ପ୍ରଶ୍ନରେ ପ୍ରଶ୍ନକାଳ

0 109

ଗଣତନ୍ତ୍ର ଏମିତି ଏକ ଶାସନ ବ୍ୟବସ୍ଥା, ଯେଉଁଠି କ୍ଷମତାରେ ଆସୀନ ଲୋକଙ୍କ କ୍ଷମତା ଅପେକ୍ଷା ସାଧାରଣ ଲୋକଙ୍କ କ୍ଷମତା ଅଧିକ। ଏହା ଏଥିପାଇଁ ଯେ, ଶାସନରେ ପଦବିଧାରୀଙ୍କୁ ସେମାନଙ୍କ କର୍ମ, ଅକର୍ମ ଓ ଅପକର୍ମ ପାଇଁ ପ୍ରଶ୍ନ ପଚାରି ଉତ୍ତରଦାୟୀ କରିବା ସକାଶେ ଏହିି ବ୍ୟବସ୍ଥାରେ ପର୍ଯ୍ୟାପ୍ତ ସୁଯୋଗ ଥାଏ। ସଂସଦୀୟ ଗଣତନ୍ତ୍ରରେ ଏହାକୁ ଆନୁଷ୍ଠାନିକତା ପ୍ରଦାନ କରାଯାଇଛି। ସାଧାରଣ ଜନତାଙ୍କ ପକ୍ଷରୁ ଶାସନକୁ ଉତ୍ତରଦାୟୀ କରିବା ଲାଗି ବ୍ୟବସ୍ଥାପକ ସଭାର ସଦସ୍ୟ ଭାବେ ଜନପ୍ରତିନିଧିଙ୍କୁ କ୍ଷମତାସୀନ ସରକାରଙ୍କୁ ନିୟମିତ ପ୍ରଶ୍ନ  କରିବାର ଅଧିକାର ପ୍ରଦାନ କରାଯାଇଛି। ଏହି ଉଦ୍ଦେଶ୍ୟରେ ଭାରତୀୟ ସଂସଦ ଓ ରାଜ୍ୟ ସ୍ତରରେ ବିଧାନସଭାରେ ସ୍ୱତନ୍ତ୍ର ଭାବେ ପ୍ରଶ୍ନୋତ୍ତର କାଳର ବ୍ୟବସ୍ଥା ରହିଛି। କ୍ଷମତାସୀନ ସରକାରଙ୍କୁ ଉତ୍ତରଦାୟୀ କରିବା ଲାଗି ଜନପ୍ରତିନିଧିଙ୍କ ପାଖରେ ଏହା ଯେମିତି ଏକ ପ୍ରଭାବଶାଳୀ ଆୟୁଧ, ନିଜର ନୀତି ଓ ଶାସନ ସମ୍ପର୍କରେ ଜନ ପ୍ରତିକ୍ରିୟା ଜାଣିବା ଲାଗି ସରକାରଙ୍କ ପାଇଁ ମଧ୍ୟ ସେମିତି ଏକ ବଳିଷ୍ଠ ମାଧ୍ୟମ।

ତେବେ ବିଡ଼ମ୍ବନାର ବିଷୟ ହେଲା, ଭାରତୀୟ ସଂସଦୀୟ କାର୍ଯ୍ୟଧାରାରେ ଏହି ପ୍ରଶ୍ନୋତ୍ତର କାଳ ଯେତିକି ଗୁରୁତ୍ୱର ଅପେକ୍ଷା ରଖେ, ମାନ୍ୟବର ସାଂସଦ ଓ ବିଧାୟକମାନେ ସେତିକି ଗୁରୁତ୍ୱ ଦିଅନ୍ତି ନାହିଁ। ଉଭୟ ସଂସଦ ଓ ବିଧାନସଭାରେ ପ୍ରତିବାଦ ଆଳରେ ହଟ୍ଟଗୋଳ କିମ୍ବା ଅନ୍ୟ ବିଶୃଙ୍ଖଳା ଯୋଗୁ କୌଣସି ସଂସଦୀୟ କାର୍ଯ୍ୟ ଯଦି ପ୍ରଥମେ  ବ୍ୟାହତ ହୁଏ, ତେବେ ସେ ହେଉଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକାଳ।

Panda Mobile only

ଓଡ଼ିଶା ବିଧାନସଭାର  ଚଳିତ ମୌସୁମୀ ଅଧିବେଶନରେ ଲଗାତାର ଛଅ ଦିନ ଧରି ପ୍ରଶ୍ନକାଳ ଧୋଇ ହୋଇଯିବା ଏହି ଦୁଃଖଦ ଧାରାର ତାଜା ଉଦାହରଣ। ବିଧାନସଭା ଅଧିବେଶନ ସେପ୍‌ଟେମ୍ବର ୪ରେ ଆରମ୍ଭ ହେଲା। ସେହିଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ଗୃହ ମୁଲତବୀ ହେଲା। ଏହା ପରେ ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ବିଧାନସଭାର ଛଅଟି କାର୍ଯ୍ୟ ଦିବସ ପରେ ଗୃହ ଗଣେଶ ପୂଜା, ନୂଆଁଖାଇ ଛୁଟି ସହ ରବିବାର ପର୍ଯ୍ୟନ୍ତ ବନ୍ଦ ଅଛି। କିନ୍ତୁ ଛଅଟି କାର୍ଯ୍ୟ ଦିବସ ମଧ୍ୟରୁ କୌଣସି ଗୋଟିଏ ଦିନ ବି ଗୃହରେ ପ୍ରଶ୍ନକାଳ ସମ୍ଭବ ହୋଇ ପାରି ନାହିଁ। ସାଧାରଣତଃ ପ୍ରତ୍ୟେକ କାର୍ଯ୍ୟ ଦିବସରେ ହାରାହାରି ୩୦ଟି ତାରକା ପ୍ରଶ୍ନ ତାଲିକାଭୁକ୍ତ ହୋଇଥାଏ। ତେବେ ଏହି ପ୍ରଶ୍ନଗୁଡ଼ିକ ଉପରେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଉପରେ ପୁଣି ଅତିରିକ୍ତ ପ୍ରଶ୍ନର ସୁଯୋଗ ରହିଥାଏ। ଫଳରେ ବିଭାଗର କାର୍ଯ୍ୟ ଓ ନୀତି ସମ୍ପର୍କରେ ଅଧିକ ଆଲୋଚନା ଓ ସମୀକ୍ଷାର ଅବକାଶ ଥାଏ। ରାଜନୈତିକ କାର୍ଯ୍ୟନିର୍ବାହୀ ଭାବେ ମନ୍ତ୍ରୀମାନଙ୍କ ନିଜ ବିଭାଗ ଉପରେ କେତେ ଜ୍ଞାନ ଓ ନିୟନ୍ତ୍ରଣ ଅଛି, ସେ ବିଷୟର ପରୀକ୍ଷା ପାଇଁ ମଧ୍ୟ ଏହା ଏକ ଅବସର। ରାଜ୍ୟବାସୀ ମଧ୍ୟ ଜାଣିପାରନ୍ତି ଯେ, ସେମାନଙ୍କ ଆଶା ଆକାଂକ୍ଷା ପୂରଣ ଲାଗି  ସରକାର କ’ଣ କରୁଛନ୍ତି, ନିର୍ବାଚିତ ଜନ ପ୍ରତିନିଧି ସେମାନଙ୍କ କଥା ରାଜ୍ୟ ଶାସନର ସର୍ବୋଚ୍ଚ ମଞ୍ଚରେ କିଭଳି ଉପସ୍ଥାପନ କରୁଛନ୍ତି।

