ଶକ୍ତିହୀନ ଶିକ୍ଷାସ୍ତ୍ର

ପରବର୍ତ୍ତୀ sସାଧାରଣ ନିର୍ବାଚନ ନେଇ ଦେଶରେ ଉଷ୍ମତା ବଢ଼ି ଚାଲିଛି। ରାଜନୈତିକ ଛକାପ˚ଝା ମଧୢରେ କାଁ ଭାଁ କେତେବେଳେ କେମିତି ବିକାଶ ପ୍ରସଙ୍ଗରେ ମଧୢ ବିତର୍କ ହେଉଛି। ତେବେ, ଆଉ ମାତ୍ର ଛଅ ବର୍ଷ ପରେ ବିଶ୍ବର ସବୁଠାରୁ ଜନବହୁଳ ଦେଶ ହେବାକୁ ଯାଉଥିବା ଭାରତକୁ ସାମାଜିକ ପ୍ରଗତି ଓ ଅର୍ଥନୈତିକ ଅଭିବୃଦ୍ଧି ରାସ୍ତାରେ ଆଗେଇ ନେବା ଲାଗି ବିକାଶର କେଉଁ କ୍ଷେତ୍ରଟି ପ୍ରାଥମିକତାର ସୂଚୀରେ ନିଶ୍ଚୟ ସ୍ଥାନ ଦାବି କରୁଛି? ଯଦି କ୍ଷମତା ଦୌଡ଼ରେ ସାମିଲ ପ୍ରତିଦ୍ବନ୍ଦ୍ବୀ ରାଜନେତା ଓ ସେମାନଙ୍କ ନୀତି ପରାମର୍ଶଦାତାମାନେ ଏହାର ଉତ୍ତର ଖୋଜୁଥାନ୍ତି, ତେବେ ସଦ୍ୟ ପ୍ରକାଶିତ ପ୍ରାଥମିକ ଶିକ୍ଷାର ସ୍ଥିତି ସ˚କ୍ରାନ୍ତ ‘ଅସର-୧୮’ ରିପୋର୍ଟ ସେମାନଙ୍କ ମାର୍ଗ ଦର୍ଶନ କରିପାରିବ। ଗୋଟିଏ ଦେଶର ବିକାଶ ପାଇଁ ରାସ୍ତା, ପୋଲ, କଳକାରଖାନା ଆଦି ତିଆରି ଯେତିକି ଆବଶ୍ୟକ, ମଣିଷ ତିଆରି ତା’ଠାରୁ ସହସ୍ରଗୁଣ ଅଧିକ ଜରୁରୀ। ମାନବ ସମ୍ବଳ ବିକାଶ ବିନା ବିକାଶ କଦାପି ସ୍ବୟ˚ ସମ୍ପୂର୍ଣ୍ଣ ହୋଇପାରେ ନାହିଁ। ବିକାଶର ‘ଅନ୍ତର୍ଭୁକ୍ତୀକରଣ’ ଚରିତ୍ର ଲାଗି ମଧୢ ମାନବ ସମ୍ବଳର ବିକାଶ ଏକାନ୍ତ ଅପରିହାର୍ଯ୍ୟ। କୁହାଯାଏ, ମାନବ ସମ୍ବଳ ହେଉଛି, ଗୋଟିଏ ଦେଶ ତଥା ଜାତିର ଶ୍ରେଷ୍ଠ ସମ୍ପଦ। ମାନବ ସମ୍ବଳକୁ ସମ୍ପଦରେ ପରିଣତ କରିବାର ଶ୍ରେଷ୍ଠ ମାଧୢମ ହେଲା ଶିକ୍ଷା। ବର୍ଣ୍ଣବୈଷମ୍ୟରୁ ଆଫ୍ରିକାର ମୁକ୍ତିଦାତା ନେଲ୍‌ସନ୍‌ ମାଣ୍ତେଲା କହିଥିଲେ- ପରିବର୍ତ୍ତନ ପାଇଁ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ହେଉଛି ଶିକ୍ଷା।

