ଖୁସି ତ?

0

‘‘ଆପଣମାନେ ଖୁସି ତ?’’ ମତଦାତାମାନଙ୍କର ମନର ଅବସ୍ଥା ସମ୍ବନ୍ଧରେ ଏପରି ଏକ ସିଧାସଳଖ ପ୍ରଶ୍ନକୁ ନିଜ ନିର୍ବାଚନ ପ୍ରଚାରର ଟ୍ୟାଗ୍‌ ଲାଇନ୍‌ରେ ପରିଣତ କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ଏକ ମାତ୍ର ନେତା। ଏହା ଯେ ଆଦୌ ଏକ ଗତାନୁଗତିକ ସ୍ଲୋଗାନ୍‌ ନୁହେଁ, ଏଥିରେ କେହି ଦ୍ବିମତ ହେବେ ନାହିଁ। ରାଜନେତାମାନେ ସାଧାରଣତଃ ବସ୍ତୁଗତ ଦୁନିଆରେ ନିଜର କାର୍ଯ୍ୟକଳାପକୁ ସୀମିତ ରଖିବାକୁ ନିରାପଦ ମଣିଥାନ୍ତି- ରାସ୍ତାଘାଟ, ହସ୍‌ପିଟାଲ୍‌, ପୋଲ, ସ୍କୁଲ, କଲେଜ୍‌, ସବ୍‌ସିଡି, ଋଣ ଛାଡ଼ରୁ ନିଯୁକ୍ତି ସୃଷ୍ଟି ଆଦି ପର୍ଯ୍ୟନ୍ତ। ‘ଖୁସି’ କିନ୍ତୁ ସେଭଳି ଏକ ବସ୍ତୁ ନୁହେଁ। ଏହା ଅନ୍ୟ ପକ୍ଷରେ ଅନେକ ସମୟରେ ଏକ ମରୀଚିକା ଭଳି ହୋଇଥାଏ। ଜଣେ ଅଭାବଗ୍ରସ୍ତ କୃଷକ ଜଣେ ଧନାଢ଼୍ୟ ବଣିକଙ୍କଠାରୁ ଅଧିକ ସନ୍ତୁଷ୍ଟ ଓ ଖୁସି ଥାଇପାରେ। କୌଣସି ରାଜନେତା କିନ୍ତୁ ଖୁସି ବାଣ୍ଟିବା ପାଇଁ ଲୋକମାନଙ୍କୁ ଅଭାବଗ୍ରସ୍ତ ଅବସ୍ଥାରେ ରଖିବାକୁ ଚାହିଁବେ ନାହିଁ। ସେମାନେ ସର୍ବଦା ଲୋକମାନଙ୍କ ପାଇଁ ଏକ ଉନ୍ନତତର ଜୀବନ ଧାରଣର ମାନ ହାସଲ କରିବାକୁ ପ୍ରତିଶ୍ରୁତି ଦେଇଥାନ୍ତି। କାରଣ ଅର୍ଥନୀତିଜ୍ଞ ଅମର୍ତ୍ୟ ସେନ୍‌ଙ୍କ ଭାଷାରେ: ‘‘ଜଣେ ଅସନ୍ତୁଷ୍ଟ ଧନୀକ ଜଣେ ସନ୍ତୁଷ୍ଟ କୃଷକଠାରୁ କମ୍‌ ଖୁସି ଥାଇପାରେ, କିନ୍ତୁ ତା’ର ଜୀବନ ଧାରଣର ମାନ ଉଚ୍ଚତର ହୋଇଥାଏ।’’

ନାଗରିକର ଜୀବନ ଧାରଣର ମାନରେ ଉନ୍ନତି ଘଟାଇ ଚାଲିବା ହେଉଛି ରାଜନେତାମାନଙ୍କର ଦାୟିତ୍ବ। ସେମାନେ ଏ ଦିଗରେ ଯେଉଁ ସବୁ ପଦକ୍ଷେପ ନେଇପାରିବେ ତାହାର ରୂପରେଖ ନିଶ୍ଚିତ ଓ ନିର୍ଦ୍ଦିଷ୍ଟ ହୋଇଥିବା ବେଳେ ‘ଖୁସି’ ହାସଲ କରିବା ପାଇଁ ସେଭଳି କୌଣସି ନିଶ୍ଚିତ, ବସ୍ତୁନିଷ୍ଠ ଉପାୟ ନାହିଁ। ସେଇ କାରଣରୁ ୨୦୦୭ରେ ଯେତେବେଳେ ବ୍ରିଟେନ୍‌ର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରମିକ ଦଳର ଗର୍ଡନ୍‌ ବ୍ରାଉନ୍‌ ପ୍ରସିଦ୍ଧ ‘ଆନନ୍ଦ-ଅର୍ଥନୀତିଜ୍ଞ’ ରିଚାର୍ଡ ଲାୟାର୍ଡଙ୍କୁ ତାଙ୍କ ସରକାରରେ ଆନନ୍ଦ ଦିଗ୍‌ଦର୍ଶକ (ହାପିନେସ୍‌ ଜାର‌୍‌) ରୂପେ ନିଯୁକ୍ତି ପ୍ରଦାନ କଲେ, ସେତେବେଳେ ତାହା ଉଭୟ ରାଜନୈତିକ ତଥା ପ୍ରଶାସନିକ ମହଲରେ ବ୍ୟାପକ ଭ୍ରୂ-କୁଞ୍ଚନ ସୃଷ୍ଟି କରିଥିଲା। ପର୍ଯ୍ୟବେକ୍ଷକମାନେ ଆଶଙ୍କା ପ୍ରକାଶ କରିଥିଲେ ଯେ ସରକାରଙ୍କର ବିଧିବଦ୍ଧ ନୀତି ନିର୍ଦ୍ଧାରଣ ଭଳି ଏକ ବସ୍ତୁନିଷ୍ଠ କ୍ଷେତ୍ରରେ ଅବାଞ୍ଛିତ ଭାବପ୍ରବଣତାର ଅନୁପ୍ରବେଶ ଘଟିବ। ଗର୍ଡନ୍‌ ବ୍ରାଉନ୍‌ଙ୍କ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଜାଠ ଦଳର ଡେଭିଡ୍‌ କାମେରନ୍‌ ମଧୢ ଖୁସି ଭଳି ଏକ ଅନିର୍ଦ୍ଦିଷ୍ଟ, ବିପଦସ˚କୁଳ ଇଲାକାଠାରୁ ଦୂରେଇ ରହିବା ପରିବର୍ତ୍ତେ ସେ ଆରମ୍ଭରେ ‘ମୋଟ ଜାତୀୟ ଉତ୍ପାଦ’ ବା ‘ଜିଡିପି’ ପ୍ରତି ପ୍ରଦାନ କରାହୋଇ ଆସୁଥିବା ଚିରାଚରିତ ଗୁରୁତ୍ବ ହ୍ରାସ କରି ହିମାଳୟ କୋଳରେ ଥିବା ପରୀ ରାଇଜ ଭୁଟାନକୁ ଅନୁକରଣ କଲା ଭଳି ତାଙ୍କ ଦେଶର ‘ମୋଟ ଜାତୀୟ ଖୁସି’ର ଆକଳନ କରିବାକୁ ଅଧିକ ଗୁରୁତ୍ବ ପ୍ରଦାନ କଲେ। ଏହା ବର୍ତ୍ତମାନ ଜଣାଶୁଣା ଯେ ପରବର୍ତ୍ତୀ ସମୟରେ ଡେଭିଡ୍‌ କାମେରନ୍‌ ଯେଉଁ ‘ବ୍ରେକ୍‌ସିଟ୍‌’ ଅଡୁଆରେ ଛନ୍ଦି ହୋଇ ଅସମୟରେ କ୍ଷମତା ତ୍ୟାଗ କରି ପଳାୟନ କଲେ, ବ୍ରିଟେନ୍‌ବାସୀ ସେଥିରୁ କିପରି ମୁକୁଳିବେ ଏ ପର୍ଯ୍ୟନ୍ତ ତା’ର ଥଳକୂଳ ପାଉନାହାନ୍ତି ଏବ˚ ଏଥିଯୋଗୁଁ ସେ ଦେଶର ଅର୍ଥନୀତିରୁ ଆରମ୍ଭ କରି ରାଜନୀତି ଓ ସମାଜ ପର୍ଯ୍ୟନ୍ତ ଘୋର ଅନିଶ୍ଚିତତାର ସମ୍ମୁଖୀନ ହୋଇ ରହିଛି। କିନ୍ତୁ ରାଜନୈତିକ ସନ୍ନ୍ୟାସରେ ଥାଇ କାମେରନ୍‌ ବୋଧହୁଏ ସନ୍ତୋଷ ଲାଭ କରୁଥିବେ ଯେ ‘ବ୍ରେକ୍‌ସିଟ୍‌’ ଜନିତ ପାର୍ଥିବ ସମସ୍ୟାମାନ ସତ୍ତ୍ବେ ଗତ ମାସରେ ପ୍ରକାଶିତ ୧୫୬ଟି ଦେଶମାନଙ୍କୁ ନେଇ ସ˚କଳିତ ‘ବିଶ୍ବ ଖୁସି ତାଲିକା’ରେ ବ୍ରିଟେନ୍‌ ଗତ ବର୍ଷ ତୁଳନାରେ ୨୦୧୯ରେ ଚାରିଟି ପାହାଚ ଉପରକୁ ଉଠି ୧୫ଶ ସ୍ଥାନ ଅଧିକାର କରିଛି। ଏହା ତାଙ୍କ ଦଳ, କ୍ଷମତାସୀନ ଜାଠ ଦଳ ପାଇଁ ଖୁସିର ଖବର ହୋଇପାରେ।

