ବିରୋଧୀ ଗୋଠରେ ଗୋଳ

ଗତ ମେ’ ୨୩ରେ ଜେଡି (ଏସ୍‌) ନେତା ଏଚ୍‌ଡି କୁମାରସ୍ୱାମୀ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ। ଜେଡି (ଏସ୍‌)- କଂଗ୍ରେସ ମେଣ୍ଟ ସରକାର ଗଠନ ଅବସରରେ ସେହିଦିନ ବେଙ୍ଗାଲୁରୁଠାରେ କଶ୍ମୀରରୁ କେରଳ ପର୍ଯ୍ୟନ୍ତ ଅଣ-ବିଜେପି, ଅଣ-ଏନ୍‌ଡିଏ ଦଳର ସଂଖ୍ୟାଗରିଷ୍ଠ ନେତା ଏକାଠି ହୋଇଥିଲେ। ଗୋଟିଏ ବିଶାଳ ମଞ୍ଚରେ ସମଭାବାପନ୍ନ, ଧର୍ମନିରପେକ୍ଷତାବାଦୀ ନେତାମାନେ ପରସ୍ପରର ହାତ ଟେକି ଠିଆ ହେବାର ଦୃଶ୍ୟ ହିନ୍ଦୁତ୍ୱବାଦୀ ବିଜେପି ବିପକ୍ଷରେ ବିରୋଧୀଙ୍କ ମେଳି ନେଇ ଏକ ଉଜ୍ଜ୍ୱଳ ସମ୍ଭାବନା ସୃଷ୍ଟି କରିଥିଲା। ଇତିମଧ୍ୟରେ ଚାରି ମାସ ସମୟ ବିତିଗଲାଣି। କିନ୍ତୁ ବିରୋଧୀ ଏକତା ସମ୍ଭାବନା ଉଜ୍ଜ୍ୱଳତର ହେଉଥିବା ଲକ୍ଷଣ ଅପେକ୍ଷା ଏହାର ବିପରୀତ ଲକ୍ଷଣ ଅଧିକ ସ୍ପଷ୍ଟ ପରିଲକ୍ଷିତ ହେଉଛି। ବର୍ଷ ଶେଷ ଆଡ଼କୁ ତିନିଟି ବିଜେପି ଶାସିତ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଏବଂ ଉତ୍ତରପୂର୍ବ ରାଜ୍ୟ ମିଜୋରାମ ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଛି। ଏହି ଚାରିଟି ରାଜ୍ୟ ସହ ନିକଟରେ ବିଧାନସଭା ଭଙ୍ଗ ହୋଇଥିବା ତେଲେଙ୍ଗାନାରେ ମଧ୍ୟ ନିର୍ବାଚନ ହୋଇପାରେ। ଉଣେଇଶ ଫାଇନାଲ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ଏହି ପାଞ୍ଚଟି ଧାନସଭା ନିର୍ବାଚନର ଫଳାଫଳ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବ। ନିର୍ବାଚନ କମିସନ୍‌ ଆନୁଷ୍ଠାନିକ ଭାବେ ତାରିଖ ଘୋଷଣା କରିନଥିଲେ ସୁଦ୍ଧା ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବସ୍ତୁତଃ ଅବଗଣନା ଆରମ୍ଭ ହୋଇଗଲାଣି। ଅଥଚ ବିରୋଧୀ ଶିବିରରୁ ଏକତା ନେଇ ଯେଉଁ ପ୍ରକାର ସକାରାତ୍ମକ ସଂକେତ ମିଳିବା କଥା ତାହା ଦେଖାଯାଉ ନାହିଁ। ବରଂ ଅନ୍ୟପକ୍ଷରେ ମିଳୁଥିବା ସଂକେତରେ ଆଶା ଅପେକ୍ଷା ନିରାଶା ଅଧିକ।