ତେବେ ଏହା ଏକ ଦୁର୍ଭାଗ୍ୟଜନକ ଯେ, ପରିବର୍ତ୍ତନର ଏ ଶ୍ରେଷ୍ଠ ଅସ୍ତ୍ର ଭାରତରେ ଶକ୍ତିହୀନ। ସେଥିପାଇଁ, ୧୨୫ କୋଟିର ବିପୁଳ ଜନସ˚ଖ୍ୟା ସତ୍ତ୍ବେ ଭାରତ ମାନବ ସମ୍ପଦ ଦୃଷ୍ଟିରୁ ଘୋର ନିଅଣ୍ଟିଆର ଶିକାର; ଯାହା ଦେଶର ପ୍ରଗତିରେ ବାଧକ। ପରିବର୍ତ୍ତନର ଅସ୍ତ୍ର ଶକ୍ତିଶାଳୀ ହେବ କେମିତି, ଯଦି ଆଠ ବର୍ଷର ଶିକ୍ଷା ଶେଷ ପରେ ମଧୢ ଚଉଠେ ପିଲା ଠିକଣା ଭାବେ ପଢ଼ି ପାରିବେ ନାହିଁ କି ଅଧାରୁ ଅଧିକ ପିଲା ସାଧାରଣ ହରଣ କି ଗୁଣନଟିଏ କରିବାକୁ ଅକ୍ଷମ। ଦେଶର ପ୍ରାଥମିକ ସ୍ତରରେ ଶିକ୍ଷାର ଅବସ୍ଥା ଅନୁଧୢାନ କରି ବିଗତ ତେର ବର୍ଷ ଧରି ପ୍ରତିବର୍ଷ ପ୍ରକାଶ ପାଉଥିବା ‘ଅସର’ (ଆନୁଆଲ୍‌ ଷ୍ଟାଟସ୍‌ ଅଫ୍‌ ଏଡୁକେସନ ରିପୋର୍ଟ) ୨୦୧୮ ରେ ଏମିତି ଆହୁରି ଅନେକ ତଥ୍ୟ ରହିଛି; ଯାହା ପିଲାଙ୍କ ନିରାଶାଜନକ ଜ୍ଞାନ ସ୍ତରର ସୂଚନା ଦେବା ସହ ପ୍ରାଥମିକ ଶିକ୍ଷାର ଏକ ବିକଳ ଚିତ୍ର ଉପସ୍ଥାପନ କରୁଛି।

ସର୍ବଶିକ୍ଷା ଅଭିଯାନ ଓ ଶିକ୍ଷାଧିକାର ଆଇନ ଲାଗୁ ହେବା ପରେ ପ୍ରାଥମିକ ସ୍ତରରେ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କ ସ˚ଖ୍ୟା ବଢିଛି। ବିଦ୍ୟାଳୟ ଯିବା ବୟସର ମାତ୍ର ୩ ପ୍ରତିଶତରୁ ବି କମ୍‌ ପିଲା ସ୍କୁଲ ବାହାରେ ଅଛନ୍ତି। ଅଧାରେ ପାଠ ଛାଡୁଥିବା ପିଲାଙ୍କ ସ˚ଖ୍ୟା ମଧୢ କମିଛି। ଅଧିକ ପିଲା ଅଧିକ ବର୍ଷ ସ୍କୁଲରେ ରହି ପ୍ରାଥମିକ ଶିକ୍ଷା ସମାପ୍ତ କରୁଛନ୍ତି। ପ୍ରାଥମିକ ଶିକ୍ଷାର ଏ ଉଜ୍ଜ୍ବଳ ଦିଗକୁ ଫିକା କରି ଦେଉଥିବା ଅନ୍ୟ ତଥ୍ୟଟି ହେଲା- ଅଧିକ ବର୍ଷ ସ୍କୁଲରେ ରହିଲେ ମଧୢ, ସେ ଅନୁପାତରେ ଛାତ୍ରଛାତ୍ରୀଙ୍କ ଜ୍ଞାନ ସ୍ତର ବଢ଼ୁ ନାହିଁ। ଅତ୍ୟନ୍ତ ଚିନ୍ତାର ବିଷୟ ହେଲା, ବିଗତ ଦଶ ବର୍ଷରେ ପିଲାଙ୍କ ପାଠପଢ଼ା ଓ ଜ୍ଞାନ ସ୍ତରରେ ଉନ୍ନତି ପରିବର୍ତ୍ତେ ଅବନତିର ଅଶୁଭ ଲକ୍ଷଣ ଦେଖା ଦେଇଛି। ୨୦୦୮ରେ ପଞ୍ଚମ ଶ୍ରେଣୀରେ ୩୭% ପିଲା ମୌଳିକ ଗଣିତ ଜାଣୁଥିଲେ। ଦଶବର୍ଷ ପରେ ୨୦୧୮ରେ ପଞ୍ଚମ ଶ୍ରେଣୀରେ ମୌଳିକ କଣିତ କରି ପାରୁଥିବା ପିଲାଙ୍କ ଭାଗ ୨୮%କୁ ଖସି ଆସିଛି। ସେମିତି ଦଶ ବର୍ଷ ତଳେ ଅଷ୍ଟମ ଶ୍ରେଣୀର ୧୫% ପିଲାଙ୍କୁ ଦ୍ବିତୀୟ ଶ୍ରେଣୀର ପାଠ ଆସୁ ନଥିଲା। ୨୦୧୮ ବେଳକୁ ଦ୍ବିତୀୟର ପାଠ ଜାଣୁନଥିବା ଅଷ୍ଟମ ଶ୍ରେଣୀର ପିଲାଙ୍କ ଭାଗ ୨୭%କୁ ବୃଦ୍ଧି ପାଇଛି। ପିଲାଙ୍କ ପାଠପଢ଼ା ଓ ଜ୍ଞାନର ଏ ପଶ୍ଚାତ୍‌ ଗତି ସ୍ବାଭାବିକ ଭାବେ ଶିକ୍ଷାଦାନର ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶିକ୍ଷାଦାନର ମାନ ସହ ଯୋଡ଼ି ହୋଇଥିବା ଶୈକ୍ଷିକ ପରିବେଶ, ଶିକ୍ଷକଙ୍କ ଦକ୍ଷତା, ବୃତ୍ତିଗତ ନିଷ୍ଠା ପ୍ରତି ମଧୢ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ପ୍ରାଥମିକ ସ୍ତରରେ ଶିକ୍ଷାର ବିକଳ ଅବସ୍ଥାର ଦୁଃଖଦ କାହାଣୀ ଏତିକିରେ ସରୁନାହିଁ। ତୃତୀୟ ଶ୍ରେଣୀର ୭୯% ପିଲା ଫେଡ଼ାଣଟିଏ କରିବାକୁ ଅକ୍ଷମ। ତୃତୀୟ ଶ୍ରେଣୀର ୭୦% ଦ୍ବିତୀୟର ପାଠ ପଢ଼ି ପାରୁନାହାନ୍ତି।

ଶିକ୍ଷାର ଏ ପ୍ରକାର ଦୁର୍ବଳ ଭିତ୍ତିଭୂମି ଉପରେ ବିଶ୍ବର ଅନ୍ୟତମ ଜ୍ଞାନଶକ୍ତି ହେବା ଲାଗି ଭାରତର ସ୍ବପ୍ନ- ଦିବାସ୍ବପ୍ନ ନୁହେଁ ତ? ଆଇନଷ୍ଟାଇନ୍‌ କହିଥିଲେ ପାଠପଢ଼ା କେବଳ ତଥ୍ୟର ଆହରଣ ନୁହେଁ, ଏହା ମଣିଷକୁ ଚିନ୍ତା କରିବାର ଶକ୍ତି ଦିଏ। ଏ ପ୍ରକାର ପାଠପଢ଼ାରେ ଚିନ୍ତା କରିବାର ଶକ୍ତି ଆସିବ କୁଆଡୁ? ‘ଅସର’ ରିପୋର୍ଟ ଆଙ୍କୁଥିବା ପ୍ରାଥମିକ ଶିକ୍ଷାର ବିକଳ ଅବସ୍ଥାର କାରଣ କାହାକୁ ଅଛପା