ଏନ୍‌ଆର୍‌ସି-ଅଯଥା ରାଜନୈତିକ କୁସ୍ତି

ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶରେ ଆସାମ ପାଇଁ ପ୍ରସ୍ତୁତ ଜାତୀୟ ନାଗରିକ ରେକର୍ଡ (ଏନ୍‌ଆର୍‌ସି)ର ଚିଠା ପ୍ରକାଶର ପୂର୍ବରୁ ପ୍ରାୟ ସବୁ ମହଲରେ ଆଶଙ୍କା ପ୍ରକାଶ ପାଇଥିଲା ଯେ, ଏନ୍‌ଆର୍‌ସିକୁ ନେଇ ବିଦେଶୀ ଅନୁପ୍ରବେଶକାରୀ ସମସ୍ୟା ସହ ବିଗତ ଗୋଟିଏ ଶତାବ୍ଦୀ ଧରି ଯୁଝି ଆସୁଥିବା ଆସାମରେ ଉତ୍ତେଜନା ପ୍ରକାଶ ପାଇବ, ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ। କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଗଣ୍ଡଗୋଳର ଆଶଙ୍କା କରି ଚୂଡ଼ାନ୍ତ ଏନ୍‌ଆର୍‌ସି ଚିଠା ପ୍ରକାଶନର ଅବ୍ୟବହିତ ପୂର୍ବରୁ ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ଯଥେଷ୍ଟ ସଂଖ୍ୟକ ପୁଲିସ୍‌ ଓ ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରିଥିଲେ। ଚିଠା ନାଗରିକ ତାଲିକା ପ୍ରକାଶ ପାଇଛି ଏବଂ ଆସାମରେ ବସବାସ କରୁଥିବା ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ନାମ ଏଥିରେ ବାଦ୍‌ ପଡ଼ିଛି। କିନ୍ତୁ ଗଣ୍ଡଗୋଳ ଓ ଅଶାନ୍ତିର ଆଶଙ୍କା ଭୁଲ୍‌ ପ୍ରମାଣିତ ହୋଇଛି। ଏନ୍‌ଆର୍‌ସି ଚିଠା ପ୍ରକାଶନର ତିନିଦିନ ବିତି ଯାଇଥିଲେ ସୁଦ୍ଧା ଅବସ୍ଥା ପ୍ରାୟତଃ ଶାନ୍ତିପୂର୍ଣ୍ଣ ରହିଛି। ନାଗରିକ ତାଲିକାରୁ ବାଦ୍‌ ପଡ଼ିଥିବା ଲୋକଙ୍କ ମନରେ କ୍ଷୋଭ ଓ ଅସନ୍ତୋଷ ନିଶ୍ଚୟ ରହିଛି। ଭବିଷ୍ୟତ ନେଇ ଅନିଶ୍ଚିତତା ମଧ୍ୟ ସେମାନଙ୍କୁ ଘାରୁଛି। କିନ୍ତୁ ଧୈର୍ଯ୍ୟର ସହ ସେମାନେ ପରବର୍ତ୍ତୀ ଘଟଣାକ୍ରମକୁ ଅପେକ୍ଷା କରିଛନ୍ତି। ରାଜ୍ୟରେ ଅବସ୍ଥା ଶାନ୍ତ ରହିବା ଓ ବାଦ୍‌ ପଡ଼ିଥିବା ତଥାକଥିତ ‘ବିଦେଶୀ’ଙ୍କ ମଧ୍ୟରେ ଧୈର୍ଯ୍ୟର ମୁଖ୍ୟ କାରଣ ହେଲା ମାନ୍ୟବର ସୁପ୍ରିମ୍‌ କୋର୍ଟ ଓ କେନ୍ଦ୍ର ସରକାରଙ୍କ ଆଶ୍ୱାସନା। ଉଭୟ ଅଦାଲତ ଓ ସରକାର ପ୍ରତିଶ୍ରୁତି ଦେଇଛନ୍ତି ଯେ, ଏନ୍‌ଆର୍‌ସିରୁ ବାଦ୍‌ ପଡ଼ିଥିବା କୌଣସି ବ୍ୟକ୍ତିଙ୍କ ବିରୋଧରେ ତତ୍‌କ୍ଷଣାତ ଦେଶାନ୍ତର କାର୍ଯ୍ୟାନୁଷ୍ଠାନ କରାଯିବ ନାହିଁ। ଯଦି କେହି ଅନ୍ୟାୟର ଶିକାର ହୋଇ ତାଲିକାରୁ ବାଦ୍‌ ପଡ଼ିଥାନ୍ତି, ତେବେ ଅଭିଯୋଗର ଶୁଣାଣି ହେବ ଓ ନ୍ୟାୟ ମିଳିବ। ବାଦ୍‌ ପଡ଼ିଥିବା ୪୦ ଲକ୍ଷଙ୍କ ମଧ୍ୟରୁ ଅଧିକାଂଶ ସୀମା ଆରପଟୁ ବିଦେଶୀ ମୁଲକରୁ ଆସିଥିଲେ ସୁଦ୍ଧା, ଭାରତୀୟ ଆଇନ ଓ ନ୍ୟାୟ ବ୍ୟବସ୍ଥା ଉପରେ ସେମାନଙ୍କ ଆସ୍ଥା ଓ ବିଶ୍ୱାସ ଯୋଗୁ ଅବସ୍ଥା ଶାନ୍ତ ରହିଛି।

ତେବେ, ଦୁର୍ଭାଗ୍ୟଜନକ ବିଡ଼ମ୍ବନା ହେଲା, ଏକ ସ୍ପର୍ଶକାତର ପ୍ରସଙ୍ଗରେ ଆସାମରେ ପରିସ୍ଥିତି ମୋଟାମୋଟି ଶାନ୍ତ ଥିବା ବେଳେ ରାଜନୈତିକ ଦଳମାନେ ପରସ୍ପର କାଦୁଅ ଫିଙ୍ଗାରେ ମାତି ବାତାବରଣରେ ଅଯଥା ଅଶାନ୍ତି ଓ ଉତ୍ତେଜନା ପୂରାଇବା ଲାଗି ଉଦ୍ୟମ ଚଳାଇଛନ୍ତି। ଏନ୍‌ଆର୍‌ସି ଚିଠା ପ୍ରକାଶନ ପରେ ସଂପ୍ରତି ଆସାମରେ ଯେଉଁ ସମସ୍ୟା ଦେଖା ଦେଇଛି, ତାହା ମୁଖ୍ୟତଃ ଜାତୀୟ ନିରାପତ୍ତା ଓ ମାନବିକତା ଦୃଷ୍ଟିକୋଣରୁ ବିଚାରର ଅପେକ୍ଷା ରଖେ। ଅଥଚ, ରାଜନୈତିକ ଦଳମାନେ ପ୍ରସଙ୍ଗକୁ ଜାତୀୟ ନିରାପତ୍ତା କିମ୍ବା ମାନବିକତା ଦୃଷ୍ଟିକୋଣରୁ ନ ଦେଖି ରାଜନୀତିର ଚଷମା ପିନ୍ଧି ଦଳୀୟ ସ୍ୱାର୍ଥ ଦୃଷ୍ଟିରୁ ବିଚାର କରୁଛନ୍ତି। ସଂସଦ ଭିତରେ ଓ ବାହାରେ ନିଜ ନିଜ ଭୋଟବ୍ୟାଙ୍କକୁ ସନ୍ତୁଷ୍ଟ କରିବା ଲକ୍ଷ୍ୟରେ ଦଳମାନଙ୍କ ମଧ୍ୟରେ ଆକ୍ରମଣାତ୍ମକ ବୟାନବାଜିର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ଏହା କେବଳ ବାତାବରଣରେ ଅଯଥା ଅଶାନ୍ତି ଓ ଉତ୍ତେଜନା ସୃଷ୍ଟି କରୁନାହିଁ, ସାଂପ୍ରଦାୟିକତାର ବିଷ ସଂକ୍ରମଣକୁ ମଧ୍ୟ ପ୍ରୋତ୍ସାହିତ କରି ସଂକଟକୁ ଅଧିକ ଘନୀଭୂତ କରିବାରେ ଲାଗିଛି। ଫଳରେ ଜାତୀୟ ନିରାପତ୍ତା, ବିଶେଷକରି ଆଭ୍ୟନ୍ତରୀଣ ସୁରକ୍ଷା ସହ ଯୋଡ଼ି ହୋଇଥିବା ମୂଳ ବିଦେଶୀ ଅନୁପ୍ରବେଶକାରୀ ସମସ୍ୟା ଆଢୁଆଳରେ ରହିଯାଇଛି।

ଏନ୍‌ଆର୍‌ସି କସରତର ମୂଳ ଉଦ୍ଦେଶ୍ୟ ବିଦେଶୀ ଅନୁପ୍ରବେଶକାରୀ ଚିହ୍ନଟ। ଚିଠା ତାଲିକାରେ ସ୍ଥାନ ପାଇ ନଥିବା ସବୁ ୪୦୦୭, ୭୦୭ ଜଣ ଯାକ ଯେ ‘ବିଦେଶୀ’ ଏହା ନିଶ୍ଚିତ କରି କୁହାଯାଇ ପାରିବ ନାହିଁ। ତେବେ, ଏହାର ଅର୍ଥ ନୁହେଁ ଯେ, ଏହି ୪୦ ଲକ୍ଷଙ୍କ ମଧ୍ୟରେ ଆଦୌ ବିଦେଶୀ ନାହାନ୍ତି।

ଚିଠାରେ ନାମ ନଥିବା ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ଅନେକ ଲୋକ ଆସାମର ମୂଳ ବାସିନ୍ଦା। ଅନ୍ୟ ଦେଶରୁ ନୁହେଁ, ଏପରିକି ଭାରତର ଅନ୍ୟ ରାଜ୍ୟମାନଙ୍କରୁ ଆସି ଆସାମରେ ବହୁବର୍ଷ ଧରି ବସବାସ କରି ଆସୁଥିବା ଅନେକ ପରିବାର ତାଲିକାରୁ ବାଦ୍‌ ପଡ଼ିଛନ୍ତି। ଯେମିତି ପୂର୍ବତନ ରାଷ୍ଟ୍ରପତି ଫକିରୁଦ୍ଦିନ୍‌ ଅଲ୍ଲୀ ଅହମ୍ମଦଙ୍କ ପରିବାରର କେତେକ ସଦସ୍ୟ ନାଗରିକ ତାଲିକାରୁ ବାଦ୍‌ ପଡ଼ିଛନ୍ତି। ଏପରି ଅନେକ ଦୃଷ୍ଟାନ୍ତ ରହିଛି, ଯେଉଁଠି ପିତାଙ୍କ ନାମ ଏନ୍‌ଆରସିରେ ରହିଛି ତ ପୁତ୍ରଙ୍କ ନାମ ନାହିଁ। ସ୍ୱାମୀଙ୍କ ନାମ ଅଛି, ଅଥଚ ପତ୍ନୀଙ୍କ ନାମ ବାଦ୍‌ ପଡ଼ିଛି। ପରିବାରର ଜଣେ ଭାଇଙ୍କ ନାମ ତାଲିକାରେ ଥିବା ବେଳେ ଆଉ ଜଣେ ଭାଇ ବାଦ୍‌ ପଡ଼ିଛନ୍ତିି। ସୁପ୍ରିମ୍‌ କୋର୍ଟଙ୍କ ଚାପରେ ତରବରିଆ ଯୋଗୁ ହେଉ କିମ୍ବା ନାଗରିକତ୍ୱ ପ୍ରମାଣ ପାଇଁ ଆବଶ୍ୟକ ଅନ୍ୟାନ୍ୟ ଦସ୍ତାବିଜ ଦେବାରେ କେତକଙ୍କ ଅକ୍ଷମତା କାରଣରୁ ହେଉ, ଅନେକ ‘ପ୍ରକୃତ ନାଗରିକ’ ତାଲିକାରୁ ବାଦ୍‌ ପଡ଼ିଛନ୍ତି। ଏମାନଙ୍କ ପାଇଁ ନାଗରିକତ୍ୱର ପ୍ରମାଣ ଦେବା ଲାଗି ସାନି ସୁଯୋଗ ରହିଛି। ତେବେ ଏନ୍‌ଆରସି ପ୍ରସ୍ତୁତି ପ୍ରକ୍ରିୟାରେ ତ୍ରୁଟି ବିଚ୍ୟୁତିର ଆଳ ନେଇ କିମ୍ବା କେତେକ ‘ମୂଳବାସିନ୍ଦା’ଙ୍କ ନାମ ବାଦ୍‌ ପଡ଼ିଥିବା ଉଦାହରଣ ଦେଖାଇ ଆସାମରେ ବହୁ ସଂଖ୍ୟାରେ ‘ବିଦେଶୀ’ଙ୍କ ଉପସ୍ଥିତିକୁ ଅସ୍ୱୀକାର କରାଯାଇ ପାରିବ ନାହିଁ।

୧୯୫୧ରେ ପ୍ରଥମ ଏନ୍‌ଆର୍‌ସି ପ୍ରକାଶ ପରେ ପ୍ରତ୍ୟେକ ଜନଗଣନାରେ ଆସାମରେ ଜନସଂଖ୍ୟା ଜାତୀୟ ହାରଠାରୁ ଅଧିକ ବୃଦ୍ଧି ପାଇଛି। ୧୯୫୧-୬୧ ଓ ୧୯୬୧-୭୧ ଦୁଇଟି ଦଶକରେ ଜାତୀୟ ସ୍ତରରେ ଜନସଂଖ୍ୟା ବୃଦ୍ଧି ହାର ଯଥାକ୍ରମେ ୨୨ ଓ ୨୫ ପ୍ରତିଶତ ଥିବା ବେଳେ ଆସାମରେ ଜନସଂଖ୍ୟା ବୃଦ୍ଧି ହାର ଥିଲା ୩୬ ଓ ୩୫ ପ୍ରତିଶତ । ଭୋଟର ସଂଖ୍ୟା ୧୯୫୧-୭୧ ମଧ୍ୟରେ ୫୧ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପରବର୍ତ୍ତୀ ୧୯୭୧-୯୧ ମଧ୍ୟରେ ୮୯ ପ୍ରତିଶତ ବୃଦ୍ଧି ପାଇଥିଲା। ଜନସଂଖ୍ୟା ଓ ଭୋଟର ସଂଖ୍ୟାରେ ଏ ଅସ୍ୱାଭାବିକ ବୃଦ୍ଧି ନିଶ୍ଚିତ ଭାବେ ବିଦେଶୀ ଅନୁପ୍ରବେଶ ବୃଦ୍ଧି ପ୍ରତି ଇଙ୍ଗିତ କରୁଛି। ବିଦେଶୀ ଚିହ୍ନଟ ପାଇଁ ଗଠିତ ଟ୍ରିବ୍ୟୁନାଲ ଦ୍ୱାରା ପ୍ରାୟ ୯୨ ହଜାର ‘ବିଦେଶୀ ନାଗରିକ’ ଚିହ୍ନଟ ହୋଇ ସାରିଛନ୍ତି। ପ୍ରାୟ ୨ ଲକ୍ଷ ୪୪ ହଜାର ‘ସନ୍ଦିଗ୍‌ଧ ଭୋଟର’ ଭାବେ ଚିହ୍ନଟ ହୋଇଛନ୍ତି। ବିଦେଶୀଙ୍କ ଅନୁପ୍ରବେଶ ଫଳରେ ଆସାମ ଜନସଂଖ୍ୟାର ଚରିତ୍ର