ଦେଶ ଭିତରେ ଓ ଦେଶ ବାହାରେ ଗଣମାଧ୍ୟମମାନେ ଘୋଷଣା କରିବା ଦେଖା ଯାଇଛି ଯେ ସେପ୍ଟେମ୍ବର ୬ ତାରିଖ ଗୁରୁବାର ଦିନ ଭାରତ ଦ୍ୱିତୀୟ ଥର ସ୍ୱାଧୀନତା ଲାଭ କଲା। କେତେକ ଗଣମାଧ୍ୟମରେ ତ ଏହି ଦିନଟିକୁ ‘ସ୍ୱାଧୀନତା ଦିବସ’ ରୂପେ ପ୍ରଦର୍ଶିତ କରାଯାଇଛି! ୧୯୪୭ ଅଗଷ୍ଟ ୧୫ ତାରିଖଠାରୁ ଏକ ସ୍ୱାଧୀନ ଦେଶର ନାଗରିକ ରୂପେ ଏଠାରେ ବାସ କରି ଆସୁଥିବା ଭାରତୀୟମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଏହା ଉଦ୍ଭଟ ମନେ ହୋଇଥିଲେ ବି ଆଶ୍ଚର୍ଯ୍ୟ କରି ନଥିବ। କାରଣ ଏ ନୂତନ ‘ସ୍ୱାଧୀନତା’ ଲାଭ କରିଥିବା ଏକ ସଂଖ୍ୟା ନ୍ୟୂନ ଗୋଷ୍ଠୀ ଏପରି କୋଳାହଳପୂର୍ଣ୍ଣ ଉତ୍ସବ ପାଳନ କରିବା ଆରମ୍ଭ କରି ଦେଇଥିଲେ ଏବଂ ଗଣମାଧ୍ୟମମାନେ ଏହାକୁ ଏପରି ଏକ ସର୍ବଗ୍ରାସୀ ସମ୍ବାଦରେ ପରିଣତ କରିଥିଲେ ଯେ ସେ ସମୟରେ ଦେଶରେ ଘଟିଥିବା ଅନ୍ୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣା ସାମୟିକ ଭାବରେ ଜନମାନସରୁ ବହିଷ୍କାର ଲାଭ କରିଥିଲେ। ଅଳ୍ପ ଦିନ ତଳେ ପାଳିତ ହୋଇଥିବା ପ୍ରକୃତ ସ୍ୱାଧୀନତା ଦିବସ ଏହା ତୁଳନାରେ ଏକ ସମ୍ପୂର୍ଣ୍ଣ ନିଷ୍ପ୍ରଭ ଗତାନୁଗତିକ ଘଟଣାରେ ପରିଣତ ହୋଇ ଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚାଇବା ଅନାବଶ୍ୟକ ଯେ ଏହି ଦ୍ୱିତୀୟ ସ୍ୱାଧୀନତା ଦିବସ ଥିଲା ସେଦିନ ସୁପ୍ରିମ୍ କୋର୍ଟ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି) ଧାରା- ୩୭୭କୁ ଅସାମ୍ବିଧାନିକ ଘୋଷଣା କରି ସମସ୍ତ ପ୍ରକାର ସମଲିଙ୍ଗୀ ସମ୍ପର୍କକୁ ଅପରାଧ ମୁକ୍ତକ କରିବା। ଏହାର ସରଳ ତାତ୍ପର୍ଯ୍ୟ ହେଲା ବିଷମ ଲକ୍ଷ୍ୟ ସ୍ୱେଚ୍ଛାକୃତ ଯୌନ ସମ୍ପର୍କ ଭଳି ସମଲିଙ୍ଗୀ ସ୍ୱେଚ୍ଛାକୃତ ଯୌନ ସମ୍ପର୍କ ମନୁଷ୍ୟର ଏକ ସ୍ୱାଭାବିକ ଆଚରଣ ରୂପେ ଏଣିକି ବିବେଚିତ ହେବ। ଭାରତୀୟ ସମାଜରେ ଆଇନ ଅନୁସାରେ ବ୍ୟକ୍ତିର ଯୌନାଚରଣ ଭିତ୍ତିକ ବାଛବିଚାରର ଅନ୍ତ ଘଟିଲା।
ସୁପ୍ରିମ୍କୋର୍ଟରେ ସମ୍ବିଧାନର ଧାରା ୩୫-ଏ କିମ୍ବା ଅଯୋଧ୍ୟା ବିବାଦ ଭଳି ବିଭିନ୍ନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାମଲାମାନ ବିଚାର ଅପେକ୍ଷାରେ ପଡ଼ି ରହିଥିଲେ ମଧ୍ୟ ସର୍ବୋଚ୍ଚ ଅଦାଲତ ଏହି ମାମଲାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲିି ବିବେଚନା କରିବାର କାରଣ ଅବୋଧ୍ୟ ହୋଇଥିଲେ ହେଁ, ଏହି ରାୟ ପରେ ଆଇପିସି ଧାରା-୩୭୭ର ଉଚ୍ଛେଦ ଉଚିତ କି ଅନୁଚିତ, ସେ ନେଇ ଯୁକ୍ତି ତର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଦେଶର ସମଲିଙ୍ଗୀମାନେ ଏଣିକି ସ୍ୱାଧୀନ। ତେବେ ସ୍ୱାଧୀନତା ଜନ ଆନ୍ଦୋଳନ- ପ୍ରସୂତ ହେଉ କି ଅଦାଲତ-ପ୍ରଦତ୍ତ ହେଉ, ସ୍ୱାଧୀନତାର ଏକ ଅଡୁଆ ହେଲା ଏହା ସହିତ ଯୋଡ଼ି ହୋଇ ରହିଥାଏ ଦାୟିତ୍ୱ; ଯେମିତି ସ୍ୱାଧୀନ ଭାରତର ସମ୍ବିଧାନ ଏ ଦେଶର ନାଗରିକମାନଙ୍କୁ କୋତକ ମୌଳିକ ଅଧିକାର ପ୍ରଦାନ କରିଥିବା ବେଳେ ସେଥିରେ ନାଗରିକ ମାନଙ୍କ ପାଇଁ କେତେକ ମୌଳିକ କର୍ତ୍ତବ୍ୟ ବା ଦାୟିତ୍ୱର ମଧ୍ୟ ବର୍ଣ୍ଣନା କରାଯାଇଛି। ସମଲିଙ୍ଗୀମାନେ ତେଣୁ ନିଜର ନବଆବିଷ୍କୃତ ସ୍ୱାଧୀନତାର ମନ ଭରି ଆସ୍ୱାଦନ କରିବା ସଙ୍ଗେ ସଙ୍ଗେ ନିଜର ଦାୟିତ୍ୱ ପ୍ରତି ମଧ୍ୟ ସଚେତନ ରହିବା ଆବଶ୍ୟକ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମ୍ବିଧାନର ଚତୁର୍ଥ ଭାଗରେ ଥିବା ନାଗରିକର ଏହି ଦାୟିତ୍ୱଗୁଡ଼ିକ ହେଉଛନ୍ତି ଯେପରି ନୈତିକ ଦାୟିତ୍ୱ ଶ୍ରେଣୀର, ଏବଂ ସେଗୁଡ଼ିକ ଆଇନ ଅଦାଲତ ଦ୍ୱାରା ବଳବତ୍ତର ନୁହଁନ୍ତି, ସ୍ୱାଧୀନ ସମଲିଙ୍ଗୀମାନଙ୍କ ପାଇଁ ବର୍ତ୍ତମାନ ସେଇଭଳି କେତେକ ନୈତିକ ଦାୟିତ୍ୱର ପରିକଳ୍ପନା କରାଯାଇପାରେ।