ଆମେରିକାର ମେରିଲ୍ୟାଣ୍ତ ବିଶ୍ବବିଦ୍ୟାଳୟ ଦ୍ବାରା କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଥାଏ ଯେ ନାଗରିକମାନଙ୍କର ଖୁସିର ସ୍ତର ସହିତ ସେମାନଙ୍କର ରାଜନୈତିକ ସକ୍ରିୟତାର ଘନିଷ୍ଠ ସମ୍ବନ୍ଧ ରହିଛି। ଗଣତାନ୍ତ୍ରିକ ଦେଶମାନଙ୍କରେ ନାଗରିକମାନେ ଅନେକ ସମୟରେ ମତଦାନ ପ୍ରତି ବିମୁଖ ଥିବା ଦେଖାଯାଇଥାଏ, ଯାହା ଗଣତନ୍ତ୍ରର ମୂଳଭିତ୍ତି। ଗବେଷଣାରୁ ସାବ୍ୟସ୍ତ ହୋଇଛି ଯେ ମତଦାତାମାନେ ଯେତେବେଳେ ଅଧିକ ଖୁସି ଥାନ୍ତି, ସେମାନେ ଭୋଟ୍‌ ଦେବା ପାଇଁ ସେତେ ଅଧିକ ଆଗ୍ରହ ପ୍ରଦର୍ଶନ କରନ୍ତି। ବିଷାଦଗସ୍ତ ମତଦାତାମାନେ ମତଦାନ କରିବାର କଷ୍ଟ ସ୍ବୀକାର କରିବାକୁ କୁଣ୍ଠିତ ହୁଅନ୍ତି। ଅର୍ଥାତ୍‌ ମତଦାତାମାନେ ଯେତେ ଅଧିକ ଖୁସି, ମତଦାନ କେନ୍ଦ୍ରମାନଙ୍କରେ ଭିଡ଼ ସେତେ ଅଧିକ। ଉପରଲିଖିତ ଜାତିସ˚ଘ ଆନୁକୂଲ୍ୟରେ ପ୍ରସ୍ତୁତ ‘ବିଶ୍ବ ଖୁସି ରିପୋର୍ଟ‌୍‌’ ଏହାକୁ ସତ୍ୟ ପ୍ରମାଣିତ କରିଥାଏ। ପ୍ରଶ୍ନୋତ୍ତରରେ ଭାଗ ନେଇଥିବା ୧୩୦୦ ନମୁନା ଆମେରିକୀୟ ଉତ୍ତରଦାତାମାନେ ପ୍ରଦାନ କରିଥିବା ସୂଚନା ଅନୁସାରେ ଆବିଷ୍କୃତ ହୋଇଛି ଯେ ମତଦାତାମାନଙ୍କର ‘ଜୀବନରେ ସନ୍ତୋଷ’ (ଲାଇଫ୍‌ ସାଟିସ୍‌ଫାକ୍‌ସନ୍‌) ସହିତ ମତଦାନ କେନ୍ଦ୍ରରେ ସେମାନଙ୍କ ଉପସ୍ଥିତିର ଘନିଷ୍ଠ ସମ୍ପର୍କ ରହିଛି।

ଏପରି ସମ୍ପର୍କର କାରଣ କ’ଣ, ତାହା ସ୍ପଷ୍ଟ ନୁହେଁ। ବୋଧହୁଏ ଯେଉଁମାନେ ନିଜ ଜୀବନ ନେଇ ସନ୍ତୁଷ୍ଟ ନୁହନ୍ତି, ସେମାନେ ମଧୢ ପ୍ରଚଳିତ ରାଜନୈତିକ ବ୍ୟବସ୍ଥାରେ ସନ୍ତୁଷ୍ଟ ନୁହନ୍ତି। ସେମାନେ ମତଦାନରେ ଅ˚ଶ ଗ୍ରହଣ କରି ଏ ବ୍ୟବସ୍ଥାରେ ଅ˚ଶୀଦାର ହେବାକୁ ଚାହାନ୍ତି ନାହିଁ। ଅନ୍ୟପ୍ରକାରେ କହିଲେ, ସେମାନେ ମତଦାନରେ ଅ˚ଶ ଗ୍ରହଣ ନକରି ପ୍ରଚଳିତ ରାଜନୈତିକ ବ୍ୟବସ୍ଥା ପ୍ରତି ନିଜର ବିରୋଧ ପ୍ରକଟ କରିଥାନ୍ତି। କାରଣ ଯାହା ହୋଇଥାଉ ନା କାହିଁକି, ବ୍ୟକ୍ତିର ରାଜନୈତିକ ସକ୍ରିୟତା ଉପରେ ତା’ର ଖୁସିର ପ୍ରଭାବ ବେଶ୍‌ ନିର୍ଣ୍ଣାୟକ ହୋଇଥାଏ। ଆମେରିକାରେ ମତଦାନ ଆଚରଣ ଉପରେ ଖୁସିର ପ୍ରଭାବ ଶିକ୍ଷାର ପ୍ରଭାବ ସହିତ ସମାନ ବୋଲି ଆକଳନ କରାଯାଇଛି। ଶିକ୍ଷାର ସ୍ତର ଯେତେ ଉଚ୍ଚା, ମତଦାନ ସମ୍ଭାବନା ସେତେ ଅଧିକ ହେବା ଭଳି ଖୁସିର ସ୍ତର ଯେତେ ଉଚ୍ଚା, ମତଦାନ ସମ୍ଭାବନା ମଧୢ ସେତେ ଅଧିକ ବୋଲି ଜଣାପଡ଼ିଛି।

ତେବେ କ୍ଷମତାସୀନ ରାଜନୈତିକ ଦଳମାନେ ଏ ସମ୍ପର୍କ ନେଇ ଖୁସି ହେବାର କିଛି କାରଣ ଅଛି କି? ଖୁସିର ପ୍ରଭାବରେ ଅଧିକ ସ˚ଖ୍ୟକ ମତଦାତାମାନେ ଭୋଟ୍‌ ଦେବାକୁ ଆସିଲେ, ସେମାନେ କ୍ଷମତାସୀନ ଦଳକୁ ଭୋଟ ଦେବା କ’ଣ ନିଶ୍ଚିତ? ଏହାର ଏକ ସମ୍ଭାବ୍ୟ ଉତ୍ତର ମିଳିଥାଏ ୨୦୦୫ର ‘ରିିଭିଉ ଅଫ୍‌ ଇକନୋମିକ୍‌ ଷ୍ଟଡିଜ୍‌’ରେ ପ୍ରକାଶିତ ଏକ ଅନୁଶୀଳନରୁ। ଗବେଷକମାନେ ଆବିଷ୍କାର କରିଥିଲେ ଯେ ଯେତେବେଳେ ସେମାନେ ସମର୍ଥନ କରୁଥିବା ରାଜନୈତିକ ଦଳ କ୍ଷମତାରେ ଥାଏ, ଲୋକମାନେ ସେତେବେଳେ ବହୁ ଅଧିକ ଖୁସି ଥା’ନ୍ତି। ତେଣୁ ଏଭଳି ଖୁସି ଥିବା ମତଦାତାମାନେ ଯେତେବେଳେ ଭୋଟ୍‌ ଦେବାକୁ ଯିବେ, ସେମାନେ କ୍ଷମତାସୀନ ଦଳ ସପକ୍ଷରେ ହିଁ ଭୋଟ୍‌ ଦେବେ। ଏହି ଯୁକ୍ତି ଅନୁସାରେ ବ୍ରିଟେନ୍‌ରେ ଏବେ ଯଦି ହଠାତ୍‌ ନିର୍ବାଚନ ହୁଏ, ତେବେ କ୍ଷମତାସୀନ ଜାଠ ଦଳ ବିଜୟ ଲାଭ କରିବା ସମ୍ଭାବନା ଅଧିକ ହେବ। ସେହିପରି ନବୀନ ପଟ୍ଟନାୟକ ପଚାରୁଥିବା ‘‘ଆପଣମାନେ ଖୁସି ତ?’’ ପ୍ରଶ୍ନର ଉତ୍ତର ଯଦି ରାଜ୍ୟବ୍ୟାପୀ ‘ହଁ’ ହୋଇଥାଏ, ଏବ˚ ସେ ‘ହଁ’ ଯଦି ଆନ୍ତରିକ ହୋଇଥାଏ, ତେବେ ନିର୍ବାଚନର ଫଳାଫଳ ଉଭୟ ନବୀନ ଓ ତାଙ୍କ ଦଳକୁ ଖୁସି କରିବାର ସମସ୍ତ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.