ଅମଡ଼ା ବାଟ

0 133

ବିଗତ ୫୨ ସପ୍ତାହ ମଧ୍ୟରେ ଆନ୍ତର୍ଜାତିକ ବଜାରରେ ବ୍ରେଣ୍ଟ୍‌ ଅଶୋଧିତ ତୈଳ ଦର ଅଳ୍ପ ଦିନ ତଳେ ବ୍ୟାରେଲ୍‌ ପିଛା ୮୦.୫୦ ଡଲାର୍‌ ସର୍ବୋଚ୍ଚ ସ୍ତର ଛୁଇଁବା ପରେ କ୍ରମେ ହ୍ରାସ ପାଇ ସୋମବାର ଦିନ ୭୫.୪୯ ଡଲାର୍‌ରେ ପହଞ୍ଚିଛି। ସେଇ ସୋମବାର ଦିନ ଦିଲ୍ଲୀରେ ପେଟ୍ରୋଲ ଦର କିନ୍ତୁ ଲିଟର ପିଛା ସର୍ବକାଳୀନ ସର୍ବୋଚ୍ଚ ସ୍ତର ଟ ୭୮.୨୭ପ ଏବଂ ଡିଜେଲ୍‌ ଟ୬୯.୧୭ପ ଛୁଇଁଛି। ତୈଳର ଏହି ଆନ୍ତର୍ଜାତିକ ଦର ଏବଂ ଭାରତରେ ଖାଉଟି ଦରର ଏକ ତୁଳନାତ୍ମକ ଚିତ୍ର ଏଠାରେ ପ୍ରଦାନ କରାଯାଉଛି, ଯାହା ହଠାତ୍‌ ଯେ କୌଣସି ପର୍ଯ୍ୟବେକ୍ଷକଙ୍କୁ ଆଶ୍ଚର୍ଯ୍ୟାନ୍ଵିତ କରି ଦେଇପାରେ। ୨୦୧୧ରେ ବିଦେଶରୁ ଅଶୋଧିତ ତୈଳ ଆମଦାନି କରିବା ପାଇଁ ଭାରତକୁ ବ୍ୟାରେଲ୍‌ ପିଛା ୧୦୦ ଡଲାର୍‌ରୁ ଅଧିକ ଦେବାକୁ ପଡୁଥିଲା (ସେତେବେଳେ ବିନିମୟ ହାର ଥିଲା ୧ ଡଲାର୍‌=ଟ୬୪.୩୦ପ)। ବର୍ତ୍ତମାନ କିନ୍ତୁ ତୈଳ ଦର ବ୍ୟାରେଲ୍‌ ପିଛା ସେ ସମୟ ତୁଳନାରେ ପ୍ରାୟ ୨୫ ଡଲାର୍‌ କମ୍‌ (ଅବଶ୍ୟ ବର୍ତ୍ତମାନ ବିନିମୟ ହାର ହେଉଛି ୧ ଡଲାର୍‌=ଟ୬୭.୪୦ପ)। କିନ୍ତୁ ସେତେବେଳେ ଦିଲ୍ଲୀରେ ପେଟ୍ରୋଲ୍‌ର ଖାଉଟି ଦର ଲିଟର ପିଛା ହାରାହାରି ୬୫ ଟଙ୍କା ଥିବା ବେଳେ ବର୍ତ୍ତମାନ ତା’ଠାରୁ ପ୍ରାୟ ୧୩ଟଙ୍କା ଅଧିକ ହୋଇଛି। ଏପରିକି ଗତବର୍ଷ ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୫୦ ଡଲାର ହୋଇଥିବା ବେଳେ ମଧ୍ୟ ଦିଲ୍ଲୀରେ ପେଟ୍ରୋଲ୍‌ର ଖାଉଟି ଦର ଲିଟର ପିଛା ଟ୭୦ଙ୍କା ରହିଥିଲା।

ଏକ ସ୍ୱାଭାବିକ ପ୍ରଶ୍ନ ଉଠେ, ଅଶୋଧିତ ତୈଳର ଆନ୍ତର୍ଜାତିକ ଦରରେ ଘଟିଥିବା ହ୍ରାସ ସହିତ ତାଳ ଦେଇ ଭାରତରେ ପେଟ୍ରୋଲ୍‌ ଆଦିର ଖାଉଟି ଦରରେ ହ୍ରାସ ଘଟୁନାହିଁ କାହିଁକି? ଆଉ ବର୍ତ୍ତମାନର ବୃଦ୍ଧି ପାଇଥିବା ତୈଳ ଦର ୨୦୧୧ ତୁଳନାରେ ବହୁତ କମ୍‌ ହୋଇଥିବା ବେଳେ ଉଚ୍ଚା ଆନ୍ତର୍ଜାତିକ ତୈଳ ଦରର ଦ୍ୱାହି ଦେଇ ଖାଉଟି ଦରକୁ ଏତେ ଉଚ୍ଚା ରଖାଯାଉଛି କାହିଁକି? ଏ ପ୍ରଶ୍ନ ସମ୍ପୂର୍ଣ୍ଣ ଯଥାର୍ଥ ହୋଇଥିବା ବେଳେ ଏହାର ଉତ୍ତର ଏତେ ସିଧାସଳଖ ନୁହେଁ।

ଭାରତ ଯେତିକି ତୈଳ ଆବଶ୍ୟକ କରିଥାଏ, ତାହାର ୮୦%ରୁ ଅଧିକ ଅଂଶ ବିଦେଶରୁ ଆମଦାନି କରିଥାଏ। ଏହା ଅଶୋଧିତ ତୈଳ ଆକାରରେ ଆମଦାନି ହୋଇଥାଏ ଏବଂ ପରେ ତାହାର ବିଶୋଧନ କରାଯାଏ। ବିଶୋଧନାଗାର (ରିଫାଇନେରି)ମାନେ ତୈଳ ଦରରେ ବିଶୋଧନ ଖର୍ଚ୍ଚ ଓ ନିଜର ଲାଭ ଯୋଗ କରି ବିଶୋଧିତ ତୈଳକୁ ପରୋକ୍ଷରେ ଖାଉଟିମାନଙ୍କୁ ବିକ୍ରୟ କରୁଥିବା ତୈଳ ବିକ୍ରୟ କମ୍ପାନି (ଅଏଲ୍‌ ମାର୍କେଟିଙ୍ଗ୍‌ କମ୍ପାନି- ଯେମିତି ‘ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌’)ମାନଙ୍କୁ ବିକ୍ରି କରିଥାନ୍ତି। ଏହି କମ୍ପାନିମାନେ ସେଥିରେ ନିଜର ବିକ୍ରୟ ଖର୍ଚ୍ଚ ଓ ଲାଭ ମିଶାଇ ବିଶୋଧିତ ତୈଳକୁ ପେଟ୍ରୋଲ୍‌ ପମ୍ପ୍‌ମାନଙ୍କୁ ବିକ୍ରୟ କରନ୍ତି। ପେଟ୍ରୋଲ୍‌ ପମ୍ପ୍‌ମାନେ ଏକ ପୂର୍ବ ନିର୍ଦ୍ଧାରିତ ହାରରେ ଲାଭ ମିଶାଇ ଖାଉଟିମାନଙ୍କୁ ପେଟ୍ରୋଲ୍‌ ଓ ଡିଜେଲ୍‌ ବିକ୍ରି କରନ୍ତି। ଏହା କିନ୍ତୁ ହେଉଛି କାହାଣୀର ଅଧା ମାତ୍ର। କାରଣ ଏ ସବୁ ବାଦ୍‌ ଥାଏ ପେଟ୍ରୋଲ୍‌ ଓ ଡିଜେଲ୍‌ ଉତ୍ପାଦନ ଏବଂ ବିକ୍ରୟ ଉପରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଲାଗୁ କରୁଥିବା ଟିକସ ମାନ। ଖାଉଟିମାନେ ଶେଷରେ ପେଟ୍ରୋଲ୍‌ ଓ ଡିଜେଲ୍‌ ପାଇଁ ଯେଉଁ ମୂଲ୍ୟ ଦେଇଥାନ୍ତି ତାହାର ପ୍ରାୟ ଅଧାରୁ ଅଧିକ ହୋଇଥାଏ କେନ୍ଦ୍ର ଓ ରାଜ୍ୟ ସରକାର ଆଦାୟ କରୁଥିବା ଟିକସ। ଉଦାହରଣ ସ୍ୱରୂପ ଗତବର୍ଷ ଦିଲ୍ଲୀରେ ଯେତେବେଳେ ଖାଉଟିମାନେ ପେଟ୍ରୋଲ୍‌ ଲିଟର୍‌ ପିଛା ଟ୭୦.୫୧ପ ଦର ଦେଉଥିଲେ, ସେତେବେଳେ ବିଶୋଧିତ ତୈଳର ମୂଲ୍ୟ ଥିଲା ଲିଟର ପିଛା ଟ୨୭.୭୪ପ। ଏହା ଉପରେ କେନ୍ଦ୍ର ସରକାର ଆଦାୟ କରୁଥିବା ଉତ୍ପାଦନ ଶୁଳ୍‌କ ଟ୨୧.୪୮ପ ଏବଂ ରାଜ୍ୟ ସରକାର ଆଦାୟ କରୁଥିବା ଭ୍ୟାଟ୍‌+ସେସ୍‌ ଟ୧୪.୯୯ ସହିତ ପରିବହନ ଖର୍ଚ୍ଚ ଓ ଲାଭାଂଶ ଆଦି ମିଶି ଖାଉଟି ଦର ସ୍ଥିରୀକୃତ ହେଉଥିଲା।