ନୁହେଁ। ଶିକ୍ଷାଧିକାର ଆଇନ ଅନୁଯାୟୀ ସ୍କୁଲ ସ˚ଖ୍ୟା ବଢ଼ିଲା। ଅଧିକ ସ୍କୁଲ ଘର, ଅଧିକ ଶ୍ରେଣୀ କୋଠରି ତିଆରି ହେଲା। ଅଥଚ, ଏ କଥା ପ୍ରତି ଗୁରୁତ୍ବ ଦିଆଗଲା ନାହିଁ ଯେ, ଖାଲି ସ୍କୁଲ ଘର, ଶ୍ରେଣୀ କୋଠରି ନିର୍ମାଣ ହୋଇଗଲେ ପାଠପଢ଼ା ହୁଏ ନାହିଁ, ପାଠ ପଢ଼ାଇବା ପାଇଁ ଶିକ୍ଷକ ଦରକାର।

ପିଲା ବଢ଼ିଲେ, ସେ ଅନୁପାତରେ କିନ୍ତୁ ଶିକ୍ଷକ ବଢ଼ିଲେ ନାହିଁ। ଶିକ୍ଷାଧିକାର ଆଇନରେ ପିଲାସ˚ଖ୍ୟା, ଶ୍ରେଣୀ ଓ ବିଷୟ ଆଦି ମାପକାଠିରେ ପ୍ରତିଚ ସ୍କୁଲ ପାଇଁ ଯେଉଁ ଶିକ୍ଷକ ସ˚ଖ୍ୟା ନିର୍ଦ୍ଧାରଣ କରାଯାଇଛି, ଦେଶର ୧୦% ପ୍ରାଥମିକ ବିଦ୍ୟାଳୟରେ ବି ସେହି ସ˚ଖ୍ୟକ ଶିକ୍ଷକ ନାହାନ୍ତି। ସମଗ୍ର ଦେଶରେ ପ୍ରାଥମିକ ସ୍ତରରେ ଶିକ୍ଷକଙ୍କ ଉତ୍କଟ ମରୁଡ଼ି। ସ˚ସଦରେ ମାନବସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବେଦ୍‌କର ଦେଇଥିବା ଏକ ସୂଚନା ଅନୁଯାୟୀ, ଦେଶରେ ପ୍ରାଥମିକ ସ୍ତରରେ ୧୦ ଲକ୍ଷରୁ ଅଧିକ ଶିକ୍ଷକଙ୍କ ଅଭାବ ରହିଛି। ପୁଣି ଯେଉଁ ଶିକ୍ଷକମାନେ ଅଛନ୍ତି, ସେମାନଙ୍କ ମଧୢରୁ ଏକ ବୃହତ୍‌ ଭାଗ ଅଣ-ତାଲିମ ପ୍ରାପ୍ତ। ଏପରିକି, କେତେକ କ୍ଷେତ୍ରରେ ଶିକ୍ଷକଙ୍କ ଆବଶ୍ୟକ ଯୋଗ୍ୟତା ସୁଦ୍ଧା ନାହିଁ। ଏପରି ସ୍ଥିତିରେ ଗୁଣାତ୍ମକ ଶିକ୍ଷାଦାନ ଆଶା କରିବା ଆକାଶକୟାଁ ସଦୃଶ। ପୁଣି, ‘ଅସର’ ରିପୋର୍ଟ ଅନୁଯାୟୀ ସ୍କୁଲରେ ଶିକ୍ଷକଙ୍କ ହାରାହାରି ଉପସ୍ଥାନରେ ମଧୢ ଗତ ଗୋଟିଏ ଦଶକରେ କୌଣସି ଉନ୍ନତି ଆସିନାହିଁ; ଯାହା ଶିକ୍ଷାଦାନକୁ ପ୍ରଭାବିତ କରୁଛି।

