ବେଶି ନେବେ, ଦେବେ କମ୍‌

ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ରିଟିସ୍‌ ପରମ୍ପରାରେ ‘ବ୍ରିଫ୍‌କେସ୍‌’ରେ ବଜେଟ୍‌ ଦସ୍ତାବିଜ ଆଣିବାର ପ୍ରଥା ତ୍ୟାଗ କରି ଭାରତୀୟ ବ୍ୟାବସାୟିକ ସ˚ସ୍ଥାଙ୍କ ଦ୍ବାରା ଅନୁସୃୃତ ପରମ୍ପରାରେ ବଜେଟ୍‌ ପୁସ୍ତିକାକୁ ନାଲିକନାରେ ବାନ୍ଧି ‘ବହିଖାତା’ ରୂପରେ ସ˚ସଦକୁ ଆଣିଥିଲେ। ତେବେ, ୨୦୧୯-୨୦ ବଜେଟ ଉପସ୍ଥାପନ ନେଇ ଏହା ଏକମାତ୍ର ବ୍ୟତିକ୍ରମ ନଥିଲା। ସୀତାରମଣଙ୍କ ଦୀର୍ଘ ୨ ଘଣ୍ଟା ୧୫ ମିନିଟ୍‌ର ଭାଷଣରେ ବିସ୍ତୃତ ଭାବେ ଟିକସ ପ୍ରସ୍ତାବ କିମ୍ବା ବିଭିନ୍ନ ବିଭାଗ ଓ ଯୋଜନା ବାବଦ ବ୍ୟୟବରାଦର ଉଲ୍ଲେଖ ନଥିଲା। ଲୋକସଭାରେ ବଜେଟ ଆଗତ ହେବାର ବେଶ୍‌ କିଛି ଘଣ୍ଟା ପରେ ଯାଇ ଟିକସ ପ୍ରସ୍ତାବ ଓ ବ୍ୟୟବରାଦ ନେଇ ସମ୍ପୂର୍ଣ୍ଣ ଚିତ୍ର ସାମ୍‌ନାକୁ ଆସିଥିଲା।

ଅର୍ଥମନ୍ତ୍ରୀଙ୍କ ଲମ୍ବା ବଜେଟ ଭାଷଣ ପରେ ପରେ ବଜେଟର ‘ଫମ୍ପା ମାଠିଆର ଶବ୍ଦ ବେଶି’ ଚରିତ୍ରର ସୁରାକ୍‌ ମିଳିଯାଇଥିଲା। ସ୍ପଷ୍ଟ ହୋଇଯାଇଥିଲା ଯେ, ବିପୁଳ ଜନାଦେଶ ସହ କ୍ଷମତାକୁ ଫେରିଥିବା ମୋଦୀ ସରକାରର ଦ୍ବିତୀୟ ପାଳିର ପ୍ରଥମ ବଜେଟରୁ ଆମ୍‌ଆଦ୍‌ମୀ ଯାହା ଆଶା କରିିଥିଲେ, ସେହି ଆଶାଠାରୁ ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀଙ୍କ ପ୍ରଥମ ବଜେଟ ବହୁ ଦୂରରେ ରହିଯାଇଛି। ଟିକସ ପ୍ରସ୍ତାବ ଓ ବ୍ୟୟବରାଦର ପୂରା ବିବରଣୀ ଜଣାପଡ଼ିବା ପରେ ସାଧାରଣ ଜନତା ଖାଲି ନିରାଶ ହୋଇ ନାହାନ୍ତି, ମହଙ୍ଗା ବୋଝ ବଢ଼ିବା ନେଇ ଆଶଙ୍କା ମଧୢ ପ୍ରକାଶ ପାଇଛି। କେତେକ ବିଶେଷଜ୍ଞଙ୍କ ମତରେ ସୀତାରମଣଙ୍କ ବଜେଟ ‘୫ ଟ୍ରିଲିୟନ୍‌ ଅର୍ଥନୀତି’ ଆଡ଼କୁ ପ୍ରଥମ ପାଦ। ତେବେ, ‘ବଜେଟ ଅଭିବୃଦ୍ଧି ମୁହାଁ’ ସୂଚକ ଏହି ମତ ସର୍ବସମ୍ମତ ନୁହେଁ। ବିଶେଷଜ୍ଞ ମହଲରେ ଏ ନେଇ ମତ ବିଭାଜିତ। ବଜେଟ ଉପରେ ବିଶେଷଜ୍ଞଙ୍କ ମତ ଓ ରାଜନୈତିକ ମହଲରେ ବାଦ ବିବାଦ ନିର୍ବିଶେଷରେ, ଦେଶର ସାଧାରଣ ଜନତା, ବିଶେଷକରି ଅର୍ଥନୈତିକ- ସାମାଜିକ ପିରାମିଡର ତଳସ୍ତରର ନିମ୍ନ ଓ ମଧୢମ ଆୟକାରୀଙ୍କ ଦୃଷ୍ଟିରେ କିନ୍ତୁ ବଜେଟରେ ଆଶା ଅପେକ୍ଷା ନିରାଶା ଅଧିକ। ବଜେଟରେ ଏହି ବର୍ଗଙ୍କଠାରୁ ସରକାର ଯେତିକି ନେବାର ବ୍ୟବସ୍ଥା କରିଛନ୍ତି, ତା’ଠାରୁ କମ୍‌ ଦେବାର ପ୍ରାବଧାନ ଅଛି। ସରକାରଙ୍କ ତହବିଲକୁ ଆସିବାକୁ ଥିବା ପ୍ରତି ଟଙ୍କାଏରେ ଲୋକେ ଦେଉଥିବା ଟିକସର ଭାଗ ୬୮ ପଇସା। ଅଥଚ ଲୋକଙ୍କ କଲ୍ୟାଣ ଓ ବିକାଶ ପାଇଁ ଏହାର ଏକ ତୃତୀୟା˚ଶ ଖର୍ଚ୍ଚର ବି ବ୍ୟବସ୍ଥା ନାହିଁ। ବ୍ୟାବସାୟିକ ପରମ୍ପରାରେ ଅର୍ଥମନ୍ତ୍ରୀ କେବଳ ନାଲିକନାରେ ବାନ୍ଧି ‘ବହିଖାତା’ ରୂପରେ ବଜେଟ୍‌ ପୁସ୍ତିକାକୁ ଆଣି ନଥିଲେ; ଏଥିରୁ କମ୍‌ ଦେଇ ବେଶି ନେବାର ବ୍ୟବସାୟିକ ଭାବନାର ଗନ୍ଧ ମଧୢ ସ୍ପଷ୍ଟ ବାରି ହେଉଛି। ଅବଶ୍ୟ, ପିତା ବଟିକାରେ ମିଠା ପୁଟ ଦେବା ଭଳି ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ଏହାକୁ ଭିନ୍ନ ବାଟରେ ପ୍ରକାଶ କରିଥିଲେ। ‘ଦେଶ ତୁମ ପାଇଁ କ’ଣ କରିବ ପଚାର ନାହିଁ, ବର˚ କୁହ ତୁମେ ଦେଶ ପାଇଁ କ’ଣ କରି ପାରିବ’। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ୍‌ ଏଫ୍‌ କେନେଡ଼ିଙ୍କ ଏହି ବକ୍ତବ୍ୟର ଧାରାରେ ଅର୍ଥମନ୍ତ୍ରୀ କହିଥିଲେ, ‘ସ୍ବାଧୀନତାର ୫୦ ବର୍ଷ ପୂର୍ତ୍ତି ବେଳେ ନାଗରିକ ଭାବେ ଆମେ ଆମର ଅଧିକାର ଉପରେ ଗୁରୁତ୍ବ ଦେଉଥିଲେ। ଏବେ ସ୍ବାଧୀନତାର ୭୫ ବର୍ଷ ପାଳନ ଅବସରରେ ଦେଶ ପ୍ରତି ନାଗରିକ ଭାବେ ଆମର ନିଜ ଦାୟିତ୍ବ ପାଳନର ସମୟ ଆସିଯାଇଛି।’