ନିଃସନ୍ଦେହ, ବିରୋଧୀ ଏକତା ପଛରେ ଯେଉଁ ଲକ୍ଷ୍ୟ ଥିଲା, ତାହା ଏବେ ମଧ୍ୟ ଅପରିବର୍ତ୍ତିତ। ଲକ୍ଷ୍ୟ ଥିଲା ଉଣେଇଶ’ରେ ବିଜେପିର ପରାଜୟ। ଏହି ଲକ୍ଷ୍ୟ ହାସଲ ପାଇଁ ବିରୋଧୀ ମେଳିର ସବୁ ଦଳ ସଂକଳ୍ପବଦ୍ଧ। କିନ୍ତୁ ଲକ୍ଷ୍ୟ ହାସଲର ସଂକଳ୍ପ ପଛରେ ଯେଉଁ ପ୍ରକାର ଏକତାର ଭାବନା ଦରକାର, ତାହା ବିରୋଧୀ ଶିବିରରେ ଦେଖାଯାଉ ନାହିଁ। ଏକତାର ଭାବନା ଆସିବ କେମିତି ଯଦି କୌଣସି ସହଯୋଗୀ ଦଳ ସାମୂହିକ ଲକ୍ଷ୍ୟ ହାସଲ ପାଇଁ ଦଳୀୟ ସ୍ୱାର୍ଥ, ଅହଙ୍କାରରୁ ପାଦେ ସୁଦ୍ଧା ଓହ୍ଲାଇବାକୁ ନାରାଜ। ନିଜ ଶକ୍ତି ଅନୁପାତରେ ଅଧିକ ଉଚ୍ଚାକାଂକ୍ଷା ଏକତା ରାସ୍ତାରେ ପ୍ରଧାନ ବାଧକ।

ଏ ପରିପ୍ରେକ୍ଷୀରେ ବିରୋଧୀ ଏକତା ପ୍ରୟାସ ପଛର ଅନ୍ୟତମ ପ୍ରମୁଖ ଶକ୍ତି ବହୁଜନ ସମାଜ ପାର୍ଟିର ନେତ୍ରୀ ଦଳିତ ରାଣୀ ମାୟାବତୀଙ୍କ ମତିଗତିି ଆଲୋଚନର ଅପେକ୍ଷା ରଖୁଛି। ବିଜେପିର ମୁକାବିଲା ପାଇଁ ବିରୋଧୀ ମେଳରେ ବିଏସ୍‌ପିର ଉପସ୍ଥିତି ଅତ୍ୟନ୍ତ ନିର୍ଣ୍ଣାୟକ ଓ ଗୁରୁତ୍ୱପୂର୍ଣ୍ଣ। ମାୟାବତୀଙ୍କ ସମର୍ଥନ ବିନା ୟୁପିରେ ୩ଟି ଆସନରେ ବିଜେପିକୁ ହରାଇବା ସମ୍ଭବ ହୋଇନଥାନ୍ତା। ଏବେ କିନ୍ତୁ ମାୟାବତୀ ବିଜେପି ବିରୋଧୀ ମେଳିରେ ରହିବା ଲାଗି ସର୍ତ୍ତ ରଖୁଛନ୍ତି। ସର୍ତ୍ତ ତ ନୁହେଁ ଧମକ କୁହାଯାଇପାରେ। ଦଳିତ ରାଣୀ ସ୍ପଷ୍ଟ କରି ଦେଇଛନ୍ତି ଯେ, ସନ୍ତୋଷଜନକ ସଂଖ୍ୟକ ଲୋକସଭା ଆସନ ନ ମିଳିଲେ ବିଏସ୍‌ପି ପୃଥକ୍‌ ଭାବେ ଏକାକୀ ଲଢ଼ିବ। ତେବେ ବିଏସ୍‌ପିର ସେହି ସନ୍ତୋଷଜନକ ଆସନ ସଂଖ୍ୟା କେତେ? କେତେ ଆସନ ମିଳିଲେ ମାୟାବତୀ ସନ୍ତୁଷ୍ଟ ହେବେ? ଏହାକୁ ଦଳିତରାଣୀ ସ୍ପଷ୍ଟ କରି ନାହାନ୍ତି। କିନ୍ତୁ ବାର୍ତ୍ତା ସ୍ପଷ୍ଟ ଯେ ଉତ୍ତର ପ୍ରଦେଶରେ ସିଂହଭାଗ ଆସନ ସହ ଦଳର ଉପସ୍ଥିତି ଥିବା ଅନ୍ୟ ରାଜ୍ୟ ଯଥା- ମଧ୍ୟପ୍ରଦେଶ, ରାଜସ୍ଥାନ, ପଞ୍ଜାବ ଆଦିରେ ମଧ୍ୟ ବିଏସ୍‌ପିକୁି ଯଥେଷ୍ଟ ସଂଖ୍ୟାରେ ଆସନ ମିଳୁ। ମାୟାବତୀଙ୍କ ଏ ଧମକକୁ ହାଲୁକା ଭାବେ ନିଆଯାଇ ନପାରେ। କାଳିଗାଈର ଭିନ୍ନେ ଗୋଠ ନ୍ୟାୟରେ ସେ ଯେ ଭିନ୍ନ ରାସ୍ତା ଧରିପାରନ୍ତି, ତା’ର ଯଥେଷ୍ଟ ସୂଚନା ଦେଇଛନ୍ତି। ଛତିଶଗଡ଼ରେ ମୁଖ୍ୟ ବିକଳ୍ପ କଂଗ୍ରେସକୁ ଛାଡ଼ି ସେ ଆଞ୍ଚଳିକ ଦଳ ଗଠନ କରିଥିବା ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ସହ ହାତ ମିଳାଇଛନ୍ତିି। ବିଜେପି ଶାସିତ ତିନିଟି ଯାକ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଆସନ ବୁଝାମଣା ଲାଗି ବିଏସ୍‌ପିର ପ୍ରସ୍ତାବ ଉପରେ ମୁଖ୍ୟ ବିକଳ୍ପ ତଥା ମେଳିର ନେତା କଂଗ୍ରେସର ଶୀତଳ ଓ ଟାଳଟୁଳ ଆଭିମୁଖ୍ୟର ଏହା ପ୍ରତିବାଦ। ତିନିଟି ଯାକ ରାଜ୍ୟର କଂଗ୍ରେସ ମୁଖ୍ୟ ବିକଳ୍ପ ଓ ଏଥର ଦଳର ସମ୍ଭାବନା ମଧ୍ୟ ମନ୍ଦ ନୁହେଁ। ତେବେ କଂଗ୍ରେସ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇଥିଲେ ସୁଦ୍ଧା ଏହି ରାଜ୍ୟ ଗୁଡ଼ିକରେ ବିଏସ୍‌ପିର ଶକ୍ତିକୁ ନ୍ୟୂନ ମନେ କରାଯାଇ ନପାରେ। ୨୦୧୩ ବିଧାନସଭା ନିର୍ବାଚନରେ ବିଏସ୍‌ପି ମଧ୍ୟପ୍ରଦେଶରେ ଛଟି ଆସନ ସହ ୬.୨୯% ଭୋଟ ପାଇଥିଲା। ଛତିଶଗଡ଼ରେ ଗୋଟିଏ ଆସନ ସହ ୪.୩% ଭୋଟ। ରାଜସ୍ଥାନରେ ଦଳର ପ୍ରଦର୍ଶନ ୩ ବିଧାୟକ ସହ ୩.୪% ଭୋଟ ଥିଲା। ଏଥିରେ କୌଣସି ସନ୍ଦେହ ନାହିଁ ଯେ ବିଏସ୍‌ପିର ସମର୍ଥନରେ ବିଜେପି ବିରୋଧରେ କଂଗ୍ରେସର ମୁକାବିଲା ଅଧିକ ପ୍ରଭାବଶାଳୀ ହୋଇପାରିବ। ତେବେ ସମସ୍ୟା ହେଲା ବିଏସ୍‌ପି ଶକ୍ତି ଅନୁପାତରେ ଅଧିକ ଆସନ ଦାବି କରୁଛି। ଯାହା କଂଗ୍ରେସ ପକ୍ଷରେ ଗ୍ରହଣ କରିବା ସମ୍ଭବ ନୁହେଁ। ଅନ୍ୟ ପକ୍ଷରେ ନିଜ ଶକ୍ତିର ଆକଳନ କରି ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଆସନ ବୁଝାମଣା ପ୍ରତି କଂଗ୍ରେସ ଅନୁକୂଳ ଥିଲା ବେଳେ ରାଜସ୍ଥାନରେ ଅନ୍ୟ କାହାକୁ ସାଙ୍ଗରେ ନେବାକୁ ଦଳ ପ୍ରସ୍ତୁତ ନୁହେଁ। ବିଧାନସଭା ଆସନ ନେଇ କଂଗ୍ରେସ- ବିଏସ୍‌ପି ଟଣାଓଟରା ବିରୋଧୀ ଏକତା ପ୍ରୟାସ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି। ଅନ୍ୟ କେତେକ ଛୋଟ ଦଳ ମଧ୍ୟ ବିଶେଷ କୌଣସି ସାଂଗଠନିକ ଉପସ୍ଥିତି ନଥିବା ସତ୍ତ୍ୱେ ମଇଦାନକୁ ଓହ୍ଲାଇବାକୁ ଯୋଜନା କରୁଛନ୍ତି, ଯାହା ମୁଖ୍ୟ ବିକଳ୍ପ କଂଗ୍ରେସ ପାଇଁ ପ୍ରତିକୂଳତାକୁ ବଢ଼ାଇବ।

ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ତିନିଟି ରାଜ୍ୟର ଆସନ ଭାଗବଣ୍ଟା ନେଇ ପିଠାକଳି ଯେମିତି ତୁଟୁନାହିଁ। ଅନ୍ୟ ପ୍ରାୟ ସବୁ ରାଜ୍ୟରେ ଆସନ ଭାଗବଣ୍ଟାକୁ କେନ୍ଦ୍ର କରି ପ୍ରାୟତଃ ସମାନ ଅବସ୍ଥା। ଯେଉଁ ରାଜ୍ୟରେ ଯେଉଁ ଦଳର ପତିଆରା ଅଧିକ, ସେହି ଦଳ ଅନ୍ୟ ସହଯୋଗୀଙ୍କ ପ୍ରତି ଉଦାର ହୋଇପାରୁନାହିଁ। ସହଯୋଗୀମାନେ ମଧ୍ୟ ନିଜ ଶକ୍ତି ଅନୁପାତରେ ଅଧିକ ଉଚ୍ଚାଭିଳାଷୀ ହୋଇ ପଡ଼ିଛନ୍ତି। ଫଳରେ ଭାଗବଣ୍ଟା ଅଙ୍କ ଛିଡୁନାହିଁ। ଯଦି ବିରୋଧୀ ମେଣ୍ଟ ହୁଏ, ତେବେ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ ବାମପନ୍ଥୀ ଓ କଂଗ୍ରେସ ପାଇଁ କେତେ ଆସନ ଛାଡ଼ିବ? ଉତ୍ତରପ୍ରଦେଶରେ ଏସ୍‌ପି- ବିଏସ୍‌ପି, କଂଗ୍ରେସ ସମେତ ଅନ୍ୟ ସହଯୋଗୀଙ୍କୁ କେତେ ଆସନ ଦେବେ ସେ ନେଇ ଅତିଶ୍ଚିତତା ଲାଗି ରହିଛି। ଏହା ଏକତା ପ୍ରକ୍ରିୟା ପାଇଁ ବାତାବରଣକୁ ଅଧିକ ଅସ୍ୱସ୍ତିକର କରି ଦେଉଛି। ଏ ବାତାବରଣରେ ଅତିକମ୍‌ରେ ୪୦୦ଟି ଲୋକସଭା ଆସନରେ ବିେ.ଜପି ନେତୃତ୍ୱାଧୀନ ଏନ୍‌ଡିଏ ପ୍ରାର୍ଥୀ ବିରୋଧରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ଲାଗି ବିରୋଧୀ ଶିବିରର ଯୋଜନା ବାସ୍ତବତାରେ ରୂପାୟିତ ହେବା ନେଇ ଯଥେଷ୍ଟ ସନ୍ଦେହ ରହୁଛି। ପାରସ୍ପରିକ ଅବିଶ୍ୱାସ ଓ ସନ୍ଦେହ ମଧ୍ୟରେ ବିରୋଧୀ ଶିବିରରେ ଲାଗି ରହିଥିବା ଅନିଶ୍ଚିତତା ଓ ଅସ୍ଥିରତାର ବାତବରଣ କେବଳ ଉଣେଇଶ ପାଇଁ ନୁହେଁ, ବିଜେପି ପାଇଁ ଏହାର ସଭାପତି ଶାହଙ୍କ କ୍ଷମତାରେ ପଚାଶ ବର୍ଷର ସ୍ୱପ୍ନକୁ ମଧ୍ୟ ସୁହାଉଛି।

ସମ୍ବନ୍ଧିତ ଖବର