ବିଶ୍ବମାନ୍ୟତା ତାଲିକାରେ ଦେଶର ବିଶ୍ବବିଦ୍ୟାଳୟମାନେ ସ୍ଥାନ ପାଉନାହାନ୍ତି ବୋଲି ଅନେକ ସମୟରେ ଉଦ୍‌ବେଗ ପ୍ରକାଶ ପାଉଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣାତ୍ମକମାନ ବୃଦ୍ଧି ଉପରେ ଜୋର‌୍‌ ଦିଆଯାଉଛି। ତେବେ ଉଚ୍ଚଶିକ୍ଷା କ୍ଷେତ୍ରରେ ସମସ୍ୟା ଅପେକ୍ଷା ପ୍ରାଥମିକ ସ୍ତରରେ ଶିକ୍ଷା ଅବସ୍ଥାରେ ଉନ୍ନତି ଅଧିକ ପ୍ରାଥମିକତାର ଅପେକ୍ଷା ରଖୁଛି। ଉନ୍ନତ ଉଚ୍ଚ ଶିକ୍ଷା ପାଇଁ ଶିକ୍ଷାର ଭିତ୍ତି ପ୍ରାଥମିକ ଶିକ୍ଷା ଉନ୍ନତ ହେବା ଏକାନ୍ତ ଆବଶ୍ୟକ। ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଏ.ପି.ଜେ ଅବଦୁଲ୍‌ କଲାମଙ୍କ ମତରେ ସୃଜନଶୀଳତା ହେଉଛି ସଫଳତାର ଚାବିକାଠି। ପ୍ରାଥମିକ ସ୍ତରରେ ହିଁ ଛାତ୍ରଛାତ୍ରୀଙ୍କ ଭିତରେ ଏହି ସୃଜନଶୀଳତାର ଅଙ୍କୁରୋଦ୍‌ଗମ ହୋଇଥାଏ। ତେବେ ପ୍ରାଥମିକ ଶିକ୍ଷାର ସା˚ପ୍ରତିକ ଅବସ୍ଥାରେ ସୃଜନଶୀଳତାର ଉନ୍ମେଷ ଲାଗି ଅବକାଶ ଅତ୍ୟନ୍ତ ସ˚କୁଚିତ। ଏହା ଦେଶର ଭବିଷ୍ୟତ ପାଇଁ ଆଦୌ ଏକ ଶୁଭ ସ˚କେତ ନୁହେଁ। ଭାରତୀୟ ଯୁବକଙ୍କ ସ˚ଖ୍ୟା ବିଶ୍ବରେ ସର୍ବାଧିକ। ଲୋକସ˚ଖ୍ୟାର ଅଧାରୁ ଅଧିକଙ୍କ ବୟସ ୨୫ ବର୍ଷରୁ କମ୍‌। ପ୍ରତିବର୍ଷ ୧୩ କୋଟିରୁ ଅଧିକ କିଶୋର ଯୁବଶକ୍ତିରେ ସାମିଲ ହେବେ। ୨୦୩୦ ବେଳକୁ ଯୁବାବର୍ଗର ସ˚ଖ୍ୟା ୬୦ କୋଟି ଟପିଯିବ। ଏ ବିଶାଳ ଯୁବ ମାନବ ସମ୍ବଳର ଉପଯୋଗ କରି ଦେଶର ସମ୍ପଦରେ ପରିଣତ କରିବା ଲାଗି ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ଉନ୍ନତି ସର୍ବାଧିକ ପ୍ରାଥମିକତା ଦାବି କରେ। ଉଭୟ ଦେଶ ଓ ବ୍ୟକ୍ତିର ବିକାଶ ଓ ସଶକ୍ତୀକରଣ ଲାଗି ଏହା ଯେତିକି ଦରକାର, ସମାନ ଅଧିକାର- ସମାନ ସୁଯୋଗକୁ ସାର୍ବଜନୀନ କରି ସାମାଜିକ- ଅର୍ଥନୈତିକ ଅସମାନତା ଦୂର ଲାଗି ସେତିକି ଅପରିହାର୍ଯ୍ୟ।

ସମ୍ବନ୍ଧିତ ଖବର