‘‘ଟେକାଟିଏ ମିଳିବା ପର୍ଯ୍ୟନ୍ତ (କାମୁଡ଼ିବା ପାଇଁ ଉଦ୍ୟତ କୁକୁରକୁ) ବଢ଼ିଆ କୁକୁର କହିବାର କଳା ହେଉଛି କୂଟନୀତି।’’ ବି˚ଶ ଶତାବ୍ଦୀର ଆଦ୍ୟ ଭାଗର ଖ୍ୟାତନାମା ଆମେରିକୀୟ ଅଭିନେତା, ସ୍ତମ୍ଭକାର ତଥା ବ୍ୟଙ୍ଗକାର ଵିଲ୍ ରଜର୍ସଙ୍କର ଏହି ଉପଦେଶକୁ ବୋଧହୁଏ କୌଣସି କୂଟନୀତିଜ୍ଞ ଏପରି ଅକ୍ଷରେ ଅକ୍ଷରେ ପାଳନ କରିବା କେବେ ଦେଖା ଯାଇନଥିବ ଯେଉଁପରି ଗତ ଶୁକ୍ରବାର ଦିନ ନ୍ୟୁୟର୍କସ୍ଥିତ ଜାତିସ˚ଘ ନିରାପତ୍ତା ପରିଷଦରେ ଭାରତର ରାଜଦୂତ ସୈଦ୍ ଆକ୍ବରୁଦ୍ଦିନ୍ ଅନୁସରଣ କରିବା ଦେଖାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ଜଣାଶୁଣା ଯେ କଶ୍ମୀରରେ ଧାରା-୩୭୦ର ଉଚ୍ଛେଦ ନେଇ ପାକିସ୍ତାନୀ ଏବ˚ ପ୍ରାୟ ସମସ୍ତ ପାଶ୍ଚାତ୍ୟ ସାମ୍ବାଦିକ ମାନେ ଯେଉଁଭଳି ଭାରତ-ବିରୋଧୀ ଆଭିମୁଖ୍ୟ ପ୍ରଦର୍ଶନ କରିବାରେ ଲାଗିଛନ୍ତି, ତାହା ଦଳେ କାମୁଡ଼ା କୁକୁରଙ୍କର ଭୀତ ପ୍ରଦର୍ଶନ ଭଳି ଆଚରଣର ରୂପ ନେଇଛି। ଚୀନ୍ର ଦାବି ଅନୁଯାୟୀ କଶ୍ମୀର ସମ୍ବନ୍ଧରେ ରୁଦ୍ଧଦ୍ବାର ଅନୌପଚାରିକ ଆଲୋଚନା ପାଇଁ ଅନୁଷ୍ଠିତ ନିରାପତ୍ତା ପରିଷଦର ବୈଠକ ସମାପ୍ତ ହେବା ପରେ ଆକ୍ବରୁଦ୍ଦିନ୍ ଯେଉଁ ସାମ୍ବାଦିକମାନଙ୍କର ସମ୍ମୁଖୀନ ହୋଇଥିଲେ, ସେମାନେ ତାଙ୍କ ପ୍ରତି ଅର୍ଥାତ୍ ଭାରତ ପ୍ରତି ଏହିପରି ବୈରଭାବ ସମ୍ପନ୍ନ ଥିଲେ। ଆକ୍ବରୁଦ୍ଦିନ୍ କିନ୍ତୁ ସେଦିନ ସେଠାରେ ଯେଉଁଭଳି ଧୈର୍ଯ୍ୟ, ପ୍ରତ୍ୟୁତ୍ପନ୍ନମତିତା ତଥା ଆଦର ସହକାରେ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେମାନଙ୍କୁ ନିରସ୍ତ୍ର ଓ ନିର୍ବାକ କରିଦେଲେ, ତାହା ଵିଲ୍ ରଜର୍ସଙ୍କ ଦୃଷ୍ଟିରେ ‘ବଢ଼ିଆ କୁକୁର’ କହି ସେମାନଙ୍କର ଭୁକିବା ବନ୍ଦ କରି ଦେବା ଭଳି ବିବେଚିତ ହୁଅନ୍ତା।
