ଚାନ୍ଦର ଶଶା

0 93

ଚନ୍ଦା କୋଛାର୍‌, ଶିଖା ଶର୍ମା, ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ- ଏମାନେ ହେଉଛନ୍ତି ଭାରତରେ ନାରୀ ଶକ୍ତିର ସର୍ବଶ୍ରେଷ୍ଠ ଉଦାହରଣମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ଥିବା କେତୋଟି ନାମ। ଏକ ବିଶେଷ କାରଣରୁ ଏମାନେ ଏଭଳି ସମ୍ମାନ ପାଇଁ ବିଶେଷ ଭାବରେ ହକ୍‌ଦାର। କେତେକ ବୃତ୍ତି ବା କର୍ମକ୍ଷେତ୍ର ପାଇଁ ନାରୀମାନେ ସ୍ୱାଭାବିକ ଭାବରେ ଉପଯୁକ୍ତ ନୁହନ୍ତି ବୋଲି ଏକ ପାରମ୍ପରିକ ଧାରଣା ସବୁ ସମାଜରେ ବଦ୍ଧମୂଳ ହୋଇ ରାଜୁତି କରି ଆସିଛି: ମହିଳାମାନେ ଭଲ ଚିତ୍ରକର, ସଙ୍ଗୀତଜ୍ଞ, ଶଲ୍ୟ ଚିକିତ୍ସକ… ହୋଇ ପାରନ୍ତି ନାହିଁ। ସେହିପରି ବିତ୍ତୀୟ କ୍ଷେତ୍ରରେ ମଧ୍ୟ ମହିଳାମାନେ ପାରଦର୍ଶିତା ପ୍ରଦର୍ଶନ କରିପାରନ୍ତି ନାହିଁ ବୋଲି ଚିରାଚରିତ ଭାବେ ବିଶ୍ୱାସ କରାହୋଇ ଆସିଛି। କାରଣ, ବିଶ୍ୱାସ ବଳବତ୍ତର ରହି ଆସିଛି ଯେ ମହିଳାମାନେ ହେଉଛନ୍ତି ପ୍ରକୃତିଦତ୍ତ କାରଣରୁ ଗଣିତ, ହିସାବନିକାସ ଆଦିରେ ଦୁର୍ବଳ। ବିତ୍ତୀୟ କ୍ଷେତ୍ରରେ ଯେହେତୁ ଏହି ଶୁଷ୍କ ଦକ୍ଷତା ଅଧିକ ଆବଶ୍ୟକ ହୋଇଥାଏ, ନାରୀମାନେ ତେଣୁ ସେଆର୍‌ ବଜାରରୁ ବ୍ୟାଙ୍କିଙ୍ଗ୍‌ ପର୍ଯ୍ୟନ୍ତ କ୍ଷେତ୍ର ମାନଙ୍କରେ ସକ୍ରିୟ ଭୂମିକା ନିର୍ବାହ କରିବା ଦେଖାଯିବା ଅତ୍ୟନ୍ତ ବିରଳ ହୋଇଥାଏ।

ନାରୀମାନଙ୍କ ପ୍ରତି ରହିଥିବା ଏହି ପାରମ୍ପରିକ ଆଭିମୁଖ୍ୟ ଯେ ସମ୍ପୂର୍ଣ୍ଣ ଭ୍ରମାତ୍ମକ, ଭାରତରେ ଯଦି କେହି ଏହାକୁ ସବୁଠାରୁ ଶକ୍ତିଶାଳୀ ଢଙ୍ଗରେ ସାବ୍ୟସ୍ତ କରିଥାନ୍ତି, ସେମାନେ ହେଉଛନ୍ତି ଉପରଲିଖିତ ଏଇ ତିନିଜଣ ନାରୀ ଯେଉଁମାନେ ଏକ ସମୟରେ ଦେଶର ତିନିଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଶାଳ ବ୍ୟାଙ୍କ୍‌ର ଶୀର୍ଷ ସ୍ଥାନ ଦଖଲ କରି ରହିଥିଲେ- ଆଇସିଆଇସିଆଇ ବ୍ୟାଙ୍କ୍‌, ଆକ୍ସିସ୍‌ ବ୍ୟାଙ୍କ୍‌ ଓ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ। ଆଉ ଏମାନଙ୍କ ମଧ୍ୟରେ ଯଦି କିଏ ସବୁଠାରୁ ଅଧିକ ଉଜ୍ଜ୍ୱଳ ହୋଇ ଜହ୍ନ ପରି