ତେବେ, ଲଗାତାର ଛଅ ଦିନ ଧରି ବିଧାନସଭା କକ୍ଷ ବିଭିନ୍ନ ପ୍ରସଙ୍ଗରେ ପ୍ରତିବାଦର ମଞ୍ଚ ପାଲଟିବା ଫଳରେ ପ୍ରଶ୍ନକାଳ ସମୟରେ ଗୃହ ଅଚଳ ହୋଇଛି। କୌଣସି ଗୋଟିଏ ଦଳ ଏକା ଏଥି ପାଇଁ ଦାୟୀ ନୁହେଁ। ପାଳି କରି ଶାସକ ବିଜେଡି ଓ ଦୁଇ ବିରୋଧୀ ଦଳ- କଂଗ୍ରେସ, ବିଜେପି ବିଭିନ୍ନ ଦିବସରେ ପ୍ରଶ୍ନକାଳ ବାତିଲ କରାଇଛନ୍ତି। ତେଲ ଦର ବୃଦ୍ଧି ପ୍ରସଙ୍ଗରେ ଗୋଟିଏ ଦିନ ବିଜେଡି, ଗୋଟିଏ ଦିନ କଂଗ୍ରେସ ପ୍ରଶ୍ନକାଳରେ ଗୃହ ଅଚଳ କଲେ। ଆଉ ଗୋଟିଏ ଦିନ ବିଜେପି ଓ କଂଗ୍ରେସର ଶିକ୍ଷକଙ୍କ ସମସ୍ୟା ଉପରେ ପ୍ରତିବାଦ ଯୋଗୁ ପ୍ରଶ୍ନକାଳ ସମ୍ଭବ ହୋଇ ନଥିଲା। ଶିକ୍ଷକ ଧର୍ମଘଟ, ଚାରା ଦୁର୍ନୀତି ପ୍ରସଙ୍ଗରେ ଦୁଇ ବିରୋଧୀ ଦଳଙ୍କ ଦ୍ୱାରା ଦୁଇଦିନ ଏବଂ ଶିଳ୍ପାୟନ ପ୍ରସଙ୍ଗରେ ଏକା ବିଜେପିର ଗୃହରେ ହଟ୍ଟଗୋଳ ଯୋଗୁ ପ୍ରଶ୍ନକାଳ ହୋଇ ପାରି ନାହିଁ। ପ୍ରଶ୍ନ ଉଠୁଛି, ଯେଉଁ ସବୁ ପ୍ରସଙ୍ଗରେ ପ୍ରତିବାଦ ଜଣାଇବା ଲାଗି ଗୃହର ପ୍ରଶ୍ନକାଳ ଅଚଳ କରି ଦିଆଗଲା, ସେହି ସବୁ ପ୍ରସଙ୍ଗ ଉପରେ କ’ଣ ବିଧାନସଭାରେ ପ୍ରତିବାଦର ସ୍ୱର ଉଠାଇବା ପାଇଁ ଆଉ ସୁଯୋଗ ନଥିଲା? ପ୍ରଶ୍ନକାଳରେ ହଟ୍ଟଗୋଳ ନ କରି ଏହି ସବୁ ପ୍ରସଙ୍ଗ ଶୂନ୍ୟକାଳରେ ଉପସ୍ଥାପନ ଲାଗି ମାନ୍ୟବର ବିଧାୟକମାନଙ୍କ ପକ୍ଷରେ ଯଥେଷ୍ଟ ସୁଯୋଗ ରହିଥିଲା। କିନ୍ତୁ ସେଥିପାଇଁ ଧୈର୍ଯ୍ୟ କାହିଁ? ଶାସନକୁ ଉତ୍ତରଦାୟୀ କରିବା ଅପେକ୍ଷା ରାଜନୈତିକ ଶକ୍ତି ପ୍ରଦର୍ଶନ ଲାଗି ଅଧିକ ବ୍ୟଗ୍ରତା। ମୁଲତବୀ ପ୍ରସ୍ତାବ ଦ୍ୱାରା ମଧ୍ୟ ପ୍ରସଙ୍ଗ ଗୁଡ଼ିକ ଉପରେ ବିତର୍କ ହୋଇ ପାରନ୍ତା। ଶିକ୍ଷକଙ୍କ ଦାବି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ସମୟ ଧାର୍ଯ୍ୟ ହେଲା। କିନ୍ତୁ ଏହା ପୂର୍ବରୁ ଗୃହକୁ ପ୍ରଶ୍ନକାଳ ସମୟରେ ଅଚଳ କରିବା କ’ଣ ବିଶେଷ ଆବଶ୍ୟକତା ଥିଲା। ବିଧାନସଭା ବାହାରେ ରାଜରାସ୍ତାରେ ତ ପ୍ରସଙ୍ଗ ଗୁଡ଼ିକ ଉପରେ ଲଢ଼େଇ ଚାଲିଛି, ପୁଣି ବିଧାନସଭାରେ ମଧ୍ୟ ଏହାର ପୁନରାବୃତ୍ତିକୁ କ’ଣ ଏଡ଼ାଯାଇ ପାରନ୍ତା ନାହିଁ? ତେଲ ପ୍ରସଙ୍ଗରେ ଶାସକ ଦଳର ତିନି ଦିନିଆ ଆନ୍ଦୋଳନର ପ୍ରଥମ ଦିନ ଗୃହରେ ପ୍ରଶ୍ନ କାଳ  ବାତିଲ  ହେଲା। ଏହା କେତେ ଯଥାର୍ଥ? ଏହା ଦ୍ୱାରା ଗୃହର ଗରିମା, ଗୁରୁତ୍ୱ କ’ଣ କ୍ଷୁଣ୍ଣ ହେଉ ନାହିଁ? ଅବଶ୍ୟ, ପ୍ରଶ୍ନୋତ୍ତର କାଳରେ ଗୃହ ଅଚଳ ହେବା ଆମ ସଂସଦୀୟ ବ୍ୟବସ୍ଥାକୁ ଆକ୍ରାନ୍ତ କରିଥିବା ଏକମାତ୍ର ବିଲକ୍ଷଣ ନୁହେଁ। କୌଣସି ପ୍ରସଙ୍ଗରେ ବିତର୍କ ଅପେକ୍ଷା ଅଧିକ ବାକ୍‌ବିତଣ୍ଡା ହେଉଛି। ଗୋଟିଏ ପ୍ରସଙ୍ଗରେ ହୋହଲ୍ଲା ହେଉଛି, ଅଥଚ ସେଇ ପ୍ରସଙ୍ଗରେ  ଆଲୋଚନା ବେଳେ ବିଧାୟକ ଓ ସାଂସଦଙ୍କ ଉପସ୍ଥିତି ପତଳା। ଏହା ନିଶ୍ଚୟ ଏକ ଶୁଭ ଲକ୍ଷଣ ନୁହେଁ।