ଏହି ଵିଲ୍ ରଜର୍ସ କୌଶଳରେ ବୋଧହୁଏ ସର୍ବଶ୍ରେଷ୍ଠ ପ୍ରୟୋଗ ସେଦିନ ଦେଖିବାକୁ ମିଳିଥିଲା ଯେତେବେଳେ ସୈଦ୍ ଆକ୍ବରୁଦ୍ଦିନ୍ ସେଠାରେ ଉପସ୍ଥିତ ଜଣେ ବରିଷ୍ଠ ପାକିସ୍ତାନୀ ସାମ୍ବାଦିକଙ୍କର ଏକ ପ୍ରଶ୍ନର ଉତ୍ତର ଦେଇଥିଲେ। ସାମ୍ବାଦିକ ଜଣକ ଆକ୍ବରୁଦ୍ଦିନ୍ଙ୍କୁ ପ୍ରଶ୍ନ କରିଥିଲେ: ‘‘ତୁମେ କେବେ ପାକିସ୍ତାନ ସହିତ କଥାବାର୍ତ୍ତା ଆରମ୍ଭ କରିବ?’’ ପ୍ରଶ୍ନକର୍ତ୍ତାଙ୍କୁ ଚକିତ କରି ଦେଇ ଆକ୍ବରୁଦ୍ଦିନ୍ ତତ୍କ୍ଷଣାତ୍ ପୋଡ଼ିଅମ୍ (ଭାଷଣ ମଞ୍ଚ) ତ୍ୟାଗ କରି ତାଙ୍କ ପାଖକୁ ଚାଲିଯାଇ କହିଲେ: ‘‘ତା ହେଲେ ମୁଁ ତୁମ ପାଖକୁ ଚାଲିଆସି ତୁମ ସହିତ ହାତ ମିଳାଇବାରୁ ତାହା ଆରମ୍ଭ କରୁଛି। ହାତ ବଢ଼ାଅ। ତୁମେ ତିନିଜଣ ଯାକ।’’ ଆକ୍ବରୁଦ୍ଦିନ୍ ତାପରେ କହିଥିଲେ ଯେ ଆମେ ସିମ୍ଲା ରାଜିନାମା ପ୍ରତି ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି କହି ଆମ ବନ୍ଧୁତାର ହାତ ବଢ଼ାଇ ସାରିଛୁ। ପାକିସ୍ତାନ ଠାରୁ ତା’ର ପ୍ରତ୍ୟୁତ୍ତର ପାଇଁ ଆମେ ଅପେକ୍ଷା କରୁଛୁ।
ଉଲ୍ଲେଖଯୋଗ୍ୟ ଯେ ଜାତିସ˚ଘରେ ଭାରତର ସ୍ଥାୟୀ ପ୍ରତିନିଧି ତଥା ରାଜଦୂତ ରୂପେ ଦାୟିତ୍ବ ଗ୍ରହଣ ପରେ ଏହା ଥିଲା ୫୯ ବର୍ଷୀୟ ଆକ୍ବରୁଦ୍ଦିନ୍ଙ୍କ ପାଇଁ ଜାତିସ˚ଘର କୋଳାହଳ ସୃଷ୍ଟିକାରୀ ସାମ୍ବାଦିକମାନଙ୍କ ସହିତ ପ୍ରଥମ ସମ୍ମୁଖ ସମର। ଆକ୍ବରୁଦ୍ଦିନ୍ ସେଦିନ ସେଠାରେ ସାମ୍ବାଦିକମାନଙ୍କର ସମ୍ମୁଖୀନ ହେବା ପାଇଁ ପୂର୍ବରୁ କୌଣସି କାର୍ଯ୍ୟକ୍ରମ ସ୍ଥିର ହୋଇ ନ ଥିଲା। ନିରାପତ୍ତା ପରିଷଦର ପାଞ୍ଚ ସ୍ଥାୟୀ ଓ ଦଶ ଅସ୍ଥାୟୀ ସଦସ୍ୟ ଦେଶମାନଙ୍କର