକୁ ବିଷ ଇଞ୍ଜେକ୍‌ସନ୍‌ ଦିଆ କରାଇଥିଲେ। ଉଦ୍ଦେଶ୍ୟ- ବାଛୁରୀଟିର ମୃତ୍ୟୁ ସହ ସଂଗ୍ରାମରେ ଅନ୍ତ ଟାଣି ତାକୁ ଯନ୍ତ୍ରଣାରୁ ମୁକ୍ତି ଦେବା। ମହାତ୍ମାଙ୍କ ବିଚାରରେ ପଶୁ ହେଲେ ସୁଦ୍ଧା ବାଛୁରୀ ଛୁଆଟିର ‘ସମ୍ମାନର ସହ ମୃତ୍ୟୁ ପାଇଁ ଅଧିକାର’ ରହିଛି। ଏହାର ସ୍ୱୀକୃତି ସ୍ୱରୂପ ବିଷ ଇଞ୍ଜେକ୍‌ସନ୍‌ ଦେଇ ସେ ମାନବୀୟ କର୍ତ୍ତବ୍ୟ ପାଳନ କରିଛନ୍ତି। ବାଛୁରୀ ଭଳି ସମାନ ଅବସ୍ଥାରେ ନିଜ ଓ ଅନ୍ୟ ମଣିଷଙ୍କ ପାଇଁ ମଧ୍ୟ ସମାନ ପଦ୍ଧତି ପ୍ରୟୋଗ କରାଯାଇ ପାରେ। ପଶୁ ହେଉ କି ମଣିଷ, ସବୁ ଜୀବର ସମ୍ମାନର ସହ ବଞ୍ଚିବା ଅଧିକାର ସହ ସମ୍ମାନର ସହ ମରିବାର ହକ୍‌ ମଧ୍ୟ ଯୋଡ଼ି ହୋଇଛି।

ବହୁବର୍ଷ ତଳେ ମହାତ୍ମା ଗାନ୍ଧୀଙ୍କ ସମ୍ମାନର ସହ ମୃତ୍ୟୁ ଅଧିକାର ସଂକ୍ରାନ୍ତ ଏହି ତତ୍ତ୍ୱକୁ ସ୍ୱାଧୀନତାର ସାତ ଦଶକ ପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସ୍ୱୀକୃତି ଦେଇଛନ୍ତି। ଗତ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସୁପ୍ରିମ୍‌ କୋର୍ଟର ଏକ ପାଞ୍ଚଜଣିଆ ଖଣ୍ଡପୀଠ ପରୋକ୍ଷ ଇଚ୍ଛାମୃତ୍ୟୁ ବା ‘ପାସିଭ୍‌ ୟୁଥାନାସିଆ’କୁ ଆଇନଗତ ଅନୁମୋଦନ ପ୍ରଦାନ କରିଛନ୍ତି। ତେବେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବାଛୁରୀ ଛୁଆକୁ ଯନ୍ତ୍ରଣାରୁ ମୁକ୍ତି ଦେବା ଲାଗି ଗାନ୍ଧୀ ପ୍ରୟୋଗ କରିଥିବା ପଦ୍ଧତି ଠାରୁ ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ଅନୁମୋଦନ ଲାଭ କରିଥିବା ପଦ୍ଧତି ସଂପୂର୍ଣ୍ଣ ଭିନ୍ନ। ଗାନ୍ଧୀ ପୀଡ଼ିତ ବାଛୁରୀକୁ ବିଷାକ୍ତ ଇଞ୍ଜେକ୍‌ସନ୍‌ ଦେଇଥିଲେ; କିନ୍ତୁ ସୁପ୍ରିମ୍‌ କୋର୍ଟଙ୍କ ରାୟ ଅନୁଯାୟୀ ଆରୋଗ୍ୟର ସମ୍ଭାବନା ନଥିବା ଦୁସାଧ୍ୟ ରୋଗରେ ଗୁରୁତର ଅସୁସ୍ଥ ହୋଇ ‘କୋମା’ରେ ଥିବା ପୀଡ଼ିତଙ୍କ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ସମୟରେ ଚରମ ପଦକ୍ଷେପ ସ୍ୱରୂପ ଚିକିତ୍ସା ବନ୍ଦ କରାଯାଇ ପାରେ। ସମ୍ପର୍କୀୟ ଓ ବିଶେଷଜ୍ଞ ଡାକ୍ତରମଣ୍ଡଳୀଙ୍କ ସହମତିରେ ବସ୍ତୁତଃ ମୃତ ଅଥଚ କୃତ୍ରିମ ଭାବେ ବଞ୍ଚାଇ ରଖିବା ଲାଗି ଲଗାଯାଇଥିବା ଡାକ୍ତରୀ ଯନ୍ତ୍ରପାତି ଆଦି ଖୋଲି ଦିଆଯାଇପାରେ। ଯାହା ନିଶ୍ଚିତ ମୃତ୍ୟୁକୁ ଅପେକ୍ଷା କରିଥିବା ଜଣେ ରୋଗୀର ଯନ୍ତ୍ରଣାଦାୟକ, ଅପାଂକ୍ତେୟ ନାମମାତ୍ର ଜୀବନକୁ ଆଉ ଅଯଥା ଲମ୍ବା ନକରି ଏକ ସମ୍ମାନଜନକ ମରଣ ଲାଗି ଅବକାଶ ସୃଷ୍ଟି କରିବ।

ଦୀର୍ଘ ବୟାଳିଶ ବର୍ଷ ଧରି ଅତି ଦୟନୀୟ ଅବସ୍ଥାରେ ମୃତ୍ୟୁକୁ ଅପେକ୍ଷା କରିଥିବା ଦୁଷ୍କର୍ମ ପୀଡ଼ିତା ନର୍ସ ଅରୁଣା ଶାନ୍‌ବଗ୍‌ ଇଚ୍ଛାମୃତ୍ୟୁ ମାମଲାରେ ୨୦୧୧ରେ ଉଚ୍ଚତମ ନ୍ୟାୟାଳୟ ଯେଉଁ ରାୟ ଶୁଣାଇଥିଲେ, ପାଞ୍ଚଜଣିଆ ଖଣ୍ଡୀପଠ ଗତ ଶୁକ୍ରବାର ରାୟରେ ତାହାକୁ ଅଧିକ ପ୍ରାଞ୍ଜଳ ଓ ସ୍ପଷ୍ଟ କରିଛନ୍ତି। ପରୋକ୍ଷ ଇଚ୍ଛାମୃତ୍ୟୁ ପାଇଁ କେଉଁ ପରିସ୍ଥିତିରେ ଅନୁମତି ଦିଆଯାଇ ପାରିବ? ଚୂଡ଼ାନ୍ତ ନିଷ୍ପତ୍ତି କିଏ ନେବେ? ନିଷ୍ପତ୍ତି ପ୍ରକ୍ରିୟାରେ ଚିକିତ୍ସା କରୁଥିବା ଡାକ୍ତର ଓ ସମ୍ପର୍କୀୟଙ୍କ କ’ଣ ଭୂମିକା ରହିବ? ଏ ସବୁ ବିଷୟକୁ ସ୍ପଷ୍ଟ କରିବା ଉଦ୍ଦେଶ୍ୟରେ ମାନ୍ୟବର ଅଦାଲତ ଏକ ବିଶଦ ମାର୍ଗ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ମାର୍ଗ ନିର୍ଦ୍ଦେଶାବଳୀର ଗଣ୍ଡି ମଧ୍ୟରେ ହିଁ ଆଇନ ପ୍ରଣୟନ ପର୍ଯ୍ୟନ୍ତ ପରୋକ୍ଷ ଇଚ୍ଛାମୃତ୍ୟୁ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। କେବଳ ଏତିକି ନୁହେଁ, ସୁସ୍ଥ ମନ ଓ ଶରୀରରେ ମଧ୍ୟ ଜଣେ ବ୍ୟକ୍ତି ଆଗୁଆ ଇଚ୍ଛାମୃତ୍ୟୁ ପାଇଁ ‘ଲିଭିଙ୍ଗ୍‌ ଓ୍ଵିଲ୍‌’ ବା ବଞ୍ଚିବାର ଇଚ୍ଛା ପତ୍ର ସ୍ୱାକ୍ଷର କରି ପାରିବେ। ଏହି ଲିଭିଙ୍ଗ୍‌ ଓ୍ଵିଲ୍‌ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ଭବିଷ୍ୟତରେ କୌଣସି ଦୁରାରୋଗ୍ୟ ରୋଗରେ ପୀଡ଼ିତ ହୁଅନ୍ତି, ତେବେ କେଉଁ ପରିସ୍ଥିତି ଓ କେଉଁ ସମୟରେ ତାଙ୍କର ଚିକିତ୍ସା ବନ୍ଦ କରାଯିବ, ତାହା ସେ ଲିଖିତ ଭାବେ ଉଲ୍ଲେଖ କରିଥିବେ, ଯାହା ଠିକଣା ସମୟରେ କାର୍ଯ୍ୟକାରୀ ହେବ। ଭାରତୀୟ ଆଇନ ଇତିହାସରେ ଏହା ଏକ ଅଭିନବ ବ୍ୟବସ୍ଥା।

ବିଶ୍ୱର ଅନ୍ୟ କେତେକ ଦେଶରେ ଏହି ବ୍ୟବସ୍ଥା ପ୍ରଚଳିତ ଥିଲେ ମଧ୍ୟ ଭାରତ ପାଇଁ ଏହା ସମ୍ପୂର୍ଣ୍ଣ ନୂଆ। ତେବେ ଦୀର୍ଘ ଦୁଇ ଦଶକ ଧରି ଶୁଣାଣି କାଳରେ ବ୍ୟାପକ ତର୍କବିତର୍କ ସତ୍ତ୍ୱେ ସୁପ୍ରିମ୍‌ କୋର୍ଟଙ୍କ ରାୟ ଇଚ୍ଛାମୃତ୍ୟୁ ପ୍ରସଙ୍ଗରେ ସଂପୂର୍ଣ୍ଣ ସ୍ପଷ୍ଟତା ଆଣିପାରି ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ ଏକ ବିଶଦ ମାର୍ଗ ନିର୍ଦ୍ଦେଶାବଳୀ ଜାରି କରିଥିଲେ ସୁଦ୍ଧା ଏ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଭାବେ ଆଶଙ୍କା ଓ ସଂଶୟ ଦୂର ହୋଇ ପାରୁନାହିଁ। ସ୍ପଷ୍ଟତାର ଅଭାବ ବ୍ୟବସ୍ଥାର ଅପପ୍ରୟୋଗ ଆଶଙ୍କା ସୃଷ୍ଟି କରୁଛି। କୋର୍ଟଙ୍କ ପରାମର୍ଶ କ୍ରମେ ସରକାର ଇଚ୍ଛାମୃତ୍ୟୁ ସଂକ୍ରାନ୍ତ ଆଇନ ପ୍ରଣୟନ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ଉଚିତ। ଆଇନ କମିସନଙ୍କ ସୁପାରିସ ଅନୁଯାୟୀ ଗତ ୨୦୦୬ରୁ ଏ ପ୍ରସଙ୍ଗରେ ଏକ ଚିଠା ବିଲ୍‌ ପ୍ରସ୍ତୁତ ହୋଇଥିଲେ ସୁଦ୍ଧା, ତାକୁ ଚୂଡ଼ାନ୍ତ ରୂପ ଦିଆଯାଇ ପାରୁ ନାହିଁ। ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ‘ଲିଭିଙ୍ଗ୍‌ ଓ୍ଵିଲ୍‌’ ବ୍ୟବସ୍ଥାକୁ ସରକାର ବିରୋଧ କରି ଆସୁଥିଲେ। ସରକାରଙ୍କ ଆଶଙ୍କା ଯେ ଏହାର ଅପବ୍ୟବହାରର ଅବକାଶ ରହିଛି। କିନ୍ତୁ ଏବେ ‘ଲିଭିଙ୍ଗ୍‌ ଓ୍ଵିଲ୍‌’ ବ୍ୟବସ୍ଥାକୁ ମାନ୍ୟବର କୋର୍ଟ ସ୍ୱୀକୃତି ଦେଇଥିବାରୁ ଇଚ୍ଛାମୃତ୍ୟୁ ପ୍ରସଙ୍ଗରେ ବିଶଦ ଆଇନ ପ୍ରଣୟନ ବେଳେ ସରକାରଙ୍କୁ ଏହାକୁ ଗୁରୁତ୍ୱର ସହ ବିଚାର କରିବାକୁ ପଡ଼ିବ। ଅପବ୍ୟବହାରର ଆଶଙ୍କାକୁ ଏଡ଼ାଇବା ଲାଗି ଆଇନରେ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ରହିବା ଆବଶ୍ୟକ। ଆଇନରେ ଯେତେ ଅଧିକ ସ୍ପଷ୍ଟତା ଆସିବ, ‘ଇଚ୍ଛାମୃତ୍ୟୁ’ ବ୍ୟବସ୍ଥାର କାର୍ଯ୍ୟକାରିତା ନେଇ ଉଠୁଥିବା ସନ୍ଦେହ ଓ ଆଶଙ୍କା ସେତେ ଅଧିକ ଦୂର ହୋଇପାରିବ ଏବଂ ଏହା ପଛରେ ଥିବା ମାନବୀୟ ଉଦ୍ଦେଶ୍ୟ ସେତେ ଅଧିକ ପୂରଣ ହୋଇ ପାରିବ।

ଇଚ୍ଛାମୃତ୍ୟୁ ବ୍ୟବସ୍ଥାର ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରିତା ନେଇ ସନ୍ଦେହ ଥାଇପାରେ, କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ, ତାତ୍ତ୍ୱିକ ଦୃଷ୍ଟିରୁ ବ୍ୟକ୍ତି ଅଧିକାର ପ୍ରସଙ୍ଗରେ ସୁପ୍ରିମ୍‌ କୋର୍ଟଙ୍କ ଏହା ଆଉ ଏକ ଐତିହାସିକ ରାୟ। ଐତିହାସିକ ଏଥିପାଇଁ ଯେ, ସମ୍ମାନର ସହ ବଞ୍ଚିବା ସହିତ ସମ୍ମାନର ସହ ମରଣକୁ ମଧ୍ୟ ବ୍ୟକ୍ତିର ଅବିଚ୍ଛେଦ୍ୟ ମୌଳିକ ଅଧିକାର ଭାବେ ସ୍ୱୀକୃତି ମିଳିଛି। ସମ୍ବିଧାନର ୨୧ ଧାରାରେ ନାଗରିକର ଜୀବନ ପାଇଁ ପ୍ରଦତ୍ତ ମୌଳିକ ଅଧିକାରର ପରିସର ସଂପ୍ରସାରିତ ହୋଇଛି। ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠ ଚାରିଟି ପୃଥକ୍‌ ପୃଥକ୍‌ ରାୟ ଦେଇଛନ୍ତି। କିନ୍ତୁ ସବୁଯାକ ରାୟ ପ୍ରାୟତଃ ସମାନ ଓ ପରସ୍ପରର ପରିପୂରକ। ଚାରିଟିଯାକ ରାୟରେ ଗୋଟିଏ ସମାନ ମତ ଯେ, ଜଣେ ବ୍ୟକ୍ତିର ଜୀବନ ପାଇଁ ଅଧିକାର