କ୍ଷୀର-ନୀର ସଂପର୍କ!

0

ବିଭିନ୍ନ ନିର୍ବାଚନ ମଣ୍ତଳୀ ଲାଗି ଦଳୀୟ ଟିକେଟ ଘୋଷଣା କାର୍ଯ୍ୟ ଆରମ୍ଭ ହେବା ପରେ ଓ ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ଥିବା ଏହି ମଧୢବର୍ତ୍ତୀ କାଳଖଣ୍ତରେ ଯେଉଁ କଥାଟି ରାଜ୍ୟର ପ୍ରମୁଖ ତିନିଟିଯାକ ଦଳ -ବିଜେଡି, ବିଜେପି ଏବ˚ କ˚ଗ୍ରେସ ଲାଗି ମୁଣ୍ତବିନ୍ଧାର କାରଣ ହୋଇଛି ତାହା ହେଲା ଦଳ ଭିତରେ ଦେଖା ଦେଇଥିବା ବିଦ୍ରୋହ। ନିର୍ବାଚନର ଉଷ୍ମତା ସ˚ଚରିବା ଆରମ୍ଭ କରିବା ବେଳରୁ ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ଏଇ ପରିପ୍ରେକ୍ଷୀରେ ପ୍ରତି ଦଳ, ଆଗନ୍ତୁକ ରାଜନେତାମାନଙ୍କୁ ବେଶ୍‌ ଜାକଜମକରେ ନିଜ ଦଳରେ ଗ୍ରହଣ କଲେ। ଗଣମାଧୢମ ଏହାକୁ ‘ମିଶ୍ରଣ ପର୍ବ’ ବୋଲି ନାମ ଦେଲା। କିନ୍ତୁ ଏହା ଦ୍ବାରା ଦଳ ଭିତରେ ସନ୍ତୁଳନ ଯେ ବିଗିଡ଼ିବା ଆରମ୍ଭ କଲା, ଏ କଥା ବି ବେଶ୍‌ ବାରି ହୋଇଯାଇଥିଲା।