ବଦଳି ଯେଉଁ ସମସ୍ୟା ସୃଷ୍ଟି ହେଲା, ସେଥିରୁ ଜନ୍ମ ନେଲା ‘ବିଦେଶୀ’ ବିରୋଧୀ ଐତିହାସିକ ଆସାମ ଛାତ୍ର ଆନ୍ଦୋଳନ। ଏହି ଐତିହାସିକ ଗଣ ଆନ୍ଦୋଳନର ଫଳଶ୍ରୁତି ଥିଲା ୧୯୮୫ର ଆସାମ ରାଜିନାମା। ରାଜିନାମା ଅନୁଯାୟୀ ୧୯୭୧, ମାର୍ଚ୍ଚ ୨୫ ତାରିଖ ପରେ ଆସାମକୁ ଆସିଥିବା ବହିରାଗତଙ୍କୁ ‘ବିଦେଶୀ’ ବିଚାର କରାଯିବ। ତେବେ, ଗତ ୩୩ ବର୍ଷ ଧରି ଏ ଦିଗରେ କୌଣସି ନିଷ୍ଠାପର ଉଦ୍ୟମ ହୋଇନାହିଁ। ୨୦୦୫ରେ କେନ୍ଦ୍ରରେ ତତ୍କାଳୀନ ମନମୋହନ ସିଂହ ସରକାର ନୂଆ ଏନ୍‌ଆରସି ପ୍ରସ୍ତୁତି ଲାଗି ନିଷ୍ପତ୍ତି ନେଲେ। ୨୦୦୯ରେ ଏନ୍‌ଆରସି ପ୍ରକ୍ରିୟା ଆରମ୍ଭ ହେଲା। ତେବେ ୨୦୧୩ରେ ସର୍ବୋଚ୍ଚ ଅଦାଲତଙ୍କ ହସ୍ତକ୍ଷେପ ଏବଂ ୨୦୧୫ରେ ତିନିବର୍ଷ ମଧ୍ୟରେ ଏନ୍‌ଆରସି ପ୍ରକାଶ ପାଇଁ ଅଦାଲତ ସମୟସୀମା ଧାର୍ଯ୍ୟ କଲା ପରେ ପ୍ରକ୍ରିୟା ତ୍ୱରାନ୍ଵିତ ହେଲା।

ଗୋଟିଏ ପକ୍ଷରେ ନାଗରିକତ୍ୱ ଆଇନ ଏବଂ ଅନ୍ୟପକ୍ଷରେ ଆସାମ ରାଜିନାମା ବ୍ୟବସ୍ଥା ଭିତରେ ପରସ୍ପର ବିରୋଧାଭାସ ଏନ୍‌ଆରସି ନେଇ ବିଭ୍ରାନ୍ତି ସୃଷ୍ଟି କରିଛି। ଆସାମ ରାଜିନାମା ଅନୁଯାୟୀ ୧୯୭୧, ମାର୍ଚ୍ଚ ୨୫ ତାରିଖ ପରବର୍ତ୍ତୀ ବହିରାଗତ ‘ବିଦେଶୀ’ ଭାରତର ନାଗରିକତ୍ୱ ପାଇଁ ଯୋଗ୍ୟ ନୁହନ୍ତି। ଅଥଚ, ଭାରତର ନାଗରିକତ୍ୱ ଆଇନ ଅନୁଯାୟୀ ଦେଶରେ ୧୨ ବର୍ଷ ରହିଥିବା ଜଣେ ବ୍ୟକ୍ତି ନାଗରିକତ୍ୱ ପାଇଁ ଯୋଗ୍ୟ। ଏବେ ଚଳିତ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଚିଠା ନାଗରିକତ୍ୱ ବିଲ୍‌ରେ ବାରବର୍ଷର ସୀମାକୁ ଛଅ ବର୍ଷକୁ କମାଇବା ଲାଗି ପ୍ରସ୍ତାବ ରହିଛି। ତେବେ ଏହି ନୂଆ ବ୍ୟବସ୍ଥା କେବଳ ହିନ୍ଦୁ, ଶିଖ୍‌, ଜୈନ ଓ ବୌଦ୍ଧ ଧର୍ମାବଲମ୍ବୀ ‘ବହିରାଗତ’ଙ୍କ ପାଇଁ ଉଦ୍ଦିଷ୍ଟ। ଇସଲାମ ଧର୍ମାବଲମ୍ବୀଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି, ଯାହା ବିବାଦୀୟ। ଏହା ସାଂପ୍ରଦାୟିକତା ମନୋଭାବରୁ ମଧ୍ୟ ମୁକ୍ତ ନୁହେଁ। ଏନ୍‌ଆରସି ପ୍ରସ୍ତୁତିରେ ମଧ୍ୟ ଏହି ମନୋଭାବ ପ୍ରତିଫଳିତ ହୋଇଥିବା ଅଭିଯୋଗ ହେଉଛି, ଯାହା ଚିଠାର ବିଶ୍ୱସନୀୟତା ଉପରେ ଏକ ପ୍ରଶ୍ନବାଚୀ।

ସୁପ୍ରିମ୍‌ କୋର୍ଟଙ୍କ ମତରେ- ଆସାମରେ ଏତେ ସଂଖ୍ୟାରେ ବିଦେଶୀଙ୍କ ଉପସ୍ଥିତି ରାଜ୍ୟ ବିରୋଦରେ ଆକ୍ରମଣ ଏବଂ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ମଧ୍ୟ ବିପଦ। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସଂଖ୍ୟାଗରିଷ୍ଠ ବିଦେଶୀ ଅନୁପ୍ରବେଶକାରୀ ବାଂଲାଦେଶୀ, ମୁସଲମାନ ସଂପ୍ରଦାୟର ଓ ସେମାନେ ବଙ୍ଗଳା ଭାଷାଭାଷୀ। ତେବେ ଏହାର ଅର୍ଥ ନୁହେଁ ଯେ, ଆସାମରେ ରହୁଥିବା ସବୁ ମୁସଲମାନ ଏବଂ ସବୁ ବଙ୍ଗଳା ଭାଷାଭାଷୀ ବିଦେଶୀ। ଅଥଚ ରାଜନୈତିକ ବୟାନବାଜିରେ ଏହିପରି ଏକ ବିକୃତ ଚିତ୍ର ଉପସ୍ଥାପନ କରାଯାଉଛି। ଜାତୀୟ ସୁରକ୍ଷା, ଏକତା, ସଂହତି ପ୍ରତି ଏହା ଆଦୌ ଅନୁକୂଳ ନୁହେଁ।

ତେଣୁ, ସଂପ୍ରତି ଆସାମରେ ଏନ୍‌ଆରସିକୁ କେନ୍ଦ୍ର କରି ଦେଖାଦେଇଥିବା ସମସ୍ୟାକୁ କେବଳ ଜାତୀୟ ନିରାପତ୍ତା ଓ ମାନବୀୟ ଦୃଷ୍ଟିକୋଣରୁ ବିଚାର କରାଯାଇ ସମାଧାନର ପନ୍ଥା ବାହାର କରାଯାଉ। କାରଣ ବାଦ୍‌ ପଡ଼ିଥିବା ତଥାକଥିତ ବିଦେଶୀ ମୁଖ୍ୟତଃ ଗରିବ ଓ ଦିନ ମଜୁରିଆ। ପ୍ରସଙ୍ଗକୁ କୌଣସି ପ୍ରକାର ରାଜନୈତିକ କିମ୍ବା ସାଂପ୍ରଦାୟିକ ରଙ୍ଗ ଦେବାର ଅପଚେଷ୍ଟା, ଜାତୀୟ ନିରାପତ୍ତା, ସଂହତି ଏବଂ ମାନବିକତାର ପରିପନ୍ଥୀ।

ସମ୍ବନ୍ଧିତ ଖବର