ରାଜ୍ୟଙ୍କ ସ୍ୱାଧୀନତା, ହକ୍‌

ମହାନଦୀ ଜଳବିବାଦ ପ୍ରସଙ୍ଗରେ ବିଧାନସଭାରେ ଛଅ ଘଣ୍ଟାରୁ ଅଧିକ କାଳ ଧରି ଆଉ ଏକ ପର୍ଯ୍ୟାୟ ଆଲୋଚନା ହୋଇଯାଇଛି। ଏହି ଦୀର୍ଘ ବିତର୍କ ବେଳେ କେତେକ ସମୟରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ପରସ୍ପର କାଦୁଅ ଫିଙ୍ଗା, ତୁତୁ ମେମେ ସତ୍ତ୍ୱେ ରାଜ୍ୟର ବୃହତ୍ତର ସ୍ୱାର୍ଥ ଓ ସ୍ୱାଭିମାନ ସହିତ ଯୋଡ଼ି ହୋଇଥିବା ଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଗୃହରେ ପ୍ରକାଶ ପାଇଥିବା ସହମତି ନିଶ୍ଚୟ ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଥିବ। ରାଜ୍ୟର ନ୍ୟାଯ୍ୟ ହକ୍‌ ହାସଲ ସକାଶେ ସଂକୀର୍ଣ୍ଣ ଦଳୀୟ ବିଚାରରୁ ଉପରକୁ ଉଠି ଦଳ ନିର୍ବିଶେଷରେ ଜନ ପ୍ରତିନିଧିମାନେ ଏକାଠି ହେବା, ମିଳିତ ଲଢ଼େଇ ଲାଗି ଶାସକ ଓ ବିରୋଧୀ ପରସ୍ପର ସହ କାନ୍ଧ ମିଳାଇବା ଓଡ଼ିଶା ସ୍ୱାର୍ଥ ପାଇଁ ଏକ ଶୁଭ ସଂକେତ। ତେବେ ଏ ବିରଳ ରାଜନୈତିକ ସହମତି ଓ ଏକତା କେବଳ ଗୋଟିଏ ପ୍ରସଙ୍ଗରେ ସୀମିତ ରହିବା ଯଥେଷ୍ଟ ନୁହେଁ। ରାଜ୍ୟ ସ୍ୱାର୍ଥ ଜଡ଼ିତ ଅନ୍ୟ ସବୁ ପ୍ରସଙ୍ଗରେ ମଧ୍ୟ ଅନୁରୂପ ଆଭିମୁଖ୍ୟ ଆଶା କରାଯାଏ।

ମହାନଦୀ ପ୍ରସଙ୍ଗରେ ମିଳିତ ଲଢ଼େଇ ‘ଅଳ୍ପ ପଥ ଅତିକ୍ରାନ୍ତ, ବହୁ ପଥ ବାକି’ ପର୍ଯ୍ୟାୟରେ ତଥାପି ଥିବା ବେଳେ ଆଉ ଏକ ସାମ୍ମୁଖ୍ୟରେ ଏକାଠି ଲଢ଼େଇ ଲାଗି ସମୟ ଆସି ପହଞ୍ଚିଯାଇଛି। ନୂଆ ସାମ୍ମୁଖ୍ୟର ଅବକାଶ ସୃଷ୍ଟି କରିଛି କେନ୍ଦ୍ରୀୟ ରାଜସ୍ୱର ଭାଗବଣ୍ଟା ପ୍ରସଙ୍ଗ। କେନ୍ଦ୍ରୀୟ ରାଜସ୍ୱରେ କେନ୍ଦ୍ର ଓ ରାଜ୍ୟମାନଙ୍କ ଭାଗ କ’ଣ ରହିବ? ରାଜ୍ୟମାନଙ୍କ ମଧ୍ୟରେ ରାଜସ୍ୱ ବଣ୍ଟନର ସୂତ୍ର କ’ଣ ହେବ? ଏ ସବୁ ପ୍ରଶ୍ନ ଉପରେ ବିଚାର ଲାଗି ଦେଶର ସଂଘୀୟ ବ୍ୟବସ୍ଥା ଅନୁଯାୟୀ ପ୍ରତି ପାଞ୍ଚବର୍ଷରେ ଏକ ଅର୍ଥ କମିସନ ଗଠନର ସାମ୍ବିଧାନିକ ପ୍ରାବଧାନ ରହିଛି। ସେହି କ୍ରମରେ ୨୦୨୦-୨୦୨୫ ପାଞ୍ଚବର୍ଷ ପାଇଁ ରାଜସ୍ୱ ବଣ୍ଟନର ସୂତ୍ର  ନିର୍ଧାରଣ ଲାଗି ପଞ୍ଚଦଶ ଅର୍ଥ କମିସନ ଗଠନ କରାଯାଇଛି। ପୂର୍ବବର୍ତ୍ତୀ ଚତୁର୍ଦ୍ଦଶ ଅର୍ଥ କମିସନଙ୍କ ଦ୍ୱାରା ରାଜସ୍ୱ ଭାଗବଣ୍ଟା ଲାଗି ଧାର୍ଯ୍ୟ ସୂତ୍ରର ମିଆଦ ୨୦୧୯ରେ ପୂରିଯିବ। ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ ୨୦୨୦ରୁ କାର୍ଯ୍ୟକାରୀ ହେବ। ରାଜସ୍ୱ ବଣ୍ଟନ ପାଇଁ ଅର୍ଥ କମିସନ ଗ୍ରହଣ କରିବାକୁ ଯାଉଥିବା ସମ୍ଭାବ୍ୟ ମାପଦଣ୍ଡ ଏବଂ କମିସନଙ୍କ ବିଚାର ପାଇଁ କେନ୍ଦ୍ର ସରକାର ରଖିଥିବା ବିଚାର୍ଯ୍ୟ ବିଷୟର ଚିଠା (ଟର୍ମ ଅଫ୍‌ ରେଫରେନ୍ସ)କୁ ନେଇ ବିବାଦର ଝଡ଼ ଉଠିଛି। ଦକ୍ଷିଣରେ ଏହା କ୍ରମଶଃ ବିଦ୍ରୋହର ରୂପ ନେବା ଆଶଙ୍କା ଦେଖା ଦେଇଛି।

ପ୍ରଥମେ ଦକ୍ଷିଣ ରାଜ୍ୟଗୁଡ଼ିକରୁ ଉଠିଥିବା ମିଳିତ ପ୍ରତିବାଦର ସ୍ୱର ସହ ଏବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱର ମିଳାଇଛନ୍ତି। ଦକ୍ଷିଣ ରାଜ୍ୟମାନେ ଉଠାଇଥିବା ଆପତ୍ତିଗୁଡ଼ିକ ଉପରେ ଏକମତ  ହେବା ସହ ମୁଖ୍ୟମନ୍ତ୍ରୀ ଅର୍ଥକମିସନ୍‌ଙ୍କ ପ୍ରସ୍ତାବିତ ମାନଦଣ୍ଡ ଓ କେନ୍ଦ୍ର ସରକାରଙ୍କ ‘ଟର୍ମ ଅଫ୍‌ ରେଫରେନ୍ସ’ର କିଛି ନୂଆ ବିନ୍ଦୁ ଉପରେ ମଧ୍ୟ ଆପତ୍ତି ଉଠାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ଲେଖିଥିବା ପତ୍ରରେ ବିଚାର୍ଯ୍ୟ ବିଷୟର ଚିଠାର ଚରିତ୍ର ସଂଘୀୟ ବ୍ୟବସ୍ଥା ଓ ଭାବନାର ପରିପନ୍ଥୀ ବୋଲି ଦର୍ଶାଇ ଉଦ୍‌ବେଗ କରିଛନ୍ତି। ଏହାଦ୍ୱାରା