ଏହି ସନ୍ତୁଳନ ବିଗିଡ଼ିବା ପଛରେ ରହିଛି ଏକ ମନସ୍ତାତ୍ତ୍ବିକ କାରଣ, ଯାହାକୁ ‘ବହିରାଗତଙ୍କ ପ୍ରତି ଭୟ’ ବା ‘ଜେନୋଫୋବିୟା’ ବୋଲି କୁହାଯାଇପାରେ। ବହିରାଗତମାନଙ୍କ ପ୍ରବେଶ ଦ୍ବାରା ଆପଣା ସ୍ଥିତି ଅସୁରକ୍ଷିତ ହେବାର ଭାବନାରୁ ଏହି ଭୟର ଜନ୍ମ। ତେଣୁ ମିଶ୍ରଣ ପର୍ବ ପରେ ଟିକେଟ ଆଶାୟୀ ଦଳୀୟ ସଦସ୍ୟମାନଙ୍କ ଭିତରେ ଏକ ଅସୁରକ୍ଷାର ଭାବନା ଜାତ ହେବା ସ୍ବାଭାବିକ। କିନ୍ତୁ ତାହା ଉତ୍କଟ ରୂପ ଧାରଣ କଲା ଯେତେବେଳେ ପ୍ରାର୍ଥିତ୍ବ ଲାଗି ଟିକେଟ ଘୋଷଣା ଆରମ୍ଭ ହେଲା ଏବ˚ ମୂଳରୁ ବା ବହୁ ବର୍ଷ ଧରି ଦଳ ଭିତରେ ରହି ସ˚ଗଠନ କାର୍ଯ୍ୟରେ ଲିପ୍ତ ଥିବା ସଦସ୍ୟମାନେ ସେମାନଙ୍କୁ କାର୍ହିକି ଟିକେଟରୁ ବଞ୍ଚିତ କରାଗଲା ବୋଲି ପ୍ରଶ୍ନ କରି ଦଳ ଛାଡ଼ିବା ଆରମ୍ଭ କରିଦେଲେ ଏବ˚ ଅନ୍ୟ ଦଳଗୁଡ଼ିକରେ ମିଶିଲେ। କେବଳ ବହିରାଗତମାନଙ୍କୁ ଟିକେଟ ଦେବା ଦ୍ବାରା ଯେ ଅସନ୍ତୁଷ୍ଟ ସଦସ୍ୟମାନେ ବିଦ୍ରୋହୀ ହୋଇଛନ୍ତି ତାହା ନୁହେଁ; ଅନେକ ଆଶାୟୀ ପ୍ରାର୍ଥୀ ଟିକେଟ ପାଇବେ ବୋଲି ସ୍ଥିର ନିଶ୍ଚିତ ଥିବାରୁ ସେହି ଦଳର ଅନ୍ୟ କାହାକୁ ଟିକେଟ ଦିଆଯିବାରେ ଅସନ୍ତୋଷ ବ୍ୟକ୍ତ କରି ବିଦ୍ରୋହୀ ହୋଇଛନ୍ତି। ବିଦ୍ରୋହର ‘ସିସ୍‌ମିକ୍‌ କ˚ପନ’ ଯଦିଓ ତିନିଟି ଯାକ ଦଳରେ ଅନୁଭୂତ ହୋଇଛି, ତେବେ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ଦଳ ଦୂଇଟି‌େର ଏହାର ତୀବ୍ରତା ଅଧିକ। ଅବଶ୍ୟ, ଏହା ନୁହେଁ ଯେ ଏହି ଦଳଗୁଡ଼ିକର ମୁଖିଆମାନେ ଏଭଳି ଅସନ୍ତୋଷ ବା ବିଦ୍ରୋହ ବିଷୟରେ ଅନୁମାନ କରି ନ ଥିବେ! ଏହା ବି ଊଣାଅଧିକେ ଜଣା ଯେ ବିଶେଷ କରି ଏହି ଊଣେଇଶ ନିର୍ବାଚନ ସକାଶେ ଯୋଗ୍ୟତମ ପ୍ରାର୍ଥୀ ବାଛିବା ଦିଗରେ ଦଳଗୁଡ଼ିକ ଯଥେଷ୍ଟ ସତର୍କତା ଓ ସ˚ଯମ ଅବଲମ୍ବନ କରିଛନ୍ତି। ନିଜ ନିଜ କର୍ତ୍ତୃତ୍ବରେ ଦଳଗୁଡ଼ିକ ବିଭିନ୍ନ ପ୍ରକାର ସର୍ବେକ୍ଷଣ, ପର୍ଯ୍ୟବେକ୍ଷଣ ଓ ବିଭିନ୍ନ ସ୍ତରରେ ଆଲୋଚନା ଆଦି କରିଛନ୍ତି। ଏହା ବି ସ୍ବୀକାର କରିବାକୁ ହେବ ଯେ ଚଳତ ନିର୍ବାଚନ ଲାଗି ପ୍ରାର୍ଥୀ ଚୟନ କଲା ବେଳେ ଦଳର ମୁଖିଆମାନେ ଯେତିକି ଧର୍ମ ସ˚କଟ ଦେଇ ଗତି କରିଛନ୍ତି, ପୂର୍ବ ନିର୍ବାଚନଗୁଡ଼ିକରେ ସେପରି ପରିସ୍ଥିତିର ସାମନା କରି ନ ଥିଲେ। ତଥାପି ବିଦ୍ରୋହକୁ ଶାନ୍ତ କରିବା ସମ୍ଭବ ହୋଇପାରିଲା ନାହିଁ।

ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠେ ଦଳ ବଡ଼ ନା ନେତା? ଦଳର ଏକ ନିଷ୍ପତ୍ତିକୁ ଜଣେ ନେତା ଦଳର ସଦସ୍ୟ ଭାବେ ସ୍ବୀକାର କରିନେବା ଉଚିତ ନା ନୁହେଁ? ଆମ ସମ୍ବିଧାନରେ ଦଳକୁ ହିଁ ସ୍ବୀକୃତି ଦିଆଯାଇଛି। ରାଜନେତାମାନେ ମଧ୍ୟ ସର୍ବଦା କହିଥାଆନ୍ତି ଯେ ଦଳ ହେଉଛି ମୁଖ୍ୟ; ଦଳୀୟ ସ୍ବାର୍ଥ ସବା ଉପରେ; ଜଣେ ସଦସ୍ୟ ଦଳର ଆଦର୍ଶ ପ୍ରତି ହିଁ ଅନୁଗତ ଥିବାରୁ ଦଳରେ ଯୋଗ ଦେଇଥାଏ। ଏପରି କି କୁହାଯାଇଥାଏ ଯେ ମହାସାଗରରେ ମିଶିଥିବା ନଦୀଗୁଡ଼ିକ ଯେମିତି ସେମାନଙ୍କ ଉପସ୍ଥିତି ସତ୍ତ୍ବେ ଅସ୍ତିିତ୍ବ ହରାଇଥାଆନ୍ତି, ଗୋଟିଏ ଶୃଙ୍ଖଳିତ ରାଜନୈତିକ ଦଳର ସଦସ୍ୟମାନେ ଦଳୀୟ ସ୍ବାର୍ଥ ଲାଗି ନିଜ ସ୍ବାର୍ଥକୁ ଜଳାଞ୍ଜଳି ଦିଅନ୍ତି। କିନ୍ତୁ ଏବେ ଯାହା ଦେଖାଯାଉଛି ତାହା ହେଉଛି ଏହାର ଠିକ୍‌ ବିପରୀତ; ବ୍ୟକ୍ତିଗତ ସ୍ବାର୍ଥ ଦଳର ସ୍ବାର୍ଥ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। କୌଣସି ରାଜନୈତିକ ଆଦର୍ଶ ପ୍ରତି ଆନୁଗତ୍ୟ ଚୂଡ଼ାନ୍ତ ନୁହେଁ। ଯଦି କାହାର ବ୍ୟକ୍ତଗତ ସ୍ବାର୍ଥରେ ଆଞ୍ଚ ଆସେ, ତେବେ ସେ ତାର ରାଜନୈତିକ ଆଦର୍ଶ ଓ ଦଳୀୟ ଶୃଙ୍ଖଳାକୁ ବଳି ପକାଇ ଚିର ଶତ୍ରୁର ଶିବିରରେ ଦାଖଲ ହୋଇପାରେ; ଯାହାର ନିନ୍ଦୁକ ଥିଲା ତାର ସ୍ତବ ଗାନ କରିପାରେ; ପୂରା ବାମରୁ ଡାହାଣକୁ ଲମ୍ଫ ମାରିପାରେ।

