ପଦ୍ମତୋଳା

କୌଣସି ଗୁରୁଦାୟିତ୍ବ ନିର୍ବାହ କରିବା ସମୟରେ ମହତ୍‌ ଉଦ୍ଦେଶ୍ୟ ହାସଲ ପାଇଁ ନିଆଯାଇଥିବା ନିଷ୍ପତ୍ତି ଯେ ସର୍ବଦା ନିର୍ଭୁଲ ହେବ, ଏହାର କୌଣସି ନିଶ୍ଚିତତା ନ ଥାଏ। ଭୁଲ୍‌ କରିବା ମନୁଷ୍ୟ ପାଇଁ ଏକ ଅସ୍ବାଭାବିକ ଆଚରଣ ନୁହେଁ। କିନ୍ତୁ ଭୁଲ୍‌ ଯଦି ଉଦ୍ଦେଶ୍ୟମୂଳକ ହୋଇନଥାଏ, ତେବେ ଭୁଲ୍‌ ହୋଇଛି ବୋଲି ଜଣାପଡ଼ିବା ପରେ ତାହାକୁ ସୁଧାରିବା ପାଇଁ ଉଦ୍ୟମ କରିବା ହେଉଛି ଏକ ମୁକ୍ତ ଚିନ୍ତାଧାରା ସମ୍ପନ୍ନ ମନୁଷ୍ୟର ପରିଚୟ। ଜୁଲାଇ ୫ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ପ୍ରଥମ ବଜେଟ୍‌ ଉପସ୍ଥାପିତ କରିବା ପରଠାରୁ ନିୟମିତ ଭାବରେ ସେଥିରେ ସେ ଅନ୍ତର୍ଭୁକ୍ତ କରିଥିବା ଏକାଧିକ ଅବାଞ୍ଛିତ ପ୍ରସ୍ତାବମାନଙ୍କ ସମ୍ବନ୍ଧରେ ସମାଲୋଚନା ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ବିତ୍ତୀୟ ସ୍ବାସ୍ଥ୍ୟର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ସୂଚକ ବମ୍ବେ ସେଆର‌୍‌ ବଜାରର ସେନ୍‌ସେକ୍‌ସରେ ଲଗାତାର ସ୍ଖଳନ ଘଟି ଚାଲିଥିଲା। ଏକ ଧାରଣା ବଳବତ୍ତର ହୋଇଥିଲା ଯେ ସୀତାରମଣଙ୍କର ବଜେଟ୍‌ରୁ ଜଣା ପଡ଼ିଥାଏ ଯେ ଦ୍ବିତୀୟ ପାଳିର ନରେନ୍ଦ୍ର ମୋଦୀ ସରକାର ହେଉଛି ଶିଳ୍ପ-ବାଣିଜ୍ୟ-ଉଦ୍ୟୋଗ ବିରୋଧୀ ସମାଜବାଦୀ ଆଦର୍ଶ ଗ୍ରହଣ କରିଥିବା ଏକ ସରକାର। ଏଥିରେ ସମ୍ପଦ ସୃଷ୍ଟିକୁ ନିରୁତ୍ସାହିତ କରିବା ଭଳି ଅନେକ ପ୍ରସ୍ତାବ ଭର୍ତ୍ତି ହୋଇ ରହିଥିଲା। ରାଜନୈତିକ ବାଧୢବାଧକତାରୁ ମୋଦୀଙ୍କ ଦଳ ଓ ସରକାର ନିଜର ସହଜାତ ବ୍ୟବସାୟ ଅନୁକୂଳ ଆଭିମୁଖ୍ୟରେ ଏପରି ପରିବର୍ତ୍ତନ ଆଣିଥିଲେ ବୋଲି ବିଶ୍ବାସ କରାଯାଉଥିଲା, ଯାହାର ପରିଣାମ ସ୍ବରୂପ ବିଦେଶୀ ପୁଞ୍ଜି ନିବେଶକମାନେ ସେଆର‌୍‌ ବଜାରରୁ ନିବେଶ ପ୍ରତ୍ୟାହାର କରି ପଳାଇବା ସହିତ ଘରୋଇ ଶିଳ୍ପବାଣିଜ୍ୟ ମହଲରେ ଏକ ବିଷାଦ ଛାୟା ଖେଳି ଯାଇଥିଲା।