ଦେଶ ପ୍ରତି ନାଗରିକ ଭାବେ ଦାୟିତ୍ବ ସ୍ବରୂପ ଅର୍ଥମନ୍ତ୍ରୀ ସବୁ ବର୍ଗର ଲୋକଙ୍କ ଦୈନନ୍ଦିନ ଜୀବନରେ ବ୍ୟବହୃତ ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ଟିକସ ବୋଝ ଲଦିଛନ୍ତି। ଅର୍ଥନୈତିକ ସର୍ଭେରେ କୁହାଯାଇଥିଲା ଯେ, ଆନ୍ତର୍ଜାତିକ ବଜାରରେ ତେଲ ଦର ହ୍ରାସ ପାଇପାରେ। କିନ୍ତୁ ଶସ୍ତା ତେଲ ଭାରତୀୟ ଖାଉଟିଙ୍କ ଭାଗ୍ୟରେ ନାହିଁ। ତିନି ଥାକରେ ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ଟିକସ ଲଗାଯାଇଛି। ଫଳରେ ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ଅଢେ଼ଇରୁ ତିନି ଟଙ୍କା ବୃଦ୍ଧି ପାଇଛି। ମୋଦୀ ସରକାର ପାଇଁ ପେଟ୍ରୋଲ ଓ ଡିଜେଲ ସବୁ ବେଳେ ସୁନା ଅଣ୍ତା ଦିଆ କୁକୁଡ଼ା। ପ୍ରଥମ ପାଳିରେ ମୋଦୀ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୯ ଥର ଶୁଳ୍କ ବଢ଼ାଇଥିଲେ। ଆନ୍ତର୍ଜାତିକ ବଜାରରେ ତେଲ ଦର ବଢ଼ିବା ଲାଗି ନୁହେଁ, ବର˚ ନିର୍ବାଚନକୁ ଆଖି ଆଗରେ ରଖି ମାତ୍ର ୨ ଥର ଶୁଳ୍କ କମାଇଥିଲେ। ଭାରତ ପାଇଁ ତେଲ ଦର ବୃଦ୍ଧିର ସୁଦୂର ପ୍ରସାରୀ ପ୍ରଭାବ ରହିଛି। ତେଲ ଦର ବୃଦ୍ଧିର ଅର୍ଥ ଖାଦ୍ୟ ଓ ଅନ୍ୟ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀ ମହଙ୍ଗା ହେବ; ଯାହା ସାଧାରଣ ଲୋକଙ୍କୁ ବେଶି ବାଧିବ, ଜୀବନ ଜୀବିକାକୁ ପ୍ରଭାବିତ କରିବ। ତେଲ ଦର ବୃଦ୍ଧି, ମହଙ୍ଗାକୁ ପ୍ରତ୍ୟକ୍ଷ ସରକାରୀ ପ୍ରୋତ୍ସାହନ। ସହଜ, ସ୍ବଚ୍ଛନ୍ଦ, ସୁଖୀ ଜୀବନର ସ୍ବପ୍ନ ଦେଖାଉଥିବା ସରକାର ମହଙ୍ଗାକୁ ପ୍ରୋତ୍ସାହନ ଦେବା ଏକ ବିଡ଼ମ୍ବନା। ସେହିପରି ମଧୢମ ଆୟକାରୀଙ୍କ ପାଇଁ ଆଉ ଏକ ବିଡ଼ମ୍ବନା ହେଲା, ଗୃହ ନିର୍ମାଣ ପାଇଁ ଋଣ ଉପରେ ସୁଧ ରିହାତି ଦିଆଯାଇଛି। ଅନ୍ୟପଟେ ଗୃହ ନିର୍ମାଣ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଁ ଶୁଳ୍କ ବଢ଼ାଇଛନ୍ତି। ଫଳରେ ଗୃହ ନିର୍ମାଣ ପାଇଁ ପ୍ରୋତ୍ସାହନରୁ ମଧୢମ ଆୟକାରୀ ବିଶେଷ ଲାଭବାନ ହେବେ ନାହିଁ। ମୋଟ ଉପରେ ସରକାରଙ୍କ ଟିକସ ରାଜସ୍ବ ପୂର୍ବ ବର୍ଷ ଅପେକ୍ଷା ୯% ବଢ଼ିବ ବୋଲି ଆକଳନ କରାଯାଇଛି। ସରକାରଙ୍କ ଏହି ଅତିରିକ୍ତ ଟିକସ ଆୟ ସ୍ବାଭାବିକ ଭାବେ ସାଧାରଣ ଜନତାଙ୍କ ପାଇଁ ଅତିରିକ୍ତ ବୋଝ।

ଏତେ ନେବା ପରେ, ବଜେଟରେ ଆମ୍‌ ଆଦ୍‌ମୀଙ୍କୁ ସରକାର ଦେବେ କେତେ? ଅର୍ଥମନ୍ତ୍ରୀ ବଜେଟ ଭାଷଣରେ ବାରମ୍ବାର ଦୋହରାଇ ଥିଲେ ଯେ, ସାଧାରଣ ଜନତାଙ୍କ ଜୀବନଯାତ୍ରାକୁ ଅଧିକ ସହଜ, ସ୍ବଚ୍ଛନ୍ଦ ଓ ସୁଖୀ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଏହାର ଅର୍ଥ ସାଧାରଣ ଜନତାଙ୍କ ଜୀବନ ଧାରଣର ମାନରେ ଗୁଣାତ୍ମକ ଉନ୍ନତି ଆଣିବା ସରକାରଙ୍କ ଲକ୍ଷ୍ୟ। ଏହି ଲକ୍ଷ୍ୟ ହାସଲ ପାଇଁ, ପୂର୍ବରୁ ଘୋଷଣା କରାଯାଇଥିବା- ସବୁ ଘରକୁ ପାଇପ୍‌ ପାଣି, ପ୍ରତି ପରିବାରକୁ ବିଦ୍ୟୁତ୍‌, ରନ୍ଧନ ଗ୍ୟାସ୍‌ ଯୋଗାଣ ଆଦି ଯୋଜନା ଅର୍ଥମନ୍ତ୍ରୀଙ୍କ ଭାଷଣରେ ପୁଣି ଦୋହରାଯାଇଥିଲା। କିନ୍ତୁ ଭାଷଣର ପ୍ରତିଫଳନ ବ୍ୟୟବରାଦରେ ଦେଖାଯାଉନାହିଁ। ଯୋଜନାଗୁଡ଼ିକ ପାଇଁ ବ୍ୟୟବରାଦ ଆଦୌ ଉତ୍ସାହଜନକ ନୁହେଁ। କେତେକ ଯୋଜନାରେ ବ୍ୟୟବରାଦ ନାମମାତ୍ର ବୃଦ୍ଧି ଓ ଅଧିକା˚ଶ ଯୋଜନାରେ ହ୍ରାସ କରାଯାଇଛି। ଭାତହାଣ୍ତିରୁ ଗୋଟିଏ ଭଳି ପାନୀୟ ଜଳ ଯୋଗାଣ ବାବଦ ବ୍ୟୟବରାଦ ଆଲୋଚନା କରାଯାଉ। ପାନୀୟ ଜଳ ଯୋଗାଣ ଓ ଅବକ୍ଷୟମୁଖୀ ଜଳସମ୍ପଦର ସ˚ରକ୍ଷଣର