ଦେଶରେ ତେଲର ଖାଉଟି ଦରରେ ହ୍ରାସ ପାଇଁ ସରକାରଙ୍କ ପାଖରେ ଦୁଇଟି ବାଟ ଉପଲବ୍‌ଧ, କିନ୍ତୁ ଏ ଦୁଇଟିଯାକ ବାସ୍ତବରେ ଅମଡ଼ା ବାଟ ବୋଲି କୁହାଯାଇପାରେ। ଗୋଟିଏ ହେଲା, ସରକାର ସିଧାସଳଖ ଅଏଲ୍‌ ମାର୍କେଟିଙ୍ଗ୍‌ କମ୍ପାନିମାନଙ୍କୁ ସେମାନଙ୍କର ବିକ୍ରୟ ମୂଲ୍ୟ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇ ପାରନ୍ତି। ଅନ୍ୟଟି ହେଲା, ପେଟ୍ରୋଲ୍‌ ଡିଜେଲ୍‌ ଆଦି ତୈଳ ପଦାର୍ଥମାନଙ୍କ ଉପରେ ଲାଗୁ ହୋଇଥିବା ଟିକସ ହ୍ରାସ କରାଯାଇପାରେ। ପ୍ରଥମ ବାଟଟି ଭାରତୀୟ ଜନତା ପାର୍ଟି ସରକାର ପାଇଁ ନୀତିଗତ ଭାବରେ କେବଳ ଏକ ଅମଡ଼ା ବାଟ ନୁହେଁ, ଏକ ନିଷିଦ୍ଧ ବାଟ ମଧ୍ୟ। ଏଥିପୂର୍ବରୁ ଏହି କମ୍ପାନିମାନେ ସରକାରଙ୍କ ନିର୍ଦ୍ଦେଶ ମାନି ଆନ୍ତର୍ଜାତିକ ତୈଳ ଦର ଠାରୁ କମ୍‌ ଦାମ୍‌ରେ ମଧ୍ୟ ଦେଶରେ ତୈଳ ବିକ୍ରୟ କରିବାକୁ ବାଧ୍ୟ ହେଉଥିଲେ ଓ ସରକାର ସେମାନଙ୍କର କ୍ଷତି ଭରଣା କରୁଥିଲେ। ଉଦାହରଣ ସ୍ୱରୂପ ୨୦୧୨-୧୩ରେ ସରକାରଙ୍କୁ ଏ ବାବଦରେ ୯୨,୦୬୧ କୋଟି ଟଙ୍କା ଭରଣା କରିବାକୁ ପଡ଼ିଥିଲା ଯାହା ସରକାର ସେ ବର୍ଷ ପ୍ରଦାନ କରିଥିବା ସମସ୍ତ ପ୍ରକାର ସବ୍‌ସିଡିର ମୋଟ ପରିମାଣର ପ୍ରାୟ ୪୦% ଥିଲା! ଦେଶର ଅର୍ଥନୈତିକ ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିବା କେହି ବି ଏହାକୁ ଅନୁମୋଦନ କରିବ ନାହିଁ। ୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ପରେ ଏକ ସାହସିକ ପଦକ୍ଷେପ ନେଇ ପେଟ୍ରୋଲ୍‌ ଓ ପରେ ଡିଜେଲ୍‌ ଦରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣମୁକ୍ତ କରିଦେଇ ସରକାରଙ୍କୁ ସେ ବୋଝରୁ ମୁକ୍ତି ଦେଇଛି। ଉଲ୍ଲେଖ ନିଷ୍ପ୍ରୟୋଜନ, ଉଦ୍‌ବୃତ୍ତ ସମ୍ବଳ ବିକାଶ ମୂଳକ କାର୍ଯ୍ୟରେ ବିନିଯୁକ୍ତ ହେଉଛି।

ମୋଦୀ ସରକାର ଓ ତୈଳ କମ୍ପାନିମାନଙ୍କ ସୌଭାଗ୍ୟକୁ ୨୦୧୪ ଠାରୁ ତିନିବର୍ଷ ଧରି ଆନ୍ତର୍ଜାତିକ ତୈଳ ଦରରେ ତୀବ୍ର ସ୍ଖଳନ ଦେଖାଦେଇ ସେମାନଙ୍କୁ ବେଶ ସହାୟକ ହୋଇଥିଲା। ଦର ହ୍ରାସ ସହିତ ତାଳ ଦେଇ ସରକାର ଟିକସ ହ୍ରାସ ନକରି ରାଜକୋଷ ପାଇଁ ବିପୁଳ ସମ୍ବଳ ସଂଗ୍ରହ କରିପାରିଥିଲେ। ପ୍ରଶ୍ନ ଉଠୁଛି, ବର୍ତ୍ତମାନ ଆନ୍ତର୍ଜାତିକ ତୈଳ ଦରରେ ବୃଦ୍ଧି ଘଟୁଥିବାରୁ ସରକାର ଟିକସ ହ୍ରାସ ଘଟାଇ ଖାଉଟିମାନଙ୍କୁ ସୁରକ୍ଷା ଦେଉନାହାନ୍ତି କାହିଁକି? ସରକାର ଯଦି ଏହା କରନ୍ତି ତେବେ ସରକାରଙ୍କର ସମ୍ବଳ ସଂଗ୍ରହ ବିଶେଷ ବାଧା ପାଇବ ଏବଂ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ସମ୍ବଳ ଅଭାବ ଘଟିବ। ଦୁଇରେ ପଟ୍ରୋଲ, ଡିଜେଲ୍‌ ଆଦି ଦରରେ ବିଶେଷ ହ୍ରାସ ଘଟିଲେ ସେ ସବୁର ଚାହିଦାରେ ବୃଦ୍ଧି ଘଟି ତୈଳ ଆମଦାନିରେ ବୃଦ୍ଧି ଘଟିବ। ତାହା ଦେଶର ଚଳନ୍ତି ହିସାବ ନିଅଣ୍ଟକୁ ଆହୁରି ଗୁରୁତର କରିବ ଓ ଟଙ୍କାାର ବିନିମୟ ମୂଲ୍ୟ ଉପରେ ଚାପ ସୃଷ୍ଟି କରିବ। ତିନିରେ ପେଟ୍ରୋଲ, ଡିଜେଲ ଆଦି ହେଉଛନ୍ତି ଅତ୍ୟନ୍ତ ପ୍ରଦୂଷଣକାରୀ ପଦାର୍ଥ। ନିକଟ ଭବିଷ୍ୟତରେ ଭାରତ ଏ ସବୁକୁ ପରିତ୍ୟାଗ କରି ଅକ୍ଷୟ ଶକ୍ତି ବ୍ୟବହାର ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଏବେ ସେ ସବୁର ବ୍ୟବହାରକୁ ପ୍ରୋତ୍ସାହନ ନ ଦେବା ପରସ୍ପର ବିରୋଧୀ ନୀତିରେ ପରିଣତ ହେବ। ତେଣୁ ସରକାର ଟିକସ ହ୍ରାସ ପାଇଁ କୁଣ୍ଠିତ ହେଉଛନ୍ତି। ତେବେ ରାଜନୀତି ପାଇଁ ଏହା ହାନିକାରକ ହୋଇପାରେ। ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ଟ୍ଵିଟର୍‌ ଧମକରେ ଡରିଯାଇ ସାଉଦୀ ଆରବ ଓ ତୈଳ ରପ୍ତାନିକାରୀ ସଂଗଠନ ‘ଓପେକ୍‌’ ତୈଳ ଦର ବୃୃଦ୍ଧିରେ ଯେଉଁ ଲଗାମ ଦେବାକୁ ଆରମ୍ଭ କଲେଣି, ତାହା ମୋଦୀ ସରକାରକୁ ସାମାନ୍ୟ ଆଶ୍ୱସ୍ତି କରିପାରେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.