ଓଡ଼ିଶା ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ ଓ ଆଶଙ୍କା ଆଦୌ ଅଯଥାର୍ଥ ନୁହେଁ। ମୁଖ୍ୟମନ୍ତ୍ରୀ ମହୋଦୟ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିର ସାରାଂଶ ହେଲା, ଏ ପ୍ରସଙ୍ଗରେ ସଂଘୀୟ ବ୍ୟବସ୍ଥାର ବିଶ୍ୱସନୀୟତା, ରାଜ୍ୟମାନଙ୍କ ସ୍ୱାଧୀନତା, ନ୍ୟାଯ୍ୟ ହକ୍‌ ବାଜିରେ ଲାଗିଯାଇଛି। ପ୍ରଥମେ,  ୧୯୭୧ ପରିବର୍ତ୍ତେ ୨୦୧୧ ଜନଗଣନା ଅନୁଯାୟୀ ଜନସଂଖ୍ୟାକୁ ରାଜସ୍ୱ ବଣ୍ଟନର ଏକ ମୁଖ୍ୟ ମାପଦଣ୍ଡ ଭାବେ ଗ୍ରହଣ ଲାଗି ପ୍ରସ୍ତାବ ଉପରେ ଆଲୋଚନା କରାଯାଉ। ଏହି ମାପକାଠିରେ ରାଜସ୍ୱର ଭାଗବଣ୍ଟା ହେଲେ ଦକ୍ଷିଣ ରାଜ୍ୟମାନଙ୍କ ଭଳି ଓଡ଼ିଶା ମଧ୍ୟ କ୍ଷତିଗ୍ରସ୍ତ ହେବ। ଏକ ଆକଳନ ଅନୁଯାୟୀ ନୂଆ ସୂତ୍ରରେ ଓଡ଼ିଶା ବାର୍ଷିକ  ଯେତେ ପାଇବା କଥା ତା’ଠାରୁ ଅତିକମ୍‌ରେ ୨୦ ହଜାର କୋଟି ଟଙ୍କା କମ୍‌ ପାଇବ। ଜନସଂଖ୍ୟା ବୃଦ୍ଧି ଉପରେ ଅଙ୍କୁଶ ଲଗାଇ ସ୍ଥିରତା ଆଣିଥିବାରୁ ଏହା କ’ଣ ପିଟୁଣି ଟିକସ? ୧୯୭୧ ପରିବର୍ତ୍ତେ ଯଦି ୨୦୧୧ ଲୋକସଂଖ୍ୟାକୁ ମାପକାଠି କରାଯାଏ, ତେବେ ଓଡ଼ିଶା ଅତିରିକ୍ତ ପ୍ରାୟ କୋଟିଏ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ରାଜସ୍ୱ ଭାଗ ହରାଇବ, ଯାହାର ପରିମାଣ ବାର୍ଷିକ ୨୦ ହଜାର କୋଟି ଟଙ୍କା।

ସାଂପ୍ରତିକ ଆର୍ଥିକ ଅବସ୍ଥା ଯାହା, ସେଥିରେ ଓଡ଼ିଶା ଭଳି ଏକ ଅନଗ୍ରସର, ଦାରିଦ୍ର୍ୟ ପ୍ରବଣ ରାଜ୍ୟ ଲାଗି କେନ୍ଦ୍ରୀୟ ରାଜସ୍ୱ ଭାଗରେ ଏ ସଂକୋଚନ ଆଦୌ ବାଞ୍ଛନୀୟ ନୁହେଁ। ନିଃସନ୍ଦେହ ଏହା ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶ ପ୍ରକ୍ରିୟା ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଚତୁର୍ଦ୍ଦଶ ଅର୍ଥ କମିସନଙ୍କ ସୁପାରିସ କ୍ରମେ ରାଜ୍ୟମାନଙ୍କ ଭାଗ ୩୨%ରୁ ୪୨%କୁ ବୃଦ୍ଧି ପାଇଲା। ଫଳରେ ଓଡ଼ିଶା ନିଜ ଭାଗ ସ୍ୱରୂପ ପୂର୍ବାପେକ୍ଷା ଅଧିକ ଟଙ୍କା ପାଇଛି। ୨୦୧୪-୧୫ରେ ଓଡ଼ିଶା କେନ୍ଦ୍ରୀୟ ରାଜସ୍ୱରେ ଭାଗ ସ୍ୱରୂପ ୧୬,୧୮୧ କୋଟି ଟଙ୍କା ପାଇଥିଲା ବେଳେ ୨୦୧୭-୧୮ରେ ଏହି ପରିମାଣ ୩୧,୨୭୨ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଚଳିତ ୨୦୧୮-୧୯ରେ ଏହି ପରିମାଣ ୩୬,୫୮୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଚଳିତ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ଅନୁଦାନର ପରିମାଣ ୨୪,୭୬୪ କୋଟି ଟଙ୍କା।

ତେବେ, କେନ୍ଦ୍ରୀୟ ରାଜସ୍ୱର ଭାଗ ଓ ଅନୁଦାନ ପରିମାଣ ବୃଦ୍ଧି ସତ୍ତ୍ୱେ ରାଜ୍ୟର ଆର୍ଥିକ ସ୍ଥିତି ମୋଟାମୋଟି ଯଥା ପୂର୍ବଂ ତଥା ପରଂ ରହିଛି। ଗୋଟିଏ ପଟେ କିଛି ପରିମାଣରେ ଅଧିକ ପାଣ୍ଠି ଆସିଲା। ଅଥଚ, ଅନ୍ୟପକ୍ଷରେ ଓଡ଼ିଶା ନିର୍ଦ୍ଦିଷ୍ଟ ସ୍ୱତନ୍ତ୍ର କେବିକେ; ପଛୁଆ ଜିଲ୍ଲା ବିକାଶ ପାଣ୍ଠି ଓ ମାଓବାଦୀ ଉପଦ୍ରୁତ ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ଆଇଏପି ଭଳି ଆଦି କେତେକ ଯୋଜନା ବନ୍ଦ କରି ଦିଆଗଲା। ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ରାଜ୍ୟ-କେନ୍ଦ୍ର ଖର୍ଚ୍ଚର ଅନୁପାତ ବଦଳି ରାଜ୍ୟର ଆର୍ଥିକ ବୋଝ ବଢ଼ିବା ଫଳରେ ‘ଗୋଦରା କୋଡ଼େ ଯେତେ, ମାଡ଼େ ସେତେ’ ନ୍ୟାୟରେ ଅବସ୍ଥା ଏକ ପ୍ରକାର ଅପରିବର୍ତ୍ତିତ ରହିଲା। ତେଣୁ ଏବେ ଯଦି ନୂଆ ସୂତ୍ର ଅନୁଯାୟୀ ଓଡ଼ିଶାକୁ ବାର୍ଷିକ ୨୦ ହଜାର କୋଟି ଟଙ୍କା କମ୍‌ ମିଳେ, ତେବେ ତାହା ବେଡ଼ି ଉପରେ କୋରଡ଼ା ସଦୃଶ ହେବ। ବିକାଶ କ୍ଷେତ୍ରରେ ନିଅଣ୍ଟିଆ ଭରଣା ଲାଗି ଓଡ଼ିଶା ଅଧିକ ପାଣ୍ଠି ଆବଶ୍ୟକ କରୁଥିବା ବେଳେ କେନ୍ଦ୍ରୀୟ ରାଜସ୍ୱରେ ଯଦି ଭାଗ କମେ, ତେବେ ଏ ପଛୁଆ ଦାରିଦ୍ର୍ୟ ପ୍ରବଣ ରାଜ୍ୟ ପାଇଁ ତାହା ଚରମ ଅନ୍ୟାୟ ହେବ। ରାଜ୍ୟମାନେ ଅଧିକ ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଅନ୍ତୁ ବୋଲି ଆଶା କରାଯାଉଛି। ଅଥଚ କେନ୍ଦ୍ରରୁ ରାଜ୍ୟମାନଙ୍କ ତହବିଲକୁ ପାଣ୍ଠିର ସୁଅ କମାଇବା ଯୋଜନା ଏକ ବିଡ଼ମ୍ବନା।

ଜନସଂଖ୍ୟାର ନୂଆ ମାପକାଠିରେ ଆର୍ଥିକ କ୍ଷତିର ଆଶଙ୍କା ଯେତିକି  ଉଦ୍‌ବେଗର ବିଷୟ, ତା’ଠାରୁ ଅଧିକ। ଉଦ୍‌ବେଗର ବିଷୟ ହେଉଛି ବିଚାର୍ଯ୍ୟ ବିଷୟ ଚିଠାର ଆଉ କେତେକ ବିନ୍ଦୁ। ଏହି ବିନ୍ଦୁ ସବୁ ଦେଶର ସଂଘୀୟ ବ୍ୟବସ୍ଥା, ରାଜ୍ୟମାନଙ୍କର ଉଭୟ ଆର୍ଥିକ ପ୍ରଶାସନିକ ସ୍ୱାଧୀନତା ସହ ଯୋଡ଼ି ହୋଇଛି। ଏହି ଚିଠାରେ ଏମିତି ଗୋଟିଏ ବିଚାର୍ଯ୍ୟ ବିଷୟ ରହିଛି, ଯାହା ସିଧାସଳଖ ରାଜ୍ୟଙ୍କ ସ୍ୱାର୍ଥ ବିରୋଧରେ କମିସନଙ୍କୁ ପ୍ରଭାବିତ କରିବା ଲାଗି ଏକ ଉଦ୍ୟମ। ଚିଠାରେ ଉଲ୍ଲେଖ କରାଯାଇଛିି ଯେ, କେନ୍ଦ୍ର ପରିକଳ୍ପିତ ୨୦୨୨ ସୁଦ୍ଧା ନୂଆ ଭାରତ ଗଠନ ଯୋଜନା ପାଇଁ ସମ୍ବଳ ଯୋଗାଡ଼ ସକାଶେ କମିସନ୍‌ ରାଜସ୍ୱରେ କେନ୍ଦ୍ରର ଭାଗ ବଢ଼ାଇବା ଉପରେ ବିଚାର କରିବେ। ଏହାର ଅର୍ଥ ବର୍ତ୍ତମାନ ଧାର୍ଯ୍ୟ କେନ୍ଦ୍ରର ଭାଗ ୫୮%ରୁ ଅଧିକ ହେବ। ଫଳତଃ ରାଜ୍ୟ ମାନଙ୍କ ଭାଗ ୪୨%ରୁ ଆହୁରି କମିବ। ଜିଏସ୍‌ଟି ପ୍ରବର୍ତ୍ତନ ପରେ ନିଜସ୍ୱ ସମ୍ବଳ ସଂଗ୍ରହ ପାଇଁ ରାଜ୍ୟମାନଙ୍କ ସ୍ୱାଧୀନତା ଯଥେଷ୍ଟ ମାତ୍ରାରେ ସଂକୁଚିତ ହୋଇଥିବା ବେଳେ ରାଜସ୍ୱ ଭାଗର ସଂକୋଚନ ରାଜ୍ୟମାନଙ୍କ ଆର୍ଥିକ ସ୍ଥିତିକୁ ଗୁରୁତର ଭାବେ ପ୍ରଭାବିତ କରିବ। ତେବେ ଏ ପ୍ରସଙ୍ଗରେ କମିସନ ଯାହା ବି ନିଷ୍ପତ୍ତି ନିଅନ୍ତୁ ବିଚାର୍ଯ୍ୟ ବିଷୟ ସୂଚିରେ ଏହା ସ୍ଥାନ ପାଇବା ଆଦୌ ଉଚିତ ନଥିଲା। ଏହାଦ୍ୱାରା ଅର୍ଥକମିସନଙ୍କ ଭଳି ଏକ ସାମ୍ବିଧାନିକ ସଂସ୍ଥାର ସ୍ୱାଧୀନତା କ୍ଷୁଣ୍ଣ ହେଉଛି। ପୁଣି ଯେଉଁ ରାଜ୍ୟମାନେ ଶସ୍ତା ଲୋକପ୍ରିୟତା ପାଇଁ ‘ପପୁଲିଷ୍ଟ’ ଯୋଜନା ପ୍ରବର୍ତ୍ତନ କରିବେ, ସେହି ରାଜ୍ୟମାନଙ୍କୁ କେନ୍ଦ୍ରୀୟ ଅନୁଦାନ କାଟ କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ‘ପପୁଲିଷ୍ଟ’ ଯୋଜନାର ପରିଭାଷା କ’ଣ? ଏହା କିଏ ଧାର୍ଯ୍ୟ କରିବ? ସ୍କୁଲରେ ମଧ୍ୟାହ୍ନ ଭୋଜନ ଓ ରିହାତି ଦରରେ ଶସ୍ତା ଚାଉଳ ଯୋଗାଣ କ’ଣ ପପୁଲିଷ୍ଟ ଯୋଜନା ଅନ୍ତର୍ଭୁକ୍ତ? ମୋଟାମୋଟି ପଛ ଦ୍ୱାରରେ ବିକାଶ ଓ କଲ୍ୟାଣ ଲାଗି ନୀତି ନିର୍ଧାରଣ ଓ ଯୋଜନା ପ୍ରଣୟନ କ୍ଷେତ୍ରରେ ରାଜ୍ୟମାନଙ୍କ ସ୍ୱାଧୀନତା ଉପରେ ହସ୍ତକ୍ଷେପ ଲାଗି ଏହା ଏକ ଅପକୌଶଳ। ପୁଣି, ସିଧାସଳଖ ପଞ୍ଚାୟତ ଓ ପୌର ସଂସ୍ଥାମାନଙ୍କୁ ଅନୁଦାନ ପ୍ରଦାନ ଓ ରାଜ୍ୟମାନଙ୍କ ଆର୍ଥିକ ଉତ୍ତରଦାୟିତ୍ୱ ଧାର୍ଯ୍ୟ ପାଇଁ ପ୍ରସ୍ତାବ ସିଧାସଳଖ ରାଜ୍ୟମାନଙ୍କ ସ୍ୱାଧୀନତା ଉପରେ ଆଘାତ। ଏହା କଦାପି ସଂଘୀୟ ବ୍ୟବସ୍ଥା ଓ ଭାବନାର ଅନୁକୂଳ ହୋଇ ନପାରେ।

କେନ୍ଦ୍ର- ରାଜ୍ୟ ସଂପର୍କ ପ୍ରସଙ୍ଗରେ ଚଳିତ ଏନ୍‌ଡିଏ ସରକାରର ଏହା ଏକ ବିଡ଼ମ୍ବିତ ଚରିତ୍ର। ଗୋଟିଏ ପକ୍ଷରେ ସହଯୋଗପୂର୍ଣ୍ଣ ସଂଘୀୟ ବ୍ୟବସ୍ଥା କଥା କୁହାଯାଉଛି। ଅଥଚ ଅନ୍ୟ ପକ୍ଷରେ କାମରେ କେନ୍ଦ୍ରର ପ୍ରାଧାନ୍ୟ ଜାହିର ଲାଗି ବ୍ୟଗ୍ରତା ମଧ୍ୟରେ ରାଜ୍ୟଙ୍କ ଆର୍ଥିକ ଓ ପ୍ରଶାସନିକ ସ୍ୱାଧୀନତା ଅପହରଣ ଲାଗି ସୁଯୋଗ ଉଣ୍ଡାଯାଉଛି। ପଞ୍ଚଦଶ ଅର୍ଥ କମିସନକୁ ସେମିତି ଏକ ସୁଯୋଗ ଭାବେ ବ୍ୟବହାର ସକାଶେ କେନ୍ଦ୍ର ସରକାରଙ୍କ ଯୋଜନାର ଗୋଟିଏ ଅଂଶ ହେଲା ଅର୍ଥ କମିସନଙ୍କ ବିଚାର ପାଇଁ ରଖାଯାଇଥିବା ଟର୍ମ ଅଫ୍‌ ରେଫରେନ୍ସ।

ନବେ ଦଶକରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ରାଜ୍ୟମାନଙ୍କୁ ଅଧିକ ଆର୍ଥିକ ସ୍ୱାଧୀନତା ଦାବି ଉଠାଇଥିଲେ। ସେତେବେଳେ ତାଙ୍କୁ ‘ବିଚ୍ଛିନ୍ନତାବାଦୀ’ କହି ସେ ଉଠାଇଥିବା ପ୍ରସଙ୍ଗକୁ ଏଡ଼ାଇ ଦିଆଯାଇଥିଲା। ଏବେ ପୁଣି ସେହି ରାଜ୍ୟମାନଙ୍କର ଖାଲି ଅର୍ଥନୈତିକ ନୁହେଁ, ପ୍ରଶାସନିକ ସ୍ୱାଧୀନତା ବିପନ୍ନ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏହା ସୂଚାଉଛି ଯେ ଆମ ସଂଘୀୟ ବ୍ୟବସ୍ଥାରେ କେଉଁଠି ନା କେଉଁଠି କିଛି ତ୍ରୁଟି ରହିଛି, ଯାହା ରାଜ୍ୟମାନଙ୍କ ଉପରେ କେନ୍ଦ୍ରକୁ ଅଯଥାରେ ଭାରି ହେବାର ସୁଯୋଗ ଦେଉଛି। ମନେରଖିବାକୁ ହେବ ଯେ ବିବିଧତା ହେଉଛି ଭାରତର ସବୁଠାରୁ ବଡ଼ ସମ୍ପଦ। ଏହାକୁ ସମ୍ପତ୍ତିରେ ପରିଣତ କରିବା ଲାଗି ରାଜ୍ୟମାନଙ୍କୁ ପର୍ଯ୍ୟାପ୍ତ ସ୍ୱାଧୀନତା ଦିଆଯିବା ଆବଶ୍ୟକ।

ପଞ୍ଚଦଶ ଅର୍ଥ କମିସନଙ୍କ ଠାରେ ଉପସ୍ଥାପିତ ବିଚାର୍ଯ୍ୟ ବିଷୟରେ ଚିଠାରୁ ମନେ ହେଉ ନାହିଁ ଯେ ଦିଲ୍ଲୀ ସରକାର ଏହି ଆବଶ୍ୟକତାକୁ ଗୁରୁତ୍ୱ ଦେଉଛନ୍ତି। ବରଂ ରାଜ୍ୟମାନଙ୍କୁ ‘କରଦ’ ବିଚାର କରୁଥିବା ମନେ ହେଉଛି। ତେଣୁ କେବଳ ଦକ୍ଷିଣ କି ପୂର୍ବ ନୁହେଁ କିମ୍ବା ଅଣବିଜେପି ଶାସିତ ରାଜ୍ୟ ନୁହେଁ, ସବୁ ରାଜ୍ୟ ଏହାର ବିରୋଧ କରିବା ଉଚିତ। ଓଡ଼ିଶାରେ ମଧ୍ୟ ଏ ପ୍ରତିବାଦରେ ସରକାରଙ୍କ ସହ ସବୁ ଦଳ ଓ ନାଗରିକ ସମାଜ ଏକାଠି ହୁଅନ୍ତୁ।

ସମ୍ବନ୍ଧିତ ଖବର