ଯେତେବେଳେ ଦଳଗୁଡ଼ିକ କୌଣସି ଜଣେ ପ୍ରାର୍ଥୀଙ୍କୁ ଟିକେଟ ଦିଅନ୍ତି ସେତିକିବେଳେ ପ୍ରାର୍ଥୀଙ୍କର କେଉଁ ଯୋଗ୍ୟତାକୁ ମୂଳତଃ ବିଚାରକୁ ନିଆଯାଏ? ସେହି ଯୋଗ୍ୟତାଟି ହେଉଛି ‘ଵିନେବିଲିଟି’ ବା ଜିଣିବାର ସାମର୍ଥ୍ୟ। ଏହି ଯୋଗ୍ୟତାକୁ ମୂଳାଧାର କଲେ ଅନେକ ସମୟରେ ପ୍ରାର୍ଥୀ ଚୟନ ବେଳେ ଅବଶ୍ୟ ଧର୍ମ ସ˚କଟ ଉପୁଜିପାରେ। ଉଦାହରଣ ସ୍ବରୂପ ଧରାଯାଉ ‘ଖ’ ଦଳର ଜଣେ ବିଧାୟକ ଠିକ୍‌ ଟିକେଟ ବଣ୍ଟା ହେବା ପୂର୍ବରୁ ‘କ’ ଦଳରେ ଯୋଗ ଦେଲେ। ଏବେ ‘କ’ ଦଳ ଯେତେବେଳେ ଟିକେଟ ଦେବା କଥା ଚିନ୍ତା କରିବ, କ’ଣ କରିବ? ହୁଏ’ତ ବର୍ଷ ବର୍ଷ ଧରି ତୃଣମୂଳ ସ୍ତରରେ କାମ କରିଥିବା ଜଣେ ଉତ୍ତମ ସ˚ଗଠକଙ୍କୁ ଟିକେଟ ଦେଇପାରେ, ଅଥବା ଗଲା ନିର୍ବାଚନରେ ନିଜ ଦଳର ପ୍ରାର୍ଥୀଙ୍କୁ ପରାଜିତ କରିଥିବା ‘ଖ’ ଦଳର ଏହି ନବାଗତଙ୍କୁ ଟିକେଟ ଦେଇପାରେ। ଏଠାରେ ଆସିବ ‘ଵନେବିଲିଟି’ର ଭୂମିକା। ସେଇ ମାପଦଣ୍ତରେ ‘ଖ’ ଦଳ ଛାଡ଼ି ‘କ’ ଦଳରେ ସଦ୍ୟ ଦାଖଲ ହୋଇଥିବା ସଦସ୍ୟଙ୍କ ଲାଗି ଟିକେଟ ପାଇବାର ସମ୍ଭାବନା ଅଧିକ ହୋଇଯାଏ, କାରଣ ଗତ ନିର୍ବାଚନରେ ସେ ଜିଣିଥିଲେ। କିନ୍ତୁ ଏହି ନିଷ୍ପତ୍ତିକୁ ଗ୍ରହଣ କରିବା ଲାଗି ‘କ’ ଦଳର ଟିକେଟ ଆଶାୟୀମାନଙ୍କର ଏକ ମାନସିକ ଶୃଙ୍ଖଳାର ଆବଶ୍ୟକତା ରହିଛି। ପୁଣି ଯଦି ରାଜନୈତିକ ପ୍ରେକ୍ଷାପଟରେ ‘କ’ ଦଳର ପତିଆରା ଅଧିକ ହୋଇଥାଏ, ତେବେ ସେହି ଦଳର ସଦସ୍ୟମାନଙ୍କ ଲାଗି ଅଧିକ ସ˚ଯମର ଆବଶ୍ୟକତା ରହିଛି।