ବର୍ତ୍ତମାନ ପୃଥିବୀ ବ୍ୟାପୀ ଦେଖା ଦେଇଥିବା ମାନ୍ଦା ଅବସ୍ଥା ବିରୁଦ୍ଧରେ ଲଢ଼ିବା ପାଇଁ ଚେଷ୍ଟା କରିବା ପରିବର୍ତ୍ତେ ଏଠାରେ ମଧୢ ଉତ୍ପାଦନ ସ˚କୋଚନରୁ ଆରମ୍ଭ କରି ଛଟେଇ ପର୍ଯ୍ୟନ୍ତରେ ବେଗ ବୃଦ୍ଧି ଦେଖାଯିବାକୁ ଆରମ୍ଭ କରିଥିଲା। ଭାରତର ଶିଳ୍ପ ବାଣିଜ୍ୟର କର୍ଣ୍ଣଧାରମାନେ ଏବ˚ ନିରପେକ୍ଷ ଅନୁଶୀଳନକାରୀମାନେ ଏ ସମ୍ବନ୍ଧରେ ଅଧିକରୁ ଅଧିକ ପ୍ରକାଶ୍ୟରେ ଚିନ୍ତା ପ୍ରକଟ କରିବାକୁ ଆରମ୍ଭ କଲେ। କଶ୍ମୀର ଭଳି ରାଜନୈତିକ ସମସ୍ୟା ପ୍ରଧାନମନ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ରୂପେ ନିମଜ୍ଜିତ କରି ରଖିଥିବେ ବୋଲି ବିଶ୍ବାସ କରାଯାଉଥିଲେ ମଧୢ ନରେନ୍ଦ୍ର ମୋଦୀ ଯେ ଏକ ଅତିମାନବୀୟ ମସ୍ତିଷ୍କର ଅଧିକାରୀ ତାହାର ପ୍ରମାଣ ଦେଖିବାକୁ ମିଳିଥିଲା ସ୍ବାଧୀନତା ଦିବସ ପାଳନ ଅବସରରେ ଯେତେବେଳେ ସେ ସେଥିରୁ ସମ୍ପୂର୍ଣ୍ଣ ଦୂରେଇ ଯାଇ ଏମାନଙ୍କର ଚିନ୍ତା ତାଙ୍କର କାନରେ ପଡ଼ିଥିବା ଭଳି ଲାଲକିଲ୍ଲା ଠାରେ ଘୋଷଣା କଲେ ଯେ, ସମ୍ପଦ ସୃଷ୍ଟି ହେଉଛି ଏକ ଜାତୀୟ ସେବା ଏବ˚ ସମ୍ପଦ ସୃଷ୍ଟିକାରୀଙ୍କୁ ନିରୁତ୍ସାହିତ କରାଯିବ ନାହିଁ।

ବାସ୍‌- ଏକ ଶୃଙ୍ଖଳିତ ସୈନିକ ଭଳି ଅର୍ଥମନ୍ତ୍ରୀ ସୀତାରମଣଙ୍କ ପାଇଁ ସେନାପତିଙ୍କର ଏତିକି ଘୋଷଣା ଯଥେଷ୍ଟ ଥିଲା। ସେ ଏଥିପୂର୍ବରୁ ଧରିଥିବା ଜିଦ୍‌ ଛାଡ଼ି ତୁରନ୍ତ ରଣକୌଶଳ ବଦଳାଇବାରେ ଲାଗି ପଡ଼ିଲେ, ଯାହାର ନୂତନ ପରିବର୍ତ୍ତିତ ରୂପରେଖ ଦେଖିବାକୁ ମିଳିଥିଲା ଗତ ଶୁକ୍ରବାର ଦିନ। ସେଦିନ ସୀତାରମଣଙ୍କ ଘୋଷଣାମାନ ଦେଖିବା ପରେ ବଜାର ବିଶେଷଜ୍ଞମାନେ କଳ୍ପନାଜଳ୍ପନା ପ୍ରକାଶ କରିବା ଦେଖାଯାଇଥିଲା ଯେ ତାଙ୍କର ପରିବର୍ତ୍ତିତ ଘୋଷଣାର ସୁଫଳ ସ୍ବରୂପ ସୋମବାର ଦିନ ସେଆର‌୍‌ ବଜାର ଖୋଲିବା ପରେ ଦିନର କାରବାର ଶେଷ ବେଳକୁ ସେନ୍‌ସେକ୍‌ସରେ ଅନ୍ୟୂନ ପ୍ରାୟ ୨ ଶତା˚ଶ ବୃଦ୍ଧି ଘଟିଥିବ। ସତକୁ ସତ ସାପୁଆ କେଳାର ପଦ୍ମତୋଳା ଶୁଣି ଶୋଇଥିବା ନାଗ ଫଣା ଟେକି ଉଠିବା ଭଳି ସୋମବାର ଦିନ ସେନ୍‌ସେକ୍‌ସରେ ଏକ ବିଶାଳ ୭୯୩ ପଏଣ୍ଟ ବୃଦ୍ଧି ଘଟିଥିଲା- ବୃଦ୍ଧି ହାର ଥିଲା ୨.୧୬ ଶତା˚ଶ। ଆମେରିକା ଓ ଚୀନ୍‌ ମଧୢରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଯେତେବେଳେ ପୃଥିବୀର ଅନ୍ୟାନ୍ୟ ବଡ଼ ବଡ଼ ସେଆର ବଜାରକୁ ନିସ୍ତେଜ କରି ଦେଇଛି, ସେନ୍‌ସେକ୍‌ସ ସେମାନଙ୍କୁ ଅନୁସରଣ କରି ଗାତରେ ପଶିବା ପରିବର୍ତ୍ତେ ଏପରି ଫଣା ଉତ୍ତୋଳନ କରିବା ନିର୍ମଳା ସୀତାରମଣଙ୍କ ମନରୁ ସମସ୍ତ ସନ୍ଦେହ ଦୂର କରି ଦେଇଥିବ ଯେ ସେ କିପରି ଏକ ସମ୍ପୂର୍ଣ୍ଣ ରୂପେ ପ୍ରଗତି-ପ୍ରତିକୂଳ ବଜେଟ୍‌ ଉପସ୍ଥାପିତ କରିଥିଲେ।

ଏହି ବଜେଟ ମାଧୢମରେ ସୀତାରମଣ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଯେଉଁ ସମସ୍ତ ଯନ୍ତ୍ରଣା ବିନ୍ଦୁମାନ ସୃଷ୍ଟି କରିଥିଲେ, ଶୁକ୍ରବାର ଦିନ ସେ ସେ ସବୁକୁ ଯନ୍ତ୍ରଣାମୁକ୍ତ କରିବାକୁ ଚେଷ୍ଟା କରିଛନ୍ତି। ସେଆର ବଜାରରେ ଉଭୟ ବୈଦେଶିକ ପୁଞ୍ଜିନିବେଶକ ଏବ˚ ଘରୋଇ ଆନୁଷ୍ଠାନିକ ପୁଞ୍ଜିନିବେଶକମାନଙ୍କ ଆୟ ଉପରେ ଲାଗୁ କରାଯାଇଥିବା ସର୍‌ଚାର୍ଯ‌୍‌ ହଟାଇ ଦେଇ ସେ ସେମାନଙ୍କର ପଳାୟନକୁ ନିରୁତ୍ସାହିତ କରିଛନ୍ତି। କର୍ପୋରେଟ୍‌ ସୋସିଆଲ ରେସ୍‌ପନ୍‌ସିବିଲିଟି (ସିଏସ୍‌ଆର‌୍‌) ବାବଦରେ ସର୍ବନିମ୍ନ ଧାର୍ଯ୍ୟ ଅନୁପାତରେ ଖର୍ଚ୍ଚ କରି ପାରି ନ ଥିବା କମ୍ପାନି ପରିଚାଳକମାନଙ୍କୁ ଆଉ ଅପରାଧୀ ରୂପେ ବିବେଚନା କରାଯିବ ନାହିଁ ବୋଲି ଘୋଷଣା କରି ସେ ଏ ଉଦ୍ଭଟ ବ୍ୟବସ୍ଥାରେ ଅନ୍ତ ଘଟାଇ କମ୍ପାନିମାନଙ୍କର ଏକ ଭୀଷଣ ଦୁଃଶ୍ଚିନ୍ତା ଦୂର କରିଛନ୍ତି। ନୂତନ ଉଦ୍ୟୋଗ ବା ‘ଷ୍ଟାର୍ଟ-ଅପ୍‌’ମାନଙ୍କୁ ନିରୁତ୍ସାହିତ କରୁଥିବା ‘ଆଞ୍ଜେଲ୍‌ ଟ୍ୟାକ୍ସ’ ଉଚ୍ଛେଦ କରି ସେ ସେମାନଙ୍କ ପାଇଁ ସମ୍ବଳ ସ˚ଗ୍ରହକୁ ସୁଗମ କରିଛନ୍ତି।

ସୀତାରମଣ ମଧୢ ନିବେଶ ପାଇଁ ପୁଞ୍ଜି ସ୍ରୋତକୁ ଗତିଶୀଳ କରିବା ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କରେ ସରକାର ୭୦,୦୦୦ କୋଟି ଟଙ୍କାର ନୂତନ ପୁଞ୍ଜି ଭର୍ତ୍ତି କରିବେ ବୋଲି ଘୋଷଣା କରିଛନ୍ତି। ଭିତ୍ତିଭୂମି ଏବ˚ ଗୃହ ନିର୍ମାଣ କ୍ଷେତ୍ରକୁ ଋଣ ସହାୟତା ଯୋଗାଇବା ପାଇଁ ଏକ ସ˚ସ୍ଥା ଗଠନ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ପରିବହନ ଶିଳ୍ପ ହେଉଛି ଭାରତୀୟ ନିର୍ମାଣ (ମାନୁଫାକ୍‌ଚରିଙ୍ଗ୍‌) କ୍ଷେତ୍ରର ମେରୁଦଣ୍ତ। ଏ କ୍ଷେତ୍ରକୁ ହତୋତ୍ସାହିତ କରୁଥିବା ପୂର୍ବରୁ ନିଆଯାଇଥିବା କେତେକ ନିଷ୍ପତ୍ତିରେ ପରିବର୍ତ୍ତନ ଆଣି ସୀତାରମଣ ଏହି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ପାଇଁ ଏକ ନୂତନ ପ୍ରାଣ ସଞ୍ଚାର କରିଛନ୍ତି। ଏକକାଳୀନ ରେଜିଷ୍ଟ୍ରେସନ୍‌ ଦେୟରେ ବୃଦ୍ଧି ଘଟାଇବା ପାଇଁ ହୋଇଥିବା ନିଷ୍ପତ୍ତିକୁ ସେ ସ୍ଥଗିତ କରିଛନ୍ତି। ଗାଡ଼ି ଉପରେ ଡେପ୍ରିସିଏସନ୍‌ (କ୍ଷୟ) ସୁବିଧାକୁ ଦ୍ବିଗୁଣିତ କରାଯାଇଛି, ସରକାରୀ ଗାଡ଼ି କ୍ରୟ ଉପରୁ ପ୍ରତିବନ୍ଧ ହଟାଇ ଦିଆଯାଇଛି। ସେହିପରି ଇଲେକ୍‌ଟ୍ରିକ୍‌ ଭେଇକ୍‌ଲ ଓ ବିଏସ୍‌-୪ ପ୍ରଦୂଷଣମାନ ନେଇ ଲାଗି ରହିଥିବା ଅନିଶ୍ଚିତତା ମଧୢ ଦୂର ହୋଇ ଏହା ମଟରଗାଡ଼ି ପାଇଁ ଚାହିଦାରେ ବୃଦ୍ଧି ଘଟାଇବ ବୋଲି ଆଶା କରାଯାଉଛି। ଋଣକୁ ଚିନ୍ତା କରିବା ଉଦ୍ଦେଶ୍ୟରେ କର୍ପୋରେଟ୍‌ ସହିତ ବ୍ୟାଙ୍କ ଦେଉଥିବା ଋଣ ହାରକୁ ସ˚ଯୁକ୍ତ କରାଯାଉଛି।

ଏ ସମସ୍ତର ମିଳିତ ପ୍ରଭାବରେ ସୋମବାର ଦିନ ସେନ୍‌ସେକ୍‌ସ ଫଣା ଉଠାଇଥିଲେ ହେଁ ଏ ସମସ୍ତ ମୁଖ୍ୟତଃ ଯୋଗାଣ ପାର୍ଶ୍ବ ପଦକ୍ଷେପ ସହିତ ତାଳ ଦେଇ ସରକାର ଯଦି ଚାହିଦା ପାର୍ଶ୍ବରେ ରାଜକୋଷୀୟ ପଦକ୍ଷେପମାନ ନ ନିଅନ୍ତି ତେବେ ସେ ନାଗଫଣିଆ ସୂଚକାଙ୍କ ଯେ ବେଶି ଦିନ ଟେକି ହୋଇ ନ ରହିପାରେ ତା’ର ଏକ ଝଲକ ଦେଖିବାକୁ ମିଳିଥିଲା ମଙ୍ଗଳବାର ଦିନ ଯେତେବେଳେ ସେନ୍‌ସେକ୍‌ସରେ ବୃଦ୍ଧି ମାତ୍ର ୧୪୭ ପଏଣ୍ଟ (୦.୩୯%) ମଧୢରେ ସୀମିତ ରହିଥିଲା।

ସମ୍ବନ୍ଧିତ ଖବର