‘ହେଡ୍ସ ଆଇ ଵିନ୍, ଟେଲ୍ସ ୟୁ ଲୁଜ୍’: ଏହା ହେଉଛି ୨୦୧୮ରେ ପ୍ରକାଶିତ ଖ୍ୟାତନାମା ଆମେରିକୀୟ ବିତ୍ତୀୟ ଉପଦେଷ୍ଟା ପାଟ୍ରିକ୍ ଡୋନହୋ ରଚନା କରିଥିବା ପୁସ୍ତକର ଶୀର୍ଷକ। କଏନ୍ଟି ଟସ୍ କରାଯିବା ପରେ ‘ହେଡ୍’ ପଟ ଉପରକୁ ରହୁ କି ‘ଟେଲ୍’ ପଟ ଉପରକୁ ରହୁ, ସେଥିରେ ଯାଏଆସେ ନାହିଁ-ଜିତିବି ମୁଁ ହିଁ। ଏହାହିଁ ହେଉଛି ଶୀର୍ଷକର ମର୍ମ ଏବ˚ ବିତ୍ତୀୟ ପରିଚାଳନାରେ ଏହି କୌଶଳର କିପରି ସଫଳ ପ୍ରୟୋଗ କରାଯିବ, ତାହା ହେଉଛି ପୁସ୍ତକଟିର ବିଷୟବସ୍ତୁ। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏକଦା ଦେଶର କର୍ପୋରେଟ୍ ମୁଖ୍ୟମନ୍ତ୍ରୀ ବା ଆନ୍ଧ୍ରପ୍ରଦେଶର ‘ଚିଫ୍ ଏଗ୍ଜିକ୍ୟୁଟିଭ୍ ଅଫିସର୍’ (ସିଇଓ) ରୂପେ ଅଭିହିତ ହେବା ଦେଖାଯାଇଥିଲା। ତେଣୁ ଏଭଳି ବ୍ୟବସାୟ ପରିଚାଳନା କୌଶଳରେ ତାଙ୍କର ଆଗ୍ରହ ରହିଥିବା ସ୍ବାଭାବିକ। ବର୍ତ୍ତମାନ ତାଙ୍କ ନେତୃତ୍ବରେ ପୁନରାୟ ଆରମ୍ଭ ହୋଇଥିବା ଇଭିଏମ୍-ବିରୋଧୀ ଅଭିଯାନ ଦେଖିଲେ ମନେ ହୁଏ, ସେ ନିଶ୍ଚିତ ଭାବରେ ଡୋନହୋଙ୍କ ପୁସ୍ତକ ସହିତ ପରିଚିତ ଏବ˚ ତାହାର ଶୀର୍ଷକକୁ ନିଜର ଲକ୍ଷ୍ୟ ରୂପେ ଗ୍ରହଣ କରି ଏହି ‘ଇଭିଏମ୍’ ଗୋଟିଚାଳନା କରିଛନ୍ତି।
ଯଦି ନିର୍ବାଚନ କମିସନ୍ ନାଇଡୁଙ୍କ ସହିତ ଏକମତ ହୋଇ ଇଭିଏମ୍ ବିଭିନ୍ନ ଦୋଷତ୍ରୁଟିରେ ଭରପୂର ବୋଲି ମାନି ଯାଇ ସେଥିରେ ବ୍ୟାପକ ପରିବର୍ତ୍ତନମାନ ଘଟାନ୍ତି କିମ୍ବା ନାଇଡୁ ଦାବି କରୁଥିବା ଭଳି ପୁରୁଣା ବ୍ୟାଲଟ୍ ପେପର୍ ବ୍ୟବହାର ଯୁଗକୁ ଫେରି ଯାଆନ୍ତି, ତାହା ତେବେ ନାଇଡୁଙ୍କର ବୃହତ୍ ବିଜୟ ରୂପେ ବିବେଚିତ ହେବ; ଆଉ ଯଦି ନିର୍ବାଚନ କମିସନ୍ ଇଭିଏମ୍ରେ କୌଣସି ପରିବର୍ତ୍ତନ ନ ଘଟାନ୍ତି ଏବ˚ ନାଇଡୁ ନିର୍ବାଚନରେ ହାରିଯାଆନ୍ତି, ତେବେ ବି ନାଇଡୁଙ୍କର ବିଜୟ ଘଟିଛି ବୋଲି ସେ ଦାବି କରିବେ, କାରଣ ସେ କହିବେ ଇଭିଏମ୍ର ଦୁରୁପଯୋଗ କରି ତାଙ୍କୁ ହରାଇ ଦିଆଯାଇଛି। ବାସ୍ତବରେ ଇଭିଏମ୍କୁ କେନ୍ଦ୍ର କରି ବିବାଦ ସୃଷ୍ଟି କରୁଥିବା ସମସ୍ତ ବିରୋଧୀଦଳ ମାନଙ୍କର ଏହାହିଁ ହେଉଛି ରଣକୌଶଳ।
ଚତୁର ଚନ୍ଦ୍ରବାବୁ କିନ୍ତୁ ନିର୍ବାଚନ କମିସନ୍ଙ୍କ ସହିତ ଇଭିଏମ୍ ଯୁଦ୍ଧ ଚଳାଇବା ବେଳେ ନିଜ ଜାଣତରେ କିମ୍ବା ଅଜାଣତରେ ଏକ ଗୁରୁତର ଭୁଲ୍ କରି ପକାଇଛନ୍ତି, ଯାହା ଡୋନହୋ ତତ୍ତ୍ବର ସଫଳ ପ୍ରୟୋଗ ପଥରେ ଏକ ପ୍ରତିବନ୍ଧ ରୂପେ ଉଭା ହେବ। ନିର୍ବାଚନରେ ହାରିବା ପରେ ସେଥିପାଇଁ ଇଭିଏମ୍କୁ ଦାୟୀ କରିବାରେ ସଫଳ ହେବା ପାଇଁ ଅଭିଯୋଗକାରୀଙ୍କର ଭାବମୂର୍ତ୍ତି ଶକ୍ତିଶାଳୀ ହୋଇଥିବା ଜରୁରୀ। ଚନ୍ଦ୍ରବାବୁ ନାଇଡୁ କିନ୍ତୁ ଏବେ ଇଭିଏମ୍କୁ ନେଇ ନିର୍ବାଚନ କମିସନ୍ଙ୍କ ସହିତ ଏକ ସମ୍ମୁଖ ସମରରେ ବ୍ୟାପୃତ ଥିବାବେଳେ ଯାହାଙ୍କୁ ବିଶେଷଜ୍ଞ-ସେନାପତି ରୂପେ ସାଙ୍ଗରେ ନେଇ ଯାଇଥିଲେ, ସେ ମହାଶୟ ଅତୀତର ଜଣେ ଇଭିଏମ୍ ଚୋରି ଅଭିଯୁକ୍ତ ବୋଲି ପରେ ଆବିଷ୍କୃତ ହୋଇଥିଲା। ଏହି ବ୍ୟକ୍ତିଙ୍କର ନାମ ହେଉଛି ହରିପ୍ରସାଦ। ସେ ୨୦୦୯-୧୦ରେ ଇଭିଏମ୍କୁ ହ୍ୟାକ୍ କରାଯାଇ ପାରିବ ବୋଲି ଦାବି କରି ତାହା ପ୍ରମାଣ କରି ପାରି ନଥିଲେ, ପରନ୍ତୁ ୨୦୧୦ରେ ମୁମ୍ବାଇରେ ତାଙ୍କ ବିରୁଦ୍ଧରେ ଏକ ଇଭିଏମ୍ ଚୋରି ଅଭିଯୋଗ ଦାଏର୍ ହୋଇଥିଲା।
ମୁଖ୍ୟ ନିର୍ବାଚନ କମିସନର୍ଙ୍କ ସହିତ ଚନ୍ଦ୍ରବାବୁ ନାଇଡୁ ଆଲୋଚନା କରୁଥିବା ବେଳେ ତାଙ୍କର ବୈଷୟିକ ବିଶେଷଜ୍ଞ ରୂପେ ଏହି ହରିପ୍ରସାଦ ଉପସ୍ଥିତ ଥିଲେ ବୋଲି ପରେ ଯେତେବେଳେ ଆବିଷ୍କୃତ ହେଲା, ନିର୍ବାଚନ କମିସନ୍ କାଳବିଳମ୍ବ ନକରି ଉଭୟ ଆନ୍ଧ୍ର ସରକାର ଓ ନାଇଡୁଙ୍କ ଦଳ ତେଲୁଗୁଦେଶମ୍ ପାର୍ଟିକୁ ପତ୍ରଲେଖି ଏ ନେଇ ନିଜର ଘୋର ବିରକ୍ତି ଜଣାଇ ଦେଇଛନ୍ତି। ୨୦୧୦ରେ ଏକ ଇଭିଏମ୍ ଚୋରି ମାମଲାରେ ଗିରଫ ହୋଇଥିବା ଜଣେ ବ୍ୟକ୍ତି କିପରି ଜଣେ ତଥାକଥିତ ବୈଷୟିକ ବିଶେଷଜ୍ଞ ରୂପେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଆସିଥିବା ଏକ ପ୍ରତିନିଧି ଦଳରେ ସ୍ଥାନ ପାଇଲେ ବୋଲି କମିସନ୍ ତାଙ୍କ ପତ୍ରରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଚନ୍ଦ୍ରବାବୁ ନାଇଡୁଙ୍କ ପାଇଁ ହରିପ୍ରସାଦ ସୃଷ୍ଟି କରିଥିବା ଅସ୍ବସ୍ତିର ଆଉ ଏକ କାରଣ ହେଲା ଚନ୍ଦ୍ରବାବୁ ବର୍ତ୍ତମାନ କ୍ଷମତାସୀନ ଭାରତୀୟ ଜନତା ପାର୍ଟି ବିରୁଦ୍ଧରେ ଇଭିଏମ୍ ଦୁରୁପଯୋଗ ଅଭିଯୋଗ ଆଣୁଥିବା ବେଳେ, ହରିପ୍ରସାଦଙ୍କ ଗିରଫଦାରି ଘଟିଥିଲା ବର୍ତ୍ତମାନ ନାଇଡୁଙ୍କ ସହଯୋଗୀ କ˚ଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ସମୟରେ। ସେତେବେଳେ ଯଦି ହରିପ୍ରସାଦ ନକଲି ସାବ୍ୟସ୍ତ ହୋଇଥିଲେ, ଏବେ ଅସଲି ହୋଇଗଲେ କିପରି?
ଚନ୍ଦ୍ରବାବୁ ନାଇଡୁ ଓ ତାଙ୍କର ସାଥୀମାନେ ପୁରୁଣା ବ୍ୟାଲଟ୍ ପେପର୍ ବ୍ୟବହାର ବ୍ୟବସ୍ଥାକୁ ଫେରିଯିବାକୁ ଦାବି କରୁଛନ୍ତି ଓ ଯଦି ତା’ ନହୁଏ ତେବେ ଅନ୍ୟୂନ ୫୦% ଅର୍ଥାତ୍ ଅର୍ଧେକ ଇଭିଏମ୍େର ‘ଭିଭିପାଟ୍’ କାଗଜ ରସିଦ୍ ଖଞ୍ଜାଯିବା ପାଇଁ ଦାବି କରୁଛନ୍ତି (ସୁପ୍ରିମ୍ କୋର୍ଟ କିନ୍ତୁ ପ୍ରତି ବିଧାନସଭା କ୍ଷେତ୍ରର ପାଞ୍ଚଟି ମାତ୍ର ବୁଥ୍ରେ ‘ଭିଭିପାଟ୍’ ଖଞ୍ଜାଯିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି)। ୨୦୧୯ ନିର୍ବାଚନରେ ଦେଶରେ ମୋଟ ୧୦.୩୫ ଲକ୍ଷ ମତଦାନ କେନ୍ଦ୍ରରେ ପ୍ରାୟ ୪୦ ଲକ୍ଷ ‘ଇଭିଏମ୍’ ବ୍ୟବହୃତ ହେଉଛି। ବିରୋଧୀଙ୍କ ଦାବି ଗ୍ରହଣ କରାଗଲେ ପ୍ରାୟ ୨୦ ଲକ୍ଷ ଇଭିଏମ୍ରେ ‘ଭିଭିପାଟ୍’ ଖଞ୍ଜାଯାଇ ସେଗୁଡ଼ିକର ହିସାବ ନିଆଯିବ। ଯଦି ତାହା ହୁଏ, ତେବେ ନିର୍ବାଚନ ଫଳ ପ୍ରକାଶ ପାଇଁ ଆହୁରି ଅଧିକ କେତେଦିନ ଅପେକ୍ଷା କରିବାକୁ ହେବ। ତା’ଛଡ଼ା, ଯଦି ୫୦% ଇଭିଏମ୍ରେ ‘ଭିଭିପାଟ୍’ ଲାଗିବା ଯୁକ୍ତି ଗ୍ରହଣ କରାଯାଏ, ତେବେ ୧୦୦% ମେସିନ୍ରେ ଏହି ବ୍ୟବସ୍ଥା ରଖାଯିବ ନାହିଁ କାହିଁକି?