ପ୍ରତିନିଧିମାନେ ଏକ ରୁଦ୍ଧଦ୍ବାର ବୈଠକରେ ମିଳିତ ହେବା ପରେ ନିରାପତ୍ତା ପରିଷଦ ତରଫରୁ କୌଣସି ବିବୃତି ଜାରି କରାଯାଇନଥିଲା। ବିବୃତ୍ତି ଜାରି ନ ହେବାର କାରଣ, ଏହା ଏକ ଅନୌପଚାରିକ ବୈଠକ ଥିଲା ଯାହାର କାର୍ଯ୍ୟକ୍ରମ କେବଳ ଆଲୋଚନା ଓ ମତର ଆଦାନପ୍ରଦାନ ମଧୢରେ ସୀମିତ ଥିଲା। ଆଲୋଚନା ପରେ ସେଥିରୁ କୌଣସି ନିଷ୍କର୍ଷ ବାହାରିବା ନିର୍ଦ୍ଧାରିତ କାର୍ଯ୍ୟକ୍ରମର ଅ˚ଶ ନ ଥିଲା; ତେଣୁ ସେଠାରେ ଆଲୋଚନାରେ ଭାଗ ନେଇଥିବା ସଦସ୍ୟ ଦେଶମାନଙ୍କର ପ୍ରତିନିଧିମାନେ କୌଣସି ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରି ନ ଥିଲେ କିମ୍ବା ସ˚ଖ୍ୟାଗରିଷ୍ଠ ନିଷ୍ପତ୍ତି ଗ୍ରହଣ ଉଦ୍ଦେଶ୍ୟରେ କୌଣସି ମତଦାନ ମଧୢ ଅନୁଷ୍ଠିତ ହୋଇ ନ ଥିଲା। ଏପରିକି ଏହି କାରଣରୁ ସେଠାରେ ହୋଇଥିବା ଆଲୋଚନାର କୌଣସି ବିବରଣୀ ମଧୢ ଲିପିବଦ୍ଧ ହୋଇନଥିଲା। ଏହା ବସ୍ତୁତଃ ଏକ ବୈଠକଖାନା ଆଲୋଚନା ଭଳି ଥିଲା ଯାହା ବାହାରର ଲୋକମାନଙ୍କ ପାଇଁ ସମ୍ପୂର୍ଣ୍ଣ ଗୋପନୀୟ ଥିଲା।
ଏଠାରେ ସୂଚାଇ ଦିଆଯାଇପାରେ ଯେ ଏହି ବୈଠକକୁ ଆନୁଷ୍ଠାନିକ କରିବା ପାଇଁ ଏବ˚ ଭାରତ ବିରୁଦ୍ଧରେ ନିଷ୍ପତ୍ତି ନିଆଯାଇ ତାହା ବିଧିବଦ୍ଧ ଭାବରେ ଘୋଷଣା କରାଯିବା ପାଇଁ ପାକିସ୍ତାନର ଅନୁରୋଧ ଓ ଚୀନ୍ର ଶତ ଚେଷ୍ଟା ସତ୍ତ୍ବେ ପରିଷଦର ଅଧିକାରୀ ଅନ୍ୟ ସଦସ୍ୟ ମାନେ ଏଥିପାଇଁ ରାଜି ହୋଇନଥିଲେ। ଆଲୋଚନା ସମୟରେ ଭାରତ କିମ୍ବା ପାକିସ୍ତାନ କାହାର ବି ପ୍ରତିନିଧିଙ୍କୁ ସେଠାରେ ଉପସ୍ଥିତ ରହିବା ପାଇଁ ଅନୁମତି ଦିଆଯାଇ ନ ଥିଲା। ଅତଏବ ସେଠାରେ କିଏ କ’ଣ କହିଲା, ତାହାର କିଛି ହେଲେ ରେକର୍ଡ ନାହିଁ। ହତାଶା ଜର୍ଜରିତ ପାକିସ୍ତାନ ଓ ଚୀନ୍ର ପ୍ରତିନିଧିମାନେ ତେଣୁ ନିରୁପାୟ ହୋଇ ବୈଠକ ପରେ ସାମ୍ବାଦିକମାନଙ୍କୁ ନିଜ ନିଜର ଦୃଷ୍ଟିଭଙ୍ଗୀକୁ ଆଧାର କରି ଜଣାଇଲେ ଯେ ବୈଠକରେ ଭାରତର ପଦକ୍ଷେପ ନେଇ ଚିନ୍ତା ପ୍ରକାଶ ପାଇଥିଲା।
ସେମାନଙ୍କର ଏହି ମିଥ୍ୟାଚାର ଓ ଅନଧିକାର ଚର୍ଚ୍ଚା ପ୍ରକାଶ ପାଇବା ପରେ ପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ୟମ୍ ଜୟଶଙ୍କରଙ୍କ ନିର୍ଦ୍ଦେଶକ୍ରମେ ସୈଦ୍ ଆକବରୁଦ୍ଦିନ୍ କାଳବିଳମ୍ବ ନ କରି ସାମ୍ବାଦିକମାନଙ୍କ ସମ୍ମୁଖରେ ଉପସ୍ଥିତ ହୋଇଗଲେ। ଏଥିପାଇଁ ପ୍ରସ୍ତୁତ ହେବା ପାଇଁ ତାଙ୍କୁ ମାତ୍ର ଦଶ ମିନିଟ୍ ସମୟ ମିଳିଥିଲା। ତାଙ୍କ ପୂର୍ବରୁ ଚୀନ୍ ଓ ପାକିସ୍ତାନର ପ୍ରତିନିଧିମାନେ ସାମ୍ବାଦିକମାନଙ୍କର କୌଣସି ପ୍ରଶ୍ନର ଉତ୍ତର ନ ଦେଇ ପଳାଇଥିବା ବେଳେ ଆକ୍ବରୁଦ୍ଦିନ୍ ପ୍ରଶ୍ନୋତ୍ତରରେ ଭାଗ ନେବେ ବୋଲି ଘୋଷଣା କରି ଆଶାତୀତ ଭାବେ ସାମ୍ବାଦିକ ମାନଙ୍କର ଇଚ୍ଛା ପୂରଣ କରିଥିଲେ। ଚୀନ୍ ଓ ପାକିସ୍ତାନକୁ କଟାକ୍ଷ କରି ସେ କହିଥିଲେ: ‘‘ଏଠାକୁ ଯେଉଁମାନେ ଆସିଥିଲେ, ତୁରନ୍ତ ପଳାଇଲେ; କିନ୍ତୁ ଏକ ମୁକ୍ତ ଗଣତନ୍ତ୍ରର ପ୍ରତିନିଧି ଭାବରେ ମୁଁ ଆପଣଙ୍କର ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଅଛି।’’
ସାମ୍ବାଦିକମାନଙ୍କ ମଧୢରେ ବିଶ୍ବାସ ଜନ୍ମାଇବା ପରେ ଆକ୍ବରୁଦ୍ଦିନ୍ ଯେଉଁ ଭଳି ଶାଣିତ ଢ଼ଙ୍ଗରେ ଭାରତକୁ ଏକ ଦାୟିତ୍ବବାନ୍, ମୁକ୍ତ, ଅନୁଷ୍ଠାନଭିତ୍ତିକ ଗଣତନ୍ତ୍ର ରୂପେ ଉପସ୍ଥାପିତ କଲେ, ତାହା ନିରପେକ୍ଷ ପର୍ଯ୍ୟବେକ୍ଷକମାନଙ୍କ ଦୃଷ୍ଟିରେ ନିଶ୍ଚିତ ରୂପେ ଉଭୟ ଅଭିଯୋଗକାରୀ ଦେଶର ଅଗଣତାନ୍ତ୍ରିକ ରାମମୂର୍ତ୍ତି