ଏହି ସବୁ ବିଲକ୍ଷଣ ଜନତାଙ୍କ ଆଶା ଆକାଂକ୍ଷାର ପ୍ରତୀକ ଭାବେ ସ୍ୱତଃ ବିଧାନସଭାର ପ୍ରାସଙ୍ଗିକତା ଉପରେ ପ୍ରଶବାଚୀ ସୃଷ୍ଟି କରୁଛି। ଯୁକ୍ତି କରାଯାଇପାରେ, ବିଭିନ୍ନ ପ୍ରସଙ୍ଗ ଉପରେ ସାଧାରଣ ଜନତାଙ୍କ ସ୍ୱର, ବିଭିନ୍ନ ବର୍ଗର ଦାବି ବିଧାନସଭାରେ ପ୍ରତିଧ୍ୱନିତ ହେବା ଉଚିତ। ଏହା କେହି ଅସ୍ୱୀକାର କରୁନାହିଁ।  ଏଥିପାଇଁ ବିଧାନସଭା ପ୍ରକୃଷ୍ଟ ମଞ୍ଚ। ଜନତାଙ୍କ ସ୍ୱର ବିଧାନସଭାରେ ଉଠାଇବା ମାନ୍ୟବର ବିଧାୟକମାନଙ୍କ ପବିତ୍ର କର୍ତ୍ତବ୍ୟ ମଧ୍ୟ।  କିନ୍ତୁ ସଂସଦୀୟ ବିଧି ବ୍ୟବସ୍ଥା, ପରମ୍ପରାର ସରହଦ ଭିତରେ ସ୍ୱର ଉଠାଗଲେ ତାହା ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରନ୍ତା। ଜନତାଙ୍କ ଦାବି ଉଠାଇବାର ବ୍ୟଗ୍ରତା ମଧ୍ୟରେ ଶାସନକୁ ଉତ୍ତରଦାୟୀ କରିବାର ଦାୟିତ୍ୱ ପ୍ରତି ଅଣଦେଖା ସ୍ପୃହଣୀୟ ନୁହେଁ। ଏହା ସଂସଦୀୟ ବ୍ୟବସ୍ଥାର ବିଶ୍ୱସନୀୟତାକୁ ପ୍ରଭାବିତ କରୁଛି। ବିଧି ବ୍ୟବସ୍ଥା, ପରମ୍ପରାର ଶୃଙ୍ଖଳା ମଧ୍ୟରେ ବିଧାନସଭା ଚାଲିଲେ, ଏହା ଗଣତାନ୍ତ୍ରିକ ଅନୁଷ୍ଠାନର ମର୍ଯ୍ୟାଦା, ଗରିମାର ଅନୁକୂଳ ହେବ ଓ ଠିକ ଭାବେ ଲୋକଙ୍କ ଆଶା ଆକାଂକ୍ଷାର ପ୍ରତିଫଳନ ପାଇଁ ଏକ ପ୍ରକୃଷ୍ଟ ମଞ୍ଚ ହୋଇପାରିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.