କେବଳ ସମ୍ମାନର ସହ ବଞ୍ଚି ରହିବାରେ ସୀମିତ ନୁହେଁ। ଏ ଅଧିକାର ସମ୍ମାନର ସହ ମରଣ ପର୍ଯ୍ୟନ୍ତ ମଧ୍ୟ ସଂପ୍ରସାରିତ। ସେଥିପାଇଁ କେଉଁ ଅବସ୍ଥାରେ ଓ କେଉଁ ସମୟରେ ସେ ଚିକିତ୍ସା ସେବା ବନ୍ଦ କରିବ, ତାହା ବ୍ୟକ୍ତିର ସମ୍ପୂର୍ଣ୍ଣ ନିଜସ୍ୱ ଅଧିକାର ପରିସରଭୁକ୍ତ। ଏହା ଗୋଟିଏ ପକ୍ଷରେ ଜଣେ ନାଗରିକର ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ ଏକ ପ୍ରକାର ପରୋକ୍ଷ ସ୍ୱୀକୃତି ଦେଉଛି।

ଅନ୍ୟ ପକ୍ଷରେ ଏଥିପ୍ରତି ମଧ୍ୟ ଇଙ୍ଗିତ କରୁଛି ଯେ, ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ପାଇବା ଜଣେ ନାଗରିକର ମୌଳିକ ଅଧିକାର। ଅନ୍ୟ ମୌଳିକ ଅଧିକାର ଭଳି ବ୍ୟକ୍ତିର ଏହି ମୌଳିକ ଅଧିକାରକୁ ନିଶ୍ଚିତ କରିବା ରାଷ୍ଟ୍ରର କର୍ତ୍ତବ୍ୟ। ଖଣ୍ଡପୀଠର ଅନ୍ୟତମ ବିଚାରପତି ନ୍ୟାୟମୂର୍ତ୍ତି ଡି.ଭି. ଚନ୍ଦ୍ରଚୂଡ଼ଙ୍କ ମତରେ ଜୀବନ, ନୈତିକତା ଓ ମୃତ୍ୟୁର ଅଭିଜ୍ଞତା ମଧ୍ୟରେ ସମ୍ପର୍କର ଅର୍ଥ ଓ ସମନ୍ଵୟ ଖୋଜି କୋର୍ଟ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି, ଯାହା ଜୀବନ ସହ ମରଣକୁ ମଧ୍ୟ ସମାନ ଭାବେ ସମ୍ମାନ ପ୍ରଦାନ କରୁଛି। ଏକ ସ୍ପର୍ଶକାତର ଜଟିଳ ପ୍ରସଙ୍ଗରେ ଯଥାସମ୍ଭବ ମାନବୀୟ-ବାସ୍ତବଧର୍ମୀ ସରଳ ସମାଧାନ ଦିଗରେ ମାନ୍ୟବର କୋର୍ଟ ତାଙ୍କର ଦାୟିତ୍ୱ ନିର୍ବାହ କରିଛନ୍ତି। ଏବେ ସରକାର ଓ ସଂସଦର ଦାୟିତ୍ୱ- ପରୋକ୍ଷ ଇଚ୍ଛାମୃତ୍ୟୁ ବ୍ୟବସ୍ଥାର ସରଳ, ସନ୍ଦେହମୁକ୍ତ କାର୍ଯ୍ୟକାରିତା ପାଇଁ ଆବଶ୍ୟକ ଆଇନ ଓ ନିୟମର ପ୍ରଣୟନ। ଅନ୍ୟଥା, ସୁପ୍ରିମ୍‌କୋର୍ଟଙ୍କ ରାୟ ପଛର ମାନବୀୟ ଉଦ୍ଦେଶ୍ୟ ସୁଦୂର ପରାହତ ହେବା ଆଶଙ୍କାକୁ ଏଡ଼ାଯାଇ ନପାରେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.