ସହିତ ଏକ ତୀକ୍ଷ୍ଣ ତୁଳନାତ୍ମକ ଚିତ୍ର ଉପସ୍ଥାପିତ କରିଥିବ। ତସ୍ଲିମା ନସ୍ରିନ୍ ଅଗଷ୍ଟ ୧୭ ତାରିଖ ଦିନ କରିଥିବା ଏହି ଟ୍ବିଟ୍ ଉକ୍ତ ବିଡ଼ମ୍ବନାକୁ ଶକ୍ତିଶାଳୀ ଢଙ୍ଗରେ ପ୍ରତିଫଳିତ କରିଥାଏ: ‘‘ଚୀନ୍ କଶ୍ମୀରରେ ଗଣତନ୍ତ୍ର ଚାହେଁ, କିନ୍ତୁ ଚୀନ୍ରେ ନୁହେଁ। ଚୀନ୍ କଶ୍ମୀରରେ ୧ ହଜାର ଗଣତନ୍ତ୍ର -ସପକ୍ଷବାଦୀ ପ୍ରତିବାଦକାରୀଙ୍କୁ ସମବେଦନା ଜଣାଉଛି, କିନ୍ତୁ ହ˚କ˚ରେ ୧ ନିୟୁତ ଗଣତନ୍ତ୍ର ସପକ୍ଷବାଦୀ ପ୍ରତିବାଦକାରୀଙ୍କୁ ନୁହେଁ।’’ ଏକଛତ୍ରବାଦୀ କମ୍ୟୁନିଷ୍ଟ ଶାସନାଧୀନ ଚୀନ୍ର କଶ୍ମୀର ଭଳି ନିଜର ଏକ ଆଭ୍ୟନ୍ତରୀଣ ବ୍ୟାପାରରେ ଗଣତାନ୍ତ୍ରିକ ଭାରତ ନେଇଥିବା ପଦକ୍ଷେପ ସମ୍ବନ୍ଧରେ ମନ୍ତବ୍ୟ ଦେବାର ନୈତିକ ଅଧିକାର ନ ଥିବା ବେଳେ (ପୁଣି ଠିକ୍ ଯେଉଁ ସମୟରେ ନିଜ ଦେଶ ଭିତରେ ହ˚କ˚ରେ ଗତ ୧୧ ସପ୍ତାହ ଧରି ଗଣତାନ୍ତ୍ରିକ ଅଧିକାର ଦାବି କରି ଚୀନ୍ର ନିୟନ୍ତ୍ରଣ ଉଦ୍ୟମ ବିରୁଦ୍ଧରେ ବିଶାଳ ବିକ୍ଷୋଭମାନ ପ୍ରଦର୍ଶନ ଚାଲୁ ରହିଛି- ରବିବାର ଦିନ ସେଠାରେ ୧୭ ଲକ୍ଷ ପ୍ରଦର୍ଶନକାରୀ ଠୁଳ ହୋଇଥିଲେ।), ପୃଥିବୀରେ ଆତଙ୍କବାଦର ମୁଖ୍ୟ ପୃଷ୍ଠପୋଷକ ପାକିସ୍ତାନ ଆତଙ୍କବାଦ ପରିତ୍ୟାଗ କରି ଭାରତ ସହିତ କଥାବର୍ତ୍ତାର ବାଟ ଫିଟାଇବା ପରିବର୍ତ୍ତେ ଜାତସ˚ଘର ଦ୍ବାରସ୍ଥ ହେବା ହେଉଛି ଏକ ବିଭ୍ରାନ୍ତି ସୃଷ୍ଟିକାରୀ କାର୍ଯ୍ୟ- ଏଥିପ୍ରତି ଆକ୍ବରୁଦ୍ଦିନ୍ଙ୍କର ନିପୁଣ ପ୍ରଦର୍ଶନ ସେଦିନ ସେଠାରେ ଉପସ୍ଥିତ ସାମ୍ବାଦିକଗଣ ତଥା ବିଶ୍ବ ସମୁଦାୟର ଦୃଷ୍ଟି ଆକର୍ଷଣ କରିବାରେ ବିଫଳ ହୋଇନଥିବ। ‘ବଢ଼ିଆ କୁକୁର!’ କହି ଆକବରୁଦ୍ଦିନ୍ ମାରିଥିବା ଟେକା ଠିକ୍ ଲକ୍ଷ୍ୟସ୍ଥଳ ଭେଦ କରିଥିବ।