ସୂକ୍ଷ୍ମ ସ˚କେତ

ଆମ ସମୟର ଜଣେ ପ୍ରଖ୍ୟାତ ଭାରତୀୟ ସାମ୍ବାଦିକ ତଥା ସ˚ପାଦକ ଶେଖର ଗୁପ୍ତା ଥରେ କୌଣସି ଏକ ରାଜନୈତିକ ପ୍ରସଙ୍ଗ ପରିପ୍ରେକ୍ଷୀରେ କହିଥିଲେ ଯେ ‘ଆମ୍‌ ଆଦ୍‌ମି ପାର୍ଟି’ ବା ‘ଆପ୍‌’ ହେଉଛି ଆଜିକାର ସବୁଠାରୁ ସଫଳ ରାଜନୈତିକ ‘ଷ୍ଟାର୍ଟ ଅପ୍‌’। ୨୦୧୩ ମସିହାରେ ଦିଲ୍ଲୀ ପ୍ରଦେଶର କ୍ଷମତା ରାଜନୀତିରେ ପ୍ରବେଶ କରିଥିବା ସେ ସମୟର ଏହି ସଦ୍ୟଜାତ ଦଳଟି କିଛି ସମୟ ତାର ବାଲ୍ୟକାଳୀନ ଚାପଲ୍ୟ ପ୍ରଦର୍ଶନ କଲା ପରେ ଏଭଳି ଏକ ଶିଶୁ ରୂପେ ଏବେ ବିଦ୍ୟମାନ, ଯାହା ନିକଟରେ ଭବିଷ୍ୟତ୍‌ ଲାଗି ଅନେକ ସମ୍ଭାବନା ଦେଖିହୁଏ। ସେହି ଦୃଷ୍ଟିରୁ ଶେଖର ଗୁପ୍ତାଙ୍କ ମନ୍ତବ୍ୟରେ ଯଥାର୍ଥତା ରହିଛି। ଏବ˚ ଏହା କହିବା ବେଳେ ଆମ ହାତରେ ଦିଲ୍ଲୀ ବିଧାନସଭା ନିର୍ବାଚନର ସଦ୍ୟ ପ୍ରକାଶିତ ଯେଉଁ ଫଳାଫଳ ରହିଛି, ତହିଁରେ ପରାକ୍ରମୀ ବିଜେପି ବିରୋଧରେ ଆପ୍‌ର ବିଜୟରେ ବାଇବେଲ୍‌ ବର୍ଣ୍ଣିତ ଅତିକାୟ ଗୋଲିଆଥ୍‌ ବିପକ୍ଷରେ କ୍ଷୁଦ୍ରକାୟ ଡେଭିଡ୍‌ ଜୟଯୁକ୍ତ ହେବାର ସାଦୃଶ୍ୟ ପରିଲକ୍ଷିତ ହେଉଛି। କହିବା ବାହୁଲ୍ୟ ଯେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଜିଣିବା ବିଜେପି ଲାଗି ଅତ୍ୟନ୍ତ ଜରୁରୀ ଥିଲା। ୨୦୧୯ ସାଧାରଣ ନିର୍ବାଚନର ବିପୁଳ ବିଜୟ ପରେ ‘ଅନତିକ୍ରମ୍ୟ’ ବୋଲି ବିଜେପି ଯେଉଁ ଭାବମୂର୍ତ୍ତି ଧାରଣ କରିଥିଲା, ତାହା ପରବର୍ତ୍ତୀ କାଳରେ ଅନୁଷ୍ଠିତ କିଛି ରାଜ୍ୟ ନିର୍ବାଚନରେ ମଳିନ ପଡ଼ିବାକୁ ଆରମ୍ଭ କଲା। ଦିଲ୍ଲୀ ନିର୍ବାଚନର ପୂର୍ବବର୍ତ୍ତୀ ଝାଡ଼ଖଣ୍ତ ନିର୍ବାଚନରେ ଦଳ ଶୋଚନୀୟ ଭାବେ ପରାଜିତ ହୋଇ ଶାସନ କ୍ଷମତାରୁ ବହିଷ୍କୃତ ହେବା ପରେ ଦିଲ୍ଲୀ ଭଳି ଆକାର ଦୃଷ୍ଟିରୁ କ୍ଷୁଦ୍ର ଏବ˚ କ୍ଷମତା ଦୃଷ୍ଟିରୁ ଅସ˚ପୂର୍ଣ୍ଣ ରାଜ୍ୟର ନିର୍ବାଚନ ଜିଣିବା ଦଳ ଲାଗି ସ୍ବାଭାବିକ ଭାବେ ‘କର ବା ମର’ର ପ୍ରଶ୍ନରେ ପରିଣତ ହୋଇଥିଲା। ସେହି କାରଣରୁ ଦିଲ୍ଲୀରେ ନିର୍ବାଚନ ପ୍ରଚାର ସମୟରେ ବିଜେପି ଯେଉଁଭଳି ଚରମ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଥିଲା, ତାହା ଥିଲା ଅଭୂତପୂର୍ବ। କେବଳ ସେତିକି ନୁହେଁ, ୨୦୧୯ ସାଧାରଣ ନିର୍ବାଚନରେ ‘ରାଷ୍ଟ୍ରବାଦ’ର ‘ସ୍ପ୍ରି˚ ବୋର୍ଡ‌୍‌’ ଉପରୁ ନିଜର ବିଜୟକୁ ଲମ୍ଫ ପ୍ରଦାନ କରିଥିବା ବିଜେପି କ୍ଷମତାସୀନ ହେବା ପରେ ଧାରା ୩୭୦ର ଉଚ୍ଛେଦ ଏବ˚ ‘ସିଏଏ’ ପ୍ରବର୍ତ୍ତନ ଜନିତ ଏକ ଉଷ୍ମ ବାତାବରଣରେ ରାଷ୍ଟ୍ରବାଦ ସହିତ ସା˚ପ୍ରଦାୟିକତାବାଦକୁ ଯୋଡ଼ି ଦିଲ୍ଲୀ ନିର୍ବାଚନରେ ତାର ଏକ ପ୍ରୟୋଗ ବା ପରୀକ୍ଷଣ ଆରମ୍ଭ କରିଥିଲା। ସୁତରା˚, ନିର୍ବାଚନରେ ବିଜୟ ଲାଭ କରିବା ଆହୁରି ଜରୁରୀ ହୋଇପଡ଼ିଥିଲା। କାରଣ ‘ରାଷ୍ଟ୍ରବାଦ- ସା˚ପ୍ରଦାୟିକତାବାଦ’ର ଏହି ସା˚ପଲ୍‌ ପରୀକ୍ଷଣର ସଫଳତା ପରେ ‘ବ୍ରାଣ୍ତ୍‌’ଟି ଏକ ବିଶାଳ ବଜାରରେ ପ୍ରବେଶ କରିଥାଆନ୍ତା। ଅପରପକ୍ଷରେ ଦିଲ୍ଲୀରେ କ୍ଷମତାରେ ଥିବା ‘ଆପ୍‌’ ନିଜ ଶାସନ କାଳର ପ୍ରଦର୍ଶନକୁୁ ଆଧାର କରି ନିର୍ବାଚନକୁ ଓହ୍ଲାଇଥିଲା। ତେଣୁ, ଶାହିନବାଗ ସତ୍ତ୍ବେ, ଏକ ଦେଶଦ୍ରୋହୀଙ୍କ ଦଳ ଭାବେ ‘ଆପ୍‌’ ଉପରେ ଆରୋପ ଲଗାଯିବା ସତ୍ତ୍ବେ, ଅରବିନ୍ଦ କେଜ୍ରିୱାଲଙ୍କ ଘୃଣ୍ୟ ଚରିତ୍ର ସଂହାର ସତ୍ତ୍ବେ ଦିଲ୍ଲୀବାସୀ ପ୍ରଦାନ କରିଥିବା ଉତ୍ତରରେ ବିଜେପି ଆପାତତଃ ସେମାନଙ୍କ ସକାଶେ ଅଗ୍ରହଣୀୟ ବୋଲି ଜଣାଇ ଦେଇଛନ୍ତି। ଏହି ନିର୍ବାଚନରେ ୭୦ଟି ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ‘ଆପ୍‌’ ୬୨ଟି ଆସନ(ପୂର୍ବ ଥର ଠାରୁ ୫ଟି କମ୍‌) ଏବ˚ ବିଜେପି ୮ଟି ଆସନ(ପୂର୍ବ ଥର ତୁଳନାରେ ୫ଟି ଅଧିକ) ଲାଭ କରିଥିବା ବେଳେ କ˚ଗ୍ରେସ ସମେତ ଅନ୍ୟ ଦଳଗୁଡ଼ିକ କୌଣସି ଆସନ ପାଇ ନାହାନ୍ତି। ଏହି ପରିପ୍ରେକ୍ଷୀରେ ଏ ନିର୍ବାଚନ ଅନେକ ବାର୍ତ୍ତା ପ୍ରଦାନ କରିଥାଏ, ଯାହା ଅନ୍ତରଙ୍ଗ ଅନୁଧୢାନର ଅପେକ୍ଷା ରଖେ।