ଝଟକୁ ଥିଲେ, ସେ ହେଉଛନ୍ତି ନିଜର ନାମକୁ ସାର୍ଥକ କରୁଥିବା ଚନ୍ଦା କୋଛାର୍‌। ଆଇସିଆଇସିଆଇ ବ୍ୟାଙ୍କ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ରହି ଆସିଥିବା ଚନ୍ଦା କେବଳ ଯେ ତାହାକୁ ଦେଶର ବୃହତ୍ତମ ଘରୋଇ କ୍ଷେତ୍ର ବ୍ୟାଙ୍କ୍‌ରେ ପରିଣତ କରିବାରେ ସଫଳ ହୋଇଥିଲେ, ତାହା ନୁହେଁ, ଏହାକୁ ବ୍ୟାଙ୍କ୍‌ ପରିଚାଳନା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନର ଅନୁକରଣୀୟ ଉଦାହରଣରେ ପରିଣତ କରିଥିଲେ। ଗ୍ରାହକମାନଙ୍କୁ ସନ୍ତୋଷଜନକ ସେବା ପ୍ରଦାନ ପାଇଁ ଏହି ବ୍ୟାଙ୍କ୍‌ ଯେଉଁଭଳି ଖ୍ୟାତି ଅର୍ଜନ କରିଥିଲା, ନିରବଚ୍ଛିନ୍ନ ଭାବରେ ଲାଭ ଅର୍ଜନ କରି ନିବେଶକ ମାନଙ୍କର ସେଇଭଳି ବିଶ୍ୱାସ ଭାଜନ ହୋଇଥିଲା। ଏଥିପାଇଁ ଚନ୍ଦା କୋଛାର୍‌ ନିଜେ ଏକ ବ୍ରାଣ୍ଡ୍‌ରେ ପରିଣତ ହୋଇଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ।

ତେଣୁ ଆଶ୍ଚର୍ଯ୍ୟ ନହୋଇ ରହି ହୁଏ ନାହିଁ ଯେ ସେଇ ଚନ୍ଦା କୋଛାର ବର୍ତ୍ତମାନ ଏପରି ନିଜର ଆଭା ହରାଇ ଅଲୋଡ଼ା ହୋଇ ପଡ଼ିଛନ୍ତି ଯେ ଜୁନ୍‌ ପହିଲା ଦିନ ଯେତେବେଳେ କେତେକ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଲା ଯେ ଆଇସିଆଇସିଆଇ ବ୍ୟାଙ୍କ୍‌ର ସ୍ୱାଧୀନ ନିର୍ଦ୍ଦେଶକମାନେ (ଇଣ୍ଡିପେଣ୍ଡେଣ୍ଟ୍‌ ଡିରେକ୍ଟର୍‌ସ) ଏକ ସ୍ୱାଧୀନ ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ଚନ୍ଦା କୋଛାର୍‌ଙ୍କୁ କେନ୍ଦ୍ର କରି ଆଗତ ଅଭିଯୋଗସବୁର ତଦନ୍ତ ସମାପ୍ତ ହେବା ପର୍ଯ୍ୟନ୍ତ କୋଛାର୍‌ଙ୍କୁ ଛୁଟିରେ ଚାଲିଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ସେତେବେଳେ ସେଆର୍‌ ବଜାରରେ ସେହି ବ୍ୟାଙ୍କ୍‌ର ସେଆର୍‌ର ମୂଲ୍ୟରେ ୫% ପାଖାପାଖି ବୃଦ୍ଧି ଘଟିବା ଦେଖାଗଲା। ଅର୍ଥାତ୍‌ ଚନ୍ଦା କୋଛାର୍‌ଙ୍କର ଦଣ୍ଡମୂଳକ ପ୍ରସ୍ଥାନ ଆଇସିଆଇସିଆଇ ବ୍ୟାଙ୍କ୍‌ ପାଇଁ ହିତକର ହେବ ବୋଲି ନିବେଶକମାନେ ବିଶ୍ୱାସ କରନ୍ତି। ଆମୋଦଦାୟକ ଭାବରେ, ଆଇସିଆଇସିଆଇ ବ୍ୟାଙ୍କ୍‌ ଯେତେବେଳେ ଉପରୋକ୍ତ ରିପୋର୍ଟକୁ ଖଣ୍ଡନ କରି ସ୍ପଷ୍ଟୀକରଣ ପ୍ରଦାନ କଲା ଯେ ଚନ୍ଦା କୋଛାର୍‌ଙ୍କୁ ଛୁଟିରେ ଯିବା ପାଇଁ କେହି ନିର୍ଦ୍ଦେଶ ଦେଇ ନାହାନ୍ତି, ସେ ତାଙ୍କର ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ନିଜର ବାର୍ଷିକ ଛୁଟି ଉପଭୋଗ କରିବାକୁ ଯାଉଛନ୍ତି, ତାହାର ପ୍ରତିକ୍ରିୟାରେ ସେଆର୍‌ ବଜାରରେ ସେ ବ୍ୟାଙ୍କ୍‌ର ସେଆର୍‌ ମୂଲ୍ୟରେ ଯେତିକି ବୃଦ୍ଧି ଘଟିଥିଲା ତାହା ଉଭେଇ ଗଲା। ସୋମବାର ଦିନ ଯେତେବେଳେ ସୁରାକ୍‌ ମିଳିବାକୁ ଆରମ୍ଭ କଲା ଯେ ଆଇସିଆଇସିଆଇ ପ୍ରୁଡେନ୍‌ସିଆଲ୍‌ ଲାଇଫ୍‌ ଇନ୍‌ସ୍ୟୁରାନ୍‌ସ ଲିମିଟେଡ୍‌ର ସିଇଓ ସନ୍ଦୀପ ବକ୍ସିଙ୍କୁ ଚନ୍ଦା କୋଛାର୍‌ଙ୍କ ଅନୁପସ୍ଥିତିରେ ଆଇସିଆଇସିଆଇ ବ୍ୟାଙ୍କ୍‌ର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ରୂପେ ନିଯୁକ୍ତ କରାଯିବ, ଆଇସିଆଇସିଆଇ ବ୍ୟାଙ୍କ୍‌ର ସେଆର୍‌ ମୂଲ୍ୟରେ ପୁଣି ୪ ଶତାଂଶରୁ ଅଧିକ ବୃଦ୍ଧି ଘଟିବା ଦେଖାଗଲା। ବକ୍ସିଙ୍କୁ ଏବେ ଏକ ନୂତନ ପଦବି ‘ସିଓଓ’ ସୃଷ୍ଟି କରାଯାଇ ନିଯୁକ୍ତ କରାଯାଇଛି ଏବଂ ଚନ୍ଦା କୋଛାର୍‌ ଆଉ ନିଜର ପୂର୍ବ ସ୍ଥାନକୁ ଫେରିବେ କି ନାହିଁ ତାହା ବର୍ତ୍ତମାନ ଅନିଶ୍ଚିତ।

ଚାନ୍ଦରେ ଏପରି କଳଙ୍କ ଲାଗିଲା କିପରି? ଏହାର ଉତ୍ତର ବର୍ତ୍ତମାନ ସର୍ବସାଧାରଣରେ ବହୁଳ ଚର୍ଚ୍ଚିତ। ଏହା ଦେଖିଲେ ଆଉ ଏକ ରୋଚକ ତଥ୍ୟ ସାମନାକୁ ଆସିଥାଏ। ତାହା ହେଲା, ଚନ୍ଦା କୋଛାର୍‌ ଯେପରି ପ୍ରମାଣ କରିଥିଲେ ଯେ ବିତ୍ତୀୟ ପାରଦର୍ଶିତାରେ ନାରୀମାନେ ପୁରୁଷଙ୍କ ଠାରୁ କିଛି କମ୍‌ ନୁହନ୍ତି, ସେ ଜଡ଼ିତ ଥିବା କେଳେଙ୍କାରୀ ସେମିତି ପ୍ରମାଣ କରୁଛି ଯେ ପୁରୁଷ (ପତି) ଦୁର୍ନୀତିଗ୍ରସ୍ତ ହେବା ପାଇଁ ନାରୀ (ପତ୍ନୀ)କୁ ଯେମିତି ଦାୟୀ କରାଯାଏ, ନାରୀ (ପତ୍ନୀ) ଦୁର୍ନୀତିଗ୍ରସ୍ତ ହେବା ପାଇଁ ପୁରୁଷ (ପତି)କୁ ସେମିତି ଦାୟୀ କରାଯାଇ ପାରିବ। ସଂକ୍ଷେପରେ କହିଲେ, ଅଭିଯୋଗ ଅନୁସାରେ ୨୦୧୨ରେ ଭିଡିଓକନ୍‌ ଗ୍ରୁପ୍‌ ଆଇସିଆଇସିଆଇ ବ୍ୟାଙ୍କ୍‌ରୁ ୩,୨୫୦ କୋଟି ଟଙ୍କାର ଏକ ଲୋନ୍‌ ପାଇଲା। ଏହା ପରେ ପରେ ଭିଡିଓକନ୍‌ ଗ୍ରୁପ୍‌ର ମାଲିକ ବେଣୁଗୋପାଳ ଧୁତ୍‌ ନ୍ୟୁପାଓ୍ଵାର୍‌ ରିନ୍ୟୁଏବ୍ଲସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ କମ୍ପାନିକୁ ୬୪ କୋଟି ଟଙ୍କାର ଏକ ଋଣ ପ୍ରଦାନ କଲେ। ନ୍ୟୁପାଓ୍ଵାର୍‌ କମ୍ପାନିର ୫୦% ମାଲିକ ହେଉଛନ୍ତି ଧୁତ୍‌ ଓ ତାଙ୍କର ସମ୍ପର୍କୀୟମାନେ ଏବଂ ବାକି ୫୦%ର ମାଲିକ ହେଉଛନ୍ତି ଚନ୍ଦା କୋଛାର୍‌ଙ୍କ ସ୍ୱାମୀ ଦୀପକ କୋଛାର୍‌ ଓ ତାଙ୍କ ସମ୍ପର୍କୀୟମାନେ। ୨୦୦୮ରେ ଦୀପକ କୋଛାର୍‌ ଓ ବେଣୁଗୋପାଳ ଧୁତ୍‌ ମିଶି ନ୍ୟୁପାଓ୍ଵାର୍‌ କମ୍ପାନି ପ୍ରତିଷ୍ଠା କରିଥିଲେ। ଆଇସିଆଇସିଆଇ ବ୍ୟାଙ୍କ୍‌ରୁ ଉପରୋକ୍ତ ଲୋନ୍‌ ପାଇବା ପରେ ଭିଡିଓକନ୍‌ ମାଲିକ ବେଣୁଗୋପଳ ଧୁତ୍‌ ନ୍ୟୁପାଓ୍ଵାର୍‌ କମ୍ପାନିର ମାଲିକାନାକୁ ୯ ଲକ୍ଷ ଟଙ୍କା ବଦଳରେ ଏକ ଟ୍ରଷ୍ଟ୍‍କୁ ହସ୍ତାନ୍ତରିତ କରିଦେଲେ, ଯେଉଁ ଟ୍ରଷ୍ଟ୍‍ର ମାଲିକ ହେଉଛନ୍ତି ଦୀପକ କୋଛାର୍‌।

ଏ ସମସ୍ତ ତଥ୍ୟ କେବେ ଲୋକଲୋଚନକୁ ଆସି ନଥାନ୍ତା ଯଦି ବେଣୁଗୋପାଳ ଧୁତ୍‌ ଆଇସିଆଇସିଆଇ ବ୍ୟାଙ୍କ୍‌ରୁ ଆଣିଥିବା ଋଣ ଉପରେ ନିୟମିତ ସୁଧ ପଇଠ କରିଚାଲିଥାନ୍ତେ ଏବଂ କିସ୍ତି ପରିଶୋଧ କରି ଚାଲିଥାନ୍ତେ। କିନ୍ତୁ ଧୁତ୍‌ ସେ ଋଣ ଖିଲାପ କରି ଚାଲିଲେ ଯାହା ଫଳରେ ୨୦୧୭ରେ ଭିଡିଓକନ୍‌ ଲୋନ୍‌କୁ ଆଇସିଆଇସିଆଇ ‘ଏନ୍‌ପିଏ’ ବା ଅଫେରା ଋଣ ଶ୍ରେଣୀଭୁକ୍ତ କରିବାକୁ ବାଧ୍ୟ ହେଲା। ତଦନ୍ତ ଫଳାଫଳ ପ୍ରକାଶ ପାଇବା ପରେ ଏଥିରେ ଚନ୍ଦା କୋଛାର୍‌ଙ୍କ ଭୂମିକା ଆପରାଧିକ ଥିଲା କି ନାହିଁ ଜଣା ପଡ଼ିବ। କିନ୍ତୁ ଯାହା ସାବ୍ୟସ୍ତ ହେବା ପାଇଁ କୌଣସି ଅନୁସନ୍ଧାନର ଆବଶ୍ୟକତା ନାହିଁ, ତାହା ହେଲା- ଦୀପକ ହେଉଛନ୍ତି ଚନ୍ଦାଙ୍କ ସ୍ୱାମୀ, ଦୀପକ ବେଣୁଗୋପାଳଙ୍କ ଦ୍ୱାରା ଉପକୃତ ହୋଇଛନ୍ତି, ବେଣୁଗୋପାଳ ଚନ୍ଦାଙ୍କ ଦ୍ୱାରା ଉପକୃତ ହୋଇଛନ୍ତି। ତେଣୁ ଜହ୍ନର କଳଙ୍କ ଯେପରି ଶଶା, ଆଇସିଆଇସିଆଇ ଚାନ୍ଦର କଳଙ୍କର ସେପରି କୌଣସି ଶଶା ନୁହେଁ, ଜଣେ ପୁରୁଷ, ଯିଏ ହେଉଛନ୍ତି ପତି ଦୀପକ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.