ଗୁରୁତ୍ବ ଉପଲବ୍‌ଧି କରି ‘ଜଳଶକ୍ତି’ ନାମରେ ଏକ ନୂଆ ମନ୍ତ୍ରଣାଳୟ ଗଠନ କରାଯାଇଛି। ପୂର୍ବତନ ପାନୀୟ ଜଳ ଓ ପରିମଳ, ଜଳସମ୍ପଦ ବିକାଶ ଏବ˚ ନଦୀ ଉନ୍ନୟନ ଓ ଗଙ୍ଗା ପୁନରୁଦ୍ଧାର ମନ୍ତ୍ରଣାଳୟଗୁଡ଼ିକର ମିଶ୍ରଣରେ ନୂଆ ‘ଜଳଶକ୍ତି’ ମନ୍ତ୍ରଣାଳୟ ଗଠନ କରାଯାଇଛି। ନିକଟ ଅତୀତରେ ଦେଶର ବହୁ ଅଞ୍ଚଳରେ ଉତ୍କଟ ଜଳାଭାବ ଏବ˚ ୨୦୨୪ ସୁଦ୍ଧା ‘ଜଳ ଜୀବନ ମିସନ’ ମାଧୢମରେ ପ୍ରତି ଘରକୁ ପାଇପ୍‌ ପାଣି ଯୋଗାଇ ଦେବା ଲାଗି ସରକାରଙ୍କ ଘୋଷଣା ପରିପ୍ରେକ୍ଷୀରେ ଏଥର ବଜେଟରେ ଜଳଶକ୍ତି ମନ୍ତ୍ରଣାଳୟ ପାଇଁ ପର୍ଯ୍ୟାପ୍ତ ପାଣ୍ଠି ବ୍ୟବସ୍ଥା କରାଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ ପୂର୍ବାପେକ୍ଷା ବ୍ୟୟ ଅଟକଳ ବଢ଼ିବ କ’ଣ, ଓଲଟା ୧୦% କମାଇ ଦିଆଯାଇଛି। ପାନୀୟ ଜଳ ଓ ପରିମଳ ପାଇଁ ୨୦୧୮-୧୯ରେ ୨୩,୯୩୮ କୋଟି ଟଙ୍କା ତୁଳନାରେ ୨୦୧୯-୨୦ର ୨୦,୦୧୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ପାଇଁ ବ୍ୟୟବରାଦ ଗତ ଥର ୮୦୦୦ କୋଟି ଟଙ୍କାରୁ ଅଧିକ ଥିଲା। ଏଥର ପାଞ୍ଚ ହଜାର କୋଟି ଟଙ୍କାକୁ କମାଇ ଦିଆଯାଇଛି। ଏଥିରୁ ବିକାଶ ପ୍ରସଙ୍ଗରେ ସରକାରଙ୍କ କଥା ଓ କାମ ଭିତରେ ତଫାତ୍‌ ଜଳଜଳ। ସେହିପରି ଗ୍ରାମାଞ୍ଚଳ ଗରିବଙ୍କୁ ତିରୋଟ ସମୟରେ ରୋଜଗାର ଯୋଗାଇ ଦେବା ଲାଗି ଉଦ୍ଦିଷ୍ଟ ‘ମନରେଗା’ ସମେତ ଛ’ଟି ଗରିବ କଲ୍ୟାଣ ଯୋଜନାରେ ବ୍ୟୟବରାଦ ଗତବର୍ଷର ୮୪,୩୬୧ କୋଟିରୁ ୮୧,୮୬୩ କୋଟି ଟଙ୍କାକୁ ହ୍ରାସ କରାଯାଇଛି। ଗ୍ରାମାଞ୍ଚଳ ବିକାଶ, ସ୍କୁଲ ଶିକ୍ଷା ଓ ଅନ୍ୟ ସାମାଜିକ କଲ୍ୟାଣ ବାବଦ ବ୍ୟୟବରାଦ ମଧୢ ଗତବର୍ଷ ତୁଳନାରେ କମିଛି। କୃଷି ଓ ସ୍ବାସ୍ଥ୍ୟ ପାଇଁ ବ୍ୟୟବରାଦ ଉଲ୍ଲେଖନୀୟ ଭାବେ ବଢ଼ିଛି। କିନ୍ତୁ କୃଷିରେ ଓ ସ୍ବାସ୍ଥ୍ୟରେ କେବଳ ଗୋଟିଏ, ଗୋଟିଏ ଯୋଜନା, ଯଥାକ୍ରମେ ପିଏମ୍‌ କିଷାନ ଓ ପ୍ରଧାନମନ୍ତ୍ରୀ ଆରୋଗ୍ୟ ବାବଦ ସି˚ହଭାଗ ଅର୍ଥ ଦିଆଯାଇଛି। ଫଳରେ ଦୀର୍ଘମିଆଦୀ ସୂତ୍ରରେ କୃଷି ବିକାଶ ଓ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଅଣଦେଖା ହୋଇଛି।

ଅର୍ଥମନ୍ତ୍ରୀ ‘ଜିରୋ ବଜେଟ କୃଷି’ କଥା କହିଛନ୍ତି। କିନ୍ତୁ ‘ଜିରୋ ବଜେଟ କୃଷି’ର ରୂପରେଖ ଯାହା ବି ହେଉ, ତାହା କିନ୍ତୁ ସାଂପ୍ରତିକ କୃଷି ସଂକଟର ଉତ୍ତର ନୁହେଁ। ଦେଶରେ ସଡ଼କ, ରେଳ ଓ ଅନ୍ୟ ଭିତ୍ତିଭୂମିର ବିକାଶ ଲାଗି ପାଞ୍ଚବର୍ଷରେ ୧୦୦ ଲକ୍ଷ କୋଟି, ଅର୍ଥାତ୍‌ ବାର୍ଷିକ ୨୦ ଲକ୍ଷ କୋଟି ଟଙ୍କା ବ୍ୟୟ ହେବ ବୋଲି ଘୋଷଣା କରାଯାଇଛି। ଅଥଚ ଏଥିପାଇଁ ପାଣ୍ଠି କେଉଁଠୁ ଆସିବ, ସେ ନେଇ କିଛି ଉଲ୍ଲେଖ ନାହିଁ। ଏଥିପାଇଁ ଏକ ବିଶେଷଜ୍ଞ କମିଟି ଗଠିତ ହେବ। ତେବେ ମାର‌୍‌ ମାର‌୍‌ ଭଣ୍ତାରିଆକୁ ମାର‌୍‌ ନ୍ୟାୟରେ ସାଧାରଣ ଜନତାଙ୍କ ଉପରେ ପିଟୁଣି ଟିକସ ସ୍ବରୂପ ପେଟ୍ରୋଲ ଓ ଡିଜେଲ ଉପରେ ଲିଟର ପିଛା ଟଙ୍କାଟିଏ ସେସ୍‌ ଲଗାଯାଇଛି, ଯାହା ଭିତ୍ତିଭୂମି ବିକାଶରେ ଖର୍ଚ୍ଚ ହେବ।

ମୋଟାମୋଟି ଅର୍ଥମନ୍ତ୍ରୀଙ୍କ ଭାଷଣରେ ସହଜ, ସ୍ବଚ୍ଛନ୍ଦ ଓ ସୁଖୀ ଜୀବନ ପାଇଁ ଆମ୍‌ଆଦ୍‌ମୀଙ୍କୁ ସ୍ବପ୍ନ ଦେଖାଯାଇଛି। କିନ୍ତୁ ଏହି ସ୍ବପ୍ନକୁ ବାସ୍ତବାୟିତ କରିବା ଦିଗରେ ପ୍ରୟାସ ବଜେଟ ବ୍ୟୟବରାଦରେ ଅତ୍ୟନ୍ତ ସୀମିତ। ସ୍ବପ୍ନ ସ୍ବପ୍ନରେ ରହିଯିବାର ଆଶଙ୍କା ଯେତେ ନିରାଶ କରୁଛି, ଘୋଷିତ ଲକ୍ଷ୍ୟ ହାସଲ ପାଇଁ ସରକାରଙ୍କ ନିଷ୍ଠା ଓ ଇଚ୍ଛାଶକ୍ତିର ନିଅଣ୍ଟିଆ ତା’ଠାରୁ ଅଧିକ ନିରାଶ କରୁଛି।

ସମ୍ବନ୍ଧିତ ଖବର

Comments are closed.