‘‘ତୁମ ପରିବାରରୁ କେହି ମୃତ୍ୟୁ ମୁଖରେ ପଡ଼ି ନଥିଲେ। ତେଣୁ ତୁମେ ଏ ସବୁ କଥା କହୁଛ।’’ ଯାହାଙ୍କୁ ଲକ୍ଷ୍ୟ କରି ଏ ମନ୍ତବ୍ୟ ପ୍ରଦାନ କରାଯାଇଛି, ସେ ବର୍ତ୍ତମାନ ଦେଶର ଘରେ ଘରେ ସୁପରିଚିତ। ସେ ହେଉଛନ୍ତି କ˚ଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଅତ୍ୟନ୍ତ ଘନିଷ୍ଠ ପାରିବାରିକ ଉପଦେଷ୍ଟା ତଥା କ˚ଗ୍ରେସର ଦରିଆପାରି ମୁଖ୍ୟ ସାମ୍ ପିତ୍ରୋଦା। ଏକ ବିଡ଼ମ୍ବନା ସଦୃଶ କିନ୍ତୁ ଯିଏ ଏ ମନ୍ତବ୍ୟ ପ୍ରଦାନ କରିଛନ୍ତି, ସେ ହେଉଛନ୍ତି ଦେଶରେ ଅପେକ୍ଷାକୃତ ଅପରିଚିତ ଜଣେ ଯୁବତୀ- ୨୧ ବର୍ଷୀୟା ଦେବୀକା ରୋଟାଵନ୍। ୨୦୦୮ ନଭେମ୍ବର ୨୬ (୨୬/୧୧) ରେ ପାକିସ୍ତାନରୁ ଆସିଥିବା ଇସଲାମୀୟ ଆତଙ୍କବାଦୀମାନେ ମୁମ୍ବାଇର ବିଭିନ୍ନ ସ୍ଥାନରେ ଆରମ୍ଭ କରିଥିବା ନରସ˚ହାରରେ ୧୬୬ ଜଣ ନିରୀହ ଲୋକ ପ୍ରାଣ ହରାଇଥିଲେ ଓ ବହୁ ସ˚ଖ୍ୟକ ଆହତ ହୋଇଥିଲେ। ଆହତ ମାନଙ୍କ ମଧୢରେ ଥିଲେ ତାଙ୍କ ଗୋଡ଼ରେ ଆତଙ୍କବାଦୀ ଅଜ୍ମଲ୍ କସାବ୍ର ଗୁଳି ବାଜିଥିବା ସେତେବେଳେ ୯ ବର୍ଷ ୧୧ ମାସ ବୟସ ହୋଇଥିବା ବାଳିକା ଦେବୀକା ରୋଟାଵନ୍। ଆରୋଗ୍ୟ ଲାଭ କରିବା ପାଇଁ ତାଙ୍କ ଗୋଡ଼ରେ ଛ’ଥର ଅପରେସନ୍ ଦରକାର ହୋଇଥିଲା। ତେବେ ଦେବୀକାଙ୍କର ଏହାଠାରୁ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ ଏକ ପରିଚୟ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଜ୍ମଲ୍ କସାବ୍ର ବିଚାର ହୋଇ ୨୦୧୨ରେ ତାକୁ ଫାଶୀ ଦିଆଗଲା। ଏଥିପାଇଁ କସାବ୍କୁ ଅଦାଲତରେ ଚିହ୍ନଟ କରାଯିବା ଥିଲା ଗୁରୁତ୍ବପୂର୍ଣ୍ଣ। ଏହି ଚିହ୍ନଟ କାର୍ଯ୍ୟ କରିଥିଲେ ସେ ଦିନ ମୁମ୍ବାଇର ସିଏସ୍ଟି ରେଳ ଷ୍ଟେସନ୍ରେ କସାବ୍କୁ ନିଜ ଆଖିରେ ଦେଖିଥିବା ଓ ତା’ ଗୁଳିର ଶିକାର ହୋଇଥିବା ସେଇ ବାଳିକାଟି- ଦେବୀକା ରୋଟୋଵାନ୍। ସାମ୍ ପିତ୍ରୋଦା ଗତ ସପ୍ତାହରେ ପାକିସ୍ତାନୀ ଇସଲାମୀୟ ଆତଙ୍କବାଦୀ ଆକ୍ରମଣରୁ ନିରାପଦ ଦୂରତ୍ବରେ ଆମେରିକାରେ ଥାଇ ୨୬/୧୧ ଆକ୍ରମଣ ପରେ ଭାରତ ପ୍ରତିଆକ୍ରମଣ ନକରି ପାକିସ୍ତାନ ସହିତ ଆଲୋଚନା କରିବା ହିଁ ଉଚିତ କାର୍ଯ୍ୟ ଥିଲା ବୋଲି ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହାରି ପ୍ରତିକ୍ରିୟାରେ ଦେବୀକା ରୋଟାଵନ୍ ସାମ୍ ପିତ୍ରୋଦାଙ୍କ ଉଦ୍ଦେଶ୍ୟରେ ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଛନ୍ତି। ଏକ ନ୍ୟୁଜ୍ ଚାନେଲ୍କୁ ଦେଇଥିବା ସାକ୍ଷାତକାରରେ ଦେବୀକା ପିତ୍ରୋଦାଙ୍କୁ ଲକ୍ଷ୍ୟ କରି ପଚାରିଛନ୍ତି: ‘‘ପାକିସ୍ତାନ ହେଉଛି ଆତଙ୍କବାଦୀମାନଙ୍କର ଘର। ତୁମେ କିପରି ପାକିସ୍ତାନକୁ ସମର୍ଥନ କରୁଛ?’’
ପିତ୍ରୋଦାଙ୍କର ଏତାଦୃଶ ଆଭିମୁଖ୍ୟ ଦେଖିବା ପରେ ଦେବୀକାଙ୍କୁ ମନେ ହୋଇଥିବା ସମ୍ଭବ ଯେ ଏହି ବର୍ଷୀୟାନ୍ କ˚ଗ୍ରେସ ଉପଦେଷ୍ଟା ତଥା ଟେକ୍ନୋକ୍ରାଟ୍ ଏବ˚ ନିଜର ସେଇ ଜ୍ଞାତିକୁଟୁମ୍ବ ଓ ଗ୍ରାମବାସୀମାନଙ୍କ ମଧୢରେ କୌଣସି ଫରକ୍ ନାହିଁ, ଯେଉଁମାନେ ଦେବୀକାଙ୍କ ସାକ୍ଷୀ ପ୍ରଦାନ ପରେ ପାକିସ୍ତାନୀ ଓ ଇସଲାମୀୟ ଆତଙ୍କବାଦୀମାନଙ୍କର ରୋଷର ଶିକାର ହେବା ଭୟରେ ତାଙ୍କ ସହିତ ସମସ୍ତ ସାମାଜିକ ସମ୍ପର୍କ ଛିନ୍ନ କରି ଦେଇଥିଲେ। ପାକିସ୍ତାନ ସୀମାଠାରୁ ମାତ୍ର ୪୦ କିମି ଦୂରରେ ଅବସ୍ଥିତ ରାଜସ୍ଥାନର ସୁମେରପୁର ହେଉଛି ଦେବୀକାଙ୍କ ପିତା ନଟଵରଲାଲ୍ଙ୍କ ଗ୍ରାମ। ନଟଵରଲାଲ୍ଙ୍କ ଯୌଥ ପରିବାରର ସଦସ୍ୟ ସ˚ଖ୍ୟା ପ୍ରାୟ ୧୦୦ ସରିକି ହୋଇଥିଲେ ହେଁ, ଦେବୀକାଙ୍କ ପାଇଁ ସେମାନଙ୍କ ସମସ୍ତଙ୍କର ଦ୍ବାର ବନ୍ଦ ହୋଇଗଲା। ତେବେ ସମସ୍ତ ଦେଶବାସୀ ଏପରି କାପୁରୁଷ ନୁହନ୍ତି। ଦେବୀକାଙ୍କ ଦେଶଭକ୍ତି ଓ ସାହସକୁ ସ୍ବୀକୃତି ପ୍ରଦାନ ସ୍ବରୂପ ‘ତପୋବନ’ ନାମକ ରାଜସ୍ଥାନର ଏକ ‘ଏନ୍ଜିଓ’ ଏବ˚ ଭାରତୀୟ ସେନାବାହିନୀର କେତେକ ସୈନିକ ଦେବୀକାଙ୍କୁ ବାସସ୍ଥାନ ଯୋଗାଇବା ଠାରୁ ଆରମ୍ଭ କରି ତାଙ୍କର ଶିକ୍ଷା ଓ ଅନ୍ୟାନ୍ୟ ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ହାତ ମିଳାଇଛନ୍ତି।
ସାମ୍ ପିତ୍ରୋଦା କେବଳ ପାକିସ୍ତାନ ପ୍ରତି ବନ୍ଧୁତାର ହାତ ବଢ଼ାଇବାକୁ ଆହ୍ବାନ ଦେବାରେ ନିଜର ପାକିସ୍ତାନୀ ପ୍ରୀତିକୁ ସୀମିତ ରଖିନାହାନ୍ତି, ସେ ମଧୢ ଏଭଳି ଦେଶଭକ୍ତ ଭାରତୀୟ ସେନାବାହିନୀର ସତ୍ୟବାଦିତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି। ବାଲାକୋଟ୍ର ପାର୍ବତ୍ୟ ଅଞ୍ଚଳରେ ଥିବା ଆତଙ୍କବାଦୀ ତାଲିମ ଶିବିର ଉପରେ ଆକ୍ରମଣ କରିଥିବା ଘୋଷଣା କରିଥିବା ଭାରତୀୟ ବିମାନ ବାହିନୀକୁ ବସ୍ତୁତଃ ମିଥ୍ୟାବାଦୀ ବୋଲି ଘୋଷଣା କରି ସାମ୍ ପିତ୍ରୋଦା ପ୍ରଶ୍ନ କରିଛନ୍ତି: ‘‘ଆମେ କ’ଣ ସତରେ ଆକ୍ରମଣ କରିଛୁ?’’ ଭାରତୀୟ ବିମାନବାହିନୀ ଦ୍ବାରା ପ୍ରକାଶିତ ହାଇ ରିଜୋଲ୍ୟୁସନ୍ ସାଟେଲାଇଟ୍ ଫଟୋ ପିତ୍ରୋଦାଙ୍କ ସନ୍ଦେହ ମୋଚନ କରିପାରିନାହିଁ। ଏହି ଫଟୋରେ ଲକ୍ଷ୍ୟସ୍ଥଳୀସ୍ଥ ଏକ ଅଟ୍ଟାଳିକାର ଛାତରେ ତିନିଟି କଣା ହୋଇଥିବା ଦେଖାଯାଇଥାଏ, ଯାହା ଅତ୍ୟାଧୁନିକ ଇସ୍ରାଏଲୀ ଲକ୍ଷ୍ୟଭେଦୀ ‘ସ୍ପାଇସ୍’ ବୋମାର ସ୍ବାକ୍ଷର ବହନ କରିଥାଏ। ତେବେ ବିଶ୍ବାସ ନକରିବାକୁ ମୂଳରୁ ମନ ସ୍ଥିର କରିଥିବା ପିତ୍ରୋଦାଙ୍କ ପରି ସନ୍ଦେହୀମାନଙ୍କ ପାଇଁ (ଏମାନଙ୍କ ମଧୢରେ ନଭଜୋତ୍ ସିଦ୍ଧୁରୁ ଦିଗ୍ବିଜୟ ସି˚ହଙ୍କ ପର୍ଯ୍ୟନ୍ତ ଆହୁରି ଅନେକ କ˚ଗ୍ରେସ ନେତା ଅନ୍ତର୍ଭୁକ୍ତ) ଏ ଭଳି ପ୍ରମାଣ କୌଣସି ଗୁରୁତ୍ବ ବହନ କରେ ନାହିଁ, ଯେପରି ସେମାନଙ୍କର ଏପରି କାର୍ଯ୍ୟ ଆମ ସେନାବାହିନୀର ମନୋବଳ ଦୁର୍ବଳ କରିବା ଏବଂ ଶତ୍ରୁ ପକ୍ଷର ହାତମୁଠା ଟାଣ କରିବାର ସମ୍ଭାବନା କୌଣସି ଗୁରୁତ୍ବ ବହନ କରେ ନାହିଁ।
ପିତ୍ରୋଦାଙ୍କର ଲଜ୍ଜାଜନକ ଆଚରଣ ଦେଖିଲେ ମନେହୁଏ ସେ ବୋଧହୁଏ ଭାରତୀୟ ବିମାନ ବାହିନୀର ବୟାନକୁ ଏକ କାଳ୍ପନିକ କାହାଣୀ ରୂପେ ବିଚାର କରୁଛନ୍ତି ଯେମିତି ରହସ୍ୟ ରୋମାଞ୍ଚଭରା ସ୍ପାଏ ଥ୍ରିଲର୍ମାନଙ୍କରେ ଦେଖିବାକୁ ମିଳେ। ଏଭଳି ଏକ ପ୍ରସିଦ୍ଧ ଉପନ୍ୟାସ ହେଉଛି କ୍ୟୁବାରେ କମ୍ୟୁନିଷ୍ଟ ବିପ୍ଳବର ଠିକ୍ ଅବ୍ୟବହିତ ପୂର୍ବରୁ ୧୯୫୮ରେ ପ୍ରକାଶିତ ଗ୍ରାହାମ୍ ଗ୍ରୀନ୍ଙ୍କର ‘ଆଵାର୍ ମ୍ୟାନ୍ ଇନ୍ ହାଭାନା’। ଏଥିରେ ନାୟକ ଜେମ୍ସ ଓର୍ମୋଲ୍ଡ ହେଉଛି ହାଭାନାର ଜଣେ ଭ୍ୟାକମ୍ କ୍ଲିନର୍ ବିକ୍ରେତା, ଯାହାକୁ ବ୍ରିଟିସ୍ ସିକ୍ରେଟ୍ ସର୍ଭିସ୍ ଗୁପ୍ତ ତଥ୍ୟ ସ˚ଗ୍ରହରେ ନିୟୋଜିତ କରିଛି। ଅଧିକ ପାରିଶ୍ରମିକ ଆଦାୟ କରିବା ଉଦ୍ଦେଶ୍ୟରେ ଓର୍ମୋଲ୍ଡ ତାର ନିୟନ୍ତ୍ରକମାନଙ୍କ ପାଖକୁ ଅଧିକରୁ ଅଧିକ ଚାଞ୍ଚଲ୍ୟକର ତଥ୍ୟ ଓ ଚିତ୍ରମାନ ପ୍ରେରଣ କରିବାରେ ଲାଗିଛି, ଯାହା ମୁଖ୍ୟତଃ ମନଗଢ଼ା। ଓର୍ମୋଲ୍ଡ ପଠାଇଥିବା ଯେଉଁ ଛବି ସବୁଠାରୁ ଅଧିକ ଚାଞ୍ଚଲ୍ୟକର ଥିଲା ତାହା ହେଲା ଏକ ପାର୍ବତ୍ୟ ଅଞ୍ଚଳରେ ନିର୍ମାଣାଧୀନ ଅତ୍ୟନ୍ତ ବିପଜ୍ଜନକ ମନେ ହେଉଥିବା କେତେକ କ୍ଷେପଣାସ୍ତ୍ର ଘାଟୀର ଆକାଶ ମାର୍ଗରୁ ଉତ୍ତୋଳନ କରାଯାଇଥିବା ଫଟୋ- ବାଲାକୋଟ୍ ସାଟେଲାଇଟ୍ ଫଟୋ ଭଳି। ସତ କଥା ହେଲା ସେ ତଥାକଥିତ ଫଟୋ ଗୁଡ଼ିକ ଥିଲା ଭ୍ୟାକମ୍ କ୍ଲିନର୍ ବିକ୍ରେତା ଓର୍ମୋଲ୍ଡ ପଠାଇଥିବା ଭ୍ୟାକମ୍ କ୍ଲିନର୍ ନିର୍ମାଣ ପାଇଁ ବ୍ୟବହୃତ ନକ୍ସାର ଫଟୋଚିତ୍ର ମାନ! ସାମ୍ ପିତ୍ରୋଦା କ’ଣ କହିବାକୁ ଚାହୁଁଛନ୍ତି ଯେ ଭାରତୀୟ ବିମାନ ବାହିନୀ ପ୍ରକାଶ କରିଥିବା ଫଟୋଗୁଡ଼ିକ ଓର୍ମୋଲ୍ଡଙ୍କ ଫଟୋ ଭଳି ନକଲି?
ନିଜକୁ ଜଣେ ବୈଜ୍ଞାନିକ ବୋଲି ଦାବି କରୁଥିବା ପିତ୍ରୋଦାଙ୍କର ‘ସ୍ପାଇସ୍’ ବୋମା ସମ୍ବନ୍ଧରେ ଅଧିକ ଜ୍ଞାନ ଥିବ ବୋଲି ଆଶା କରାଯିବା କଥା। ଯଦି ତାହା ଯଥେଷ୍ଟ ନୁହେଁ, ତେବେ ଆକ୍ରମଣ ପରେ ବାଲାକୋଟ୍ ଅଞ୍ଚଳରେ ପ୍ରାୟ ୪୦ଟି ଆମ୍ବୁଲାନ୍ସ ଧାଁ ଦଉଡ଼ କରିବାର ରିପୋର୍ଟ କିମ୍ବା ସେଠାରେ ସକ୍ରିୟ ଥିବା ମୋବାଇଲ୍ ଫୋନ୍ ମାନ ସମ୍ବନ୍ଧରେ ପ୍ରକାଶିତ ରିପୋର୍ଟ ଆଦି ତାଙ୍କର ସନ୍ଦେହ ଦୂର କରିବା ପାଇଁ ଯଥେଷ୍ଟ ହେବା ଉଚିତ। ଯଦି ଏ ସବୁ ମଧୢ ସେ ଗ୍ରହଣ ନକରନ୍ତି, ତେବେ ପାକିସ୍ତାନୀ ବାୟୁସେନା ପ୍ରତିଆକ୍ରମଣର କାରଣ କ’ଣ ଓ ଅଭିନନ୍ଦନ ବର୍ଦ୍ଧମାନ ଘଟଣାର କାରଣ କ’ଣ ବୋଲି ସେ ବିଚାର କରୁଛନ୍ତି? ନା, ତାହା ମଧୢ ନକଲି, ଅଭିନନ୍ଦନ ପ୍ରକୃତରେ ହେଉଛନ୍ତି ଜଣେ ଭାରତୀୟ ବିମାନ ବାହିନୀ ଦ୍ବାରା ନିଯୁକ୍ତ ଅଭିନେତା ମାତ୍ର? ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ? ଲଜ୍ଜାହୀନ ଲୋକମାନେ ହିଁ ଚେଇଁ ଶୁଅନ୍ତି।