ଅପରାଧ ଛାଇରୁ ରାଜନୀତି ମୁକୁଳିବ?

0 157

‘ରାଜନୀତିରେ ଅପରାଧୀଙ୍କ ଅନୁପ୍ରବେଶ ରୋକିବା ଲାଗି ସଂସଦ ଉପଯୁକ୍ତ ଆଇନ ପ୍ରଣୟନ କରୁ। ଭାରତୀୟ ଗଣତନ୍ତ୍ରର ସୁରକ୍ଷା ପାଇଁ ଏହା ସଂସଦର ସାମ୍ବିଧାନିକ କର୍ତ୍ତବ୍ୟ। ସଂସଦ ଓ ବିଧାନସଭା ନିର୍ବାଚନରେ ବହୁସଂଖ୍ୟକ ଅପରାଧ ପୃଷ୍ଠଭୂମିର ପ୍ରାର୍ଥୀଙ୍କ ଉପସ୍ଥିତି ନେଇ ସାଧାରଣ ଜନତାଙ୍କ ଉଦ୍‌ବେଗ ପ୍ରତି ଅଣଦେଖା କରାଯାଇ ନ ପାରେ।’ ଏଭଳି ଧାରୁଆ ଶବ୍ଦ ଓ ଶାଣିତ ଭାଷାରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ରାଜନୀତିରେ ଅପରାଧର ସଂକ୍ରମଣ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ରାଜନୀତିର ଅପରାଧୀକରଣ ଉପରେ ଅଙ୍କୁଶ ଲଗାଇବା ସକାଶେ ଆବଶ୍ୟକ ଆଇନ ତିଆରି ଲାଗି ଆଇନ ପ୍ରଣେତା ମାନଙ୍କୁ ପରାମର୍ଶ ଦେଇଛନ୍ତି। ନିର୍ବାଚନରେ ଅପରାଧ ଅଭିଯୁକ୍ତଙ୍କ ଉପରେ ରୋକ୍‌ ଲଗାଇବା ପାଇଁ ଆଗତ ଏକାଧିକ ଆବେଦନ ଉପରେ ଶୁଣାଣି ବେଳେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠ ଏହି ପରାମର୍ଶ ଦେଇଛନ୍ତି।

ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ପରାମର୍ଶ ଉପରେ ସଂସଦରେ ରାଜନୀତିର ଅପରାଧୀକରଣର ପ୍ରତିକାର ଲାଗି ଆଇନ ପ୍ରଣୟନ ନେଇ ହଠାତ୍‌ କୌଣସି ପ୍ରକ୍ରିୟା ଆରମ୍ଭ ହେବା ଆଶା କ୍ଷୀଣ। କାରଣ, ଏ ପ୍ରସଙ୍ଗରେ ପୂର୍ବରୁ ଭୋରା କମିଟି, ନିର୍ବାଚନ କମିସନ୍‌, ନାଗରିକ ସମାଜ ଏପରିକି ଖୋଦ୍‌ ଉଚ୍ଚତମ ନ୍ୟାୟାଳୟଙ୍କ ପ୍ରସ୍ତାବ ଉପରେ ଦଳ ନିର୍ବିଶେଷରେ ଦେଶର ରାଜନୈତିକ ବର୍ଗ ପ୍ରାୟତଃ ନିର୍ଲିପ୍ତ ରହିଆସିଛନ୍ତି। ଗତ ଦୁଇ ଦଶକରେ ରାଜନୀତିକୁ ଅପରାଧମୁକ୍ତ କରିବା ଲକ୍ଷ୍ୟରେ ଯାହାବି କେତେକ ବ୍ୟବସ୍ଥାଗତ ପଦକ୍ଷେପ ନିଆଯାଇଛି, ସେସବୁ ପଦକ୍ଷେପ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ମାର୍ଫତରେ ହୋଇଛି। ବିଶେଷ କରି, ସୁପ୍ରିମ୍‌କୋର୍ଟଙ୍କ ତିନିଟି ନିର୍ଦେଶ ରାଜନୀତିରେ ଅପରାଧୀଙ୍କ ଅନୁପ୍ରବେଶ ଉପରେ ଅନ୍ତତଃ କିଛି ମାତ୍ରାରେ ସକାରାତ୍ମକ ପ୍ରକାବ ପକାଇଛି। ସୁପ୍ରିମ୍‌କୋର୍ଟଙ୍କ ଏକ ନିର୍ଦ୍ଦେଶ ପରେ ସଂସଦ ଓ ବିଧାନସଭା ନିର୍ବାଚନରେ ମନୋନୟନ ପତ୍ର ଦାଖଲ ସମୟରେ ନିଜ ବିରୋଧରେ ଥିବା ଆପରାଧିକ ମାମଲାଗୁଡ଼ିକ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଦେବା ପ୍ରାର୍ଥୀଙ୍କ ପାଇଁ ବାଧ୍ୟତାମୂଳକ ହୋଇଛି। ଫଳରେ ମତଦାତାମାନେ ସେମାନଙ୍କ ଭୋଟ ଲୋଡୁଥିବା ପ୍ରାର୍ଥୀଙ୍କ ଆପରାଧିକ ପୃଷ୍ଠଭୂମି ଉପରେ ସୂଚନା ପାଇ ପାରୁଛନ୍ତି। ପ୍ରତିନିଧି ଚୟନରେ ଉଚିତ ନିଷ୍ପତ୍ତି ନେବାରେ ଏହା ମତଦାତାଙ୍କୁ ସହାୟକ ହେଉଛି। ଦ୍ୱିତୀୟ, କୌଣସିି ଫୌଜଦାରୀ ମାମଲାରେ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ସାଂସଦ ଓ ବିଧାୟକ ଉପର କୋର୍ଟରୁ ରହିତାଦେଶ ପାଇନଥିଲେ ତୁରନ୍ତ ଅଯୋଗ୍ୟ ଘୋଷିତ ହେବେ। ତୃତୀୟ, ସାଂସଦ ଓ ବିଧାୟକଙ୍କ ବିରୋଧରେ ଫୌଜଦାରୀ ମାମଲାର ବିଚାର ପାଇଁ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍‌ କୋର୍ଟର ବ୍ୟବସ୍ଥା। ସୁପ୍ରିମ୍‌କୋର୍ଟ ୨୦୧୪ରେ ନେଇଥିବା ଏହି ନିର୍ଦ୍ଦେଶ ଉପରେ ବିଧାୟକ ଓ ସାଂସଦଙ୍କ ବିରୋଧରେ ଅପରାଧ ମାମଲାର ଫଇସଲା ଲାଗି ୧୨ଟି ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍‌ କୋର୍ଟ ପ୍ରତିଷ୍ଠା କରାଯାଇଛି।

Panda Mobile only

ତେବେ, ଭାରତୀୟ ରାଜନୀତିରେ ଅପରାଧର ସଂକ୍ରମଣ ସଂପ୍ରତି ଏତେ ଗୁରୁତର ଯେ, ଏହାର ମୁକାବିଲା ଲାଗି ସୁପ୍ରିମ୍‌କୋର୍ଟ ଲେଖିଥିବା ଉପରୋକ୍ତ ଔଷଧ ଆଦୌ ଯଥେଷ୍ଟ ନୁହେଁ। ଆଇନ ପ୍ରଣୟନ ଲାଗି ସୁପ୍ରିମ୍‌କୋର୍ଟଙ୍କ ସଦ୍ୟତମ ପରାମର୍ଶ ଉପରେ ସଂସଦର