ଗୋଟିଏ ଦେଶର ଅର୍ଥନେତିକ ଅଭିବୃଦ୍ଧି ହାର ସମ୍ବନ୍ଧରେ ଏକ ସମ୍ୟକ୍ ଧାରଣା ହାସଲ କରିବା ପାଇଁ ଯେଉଁ ଏକକ ସୂଚକ ଉପରେ ସମସ୍ତେ ନଜର ପକାଇଥାନ୍ତି, ତାହା ହେଉଛି ବର୍ତ୍ତମାନ ଏକ ସୁପରିଚିତ ଶବ୍ଦରେ ପରିଣତ ହୋଇଥିବା-‘ଜିଡିପି’। ସଂକ୍ଷେପରେ ‘ଜିଡିପି’ ହେଉଛି ଗୋଟିଏ ଦେଶରେ ଗୋଟିଏ ବର୍ଷ ମଧ୍ୟରେ ଉତ୍ପାଦିତ ହୋଇଥିବା ବିଭିନ୍ନ ଦ୍ରବ୍ୟ, ସେବା ଆଦିର ମୋଟ ପରିମାଣ। ଅବଶ୍ୟ ସହଜରେ ବୋଧଗମ୍ୟ ହେବା ପାଇଁ ଏହାର ମୂଲ୍ୟକୁ ମୁଦ୍ରା ଆକାରରେ ପ୍ରକାଶ କରାଯାଏ ଏବଂ ଏଥିରେ ହ୍ରାସ-ବୃଦ୍ଧି ହାରକୁ ଅର୍ଥନୀତିର ହ୍ରାସ-ବୃଦ୍ଧି ହାର ରୂପେ ବିଚାର କରାଯାଇଥାଏ। ତେବେ, ଦୀର୍ଘକାଳର ବ୍ୟବଧାନରେ ଦୁଇଟି ବର୍ଷର ‘ଜିଡିପି’କୁ ତୁଳନା କରିବା ଦ୍ୱାରା ଯେଉଁ ଫଳାଫଳ ମିଳେ, ତାହା ସମ୍ପୂର୍ଣ୍ଣ ସଠିକ୍ ନ ହେବାର ଏକ ସମ୍ଭାବନା ସର୍ବଦା ରହିଥାଏ। ଏହାର ଏକ ସରଳ କାରଣ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
କୌଣସି ଏକ ଅର୍ଥନୀତିରେ ଅନେକ ପ୍ରକାରର ଦ୍ରବ୍ୟ ଓ ସେବା ଉତ୍ପାଦିତ ହୋଇଥାଏ ଏବଂ ସମୟ ଅତିକ୍ରାନ୍ତ ହେବା ସଙ୍ଗେ ସଙ୍ଗେ ଅବିରତ ଭାବରେ ନୂଆ ନୂଆ ପ୍ରକାରର ଦ୍ରବ୍ୟ ଓ ସେବାମାନ ଉତ୍ପାଦନ ସ୍ରୋତରେ ପ୍ରବେଶ କରିବାରେ ଲାଗିଥାନ୍ତି। ଅଭିବୃଦ୍ଧି ହାରର ସଠିକ୍ ହିସାବ ପାଇଁ ଏ ସମସ୍ତ ନିତ୍ୟ ନୂତନ ପଦାର୍ଥମାନଙ୍କୁ ମଧ୍ୟ ହିସାବରେ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ। ଯେହେତୁ ପ୍ରତ୍ୟେକଟି ଦ୍ରବ୍ୟକୁ ହିସାବରେ ଅନ୍ତର୍ଭୁକ୍ତ କରାଯିବା ସମ୍ଭବ ନୁହେଁ, ଅତ୍ୟନ୍ତ ଯତ୍ନର ସହିତ କେତେକ ନମୁନାକୁ ଚୟନ କରି ହିସାବରେ ଭର୍ତ୍ତି କରାଯାଇଥାଏ। ଏହା କେତେଦୂର ନିର୍ଭୁଲ, ତାହା ସର୍ବଦା ଏକ ବିବାଦୀୟ ପ୍ରଶ୍ନ। ପୁଣି ସମୟ ବଦଳିବା ସହିତ ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଦ୍ୟାରେ ମଧ୍ୟ ପରିବର୍ତ୍ତନ ଘଟି ଚାଲିଥାଏ ଏବଂ ସେଥିଯୋଗୁଁ ନୂତନ ଦ୍ରବ୍ୟ, ସେବା ଆଦିର ଆବିର୍ଭାବ ଘଟିବା ସଙ୍ଗେ ସଙ୍ଗେ ପୁରାତନ ଅଚଳ ହୋଇଯାଏ। ହିସାବରେ ନୂତନର ଅନ୍ତର୍ଭୁକ୍ତି ଆବଶ୍ୟକ ହୋଇପଡ଼େ। ତେଣୁ ସମୟ ଅତିକ୍ରାନ୍ତ ହେବା ସଙ୍ଗେ ସଙ୍ଗେ ପୂର୍ବେ ବ୍ୟବହୃତ ‘ତଥ୍ୟ ଶୃଙ୍ଖଳ’ (ଡେଟା ସିରିଜ୍) ଆଉ ଅର୍ଥନୀତିର ପ୍ରକୃତ ଅଭିବୃଦ୍ଧି ହାରର ପ୍ରତିନିଧିତ୍ୱ କରିପାରେ ନାହିଁ ଏବଂ ସେହି କାରଣରୁ ମଝିରେ ମଝିରେ ପୁରୁଣା ‘ଡେଟା ସିରିଜ୍’କୁ ହଟାଇ ‘ନୂଆ ସିରିଜ୍’ ଚାଲୁ କରାଯାଉଥାଏ।
ଏହି କାରଣରୁ ଭାରତର ପରିସଂଖ୍ୟାନ କର୍ତ୍ତୃପକ୍ଷ ୨୦୧୫ରେ ଏକ ନୂତନ ‘ଜିଡିପି ସିରିଜ୍’ ବ୍ୟବହାର କରିବା ଆରମ୍ଭ କରିଥିଲେ। ଏହାର ପୂର୍ବବର୍ତ୍ତୀ ସିରିଜ୍ରେ ୨୦୦୪-୦୫କୁ ମୂଳ ବର୍ଷ ବା ‘ବେସ୍ ୟିଅର୍’ ରୂପେ ବ୍ୟବହାର କରାଯାଇଥିବା ବେଳେ ଏହି ନୂତନ ସିରିଜ୍ରେ ୨୦୧୧-୧୨କୁ ‘ବେସ୍ ୟିଅର୍’ ରୂପେ ବ୍ୟବହାର କରାଗଲା। ଏହି ନୂତନ ସିରିଜ୍ରେ କେବଳ ଯେ ଅଭିବୃଦ୍ଧି ହିସାବ ପାଇଁ ବ୍ୟବହୃତ ଦ୍ରବ୍ୟ ଓ ସେବା ଆଦିର ସମଷ୍ଟି ବା ବିଡ଼ାରେ ପରିବର୍ତ୍ତନ କରାଯାଇଥିଲା, ତାହା ନୁହେଁ, ଯେଉଁ ସୂତ୍ରମାନଙ୍କରୁ ସେ ସମ୍ବନ୍ଧିତ ତଥ୍ୟ ସଂଗ୍ରହ କରାଯାଉଥିଲା, ସେଥିରେ ମଧ୍ୟ ସମ୍ପ୍ରସାରଣ ଘଟାଯାଇଥିଲା। ଯେମିତି, ଅଧିକ ସଂଖ୍ୟକ କମ୍ପାନିମାନଙ୍କ ଠାରୁ ସୂଚନା ସଂଗ୍ରହ କରାଯାଇଥିଲା। ଏହି ପୃଷ୍ଠଭୂମିରେ ଭାରତୀୟ ଅର୍ଥନୀତିର ଦୀର୍ଘକାଳୀନ ଅଭିବୃଦ୍ଧି ଧାରା କିଭଳି ହୋଇଛି ତାହା ଅନୁଶୀଳନ କରିବା ନିମିତ୍ତ ‘ନେସନାଲ୍ ଷ୍ଟାଟିଷ୍ଟିକାଲ୍ କମିସନ୍’ (ଜାତୀୟ ପରିସଂଖ୍ୟାନ ଆୟୋଗ) କରିଥିବା ଏକ ଉଦ୍ୟମର ଫଳାଫଳ ଏବେ ପ୍ରକାଶ ପାଇଛି। ଆଉ ପ୍ରକାଶ ପାଇବା ପରେ ଏହି ଏସିଆନ୍ ଗେମ୍ସ ଋତୁ ସହିତ ଖାପ ଖାଇବା ପରି ଏକ ରାଜନୈତିକ ଦୌଡ଼ ପ୍ରତିଯୋଗିତାର ଅଂଶ ପାଲଟି ଯାଇଛି। ଦୌଡ଼ ପ୍ରତିଯୋଗିତାରେ ବେଳେ ବେଳେ ଜଣକୁ ବିଜୟୀ ଘୋଷଣା କରାଯିବା ପରେ ଫଳାଫଳର ପୁନରାୟ ଯାଞ୍ଚ କଲା ପରେ ଯେମିିତି ତାହା ବଦଳି ଯାଏ, ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାରକୁ ନେଇ ଏନ୍ଡିଏ ଏବଂ ୟୁପିଏ ମଧ୍ୟରେ ଚାଲିଥିବା ଦୌଡ଼ ପ୍ରତିଯୋଗିତାର ଫଳାଫଳର ବର୍ତ୍ତମାନ ସେମିତି ଓଲଟପାଲଟ ଘଟିଛି। ମୋଦୀ ସରକାର ଏ ଦୌଡ଼ରେ ୟୁପିଏକୁ ପଛରେ ପକାଇଛି ବୋଲି ଦାବି କରି ଆସୁଥିବା ବେଳେ, ‘ବ୍ୟାକ୍ ସିରିଜ୍ ଡେଟା’ ପ୍ରକାଶ ପାଇବା ପରେ ପରେ କଂଗ୍ରେସ୍ ସଗର୍ବରେ ଟ୍ଵିଟ୍ କରିଛି ଯେ ମୋଦୀ ସରକାର ଅମଳରେ ଜିଡିପିରେ ହାରାହାରି ଅଭିବୃଦ୍ଧି ହାର ୭.୩% ହୋଇଥିବା ବେଳେ, ‘ୟୁପିଏ’ର ୧୦ ବର୍ଷର ଦୁଇପାଳି ସରକାର ସମୟରେ ହାରାହାରି ଅଭିବୃଦ୍ଧି ହାର ୮.୧% ରହିଥିବା ବର୍ତ୍ତମାନ ସାବ୍ୟସ୍ତ ହୋଇଛି। ସେତିକି ନୁହେଁ, ଆଧୁନିକ ଭାରତର ଇତିହାସରେ କେବଳ ୟୁପିଏ ହିଁ ଏକଦା ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାର ହାସଲ କରିବାରେ ସକ୍ଷମ ହୋଇଛି (୨୦୧୦-୧୧) ବୋଲି କଂଗ୍ରେସ ଗର୍ବ ପ୍ରକାଶ କରିଛି।
କିନ୍ତୁ ଉଭୟ ପ୍ରତିଯୋଗୀଙ୍କର ପ୍ରଦର୍ଶନ ପଛରେ ରହିଥିବା କାରଣମାନଙ୍କର ଯଦି ଅନୁଶୀଳନ କରାଯାଏ, ତାହା କଂଗ୍ରେସର ଉଲ୍ଲାସକୁ ଯେପରି ପାଣିଚିଆ କରି ଦେଇପାରେ, ଭାଜପାର ପରାଜୟର ଗ୍ଲାନିକୁ ସେହିପରି ଅଧିକ ମର୍ମଭେଦୀ କରି ଦେଇପାରେ। ୟୁପିଏ ସରକାର ତାଙ୍କ ଶାସନ ସମୟରେ ଅଭିବୃଦ୍ଧି ଟ୍ରାକ୍ରେ ଯେଉଁ ଦ୍ରୁତ ଗତି ପ୍ରଦର୍ଶନ କରିଥିଲା ତାହା ସିଓଲ୍ ଅଲିମ୍ପିକ୍ସରେ ବେନ୍ ଜନ୍ସନ ନିଷିଦ୍ଧ ଡ୍ରଗ୍ ଖାଇ ୧୦୦ ମିଟର ଦୌଡ଼ ରେକର୍ଡ ଭାଙ୍ଗିଥିବା ପରି ମନେ ହୋଇପାରେ। ରାଜକୋଷୀୟ ନିଅଣ୍ଟରେ ବିପଜ୍ଜନକ ବୃଦ୍ଧି ଘଟାଇ କିମ୍ବା ବ୍ୟାଙ୍କ୍ ଋଣରେ ଅପରିଣାମଦର୍ଶୀ ସମ୍ପ୍ରସାରଣ ଘଟାଇ ୟୁପିଏ ଏଭଳି ଦ୍ରୁତ ଗତି ହାସଲ କରିଥିଲା ସତ, କିନ୍ତୁ ପରବର୍ତ୍ତୀ ସମୟରେ ଯେଉଁ ଉଚ୍ଚ ମୁଦ୍ରାସ୍ଫୀତି ହାର ଏବଂ ଚଳନ୍ତିହିସାବ ନିଅଣ୍ଟ (ସିଏଡି) ତଥା ବ୍ୟାଙ୍କ୍ମାନଙ୍କର ଖରାପ ଋଣ ବା ‘ଏନ୍ପିଏ’ରେ ବିସ୍ଫୋରକ ବୃଦ୍ଧି ଦେଖାଦେଲା ତାହା ହେଉଛି ସେ ଉଚ୍ଚ ଅଭିବୃଦ୍ଧି ହାର ପାଇଁ ଦେଶ ଦେଇଥିବା ଓ ଦେଇ ଚାଲିଥିବା ଅସହନୀୟ ମୂଲ୍ୟ। ଅବଶ୍ୟ ତୈଳ ଦର ବୃଦ୍ଧି ଭଳି ଆନ୍ତର୍ଜାତିକ କାରଣ ୨୦୧୨-୧୩ର ସଂକଟ ପାଇଁ ଦାୟୀ ବୋଲି କୁହାଯାଇ ପାରେ, ଯେତେବେଳେ ଅଭିବୃଦ୍ଧି ହାର ଖସି ୫.୪୬% ହୋଇଥିଲା।
ଏନ୍ଡିଏ ସରକାର ସମୟରେ ଅଭିବୃଦ୍ଧି ହାର ଯଦି ପଛରେ ପଡ଼ିଯାଇଥାଏ, ତାହାର କାରଣ ନୁହେଁ ଏ ସରକାର ସମୟରେ ପ୍ରଦର୍ଶିତ ସେ ଭଳି କୌଣସି ଦୁରଭିସନ୍ଧିମୂଳକ ସଂଯମହୀନତା। ବରଂ କାରଣ ହେଉଛି ତା’ର ଠିକ୍ ବିପରୀତ- ଅର୍ଥନୀତିକୁ ଶୃଙ୍ଖଳିତ କରିବା ପାଇଁ ଉଦ୍ୟମ। କିନ୍ତୁ ଅନେକ ସମୟରେ ମହତ୍ ଉଦ୍ଦେଶ୍ୟ ନର୍କକୁ ରାସ୍ତା ତିଆରି କଲା ଭଳି କଳାଧନ ନିର୍ମୂଳ କରିବା ଉଦ୍ଦେଶ୍ୟରେ ମୋଦୀଙ୍କର ଶିଶୁସୁଲଭ ବିମୁଦ୍ରୀକରଣ ଏକାବେଳକେ ଦେଶର ଅର୍ଥନୀତିର ମେରୁଦଣ୍ଡ ଅସଂଗଠିତ କ୍ଷେତ୍ରକୁ ଛୋଟା କରିଦେଲା ଓ ପରେ ପରେ ଜିଏସ୍ଟିର ଅଦକ୍ଷ ପ୍ରବର୍ତ୍ତନ ସମସ୍ୟାକୁ ଆହୁରି ଗୁରୁତର କରିଦେଲା। ସାନ୍ତ୍ୱନାର କଥା ଅର୍ଥନୀତି ଏବେ ସେଥିରୁ ମୁକୁଳି ଆଗେଇବାକୁ ଆରମ୍ଭ କରିଛି। ପ୍ରତିଯୋଗିତାକୁ ଗୁରୁତ୍ୱ ନ ଦେଇ ମୋଦୀ ଅର୍ଥନୀତିକୁ ଏଣିକି ନିର୍ବିଘ୍ନରେ ଆଗେଇଯିବାକୁ ଦେବାରେ ଅଧିକ ଧ୍ୟାନ ଦେବା ଉଚିତ ହେବ।