ଏଭଳି ଦାୟିତ୍ୱର ମୂଳାଧାର ହେଉଛି ଏହି ଅସ୍ୱାଭାବିକ ଯୌନ ସମ୍ପର୍କ ଯୋଗୁଁ ପ୍ରସାର ଲାଭ କରୁଥିବା ଏକ ଭୟାନକ ଆଧୁନିକ ସ୍ୱାସ୍ଥ୍ୟ-ବିପଦ: ‘ଏଚ୍ଆଇଭି’। ‘ଏଡ୍ସ’ର ରୂପ ନେଉଥିବା ଏହି ଭୂତାଣୁ ସଂକ୍ରମଣରେ ସମଲିଙ୍ଗୀ ସମ୍ପର୍କର ବିଜ୍ଞାନସିଦ୍ଧ ଭୂମିକାକୁ ଦୃଷ୍ଟିରେ ରଖି ହିଁ ବିଚକ୍ଷଣ ଆଇନଜ୍ଞ ତଥା ଅର୍ଥନୀତିଜ୍ଞ ସୁବ୍ରମଣ୍ୟନ୍ ସ୍ୱାମୀ ମନ୍ତବ୍ୟ ପ୍ରଦାନ କରିବା ଦେଖାଯାଇଛି ଯେ ସୁପ୍ରିମ୍କୋର୍ଟଙ୍କର ୩୭୭ ଧାରା ଉଚ୍ଛେଦ ରାୟ ପରେ ଭାରତରେ ଏଡ୍ସର ପ୍ରସାର ଘଟିବ। ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଧରେ ଯେତେବେଳେ ପାଶ୍ଚାତ୍ୟ ଜଗତ୍ରେ ପ୍ରଥମେ ଏଡ୍ସର ଆବିର୍ଭାବ ଘଟିଲା ସେତେବେଳେ ତାହା ସମ୍ପୂର୍ଣ୍ଣ ରୂପେ ସମଲିଙ୍ଗୀ ପୁରୁଷମାନଙ୍କ ମଧ୍ୟରେ ସୀମିତ ଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ଉଭୟ-ଲିଙ୍ଗୀ ଯୌନ ସମ୍ପର୍କ ରଖୁଥିବା କେତେକଙ୍କ ମାଧ୍ୟମରେ ନାରୀମାନେ ମଧ୍ୟ ଏହି ଭୟଙ୍କର ସଂକ୍ରମଣର ଶିକାର ହେଲେ ଓ ସମୟକ୍ରମେ ସେମାନଙ୍କର ଗର୍ଭସ୍ଥ ସନ୍ତାନ ଓ ସେମାନଙ୍କର ଅନ୍ୟ ପୁରୁଷ ସାଥୀମାନେ ମଧ୍ୟ ଏହାଦ୍ୱାରା ଆକ୍ରାନ୍ତ ହେବାକୁ ଲାଗିଲେ।
ଆଶ୍ଚର୍ଯ୍ୟର କଥା ପ୍ରାଚୀନ ସମୟରେ ଏ ବ୍ୟାଧିର ଆବିର୍ଭାବ ଘଟି ନଥିଲେ ମଧ୍ୟ, ଏବଂ ସମଲିଙ୍ଗୀ ସମ୍ପର୍କ କୌଣସି ସନ୍ତାନ ସୃଷ୍ଟି କିମ୍ବା ତଦ୍ଜନିତ ପିତୃତ୍ୱ ସଙ୍କଟ ସୃଷ୍ଟି କରୁନଥିଲେ ମଧ୍ୟ ପ୍ରଶଂସନୀୟ ଦୂରଦୃଷ୍ଟିର ପରିଚୟ ଦେଇ ପୃଥିବୀର ସମସ୍ତ ମୁଖ୍ୟ ଧର୍ମରେ ସମଲିଙ୍ଗୀ ସମ୍ପର୍କକୁ ନିଷିଦ୍ଧ କରାଯାଇଥିଲା। ଏକ ଉଦାହରଣ ସ୍ୱରୂପ ଖ୍ରୀଷ୍ଟ ଧର୍ମଗ୍ରନ୍ଥ ବାଇବଲ୍ର ଓଲ୍ଡ୍ ଟେଷ୍ଟାମେଣ୍ଟରେ ବର୍ଣ୍ଣିତ ହୋଇଛି ଯେ ସମଲିଙ୍ଗୀ ଯୌନ ସମ୍ପର୍କ ପ୍ରଚଳିତ ଥିବା (ବର୍ତ୍ତମାନ ଇସ୍ରାଏଲ୍ ଅଞ୍ଚଳର) ଦୁଇଟି ନଗରୀ ‘ସୋଡୋମ୍’ ଏବଂ ‘ଗୋମୋରା’କୁ ଈଶ୍ୱର ‘ଗନ୍ଧକ ଓ ଅଗ୍ନି’ ଦ୍ୱାରା ଧ୍ୱଂସ କରି ଦେଇଥିଲେ। ସେଠାରେ ପରିସ୍ଥିତି ଏପରି ଥିଲା ଯେ ଧ୍ୱଂସରୁ ରକ୍ଷା କରିବାକୁ କିଛି ପବିତ୍ର ବ୍ୟକ୍ତିଙ୍କୁ ଠାବ କରିବା ପାଇଁ ଈଶ୍ୱରୂ ସେଠାକୁ ପଠାଇଥିବା ଦୁଇ ଦେବଦୂତଙ୍କୁ ମଧ୍ୟ ‘ସୋଡୋମ୍’ ଓ ‘ଗୋମୋରା’ର ସମଲିଙ୍ଗୀମାନେ ଯୌନ ଆକ୍ରମଣ କରିବାକୁ ପଛାଇ ନଥିଲେ। (ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ବର୍ତ୍ତମାନ ଇଂରେଜୀ ଅଭିଧାନରେ ଥିବା ‘ସଡୋମି’ ଶବ୍ଦ ସମଲିଙ୍ଗୀ ଯୌନ ସଂପର୍କକୁ ହିଁ ବୁଝାଇ ଥାଏ ଏବଂ ଏହାର ମୂଳ ଶବ୍ଦ ହେଉଛି ‘ସୋଡ଼ୋମ୍’)
କହିବା ବାହୁଲ୍ୟ ବର୍ତ୍ତମାନ ବିଭିନ୍ନ ଦେଶରେ ଦେଖା ଯାଉଥିବା ସମଲିଙ୍ଗୀ ଶୋଭାଯାତ୍ରା ବା ତଥାକଥିତ ‘ଗେ ପ୍ରାଇଡ୍’ ମାନଙ୍କୁ ଦେଖିଲେ ଯେ କୌଣସି ସଚେତନ ଦର୍ଶକ ଆଖି ଆଗରେ ‘ସୋଡୋମ୍’ ଓ ‘ଗୋମୋରା’ର ସେଇ ଉଚ୍ଛଙ୍ଖଳ ସମଲିଙ୍ଗୀମାନଙ୍କ ଛବି ନାଚି ଉଠୁଥିବ। ଆଉ ସେ ସମୟର ‘ଗନ୍ଧକ ଓ ଅଗ୍ନି’ ସ୍ଥାନରେ ସେମାନେ ବର୍ତ୍ତମାନ ଦେଖି ପାରୁଥିବେ ‘ଏଚ୍ଆଇଭି’ ଓ ‘ଏଡ୍ସ’କୁ। ଏହି ପରିପ୍ରେକ୍ଷୀରେ ନୂତନ ସ୍ୱାଧୀନତା ଲାଭ କରିଥିବା ସମଲିଙ୍ଗୀମାନଙ୍କ ସମ୍ମୁଖରେ ଥିବା ନୈତିକ ଦାୟିତ୍ୱ ସ୍ପଷ୍ଟ। ପ୍ରଥମ, ସେମାନେ ପରସ୍ପର ମଧ୍ୟରେ ସମ୍ପର୍କ ସ୍ଥାପନ ସମୟରେ ସମସ୍ତ ପ୍ରକାର ଉପଲବ୍ଧ ସଂକ୍ରମଣ-ପ୍ରତିରୋଧକ ସାବଧାନତା ଅବଲମ୍ବନ କରନ୍ତୁ। ଦ୍ୱିତୀୟ, ଏହି ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଆଚରଣକୁ ସର୍ବଦା ନିଭୃତରେ ପାଳନ କରନ୍ତୁ, ଯେପରି ସମାଜର ସଂଖ୍ୟାଗରିଷ୍ଠ ସାଧାରଣ ବିଷମ -ଲିଙ୍ଗୀମାନେ କରିଥାନ୍ତିି। ତୃତୀୟ, ଏହାର ସ୍ୱାଭାବିକ ସମ୍ପ୍ରସାରଣ ସ୍ୱରୂପ ଦାବି ହାସଲ ହୋଇ ସ୍ୱାଧୀନତା ଲାଭ କଲା ପରେ ଏଣିକି ଆଉ ‘ଗେ’ପ୍ରାଇଡ୍’ ଭଳି ପ୍ରଦର୍ଶନୀ ଆୟୋଜନ ନ କରନ୍ତୁ।