ଆଭିମୁଖ୍ୟ କ’ଣ ହେବ, ତାହା ବର୍ତ୍ତମାନ ସମୟରେ ଅସ୍ପଷ୍ଟ। କିନ୍ତୁ ଗୋଟିଏ ବିଷୟ ଦିବାଲୋକ ପରି ସ୍ପଷ୍ଟ ଯେ, ରାଜନୀତିର ଅପରାଧୀକରଣ ଉପରେ ପ୍ରଭାବଶାଳୀ ଅଙ୍କୁଶ ନ ଲାଗିଲେ ଭାରତୀୟ ଗଣତନ୍ତ୍ରର ଭବିଷ୍ୟତ ଯେ ସୁରକ୍ଷିତ, ଏହା ନିଶ୍ଚୟତାର ସହ କୁହାଯାଇ ପାରିବ ନାହିଁ। ଗଣତନ୍ତ୍ରର ସୁରକ୍ଷା ନେଇ ଜଣେ କେମିତି ନିଶ୍ଚିତ ହୋଇପାରିବ, ଯଦି ପ୍ରତ୍ୟେକ ନିର୍ବାଚନରେ ପୂର୍ବାପେକ୍ଷା ଅଧିକ ଦାଗୀ ପ୍ରାର୍ଥୀ ସଂସଦ ଓ ବିଧାନସଭା ଗୁଡ଼ିକୁ ନିର୍ବାଚିତ ହୋଇ ଆସନ୍ତି। ଚତୁର୍ଦ୍ଦଶ ଲୋକସଭାରେ ସାଂସଦଙ୍କ ମଧ୍ୟରେ ୨୪ ପ୍ରତିଶତଙ୍କ ବିରୋଧରେ ଆପରାଧିକ ମାମଲା ଥିଲା। ପରବର୍ତ୍ତୀ ପଞ୍ଚଦଶ ଓ ଚଳିତ ଷୋଡ଼ଶ ଲୋକସଭାରେ ଆପରାଧିକ ମାମଲା ଥିବା ସାଂସଦଙ୍କ ଭାଗ ଯଥାକ୍ରମେ ୩୦ ଓ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି। ବିଗତ ଅଠର ବର୍ଷରେ ଲୋକସଭାରେ ଦାଗୀ ସାଂସଦଙ୍କ ସଂଖ୍ୟା ୧୪ ପ୍ରତିଶତ ବୃଦ୍ଧି ପାଇଛି। ଏହି ହାରରେ ଯଦି ସମାଜରେ ଅପରାଧୀଙ୍କ ସଂଖ୍ୟା ବୃଦ୍ଧି ପାଏ, ତେବେ କ’ଣ ସମାଜ ଆଉ ରହିବ? ଗତ ଲୋକସଭାରେ ୧୫୮ ଜଣ ସାଂସଦଙ୍କ ବିରୋରେ ଆପରାଧିକ ମାମଲା ଥିଲା। ସେଥିରୁ ୭୭ ଜଣ ହତ୍ୟା, ବଳାତ୍କାର, ହତ୍ୟା ଉଦ୍ୟମ, ଅପହରଣ ଭଳି ଗୁରୁତର ମାମଲାରେ ଅଭିଯୁକ୍ତ ଥିଲେ। ଚଳିତ ଲୋକସଭାରେ ଦାଗୀ ସାଂସଦଙ୍କ ସଂଖ୍ୟା ୧୮୬ ଓ ଗୁରୁତର ଆପରାଧିକ ମାମଲାରେ ଅଭିଯୁକ୍ତ ସାଂସଦଙ୍କ ସଂଖ୍ୟା ୧୧୨। ନିକଟରେ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ ଦାଖଲ କରିଥିବା ତଥ୍ୟ ଅନୁଯାୟୀ ୧୭୬୫ ସାଂସଦ ଓ ବିଧାୟକଙ୍କ ବିରୋଧରେ ମୋଟ ୩୦୪୫ଟି ଆପରାଧିକ ମାମଲା ରହିଛି। ମୋଟ ବିଧାୟକ ଓ ସାଂସଦଙ୍କ ସଂଖ୍ୟା ୪,୮୯୬, ସେଥିରୁ ୩୬ ପ୍ରତିଶତ ଜନ ପ୍ରତିନିଧି ଆପରାଧିକ ମାମଲାରେ ଅଭିଯୁକ୍ତ। ସମାନ ଅନୁପାତରେ ଯଦି ସାଧାରଣ ନାଗରିକ ଅପରାଧରେ ସମ୍ପୃକ୍ତ ରହନ୍ତି, ତେବେ ଅବସ୍ଥା କେତେ ସାଂଘାତିକ ହେବ, ତାହା ସହଜରେ ଅନୁମେୟ।

