ଜୟ-ପରାଜୟ

0 105

‘‘ ଦି ଵିନର‌୍‌ ଟେକ୍‌ସ ଇଟ୍‌ ଅଲ୍‌/ଦି ଲୁଜର‌୍‌ ଷ୍ଟାଣ୍ତି˚ ସ୍ମଲ୍‌/ବିସାଇଡ୍‌ ଦି ଭିକ୍ଟ୍ରି/ଦ୍ୟାଟ୍‌ସ୍‌ ହର‌୍‌ ଡେଷ୍ଟିନୀ।’’ ପ୍ରସିଦ୍ଧ ସ୍ବିଡିସ୍‌ ପପ୍‌ ଗ୍ରୁପ୍‌ ‘ଆବ୍‌ବା’ ଦ୍ବାରା ୧୯୮୦ରେ ପ୍ରସାରିତ ହୋଇ ପୃଥିବୀବ୍ୟାପୀ ଅଭୂତପୂର୍ବ ଲୋକପ୍ରିୟତା ଅର୍ଜନ କରିଥିବା ‘ଦି ଵିନର‌୍‌ ଟେକ୍‌ସ ଇଟ୍‌ ଅଲ୍‌’ ଶୀର୍ଷକ ଗୀତର ସନ୍ଧି ସ୍ଥଳରେ ଥିବା ଉପରୋକ୍ତ ଚାରିଟି ଧାଡ଼ି ଯେଉଁ ମର୍ମ ବହନ କରିଥାଏ ତାହା ହେଲା: ‘‘ଜିତିବା ବାଲା ସବୁ ନେଇଯାଏ/ପରାଜିତ କ୍ଷୁଦ୍ର ହୋଇ ଛିଡ଼ା ହୋଇଥାଏ/ବିଜୟ ସମୀପରେ/ତାହା ହିଁ ତା’ର ଭାଗ୍ୟ।’’ ଦୁନିଆରେ ତା’ହେଲେ ପରାଜିତମାନେ ତିଷ୍ଠି ରହିବେ କିପରି? ଏହାର ଏକ ଉତ୍ତର ହୋଇପାରେ ଚକୁଳିଆ ପଣ୍ତାର ଗୀତର ଏହି ଧାଡ଼ିଟି: ‘‘ଦେବ ଦିଆଇବ ଆହେ ଅଜ୍ଞାନୀ ନୋହିବ।’’ ଅର୍ଥାତ୍‌ ବିଜେତାର ଅନୁକମ୍ପା ହିଁ ପରାଜିତ ପାଇଁ ବଞ୍ଚିବାର ପାଥେୟ।

ପୃଥିବୀ ସାରା ବର୍ତ୍ତମାନ ଯେଉଁ ଅର୍ଥନୈତିକ ପ୍ରସଙ୍ଗଟି ସର୍ବାଧିକ ଉତ୍ତାପ ସୃଷ୍ଟିକାରୀ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ତାହା ହେଲା ସମାଜରେ ଆୟ ଓ ସମ୍ପଦର ବଣ୍ଟନରେ ଦେଖାଯାଉଥିବା ଗୁରୁତର ବୈଷମ୍ୟ। ସମାଜର ବିଜେତାମାନଙ୍କ (ଯେମିତି ମୁକେଶ ଅମ୍ବାନୀ କି ବିଲ୍‌ ଗେଟ୍‌ସ) ପାଖରେ ସମସ୍ତ ସମ୍ପଦ ଠୁଳ ହୋଇଥିବା ବେଳେ ପରାଜିତମାନେ ଚରମ ଦାରିଦ୍ର୍ୟରେ କାଳ କାଟୁଛନ୍ତି। ପରାଜିତମାନେ ଏ ଦୁର୍ଭାଗ୍ୟରୁ ମୁକ୍ତି ପାଇବେ କିପରି? କୁହାଯାଇଥାଏ ଦାରିଦ୍ର୍ୟ ଯେଉଁଠି ବି ଥାଉ ନା କାହିଁକି, ତାହା ସବୁଠିଁ ଥିବା ପ୍ରାଚୁର୍ଯ୍ୟ ପ୍ରତି ବପଦ ସୃଷ୍ଟି କରିଥାଏ। ପରାଜିତ ଦରିଦ୍ରମାନେ ଯଦି ବିଦ୍ରୋହ କରନ୍ତି ତେବେ ସେମାନେ ସେଇ ଅର୍ଥନୈତିକ ବ୍ୟବସ୍ଥାକୁ ଓଲଟ ପାଲଟ କରି ଦେଇ ପାରନ୍ତି, ଯେଉଁ ବ୍ୟବସ୍ଥା ହିଁ ବିଜେତାମାନଙ୍କୁ ସୃଷ୍ଟି କରିଛି। ତେଣୁ ପରାଜିତମାନଙ୍କୁ ସେଥିରୁ ନିବୃତ୍ତ କରିବା ପାଇଁ ବିଜେତାମାନଙ୍କୁ ଚକୁଳିଆ ପଣ୍ତାର ଆହ୍ବାନ ପ୍ରତି ଧୢାନ ଦେଇ ହାତ ଖୋଲିବାକୁ ହେବ। ପରୋପକାର ସେମାନଙ୍କ ପାଇଁ ପ୍ରକୃତରେ ହେଉଛି ଆତ୍ମୋପକାର।

ଭାରତର ଟାଟା ବା ଆମେରିକାର ବିଲ୍‌ ଗେଟ୍‌ସ ବା ଵାରେନ୍‌ ବଫେଟ୍‌ଙ୍କ ପରି ପ୍ରସିଦ୍ଧ ପରୋପକାରୀ ଧନିକମାନଙ୍କ ପ୍ରଶ˚ସନୀୟ ବଦାନ୍ୟତାକୁ ଏପରି ଦୃଷ୍ଟିରେ ଦେଖିବା ଏକ ସ˚କୀର୍ଣ୍ଣ ଦୃଷ୍ଟିଭଙ୍ଗୀ ଭଳି ମନେ ହୋଇପାରେ, କିନ୍ତୁ ବର୍ତ୍ତମାନ ବିଶ୍ବବ୍ୟାପୀ ପାଠକ ମହଲରେ ଚହଳ ସୃଷ୍ଟି କରିଥିବା ଭାରତୀୟ ବ˚ଶୋଦ୍ଭବ ଯୁବ ଆମେରିକୀୟ ଲେଖକ ଆନନ୍ଦ ଗିରିଧରଦାସଙ୍କର ସଦ୍ୟ ପ୍ରକାଶିତ ପୁସ୍ତକ, ‘ଵିନର‌୍‌ସ ଟେକ୍‌ ଇଟ୍‌ ଅଲ୍‌: ଦି ଏଲିଟ୍‌ ସରାଡ୍‌ ଅଫ୍‌ ଚେଞ୍ଜିଙ୍ଗ୍‌ ଦି ଵାର୍ଲଡ୍‌’ ଠିକ୍‌ ଏଇଭଳି ଏକ ଦୃଷ୍ଟିଭଙ୍ଗୀ ଗ୍ରହଣ କରି ପୃଥିବୀର ସ୍ବଚ୍ଛଳ ଧନିକମାନଙ୍କର ବଦାନ୍ୟତା ମାଧୢମରେ ଦୁନିଆରେ ପରିବର୍ତ୍ତନ ଆଣିବାର ଉଦ୍ୟମ ଉପରେ ଏକ ଗଭୀର ପ୍ରଶ୍ନ ଚିହ୍ନ ଲଗାଇଛନ୍ତି। କେତେ ବର୍ଷ ତଳେ ପୃଥିବୀର ସର୍ବାଧିକ କଠିନ ସମସ୍ୟାମାନଙ୍କର ସମାଧାନ ପାଇଁ ଏକ ନୂତନ ଶ୍ରେଣୀର ନେତୃତ୍ବ ସୃଷ୍ଟି ସମ୍ପର୍କରେ ଆମେରିକାର ପ୍ରସିଦ୍ଧ ଥିଙ୍କ୍‌ ଟ୍ୟାଙ୍କ୍‌ ‘ଆସ୍‌ପେନ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ ଦ୍ବାରା ଆୟୋଜିତ ଏକ ଆଲୋଚନା ଚକ୍ରରେ ନିଜର ବକ୍ତବ୍ୟ ଉପସ୍ଥାପନ କରିବା ଅବସରରେ ଗିରିଧରଦାସ ଯେଉଁ ଯୁକ୍ତି କରି ସେଠାରେ ଉପସ୍ଥିତ ସମସ୍ତ କ୍ଷମତାଶାଳୀ ଧନିକ ଶ୍ରୋତାମାନଙ୍କୁ ହତଭମ୍ଭ କରି ଦେଇଥିଲେ, ତାଙ୍କର ବର୍ତ୍ତମାନର ପୁସ୍ତକକୁ ସେଇ ଯୁକ୍ତିର ଏକ ସମ୍ପ୍ରସାରଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ତାଙ୍କର ଶ୍ରୋତାମାନଙ୍କ ଉଦ୍ଦେଶ୍ୟରେ ଯେଉଁ ଅପ୍ରିୟ ସତ୍ୟ ପେଶିଥିଲେ ତାହା ହେଲା ସେମାନଙ୍କ ମଧୢରେ ଥିବା ବଦାନ୍ୟ ପରୋପକାରୀମାନେ ଅନ୍ୟକୁ ସାହାଯ୍ୟ କରିବା ଅପେକ୍ଷା ନିଜର ପରୋପକାର ଉଦ୍ୟମ ମାଧୢମରେ ସେମାନଙ୍କୁ ସୃଷ୍ଟି କରିଥିବା ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ଅସଲରେ ଲକ୍ଷ୍ୟ ରଖିଥାନ୍ତି। ଇତିହାସ ସେମାନଙ୍କୁ କ୍ଷମା ଦେବ ନାହିଁ ବୋଲି ସେଦିନ ଗିରିଧରଦାସ ସତର୍କବାଣୀ ଶୁଣାଇଥିଲେ। ତାଙ୍କର ବର୍ତ୍ତମାନର ପୁସ୍ତକଟି ହେଉଛି ସେ ଦିନର ସେଇ ମୁହୂର୍ତ୍ତର ସୃଷ୍ଟି।

ଗିରିଧରଦାସଙ୍କ ଶରବ୍ୟ ହେଉଛନ୍ତି ସେଇ ଧନିକମାନେ ଯେଉଁମାନେ ବିଶ୍ବାସ କରନ୍ତି ଯେ ସରକାରଙ୍କଠାରୁ ଅଧିକ ଦକ୍ଷ ହେଉଛି ବଜାର ଏବ˚ ଜଗତ୍‌କରଣ ହେଉଛି ଜାତୀୟବାଦ ବା ସ୍ଥାନୀୟବାଦ ଅପେକ୍ଷା ଉତ୍କୃଷ୍ଟତର। ସେମାନଙ୍କ ମତରେ ଏକ ବ୍ୟବସାୟ ଅନ୍ୟର ଭଲ ପାଇଁ କାର୍ଯ୍ୟ କଲେ ଆପେ ଆପେ ସେ ବ୍ୟବସାୟ ପାଇଁ ତାହା ଭଲ ହୋଇଥାଏ। ଅର୍ଥାତ୍‌ ପରାଜିତ କେହି ନାହିଁ, ଉଭୟ ପକ୍ଷ ବିଜୟୀ, ଯାହାକୁ କୁହାଯାଏ ‘ଵିନ୍‌-ଵିନ୍‌’ ଅବସ୍ଥା। ବ୍ୟବସାୟ ଅର୍ଜନ କରୁଥିବା ଲାଭକୁ ଯଦି ପରୋପକାର ଉଦ୍ୟମରେ ନିୟୋଜିତ କରାଯାଏ, ତାହା ଲୋକଙ୍କ ପାଇଁ ସରକାରୀ ଉଦ୍ୟମ ଠାରୁ ଅଧିକ ମଙ୍ଗଳପ୍ରଦ ହେବ। ତେଣୁ ବ୍ୟବସାୟର ଲାଭ କେବଳ ସେ ବ୍ୟବସାୟ ପାଇଁ ନୁହେଁ, ତାହା ସମସ୍ତଙ୍କ ପାଇଁ ମଙ୍ଗଳପ୍ରଦ। ଏପରି ‘ଵିନ୍‌-ଵିନ୍‌’ ମନ୍ତ୍ର ସମାଜରେ ସମସ୍ୟା ସମାଧାନର ଦାୟିତ୍ବ ସରକାରଙ୍କ ହାତରୁ ଛଡ଼ାଇ ନେଇ ବ୍ୟବସାୟ ହାତରେ ସମର୍ପଣ କରି ଦେବାକୁ ଚାହେଁ। ଏହା ଦ୍ବାରା କେବଳ ଯେ ସମ୍ପୃକ୍ତ ବ୍ୟବସାୟର ସ୍ବାର୍ଥ ସୁରକ୍ଷିତ ରହେ, ତାହା ନୁହେଁ, ଗିରିଧରଦାସ କହିବା ଅନୁସାରେ ଏପରି ବଦାନ୍ୟତା ଜନିତ ଦାୟିତ୍ବ ହସ୍ତାନ୍ତର ସମ୍ପୃକ୍ତ ବ୍ୟବସାୟର ବ୍ରାଣ୍ତ୍‌କୁ ମଜଭୁତ କରିବା ସଙ୍ଗେ ସଙ୍ଗେ ବ୍ୟବସାୟ ହାତରେ ଅଧିକ କ୍ଷମତା ଠୁଳ କରେ। ସମାଜରେ କ୍ଷମତା ବଣ୍ଟନରେ ପରିବର୍ତ୍ତନ ଘଟେ।

ଆଉ ଯେଉଁ ବ୍ୟବସାୟମାନେ ଏପରି ମୁକ୍ତ ହସ୍ତରେ ନିଜର ଲାଭକୁ ପରୋପକାରରେ ନିୟୋଜିତ କରନ୍ତି ସେମାନେ ଯେ ଅନେକ ସମୟରେ ସେ ଲାଭ ଅର୍ଜନ ଯୋଗୁଁ ଅନେକ ଅମଙ୍ଗଳ ସୃଷ୍ଟି କରିଥାନ୍ତି, ଗିରିଧରଦାସ ତାଙ୍କ ପୁସ୍ତକରେ ତାହା ସୂଚାଇବାକୁ ଭୁଲି ନାହାନ୍ତି। ନିଯୁକ୍ତି ସ˚କୋଚନ ଦ୍ବାରା ଖର୍ଚ୍ଚ ସୀମିତ କରିବା କିମ୍ବା ଦରବୃଦ୍ଧି କରି ଖାଉଟି ଶୋଷଣ କରିବା କେବଳ ଏଭଳି ଅମଙ୍ଗଳ କାର୍ଯ୍ୟର ଉଦାହରଣ ନୁହେଁ। ବେଳେ ବେଳେ ଏପରି ଅମଙ୍ଗଳ କିପରି ଭୟଙ୍କର ପ୍ରତ୍ୟକ୍ଷ ରୂପ ନେଇଥାଏ, ଗିରିଧରଦାସ ତାହାର ମର୍ମସ୍ପର୍ଶୀ ଉଦାହରଣମାନ ମଧୢ ପ୍ରଦାନ କରିଛନ୍ତି। ଏହିପରି ଏକ ଉଦାହରଣ ସ୍ବରୂପ ପର୍ଡ୍ୟୁ ଫାର୍ମା ନାମକ ଔଷଧ କମ୍ପାନି କୁପଥଗାମୀ ଯୁବକଯୁବତୀ ମାନଙ୍କର ଉଦ୍ଧାର ଓ ଥଇଥାନ ପାଇଁ ମୁକ୍ତ ହସ୍ତରେ ଦାନ କରିଥାଏ। ଏହି କମ୍ପାନିର ମାଲିକ ସାକ୍‌ଲର‌୍‌ ପରିବାର ଆମେରିକାର ସର୍ବାଧିକ ଧନୀ ପରିବାର ମଧୢରେ ପରିଗଣିତ ହୋଇଥାଏ ଓ ସେମାନେ ବିଶ୍ବବିଦ୍ୟାଳୟରୁ ଆରମ୍ଭ କରି ମ୍ୟୁଜିଅମ୍‌ ଓ ସ˚ଗୀତ ପ୍ରେକ୍ଷାଳୟମାନ ନିର୍ମାଣ ପାଇଁ ବିପୁଳ ରାଶି ଦାନ କରି ଆସିଛନ୍ତି। କିନ୍ତୁ ଆମେରିକାରେ ଏକ ମହାମାରୀର ରୂପ ନେଇଥିବା ଓପିଓଏଡ୍‌ ଡ୍ରଗ୍‌ ସ˚କଟ ପାଇଁ ସେମାନେ ହିଁ ମୁଖ୍ୟତଃ ଦାୟୀ ବୋଲି ଆମେରିକାର ଜଷ୍ଟିସ୍‌ ଡିପାର୍ଟମେଣ୍ଟ୍‌ ଅଭିଯୋଗ କରିଛି। ଏହାର କାରଣ, ସେମାନେ ପ୍ରସ୍ତୁତ କରୁଥିବା ପ୍ରଚୁର ଲାଭଜନକ ଔଷଧ ‘ଅକ୍ସିକଣ୍ଟିନ୍‌’ ହେଉଛି ସର୍ବାଧିକ ବ୍ୟବହୃତ ‘ଓପିଓଏଡ୍‌’ ଡ୍ରଗ୍‌। ଏଥିପାଇଁ ୨୦୦୭ରେ ସେମାନେ ୬୩୫ ନିୟୁତ ଡଲାର‌୍‌ ଜରିମାନା ମଧୢ ଦେଇଥିଲେ।

ଗିିରିଧରଦାସ ଯଦିବା ବିଶାଳ ବଦାନ୍ୟତା ପଛରେ ଲୁଚିରହିଥିବା ଶଠତାର ଉନ୍ମୋଚନ କରିଛନ୍ତି, ତଥାପି ବିଲ୍‌ ଗେଟ୍‌ସଙ୍କ ପରି ବଦାନ୍ୟ ବିଜେତା ମଧୢ ଅଛନ୍ତି ଯେଉଁମାନେ ସବୁ ନେଇଯିବା ପରିବର୍ତ୍ତେ ସବୁ ଦେଇ ଦେଇ ପୃଥିବୀର ମଙ୍ଗଳ କରିବାକୁ ପସନ୍ଦ କରିଛନ୍ତି। ଯେ‌େତବେଳେ ଗିରିଧରଦାସଙ୍କ ପୁସ୍ତକଟି ପ୍ରକାଶ ପାଇଲା, ଖ୍ୟାତନାମା ନୋବେଲ ପୁରସ୍କାର ବିଜେତା ଅଥନୀତିଜ୍ଞ ଯୋସେଫ ଷ୍ଟିଗଲିଜ୍ ‘ନ୍ୟୁୟର୍କ ଟାଇମ୍‌ସ’ ସମ୍ବାଦପତ୍ରରେ ତାଙ୍କର ନିୟମିତ ସ୍ତମ୍ଭରେ ସମସ୍ତ ବଦାନ୍ୟ ଧନିକମାନଙ୍କୁ ଗିରିଧରଦାସଙ୍କର ପୁସ୍ତକଟି ପଠନ କରିବାକୁ ଏକ ଆହ୍ବାନ ଦେଇଥିଲେ। ଯଦି ଷ୍ଟଗ୍‌ଲିଜ୍‌ ଦେଇଥିବା ଆହ୍ବାନ ଶୁଣି ସବୁ ଧନିକମାନେ ଗିରିଧର ଦାସଙ୍କ ପୁସ୍ତକଟି ପଢ଼ନ୍ତେ, ବୋଧହୁଏ ସେମାନଙ୍କ ମଧୢରୁ ଅଧିକ ବିଲ୍‌ ଗେଟ୍‌ସ ବାହାରନ୍ତେ ଓ ଗିରିଧରଦାସଙ୍କ ଅଭିଯୋଗ ଦୂର ହୋଇଯାଆନ୍ତା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.