ପ୍ରସିଦ୍ଧ ଇ˚ରେଜୀ ନାଟ୍ୟକାର ଵିଲିଅମ ସେକ୍‌ସପିଅରଙ୍କ ପ୍ରସିଦ୍ଧ ଟ୍ରାଜେଡି ‘ହାମଲେଟ୍‌’ରେ ମୁଖ୍ୟ ଚରିତ୍ର ହାମଲେଟ୍‌ ତାଙ୍କ ବନ୍ଧୁ ହୋରେସିଓଙ୍କ ଉଦ୍ଦେଶ୍ୟରେ କହିଥିବା ଏକ ବହୁଳ ଭାବେ ଉଦ୍ଧୃତ ବାକ୍ୟର ଓଡ଼ିଆ ଭାଷାନ୍ତର ହେଲା: ହୋରେସିଓ, ଏ ପୃଥିବୀ ଏବ˚ ନଭମଣ୍ତଳରେ ଏମିତି ଅନେକ କଥା ରହିଛି, ଯାହା ସମ୍ବନ୍ଧରେ ତୁମର ଦର୍ଶନ ବା ଜ୍ଞାନ କଳ୍ପନା ସୁଦ୍ଧା କରିପାରିବ ନାହିଁ। ଏଣୁ ପ୍ରଥମେ ବିଜେପିର ଚିରାଚରିତ ଜ୍ଞାନର ପରିଧି ବାହାରେ ରହିଥିବା ଅନେକ ବିଷୟକୁ ବୁଝିବା ଲାଗି ଉପଲବ୍‌ଧ ସୂକ୍ଷ୍ମ ସ˚କେତର ଅନୁଶୀଳନ କରାଯିବା ଆବଶ୍ୟକ। ଗତ ଦିଲ୍ଲୀ ନିର୍ବାଚନ ତୁଳନାରେ ଏଥର ବିଜେପି ତାର ଆସନ ସ˚ଖ୍ୟା ଏବ˚ ଭୋଟ ଶତା˚ଶରେ ବୃଦ୍ଧି ହାସଲ କରିଥିବା ସତ୍ତ୍ବେ ଦଳ ପକ୍ଷରୁ କରାଯାଇଥିବା ପ୍ରୟାସ ତୁଳନାରେ ଏହା ମାମୁଲି ସ୍ତରର ବୋଲି ସ୍ବୀକାର କରିବାକୁ ହେବ। ଏଥିରୁ ହୃଦ୍‌ବୋଧ ହେବା ଦରକାର ଯେ ଭାରତୀୟ ରାଜନୀତିରେ ସା˚ପ୍ରଦାୟିକତାର ଅଶ୍ବ ଦୌଡ଼ିବା ଲାଗି ବୋଧହୁଏ ଏ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ। କିନ୍ତୁ ଏ ଅବବୋଧ ତଳେ ରହିଥିବା ଏକ ସୂକ୍ଷ୍ମ ସ˚କେତ ହେଲା ଏହା ଯେ ଅମିତ ଶାହଙ୍କ ‘ବ୍ରାଣ୍ତ୍‌’ର ଆକ୍ରମଣାତ୍ମକ ରାଜନୀତି କେନ୍ଦ୍ର ଶାସନ ସକାଶେ ଯଥାର୍ଥ ବୋଲି ଭାରତୀୟ ନାଗରିକମାନେ ହୁଏତ ବିଚାର କରୁଥାଇ ପାରନ୍ତି, କିନ୍ତୁ ନିଜ ନିଜ ରାଜ୍ୟ ଯେଉଁଠି ସେମାନଙ୍କ ଜୀବନ ଧାରା ଅତ୍ୟନ୍ତ ଅନ୍ତରଙ୍ଗ ଭାବେ ପ୍ରବାହିତ, ସେଠାରେ ଏହା ଅକାରଣ ଉଦ୍‌ବେଳନ ସୃଷ୍ଟିକାରୀ ଭାବେ ପରିତ୍ୟଜ୍ୟ ବୋଲି ସେମାନଙ୍କ ଧାରଣା। ଉଦାହରଣ ସ୍ବରୂପ ବିବଦମାନ ‘ଏନ୍‌ଆର‌୍‌ସି’କୁ ଦେଶର ସର୍ବତ୍ର ପ୍ରବର୍ତ୍ତନ କରାଯିବା ନେଇ କେନ୍ଦ୍ର ସରକାରଙ୍କ କଠୋର ଘୋଷଣା ବିରୋଧରେ ଅନେକ ରାଜ୍ୟ ସରକାରଙ୍କ ସ୍ବର ଉତ୍ତୋଳନ ଏକ ଢାଲ ରୂପେ (ଅଯଥା ଉତ୍ତେଜନା ଚାହୁ ନ ଥିବା) ଅନେକ ନାଗରିକଙ୍କୁ ଆଶ୍ବସ୍ତ କରିଛି। କୌଣସି ବିଜେପି ଶାସିତ ରାଜ୍ୟରେ ଏହା ସମ୍ଭବ ହୁଅନ୍ତା ନାହିଁ। ପୁଣି ସେତିକି ନୁହେଁ, କୌଣସି ଏକ ରାଜ୍ୟର ଗୂଢ଼ ସମସ୍ୟାର ସମାଧାନ ବା ରାଜ୍ୟର ସ୍ବାର୍ଥ ରକ୍ଷା କେବଳ ଗୋଟିଏ ଆଞ୍ଚଳିକ ଦଳ ଦ୍ବାରା ସମ୍ଭବ ବୋଲି ଧାରଣାଟିଏ କ୍ରମେ ବଦ୍ଧମୂଳ ହେବାରେ ଲାଗିଛି, ଯାହାର ପ୍ରମାଣ ଏବର ଅନେକ ରାଜ୍ୟ ନିର୍ବାଚନରେ ପରିଦୃଷ୍ଟ। ଦିଲ୍ଲୀ ନିର୍ବାଚନ ଫଳାଫଳରୁ ଏହି ଆଧାରରେ କିଛି ସ˚କେତକୁ ପଢ଼ିବାର ଉଦ୍ୟମ ବିଜେପି ପକ୍ଷରୁ କରାଯିବା ଉଚିତ।
ଏହି ନିର୍ବାଚନରେ କ˚ଗ୍ରେସକୁ ‘ଆପ୍‌’ର ଏକ ମିତ୍ର ପକ୍ଷ ଭଳି ଆଚରଣ କରିଥିବା ଦେଖିବାକୁ ମିଳିଲା। ଏଥିରେ କ˚ଗ୍ରେସର ନିର୍ବାଚନ ପ୍ରଚାର ଅତ୍ୟନ୍ତ ପ୍ରଭାବଶୂନ୍ୟ ଥିଲା। ଏହା ପଛରେ ନିହିତ ଥିଲା ବିଜେପିକୁ ଶାସନରୁ ବାହାରେ ରଖିବା ଲାଗି କ˚ଗ୍ରେସର ଏକମାତ୍ର ଉଦ୍ଦେଶ୍ୟ। ସୁତରା˚, ନିଜର ଦୁର୍ବିପାକ ସତ୍ତ୍ବେ କ˚ଗ୍ରେସ ସଫଳ ହୋଇଛି। ତେବେ ୨୦୧୪ରୁ ଆଜି ମଧୢରେ କ˚ଗ୍ରେସର ଦୁର୍ଦଶାର ଧାରା ସତ୍ତ୍ବେ ଦଳ ଓ ତାର ଭବିଷ୍ୟତ୍‌ ଲାଗି ଯେଉଁ ଏକ ସକରାତ୍ମକ ପରିଣାମ ଦେଖିବାକୁ ମିଳିଛି, ତାହା ହେଲା ଦଳର ଅହ˚କାରରେ ପତନ। ଦେଖିବାକୁ ମିଳୁଛି ଯେ ମୁଖ୍ୟ ଚରିତ୍ରରେ ଅବତୀର୍ଣ୍ଣ ହେବାର ଜିଦିରୁ ମୁକ୍ତ ହେବା ସହିତ ପ୍ରଭାବଶୂନ୍ୟ ପାର୍ଶ୍ବ ଚରିତ୍ରର ଭୂମିକାରେ ଦେଖା ଦେବାର ପରିପକ୍ବତା ପ୍ରଦର୍ଶନ କରି କ˚ଗ୍ରେସ କୌଣସିମତେ ନାଟକରେ ତିଷ୍ଠି ରହିବାକୁ ପ୍ରୟାସରତ। କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାର ଗଠନରେ କ˚ଗ୍ରେସର ଭୂମିକା ଏଭଳି ମନୋଭାବର ଏକ ଉଦାହରଣ। ଦିଲ୍ଲୀ ନିର୍ବାଚନ ବେଳେ ମଧୢ କ˚ଗ୍ରେସର ସେହିଭଳି ଏକ ଆଭିମୁଖ୍ୟ ଦୃଷ୍ଟିଗୋଚର ହୋଇଛି। ତୋଫାନ ସମୟରେ ନଇଁ ଯାଇ ଅସ୍ତିତ୍ବ ବଞ୍ଚାଇ ରଖି ପାରିଲେ ପୁଣି ଭିବଷ୍ୟତ୍‌ରେ ହୁଏ’ତ ଶକ୍ତିଶାଳୀ ଭାବେ ଛିଡ଼ା ହେବା ଲାଗି ସୁଯୋଗ ଆସିପାରେ। କ˚ଗ୍ରେସ ସମ୍ବନ୍ଧରେ ଯେତେ ଯାହା କୁହାଗଲେ ମଧୢ ଏହା ଅନସ୍ବୀକାର୍ଯ୍ୟ ଯେ ରାଷ୍ଟ୍ରୀୟ ସ୍ତରରେ କ˚ଗ୍ରେସ ଏବେ ସୁଦ୍ଧା ଦ୍ବିତୀୟ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଦଳ। ଗଲା ସାଧାରଣ ନିର୍ବାଚନରେ ବିଜେପି ୨୩ କୋଟି ଭୋଟ ପାଇଥିବା ବେଳେ କ˚ଗ୍ରେସ ୧୩ କୋଟି ଭୋଟ ଲାଭ କରି ଦ୍ବିତୀୟ ସ୍ଥାନରେ ଥିଲା। ତେବେ, କ˚ଗ୍ରେସ ଭଳି ଏକ ଦଳ ଲାଗି ପାର୍ଶ୍ବ ଚରିତ୍ରରେ ଅବତୀର୍ଣ୍ଣ ହେବା ଏକ ଅଭ୍ୟାସରେ ପରିଣତ ନ ହେଉ।
ଶେଷରେ ଆମ ସମୟର ସବୁଠାରୁ ସଫଳ ରାଜନୈତିକ ଷ୍ଟାର୍ଟ ଅପ୍‌ ‘ଆପ୍‌’ ତାର ନିର୍ବାଚନ ଫଳାଫଳ ଜରିଆରେ ସେହି ପ୍ରାଚୀନ ଆପ୍ତ ବାକ୍ୟକୁ ସାବ୍ୟସ୍ତ କରିଛି ଯେ ପରିଶ୍ରମ ଉତ୍ତମ ଫଳ ପ୍ରଦାନ କରିଥାଏ। ଏହି ନିର୍ବାଚନ ସଂଦର୍ଭରେ କେନ୍ଦ୍ର ସରକାରଙ୍କ ‘କୋଳାଶ୍ରିତ’ କିଛି ଗଣମାଧ୍ୟମ ‘ଏକ୍‌ଜିଟ୍‌ ପୋଲ୍’ର ଫଳାଫଳ ଉପରେ ମନ୍ତବ୍ୟ ଦେଇ କହିବାର ଶୁଣା ଯାଇଥିଲା ଯେ ‘ଏକ୍‌ଜିଟ୍‌’ ପୋଲ ସତ ହେବ ନାହିଁ, କାରଣ ଦିଲ୍ଲୀବାସୀ ନିର୍ବୋଧ ନୁହନ୍ତି। କିନ୍ତୁ ପ୍ରକୃତରେ ‘ଏକ୍‌ଜିଟ୍‌ ପୋଲ୍‌’ ହିଁ ଠିକ୍‌ ସାବ୍ୟସ୍ତ ହେଲା। ଏବ˚ ଏହି ‘କୋଳାଶ୍ରିତ’ ସାମ୍ବାଦିକ ଓ ବ୍ୟାଖ୍ୟାକାରମାନଙ୍କ ଆକଳନର ବିପରୀତରେ ଯାଇ ଏହା ସୂଚାଇ ଦେଲା ଯେ ଭାରତୀୟ ଭୋଟରମାନେ ଅତ୍ୟନ୍ତ ପରିପକ୍ବ।

ସମ୍ବନ୍ଧିତ ଖବର