ଆମ ରାଜ୍ୟରେ ଟିକେଟ ଆଶାୟୀମାନଙ୍କ ସ˚ଖ୍ୟାଧିକତା ହିଁ ପୂର୍ବରୁ ସୂଚନା ଦେଇଥିଲା ଯେ ଟିକେଟ ଘୋଷଣା ପରେ ଦଳୀୟ ବିଦ୍ରୋହ ମୁଣ୍ତ ଟେକିବ। ଏହି ବିଦ୍ରୋହ କାରଣରୁ କେତେକ ସ୍ଥାନରେ ନିର୍ବାଚନ ଫଳାଫଳ ପ୍ରାକ୍‌ ଅଳକଳନ ଠାରୁ ଅଲଗା ହେବାର ସମ୍ଭାବନା ବି ରହିଛି। ଏ ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ଦଳଗୁଡ଼ିକ ପକ୍ଷରୁ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ହେବ। ଏହା ସହିତ ଚଳିତ ବର୍ଷ ଦେଖାଦେଇଥିବା ସ୍ଥିତିର ଯେମିତି ପୁନରାବୃତ୍ତି ଭବିଷ୍ୟତରେ ନ ଘଟେ, ସେଥିଲାଗି ମଧୢ ଦଳର ମୁଖିଆମାନଙ୍କୁ ସଜାଗ ରହିବାକୁ ହେବ। କାରଣ ଏଭଳି ବିଦ୍ରୋହ କୌଣସି ଦଳ ଲାଗି ଶୁଭଙ୍କର ନୁହେଁ। ଏହା ଦଳୀୟ ଶୃଙ୍ଖଳାକୁ ଆକ୍ରାନ୍ତ କରିବା ସହିତ ଦଳ ଭିତରେ ଅବିଶ୍ବାସ, ସନ୍ଦେହ, ଫାଟ ଓ କନ୍ଦଳକୁ ଅଧିକ ତୀବ୍ର କରିଥାଏ।

ଏ ପ୍ରସଙ୍ଗରେ ଏକ ଆଲୋଚନା ବେଳେ ଜଣେ ଭାଷ୍ୟକାର ମନ୍ତବ୍ୟ ଦେଲେ ଯେ ଦଳ ଓ ତାର ସଦସ୍ୟମାନଙ୍କ ସ˚ପର୍କ କ୍ଷୀର-ନୀର ଭଳି ହେବା ଉଚିତ। ଏହା ଦ୍ବାରା ସେ ଆମ ଭାଷାରେ ବହୁ ପ୍ରଚଳିତ ଏକ ଉପମାର ପ୍ରୟୋଗ କରି ସ˚ପର୍କର ଘନିଷ୍ଠତା କଥା ବୁଝାଉଥିଲେ। କିନ୍ତୁ କ୍ଷୀର-ନୀର ସ˚ପର୍କ ବାବଦରେ ଜଣେ ସଦ୍‌ଗୁରୁ ଦେଇଥିବା ଆଉ ଏକ ବ୍ୟାଖ୍ୟା ‘ଘନିଷ୍ଠତା’ର ଏକ ଭିନ୍ନ ପରିଭାଷା ଦେଇଥାଏ। ସେ କହିଥିଲେ- ଅବଶ୍ୟ, କ୍ଷୀର ସହିତ ନୀର ମିଶିଗଲେ ଦୁଇଟିଯାକ ଏଭଳି ଏକାତ୍ମ ହୋଇଯାଆନ୍ତି ଯେ ସାଧାରଣ ପରିସ୍ଥିତିରେ କ୍ଷୀରରୁ ନୀରକୁ ଅଲଗା କରିବା ସମ୍ଭବ ହୋଇପାରେ ନାହିଁ। କିନ୍ତୁ ଉତ୍ତାପ ଦେଲେ ନୀର ଅବଲୀଳାକ୍ରମେ କ୍ଷୀରକୁ ତ୍ୟାଗ କରି ଚାଲିଯାଏ। ଏହି ବ୍ୟାଖ୍ୟାର ଆଲୋକରେ ଦେଖିଲେ ବି ଆମ ରାଜନେତା ଓ ଦଳର ସ˚ପର୍କ କ୍ଷୀର-ନୀର ଭଳି ବୋଲି କହିଲେ ଅସଙ୍ଗତ ହେବ ନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.