ଅପରାଧୀଙ୍କ ଅନୁପ୍ରବେଶ କୌଣସି ଗୋଟିଏ କିମ୍ବା ଦୁଇଟି ଦଳ କିମ୍ବା ଗୋଟିଏ ଦୁଇଟି ରାଜ୍ୟରେ ସୀମିତ ନାହିଁ। ପ୍ରାୟ ସବୁ ଦଳ ଓ ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁ ରାଜ୍ୟରେ ଅପରାଧ ପୃଷ୍ଠଭୂମିରେ ରାଜନେତା ରହିଛନ୍ତି, ବିଧାନସଭା ଓ ସଂସଦକୁ ନିର୍ବାଚିତ ହେଉଛନ୍ତି। କୌତୂହଳର ବିଷୟ ହେଲା, ଗବେଷଣା ସଂସ୍ଥା ‘ଏଡିଆର୍‌’(ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌)ର ଅନୁଧ୍ୟାନ ଅନୁଯାୟୀ, ଅପରାଧ ପୃଷ୍ଠଭୂମି ନଥିବା ଜଣେ ପ୍ରାର୍ଥୀଙ୍କ ଅପେକ୍ଷା ଅପରାଧ ଅଭିଯୁକ୍ତ ଜଣେ ପ୍ରାର୍ଥୀଙ୍କ ନିର୍ବାଚନରେ ବିଜୟ ସମ୍ଭାବନା ଦୁଇ ଗୁଣରୁ ଅଧିକ। ଯେହେତୁ, ଦାଗୀନେତାଙ୍କ ବିଜୟ ସମ୍ଭାବନା ଅଧିକ, ନିର୍ବାଚନ ରଣାଙ୍ଗନରେ ଆପରାଧିକ ପୃଷ୍ଠଭୂମିର ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨୦୧୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୫,୩୮୦ ପ୍ରାର୍ଥୀଙ୍କ ମଧ୍ୟରେ ୧୭ ପ୍ରତିଶତ (୯୧୫)ଙ୍କ ବିରୋଧରେ ଆପରାଧିକ ମାମଲା ଥିଲା। ସେମାନଙ୍କ ମଧ୍ୟରୁ ୫୦୦ରୁ ଅଧିକ ପ୍ରାର୍ଥୀ ଗୁରୁତର ଅପରାଧରେ ଅଭିଯୁକ୍ତ। ଆଜି ଯଦି ଭାରତୀୟ ରାଜନୀତି ଅଧିକ ହିଂସା ପ୍ରବଣ ହୋଇଉଠିଛି, ନିର୍ବାଚନରେ ହିଂସା ଘଟଣା ବଢ଼ିଚାଲିଛି, ତେବେ ତା’ର ମୂଳ କାରଣ ରାଜନୀତିରେ ଅପରାଧର ପୃଷ୍ଠପୋଷକତା। ପ୍ରଥମେ ରାଜନେତାଙ୍କ ପୃଷ୍ଠପୋଷକତାର ଅପରାଧୀଙ୍କୁ ସୁରକ୍ଷା ମିଳୁଛି। ପରବର୍ତ୍ତୀ ସମୟରେ ଅପରାଧୀଙ୍କ ପୃଷ୍ଠପୋଷକତାରେ ରାଜନେତା ସୁରକ୍ଷିତ ମଣୁଛନ୍ତି। ରାଜନୀତି-ଅପରାଧ-ରାଜନୀତିର ଏହା ଏକ ବିଚିତ୍ର ବିଷଚକ୍ର। ପ୍ରାର୍ଥୀ ଚୟନ ବେଳେ ସବୁ ରାଜନୈତିକ ଦଳ ‘ବିଜୟ ସମ୍ଭାବନା’କୁ ପ୍ରଧାନ ମାପକାଠି ଭାବେ ଗ୍ରହଣ କରିଥାନ୍ତି। ଫଳରେ ଅପରାଧ ପୃଷ୍ଠଭୂମି ସ୍ୱତଃ ପ୍ରାର୍ଥୀତ୍ୱ ପାଇଁ ଏକ ବିଶେଷ ଯୋଗ୍ୟତା ପାଲଟି ଯାଇଛି। ଏହି ପ୍ରକ୍ରିୟାରେ ରାଜନୀତିର ଅପରାଧୀକରଣର ବିଷ ପ୍ରକ୍ରିୟା ଯେ ଗଣତନ୍ତ୍ରକୁ ଚରି ଯାଉଛି, ସେଥିପ୍ରତି କାହାରି ନିଘା ନାହିଁ। ଅବଶ୍ୟ, ଏହା ଭିନ୍ନ କଥା ଯେ, ରାଜନୀତିର ଅପରାଧୀକରଣ ନେଇ ସବୁ ରାଜନୈତିକ ଦଳ ଗଭୀର ଉଦ୍‌ବେଗ ପ୍ରକାଶ କରିବାରେ ସାମାନ୍ୟତମ କାର୍ପଣ୍ୟ ଦେଖାନ୍ତି ନାହିଁ। ଭାରତୀୟ ରାଜନୀତିର ଏହା ଦୋମୁହାଁ ଚେହେରା।

ଯୁକ୍ତି କରାଯାଏ, ରାଜନୀତିର ଅପରାଧୀକରଣ ବିରୋଧରେ ଆଇନ ପ୍ରଣୟନ କ୍ଷେତ୍ରରେ ଗୋଟିଏ ବଡ଼ ବାଧକ ହେଲା, ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧରେ ଏହାର ଦୁରୁପଯୋଗର ଆଶଙ୍କା। ଏ ଆଶଙ୍କା ସମ୍ପୂର୍ଣ୍ଣ ଅମୂଳକ ବୋଲି କୁହାଯାଇ ପାରିବ ନାହିଁ। କିନ୍ତୁ ଏହାକୁ ଆଳ କରି ଆଇନ ପ୍ରଣୟନକୁ ଟାଳି ଦିଆଯିବା କେତେ ଯୁକ୍ତିଯୁକ୍ତ? କେଉଁ ଆଇନର ଅପବ୍ୟବହାରର ଆଶଙ୍କା ନାହିଁ? କ’ଣ ତେବେ ଦୁରୁପଯୋଗ ଆଶଙ୍କାରେ ଆଇନ ପ୍ରଣୟନ ହେବ ନାହିଁ? ଦୁରୁପଯୋଗ ଆଳରେ ଆଇନ ପ୍ରଣୟନକୁ ନ ଏଡ଼ାଇ ବରଂ ଅପବ୍ୟବହାର ବିରୋଧରେ ଉପଯୁକ୍ତ ରକ୍ଷାକବଚର ପ୍ରାବଧାନ ସହ ଆଇନ ତିଆରି ପାଇଁ ପ୍ରୟାସ ହେବା ଉଚିତ। ଅନ୍ୟଥା ରାଜନୀତିର ଅପରାଧୀକରଣ ବିପଦରୁ ଭାରତୀୟ ଗଣତନ୍ତ୍ରର ରକ୍ଷା ନାହିଁ। ଅବଶ୍ୟ, ସୁପ୍ରିମ୍‌କୋର୍ଟଙ୍କ ପରାମର୍ଶ ଉପରେ ଆଇନ ପ୍ରଣୟନ ପାଇଁ ଓକିଲାତି କଲାବେଳେ ଏହା ମଧ୍ୟ ଉଲ୍ଲେଖ କରିବା ଆଦୌ ଅବାନ୍ତର ହେବ ନାହିଁ ଯେ, କୌଣସି ଆଇନ ଅପେକ୍ଷା ରାଜନୀତିରେ ଅପରାଧର ସଂକ୍ରମଣ ରୋକିବା ଲାଗି ମତଦାତାଙ୍କ ସଚେତନତା ଅଧିକ ଏକ ପ୍ରଭାବଶାଳୀ ଔଷଧ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.