ବିରୋଧୀମାନେ ଅଭିଯୋଗ କରି ଆସୁଛନ୍ତି ଯେ ଇଭିଏମ୍କୁ ଏପରି ବିଗାଡ଼ି ଦିଆଯାଉଛି ଯେ ମତଦାତା ଯେଉଁ ବୋତାମ ଦବାଇଲେ ମଧୢ ତାହା ଭାଜପା ସପକ୍ଷରେ ପଦ୍ମ ଚିହ୍ନକୁ ଚାଲିଯାଉଛି। ଯଦି ଏ ଅଭିଯୋଗରେ ସତ୍ୟତା ଥାଏ, ତେବେ ଗତ ବିଧାନସଭା ନିର୍ବାଚନମାନଙ୍କରେ ଛତିଶଗଡ଼, ମଧୢପ୍ରଦେଶ, ରାଜସ୍ଥାନରେ ଭାଜପା ପରାଜିତ ହେଲା କିପରି? ମଧୢପ୍ରଦେଶ ଓ ରାଜସ୍ଥାନରେ ତ ପରାଜୟର ଆକାର ଏତେ କ୍ଷୁଦ୍ର ଥିଲା ଯେ ଇଭିଏମ୍ର ସାମାନ୍ୟ ଦୁରୁପଯୋଗ ତାହାକୁ ଭାଜପା ପାଇଁ ବିଜୟରେ ପରିଣତ କରିଦେଇ ପାରିଥାନ୍ତା?
ଅସଲ କଥା ହେଲା ଇଭିଏମ୍ର ପ୍ରଚଳନ ପରେ ରାଜନୈତିକ ଦଳ ମାନଙ୍କର ଗୁଣ୍ତାମାନେ ବୁଥ୍ ଦଖଲ କରି ସେଠାରେ ଭୋଟ୍ ବାକ୍ସରେ ନିଜ ଦଳ ସପକ୍ଷରେ ବ୍ୟାଲଟ୍ ପେପର୍ ଭର୍ତ୍ତି କରିଦେବା ଆଉ ସମ୍ଭବ ହେଉନାହିଁ। ନାଇଡୁ, ମମତା ଓ ତାଙ୍କ ସାଥୀମାନେ ପୁଣି ସେଇ ବାହୁବଳୀ ବ୍ୟାଲଟ୍ ପେପର୍ ବ୍ୟବସ୍ଥାକୁ ଫେରିଯିବାକୁ ଚାହୁଁଛନ୍ତି। ଇତି ମଧ୍ୟରେ ପ୍ରାୟ ସମସ୍ତ ସର୍ବେକ୍ଷଣ ଫଳାଫଳରୁ ଚନ୍ଦ୍ରବାବୁ ନାଇଡୁଙ୍କ ପରାଜୟ ନିଶ୍ଚିତ ବୋଲି ଜଣାପଡ଼ୁଛି। ଯଦି ତାହା ସତ ହୁଏ, ତେବେ ଜଣେ ହାରି ସାରିଥିବା ବ୍ୟକ୍ତି ଆଉ ନିର୍ବାଚନରେ ହରାଇବ କ’ଣ? ତେଣୁ ବର˚ ଏବେଠାରୁ ପାଟ୍ରିିକ୍ ଡୋନହୋଙ୍କୁ ଅନୁସରଣ କରି ସେ ତେବେ ଇଭିଏମ୍ ଓ ପରୋକ୍ଷରେ ଭାଜପା ମୁଣ୍ତରେ ଅଠା ବୋଳିବାକୁ ପ୍ରସ୍ତୁତି ଚଳାଇଥିବା ଭଳି ମନେହୁଏ।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର